ଶ୍ରୀହୀନ ଶ୍ରୀଫଳର ଶ୍ରୀକ୍ଷେତ୍ର

ଶ୍ରୀହୀନ ଶ୍ରୀଫଳର ଶ୍ରୀକ୍ଷେତ୍ର

ପଞ୍ଚାନନ କାନୁନଗୋ ଭକ୍ତ ଦାସିଆର ଶ୍ରୀଜଗନ୍ନାଥଙ୍କୁ ନଡ଼ିଆ ଦାନ କାହାଣୀ ସମେତ ଓଡ଼ିଶାର ସାଂସ୍କୃତିକ, ସାମାଜିକ ତଥା ଆର୍ଥିକ ଧାରା ସହିତ ନଡ଼ିଆର ସଂପୃକ୍ତି ସର୍ବ ଜନବିଦିତ | ନଡ଼ିଆ ଫଳମାନଙ୍କ ଭିତରେ ଶ୍ରେଷ୍ଠଭାବେ ପରିଗଣିତ ହେଉଥିବାରୁ ଏହାର ଅନ୍ୟନାମ ଶ୍ରୀଫଳ | ନଡ଼ିଆ ଫସଲ ବ୍ୟକ୍ତି ବା ପରିବାରର ଗୋଟିଏ ମୁଖ୍ୟ ଆୟ ନୁହେଁ | କିନ୍ତୁ ସହାୟକ ଆୟ ଭାବରେ ଖୁବ୍ ସହଯୋଗୀ | ନଡ଼ିଆ ଫଳ ଓ ପାଣିର ବ୍ୟବହାର  ସହିତ ପ୍ରାଚୀନ ଓଡ଼ିଶାରେ ନଡ଼ିଆ ଗଛ ଗଣ୍ଡିକୁ ପାଣି ବୁହାଇବା ନୋଧା ବା ସେଣାଭାବେ, ପତ୍ରକୁ ଗରୀବର ବିଛଣା ଭାବେ (ଚାଞ୍ଚରା), ନଡ଼ିଆ ଖଡ଼ିକାକୁ ଛାଞ୍ଚୁଣି ଭାବେ, ଏପରିକି ନଡ଼ିଆ ଷଢ଼େଇ, ନଡ଼ିଆ କତାର ବ୍ୟବହାର ଅନେକ ଭାବରେ ହେଉଥିଲା | ଏବେ ତା’ର ଅତ୍ୟାଧୁନିକ ବ୍ୟବହାର ହେବାର ଦେଖାଯାଉଛି | ନଡ଼ିଆ କତା ନଡ଼ିଆ ଖୋଳରୁ ଅନେକ ଅତ୍ୟାଧୁନିକ ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ ହୋଇ ବଜାରରେ ମିଳୁଛି | ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହେଉଛି| ପୂର୍ବେ ଏହା ଏକ ଦୀର୍ଘମିଆଦି ଫସଲ ଥିଲା | ଏବେ କିନ୍ତୁ ୫/୭ ବର୍ଷରେ ନଡ଼ିଆ ଗଛରେ ଫଳ ଆସୁଛି | ଗୋଟିଏ ପରିବାରର ୧୦ ଗୋଟି ଗଛ ରହିଲେ ପରିବାର ମାସିକ ଆୟରେ ଅତି କମରେ ହଜାରେ ଟଙ୍କା ଯୋଡ଼ାଯାଇ ପାରିଥାଏ | ଏହି ଗଛ ବଢ଼ାଇବାରେ ଆଦୌ ବା ବିଶେଷ ପରିଶ୍ରମ ନାହିଁ | ସାମାନ୍ୟ ଯତ୍ନରେ ଏହା ବଢ଼ିଥାଏ | କେବଳ ଯାହା ଗଛ ଝାଡ଼ିବା ଓ ଫଳ ପାରିବାର କାର୍ଯ୍ୟ ପାଇଁ କୁଶଳୀ ଲୋକ ଦରକାର ହୋଇଥାନ୍ତି | ପର୍ଯ୍ୟଟକ ବା ଯାତ୍ରୀମାନଙ୍କର ଅତିପ୍ରିୟ ପାନୀୟ ପଇଡ଼ପାଣି | ଉଚ୍ଚଦରରେ ବିଦେଶୀ ପାନୀୟ ବ୍ୟବହାର କରିବା ଅପେକ୍ଷା ସ୍ବାସ୍ଥ୍ୟକର ସୁସ୍ବାଦ ପଇଡ଼ ପାଣିର ବ୍ୟବହାରକୁ ଅନେକ ପସନ୍ଦ କରନ୍ତି | ନଡ଼ିଆ ଏପରି ଏକ ଫଳ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ |ଏଥିରୁ ତେଲ ବାହାର କରାଯାଇଥାଏ | ଏହା ଏକ ପ୍ରମୁଖ ତୈଳବୀଜ (ଫଳ) ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ | ଯଦିଓ କେରଳ ପରି ରାଜ୍ୟରେ ରାନ୍ଧଣାରେ ନଡ଼ିଆ ତେଲର ବ୍ୟବହାର ପ୍ରାୟତଃ ଦେଖାଯାଇଥାଏ ଓଡ଼ିଶାର ରୋଷେଇରେ ଏହାର ବ୍ୟବହାର ଆଦୌ ନାହିଁ କହିଲେ ଚଳେ | କାରଣ ଓଡ଼ିଶାରେ ରାନ୍ଧଣା ତେଲ ଭାବେ ସୋରିଷ, ସୂର୍ଯ୍ୟମୁଖୀ, ବାଦାମ, ଅଳସୀ, ଆଦିର ବ୍ୟବହାର ବେଶୀ, ଯେହେତୁ ଏସବୁର ଆମଦାନୀ ରାଜ୍ୟରେ ଅଧିକ ଥିବାର ଦେଖିବାକୁ ମିଳିଥାଏ | ଅନ୍ୟ ରାଜ୍ୟରୁ ଆନୀତ ବ୍ରାହ୍ମଣ ସଂପ୍ରଦାୟର ଆର୍ଥିକ ସୁରକ୍ଷା ନିମନ୍ତେ ନଡ଼ିଆଗଛ ହିଁ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା | ଶାସନଗ୍ରାମ ମାନ ଦେଖିଲେ ଏହି ନଡ଼ିଆଗଛର ବ୍ୟବହାର  ସଂପର୍କରେ ଜାଣିହେବ | ବିନା ପରିଶ୍ରମରେ ଏହି ଫଳ ଅସହାୟ ନିଃସହାୟ ବ୍ୟକ୍ତିମାନେ ବିକ୍ରୀକରି ଅସମୟର ଗୁଜୁରାଣ ମେଣ୍ଟାଉଥିଲେ | ରାଜ୍ୟରେ ୪୮୦ କିଲୋ ମିଟର ବ୍ୟାପୀ ସମୁଦ୍ର ଉପକୁଳ ରହିଛି | ଏହି ଉପକୁଳର ଜଳବାୟୁ ଓ ମୂର୍ତ୍ତୀକା ନଡ଼ିଆ ଉତ୍ପାଦନ ନିମନ୍ତେ ଅତ୍ୟନ୍ତ ଅନୁକୁଳ | ଲୁଣିଆ ମାଟି ଓ ଜଳବାୟୁରେ ଏହି ଚାଷ ଯେପରି ଭଲ ହୋଇଥାଏ ସାମୁଦ୍ରିକ ଝଡ଼ରେ ଏହାର ବାରମ୍ବାର କ୍ଷତି ମଧ୍ୟ ଅନେକଭାବେ ପରିବାରର ଅର୍ଥନୀତିକୁ କ୍ଷତି ଘଟାଇଥାଏ | ନଡ଼ିଆ ଚାଷର ପ୍ରାଚୀନତା ନିଶ୍ଚୟ ଉପକୂଳ ବ୍ୟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ସଭ୍ୟତା ସହିତ ଯୋଡି ହୋଇରହିଛି | କାରଣ ଓଡ଼ିଶାର ପ୍ରସିଦ୍ଧ ବଇଆ କୋରା, ନଡ଼ିଆ ବ୍ୟତୀରେକେ ପ୍ରସ୍ତୁତ ହୋଇପାରିବ ନାହିଁ | ଏପରିକି ଚିନି ବ୍ୟବହାର ପୂର୍ବରୁ କୋରାର ପ୍ରସ୍ତୁତି ଗୁଡ଼ରେ ହେଉଥିଲା | ଓଡ଼ିଆଣୀଙ୍କ ସମସ୍ତ ପିଠାପଣାରେ ନଡ଼ିଆର ବ୍ୟବହାର ବହୁ ପ୍ରାଚୀନକାଳରୁ ରହି ଆସିଛି | ଗରିବ, ଅସହାୟମାନଙ୍କର ଅର୍ଥ ଉପାର୍ଜନକାରୀ ଏହି ଫସଲଟି ଆସ୍ତେ ଆସ୍ତେ ରାଜ୍ୟରେ କାହିଁକି ଗୁରୁତ୍ବ ହରାଇଛି ତାହା ବିଚାରର ବିଷୟ | ମହାବାତ୍ୟା ପୂର୍ବରୁ ୧୯୯୮-୯୯ ବର୍ଷରେ ରାଜ୍ୟରେ ୭୯୮.୧ ନିୟୁତ ସଂଖ୍ଯକ ନଡ଼ିଆ ଉତ୍ପାଦନ ହୋଇଥିବା ବେଳେ ୨୦୦୮-୦୯ ବେଳକୁ ଏହା କମି ଆସି ପାଖାପାଖି ୧୯୦ନିୟୁତରେ ପହଂଚିଥିଲା |  ଏପରିକି ରାଜ୍ୟରେ ନଡ଼ିଆଚାଷକୁ ନେଇ ଖୋର୍ଦ୍ଧାଠାରେ ଏକ ବୃହତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାପରେ ପରେ ହିଁ ଉତ୍ପାଦନ କମିବାର କାରଣ କ’ଣ ଜଣା ପଡ଼ୁନାହିଁ ଏବଂ ନଡ଼ିଆରେ ଦେଖା ଯାଉଥିବା ଯାଦୁରା ରୋଗ ଏହି ବିଶେଷଜ୍ଞମାନେ କେଉଁ କାରଣରୁ  ପ୍ରତିହତ କରି ପାରି ନାହାନ୍ତି ଜଣା ପଡ଼ୁନାହିଁ | ନଡ଼ିଆ ଗଛର ଉତ୍ପାଦିକା ଶକ୍ତି ମଧ୍ୟ ସେପରି ଭଲ ନୁହେଁ | କେରଳରେ ଗୋଟିଏ ଗଛରେ ବର୍ଷକୁ ଅନ୍ୟୁନ ହାରାହାରୀ ୨୦୦ ଫଳ ଆସିଥିବାବେଳେ ଓଡ଼ିଶାରେ ହାରାହାରି ୧୦୦ ଫଳ ଆସି ନଥାଏ | କେରଳରେ ହେକ୍ଟର ପିଛା ୪୭୪୨ କି.ଗ୍ରା ଉତ୍ପାଦନ ହେଉଥିବାବେଳେ ଓଡ଼ିଶାରେ ୩୭୨୨ କି.ଗ୍ରା ଫଳୁଥିବା ଦେଖା ଯାଉଛି (୨୦୦୮-୦୯) | ବଡ଼ ଚିନ୍ତାର କଥା ହେଉଛି ଏକ ସମୟରେ ଓଡ଼ିଶାରେ ହେକ୍ଟର ପିଛା ୧୪,୫୮୯ କି.