ସବୁ ଖଣି ଲିଜ ବାତିଲ କର

ସବୁ ଖଣି ଲିଜ ବାତିଲ କର

Share :

ମାୟାଧର ନାୟକ ରତ୍ନଗର୍ଭା ଓଡ଼ିଶା ଆଜି କାନ୍ଦୁଛି କାହିଁକି? ତା’ର ପୁଅଝିଅମାନେ ବେକାରୀର ଶିକାର କାହିଁକି? ଭୋକିଲା କାହିଁକି? ନିର୍ଯାତିତ, ଶୋଷିତ, ଦୁଃସ୍ଥ, ଦୁର୍ଗତ କାହିଁକି? କ’ଣ ନାହିଁ ଓଡ଼ିଶାରେ? ଯାହାର ମାଟିତଳେ ଅଜସ୍ର ଖଣିଜ ସଂପଦ, ଭୂତଳ ଜଳଭଣ୍ଡାରମୟ, ମାଟି ଉପରେ ତା’ର ପୁଅଝିଅ ମା’ ମଣିଷମାନେ ଗରିବ ହୋଇ ରହିବେ କାହିଁକି? ଏ ପ୍ରଶ୍ନ ଚାରିଶହ ପଚାଶ ଲକ୍ଷ ଓଡ଼ିଶାବାସୀ ଉତ୍ତର ଦେବେକି? ମୋ ମତରେ ଏକମାତ୍ର ଉତ୍ତର ସବୁପ୍ରକାର ଖଣିଜସଂପଦର ଲିଜକୁ ବାତିଲ କରି ସରକାର ନିଜେ ମୂଲ୍ୟଯୁକ୍ତ କାରଖାନା ଗଢ଼ି ତୋଳିଲେ ବେକାରୀ, ବେରୋଜଗାରି, ଖାଦ୍ୟାଭାବ ଦୂର ହେବ। ଓଡ଼ିଶାବାସୀଙ୍କ ମୁହଁରେ ହସ ଫୁଟି ଉଠିବ। ଏ କାର୍ଯ୍ୟଟି ସହଜ ନହେଲେବି ସମ୍ଭବ। ଯେହେତୁ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ୱରେ ସବୁ ଖଣିନିୟମ ପରିଚାଳିତ, ତେଣୁ ସବୁ ରାଜ୍ୟ ସରକାର ଏବଂ ପ୍ରତ୍ୟେକ ରାଜ୍ୟବାସୀ ଦାବୀକରି ଆପଣାର ତାଲିକାଫର୍ଦରେ ଆଣିବାକୁ ଦାବୀ ଉଠୁ। ପାତାଳରେ ୯୮ ଭାଗ କ୍ରୋମାଇଟ, ୩୩ ଭାଗ ଲୁହାପଥର, ୬୫ ଭାଗ ବକ୍ସାଇଟ, ୪୫ ଭାଗ ମାଙ୍ଗାନିଜ, କୋଇଲା, ୪୫ ଭାଗ ବିରଳ ପଥର, ହୀରା, ମୋତି, ମାଣିକ, ସୁନା, ଚାଇନାକ୍ଲେ ପ୍ରମୁଖ ୨୩ ପ୍ରକାର ପଥର ଭର୍ତ୍ତି ହୋଇଛି। ୧୪ଟି ବଡ଼ବଡ଼ ନଦୀ, ୪୮୦ କିଲୋମିଟର ବେଳାଭୂମି, ପାହାଡ଼, ପର୍ବତ, ଜଙ୍ଗଲ, ପର୍ଯ୍ୟଟନକ୍ଷେତ୍ର, ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ମନ୍ଦିର କ’ଣ ନାହିଁ ଓଡ଼ିଶାରେ? ଖଣିଚୋରି ଧରିବାପାଇଁ ଶାହା କମିଶନ ବସି ବେଆଇନ ଖଣିଜ ସଂପଦ ଉତ୍ତୋଳନ ଓ ବିକ୍ରି ଉପରେ ୬୫ ହଜାର କୋଟି ଜୋରିମାନା ହୋଇଥିଲା। ଖଣି ଲିଜଧାରୀ ସୁପ୍ରିମକୋର୍ଟ ଦଉଡ଼ି ଜୋରିମାନା ନଦେବା ଉଦ୍ଦେଶ୍ୟରେ ନାନା କୂଟକୌଶଳ କଲେ। ଏପର୍ଯ୍ୟନ୍ତ କିନ୍ତୁ ଜୋରିମାନାରୁ ଛାଡ଼ପାଇ ନାହାଁନ୍ତି। ଅଳ୍ପ କେତେଜଣ ଖଣିଲିଜଧାରୀ ଜୋରିମାନା ଦେଲେ - ଅନ୍ୟମାନେ କାଳକ୍ଷେପଣ ନୀତି ଅବଲମ୍ୱନ କରୁଛନ୍ତି। ଏବେ କେତେକ ଖଣି ଲିଜଧାରୀଙ୍କ ଲିଜ୍ ବାତିଲ ହୋଇଛି। କେତେଜଣ ନୁହେଁ, ସବୁଖଣିର ଲିଜ ବାତିଲ କରି ରାଜ୍ୟସରକାର ଖଣିର ମାଲିକ ହୋଇ ଓଡ଼ିଶାକୁ ରାଜକୋଷ ଲୁଣ୍ଠନରୁ ରକ୍ଷା କରନ୍ତୁ। ପ୍ରୟୋଜନରେ ରାଜ୍ୟରେ ଗଚ୍ଛିତଥିବା ୨୩ ପ୍ରକାର ଖଣିଜସଂପଦର ବ୍ୟାବହାରିକ କ୍ଷେତ୍ରଗତ ପରିଚାଳନା ପାଇଁ ଓଡ଼ିଶା ଖଣି ନିଗମ ଭଳି ଆଉ ୭ଟି ଖଣିନିଗମ ଗଠନ କରାଯାଉ। ସାରା ଦେଶରେ କେବଳ ଖଣିଜସଂପଦ ଲାଭଲୁଟ୍ର କେନ୍ଦ୍ର ଓ ରାଜ୍ୟସରକାର, ବିଭିନ୍ନ ରାଜନୈତିକ ଦଳ, ନେତା, ଅଫିସର, ଲିଜ ହୋଲଡର, ଠିକାଦାର ମାଲେମାଲ। ଏ କ’ଣ ରାଜକୋଷ ଲୁଟ ନୁହେଁକି? ଦେଶର ପ୍ରାକୃତିକ ସଂପଦ, ଖଣିଜସଂପଦ ୧୩୦ କୋଟି ଲୋକଙ୍କର ଅଧିକାର - ସେମାନଙ୍କ ସ୍ୱାର୍ଥରେ ଖର୍ଚ୍ଚ ହେବା କଥା। କିନ୍ତୁ ଅଳ୍ପ ଲୋକ କାହିଁକି ଦେଶର ସଂପତ୍ତିକୁ ଭୋଗ କରିବେ? ଏ କଥା କେବେ ଦେଶବାସୀ ବୁଝିବେ? ଜନସ୍ୱାର୍ଥର ଜହ୍ଲାଦମାନଙ୍କୁ କେବେ ନେଇ ଜେଲ୍ଦଣ୍ଡ ଦିଆଇବେ? ଏବେ ଦେଶବିଦେଶର ଅବୁର୍ଦପତିମାନେ ଓଡ଼ିଶା ଉପରେ ଆଖିପକାଇ ଲୋଭଦେଖାଇ ଆମ ଖଣି, ଜଳ, ଜଙ୍ଗଲ, ଶସ୍ତାଶ୍ରମକୁ ହଡ଼ପ କରି ନେବାକୁ ଆସୁଛନ୍ତି। ବହୁପୂର୍ବରୁ ଆମେରିକାର ଶାଗୁଣାଆଖି, ଚିନ୍ର ଡ୍ରାଗନକ୍ଷୁଧା, ଜାପାନ ପ୍ରମୁଖ ଦେଶର ଶିଳ୍ପସନ୍ଧାନୀ ନଜର ଓଡ଼ିଶା ଉପରେ ପଡ଼ିସାରିଛି। ଆମ ଓଡ଼ିଶାକୁ ଭୁଲେଇଭାଲେଇ ଚରି ଯାଉଛନ୍ତି। ପୁଣି ସମସ୍ତେ ମିଶି ଓଡ଼ିଶାକୁ ତାଙ୍କର ଚରାଭୂଇଁ କରିଦେବେ। ଆମେ କିମିତି ଏ ସବୁ ଯନ୍ତ୍ରଣା ଅପମାନ ସହିବା? ଓଡ଼ିଶା କେବଳ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର, ରାଉରକେଲା ସ୍ମାର୍ଟସିଟି ନୁହେଁ-୩୧୪ ବ୍ଲକର ଟିକସ ଆସି ଭୁବନେଶ୍ୱରକୁ ଚକଚକ କଲେ ହେବନି। ସବୁ ବ୍ଲକ୍, ସବୁ ଗାଁକୁ ଚକାଚକ କରିବାକୁ ହେବ। ଆମ ରାଜ୍ୟରେ କେବଳ ସରକାର, ଅଫିସର ଉପରେ ଆମେ ଦୋଷ ଲଦିଦେଇ ଆପଣା କର୍ମକୁ ଭୁଲିଯାଉଛୁ। ଆମେ ଚାରିଶହ ପଚାଶଲକ୍ଷ ଓଡ଼ିଶାବାସୀ ଥରେ ଆମ ସ୍ୱାର୍ଥ ପାଇଁ ଏକାଠି ହେବାନି-ଲଢ଼ିବାନି? ଆଉ ମୁଣ୍ଡରେ ହାତ ଦେଇ ବସିବାର ବେଳ ଏହା ନୁହେଁ - ଆମ ଅଧିକାର ଆମେ ଛିଣ୍ଡାଇ ଆଣିବା। ଯାଜପୁରରୋଡ଼, ଯାଜପୁର ଫୋନ - ୯୮୬୧୦୩୪୧୬୩

Share :