ଗ୍ରା. (୧୯୯୮-୯୯) ଉତ୍ପାଦନ ହୋଇଥିବା କଥା କୁହାଯାଇଛି | ହୁଏତ ଏହିବର୍ଷ ମହାବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଦୃଷ୍ଟିରୁ ଅନେକ ନଡ଼ିଆ ଅକାଳରେ ଝଡ଼ିପଡ଼ିଥିବାରୁ ଉତ୍ପାଦନ ସଂଖ୍ୟା ଆକଳନରେ ଏପରି ହୋଇଥାଇ ପାରେ | ମାତ୍ର ତା’ର ପୂର୍ବବର୍ଷ ହେକ୍ଟର ପିଛା ୭୬୪୧ କି.ଗ୍ରା. ଉତ୍ପାଦନ ହୋଇଥିବାବେଳେ କେରଳରେ ହେକ୍ଟର ପିଛା ୫୭୯୩ କି.ଗ୍ରା. ଉତ୍ପାଦନ ହୋଇଥିଲା | କେରଳରେ ପ୍ରତିବର୍ଷ ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ବୃଦ୍ଧି ପାଇ ଚାଲିଥିବା ବେଳେ ଓଡ଼ିଶାରେ ଏହି ଉତ୍ପାଦନ ହାର କମିବା ତତ୍ପର୍ଯ୍ଯପୂର୍ଣ୍ଣ | କେରଳରେ ପ୍ରତିବର୍ଷ ହେକ୍ଟର ପିଛା ୬ ହଜାରରୁ ୭ ହଜାର କି.ଗ୍ରା ପର୍ଯ୍ୟନ୍ତ ନଡ଼ିଆ ଫଳ ପ୍ରତିବର୍ଷ ଥିବାବେଳେ ଓଡ଼ିଶାରେ ଏହା ୪ ହଜାରରୁ ୫ ହଜାର କି.ଗ୍ରା. ମଧ୍ୟରେ ସିମୀତ ରହିଛି | ଏସବୁ ସଂପର୍କରେ କ’ଣ ବିଜ୍ଞ ଗବେଷକ, ପ୍ରଶାସକଙ୍କର ଚିନ୍ତନ ନାହିଁ ? ସବୁଠାରୁ ବଡ଼ ପରିତାପର ବିଷୟ ହେଉଛି ସରକାରଙ୍କ ଦୃଷ୍ଟିଭଙ୍ଗୀ ବିସ୍ତାରିତ ନୁହେଁ | ଏହି ଚାଷର ପ୍ରସାର ପାଇଁ ବ୍ୟାପକ ପ୍ରସ୍ତୁତିର ଆବଶ୍ୟକତା ନାହିଁ | ସାମାନ୍ୟ ପ୍ରୋତ୍ସାହନରେ ନଡ଼ିଆ ଚାଷ ବ୍ୟାପକ ହେବା ସହିତ ଚାଷୀ ଲାଭବାନ ହୋଇଥାଏ | ଗତ ୧୯୭୮ ମସିହାରେ ରାଜ୍ୟରେ ଉଦ୍ୟାନକୃଷି ବିଭାଗ ଖୋଲାଯାଇ ନଡ଼ିଆ ଚାଷକୁ ପ୍ରାଧାନ୍ୟ ଦିଆ ଯାଇଥିଲା | ବଡ଼ ବଡ଼ କେନାଲ କୁଳରେ ହଜାର ହଜାର ନଡ଼ିଆ ଚାରା ରୋପଣ କରାଗଲା | ହେଲେ ସେ ସଂପର୍କରେ ଅନେକ ବିଫଳତା ଦେଖାଦେଇଛି | ପରବର୍ତ୍ତୀ ଅବସ୍ଥାରେ ଅନେକ ଉତ୍ସାହ କମିଯିବାର ଲକ୍ଷ୍ୟ କରାଯାଇଛି | ମଠ, ମନ୍ଦିରରେ ଯେପରି ନଡ଼ିଆଗଛ ଲଗାଇ ଅର୍ଥ ରୋଜଗାର କରାଯାଇ ପାରିବ ସେହିପରି ସମସ୍ତ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲଗାଇବାର ପ୍ରବନ୍ଧ କଲେ ସେହିସବୁ ସଂସ୍ଥାମାନଙ୍କର ବାର୍ଷିକ ପରିଚାଲନା ଖର୍ଚ୍ଚ ଏଥିରୁ ଉଠି ଯାଇ ପାରିବ | କେନାଲ କୂଳରେ ଆରମ୍ଭ ହୋଇଥିବା ନଡ଼ିଆ ଗଛଗୁଡ଼ିକ ଯତ୍ନ ଅଭାବରୁ ନଷ୍ଟ ହୋଇଯିବାରେ ଲାଗିଲା | ସେ ସବୁର ପୁନଃଉଦ୍ଧାର ହୋଇପାରିବ | ସେହିପରି ପଞ୍ଚାୟତ ପୋଖରୀ କୂଳରେ ଏହି ବୃକ୍ଷରୋପଣ ଓ ସରକାରୀ ଅଫିସମାନଙ୍କରେ ଲଗାଇବା ଫଳରେ ରକ୍ଷୀ ବା ଚୌକିଦାରର ଦୈନିକ ଖର୍ଚ୍ଚର ପୂର୍ଣ୍ଣ ବା ଆଂଶିକ ଖର୍ଚ୍ଚ ବହନ କରାଯାଇ ପାରିବ | ଏଗୁଡ଼ିକ ସବୁ ହେଲେ ଅନୁଷ୍ଠାନର ଚାଷରେ ଆଗ୍ରହ ସହିତ ବ୍ୟକ୍ତିସ୍ତରରେ ଆଗ୍ରହ ସୃଷ୍ଟିହେବ | ଏକ ସମୟରେ ଏକାଧିକ ଚାଷ ପ୍ରଣାଳୀର ପ୍ରସାର ହେବା ସହିତ ନଡ଼ିଆର ଚାଷ ଅଧିକ ହେବ | ନଡ଼ିଆ ଗଛ ଲଗାଇବାର ପ୍ରଥମ ୨/୩ ବର୍ଷ ପର୍ଯ୍ୟନ୍ତ ଏହି ବଗିଚାରେ ହଳଦୀ, ଅଦା, ଓଲୁଅ ଆଦି ଲଗାଯାଇ ପାରିବ | ହେଲେ ଚାଷୀ ତା’ର ଉତ୍ପାଦନର ସଠିକ୍ ମୂଲ୍ୟ ଓ ତା’ ପାଇଁ ଉୁପୁଜୁଥିବା ସମସ୍ୟାର ସମାଧାନ ଚାହିଁଥାଏ | ସେଥିପାଇଁ ଏହାକୁ ଫସଲ ବୀମାଭୁକ୍ତ କରିବା ଜରୁରୀ | ଉଚ୍ଚମାନର ନଡ଼ିଆ ତାଡ଼ ଯୋଗାଇବା ସହିତ ନଡ଼ିଆରୋଗ ନିରାକରଣର ତାତକ୍ଷଣିକ ବ୍ୟବସ୍ଥା ଓ ନଡ଼ିଆ ତୋଳିବାର ସୁଗମ ଉପାୟ ସବୁ ଯୋଗାଇ ଦେବା ଦରକାର | ଏତଦ୍ ବ୍ୟତୀତ, ନଡ଼ିଆ ତେଲ ଉତ୍ପାଦନକାରୀ କାରଖାନାର ଆବଶ୍ୟକତା ରହିଛି | ଟାଟା ପରି କମ୍ପାନୀ ଏ ରାଜ୍ୟର ମୂଲ୍ୟବାନ ମାଟି (ଲୁହାପଥର, କୋଇଲା ନେଇ) ବିତ୍ତଶାଳୀ ହୋଇଛି | ଅଥଚ ଏ ରାଜ୍ୟରେ ନିଜର ଥିବା ନଡ଼ିଆ ତେଲ କାରଖାନାର ଗୋଟିଏ ଶାଖା ଖୋଲିବାର ପ୍ରୟାସ କରି ନାହିଁ | ରାଜ୍ୟ ସରକାର ଏତେ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି | ଅନେକ ଜମି, ପାଣି ଦେଉଛନ୍ତି | ଗୋଟିଏ ଦୁଇଟି ନଡ଼ିଆ ତେଲ କମ୍ପାନୀ, ଶାଲିମାର/ଟାଟା ଆଦି ପରି ମାନୁଫାକ୍ଚରିଂ ୟୁନିଟକୁ ଡକାଇଲେ ନାହିଁ କାହିଁକି? ଅଳ୍ପ ଜମିରେ ବଡ଼ କାରଖାନା ବସିଥାନ୍ତା | ଅନେକ ଲୋକେ ନିଯୁକ୍ତି ପାଇଥାନ୍ତେ | ଉନ୍ନତ ମାନର କପାଶିଳ୍ପ ପ୍ରତିଷ୍ଠା ହୋଇ ପାରିଥାନ୍ତା | ଚାଷୀମାନେ ଦି’ ପଇସା ପାଇଥାନ୍ତେ | କେଉଁଝରର ମା’ ତାରେଣୀ ପୀଠରୁ ବର୍ଷକୁ କୋଟି କୋଟି ସଂଖ୍ୟାର ଭୋଗ ନଡ଼ିଆ ବାହାରକୁ ନ ଯାଇ ଏଠାରେ ତେଲ ପ୍ରସ୍ତୁତିରେ ଲାଗି ପାରିଥାନ୍ତା | ଟାଟାକୁ ଗୋପାଳପୁରରେ ହଜାର ହଜାର ହେକ୍ଟର ଜମି, ପୋଷ୍କୋ, ବେଦାନ୍ତକୁ ହଜାର ହଜାର ହେକ୍ଟର ଜମି ନ ଦେଇ ନଡ଼ିଆ ତେଲ ଉତ୍ପାଦନକାରୀ କାରଖାନାକୁ ସମୁଦ୍ର ତଟ ପରିଚାଳନା ନିମନ୍ତେ ନଡ଼ିଆଗଛ ଲଗାଇବାର ଅନୁମତି ଦେଇଥିଲେ, ସେମାନେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ନଡ଼ିଆ ଚାଷ କରିଥାନ୍ତେ ଯାହାକି ଆଭ୍ୟନ୍ତରୀଣ ଅଞ୍ଚଳ ପାଇଁ ପାଚେରୀ ପରି କାର୍ଯ୍ୟ କରିଥାନ୍ତା | ହେନ୍ତାଳ କିଆ ଜଙ୍ଗଲ ପଛକୁ ଝାଉଁ, କାଜୁବାଦାମ ଜଙ୍ଗଲ ଓ ତା ପଛକୁ ନଡ଼ିଆଗଛର ପରସ୍ତ ପରସ୍ତ ଆସ୍ତରଣ ସାମୁଦ୍ରିକ ଝଡ଼କୁ ରୋକିବାରେ ପାଚେରୀ ସଦୃଶ କାର୍ଯ୍ୟ କରିଥାନ୍ତା | ଏହାର ମୃତ୍ତିକା ଧାରଣ ଶକ୍ତି ଅଧିକ ଅଛି | ଏହିସବୁ ଦୃଷ୍ଟିରୁ ନଡ଼ିଆ ଫସଲର ପ୍ରସାର ସରକାରଙ୍କର ଗୋଟିଏ ମୁଖ୍ୟ କାର୍ଯ୍ୟକ୍ରମ ହେବା ଜରୁରୀ |

Share :