ଭାଷା ଆଗେ ସାହିତ୍ୟ ପରେ

ଭାଷା ଆଗେ ସାହିତ୍ୟ ପରେ

ମାୟାଧର ନାୟକ ୨୦୧୮ ମସିହା ଶେଷମାସ ପ୍ରଥମ ସପ୍ତାହରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସାହିତ୍ୟ ଓ ଭାଷା କ୍ଷେତ୍ରର ୪ ଜଣ ଓଡ଼ିଆ ଲେଖକଙ୍କୁ ମିଳିଥିବାର ଖବର ଅନେକଙ୍କ ପରି ମୋର ମଧ୍ୟ ଶ୍ରୁତିଗୋଚର ହୋଇଛି। ଓଡ଼ିଆ ସାହିତ୍ୟରେ ୨୦୧୮ ପାଇଁ ମିଳିଥିବା ପୁରସ୍କାର ପ୍ରତି ମଁୁ ଆଦୌ ସେପରି ଗୁରୁତ୍ୱ ଦେଉନାହିଁ। କାରଣ ଚିରାଚରିତ ଢଙ୍ଗରେ ଏହି ୩୦/୪୦ ବର୍ଷ ଧରି ଯେଉଁ ଧାରାରେ ସାହିତ୍ୟ-ପୁରସ୍କାରମାନ ଦିଆଯାଇଆସୁଛି, ତାହା ବହୁ ସମୟରେ ବିଜ୍ଞମହଲରେ ଭ୍ରୁକୁଂଚନ ସୃଷ୍ଟି କରୁଛି। ଏ ବର୍ଷର ଭାଷା-ପୁରସ୍କାରକୁ ନେଇ ପ୍ରକୃତରେ ମୁଁ ଆହ୍ଲାଦିତ। ପ୍ରଥମେ ଭାରତବିଖ୍ୟାତ ଓଡିଆ ଭାଷାବିତ୍ ଡକ୍ଟର ଗଗନେନ୍ଦ୍ରନାଥ ଦାଶଙ୍କୁ ମଁୁ ଅନ୍ତରରୁ ଅଭିନନ୍ଦନ ଜଣାଉଛି। ସେ ଯେ ଏଇ ବଡ଼ଚଣା ଯାଜପୁର ଅଂଚଳରେ ଜନ୍ମିଥିବା ଜଣେ ବରପୁତ୍ର, ସେଥିପାଇଁ ମଁୁ ଖୁସି ହେଉନାହିଁ, ବରଂ ଏ ସଂକୀର୍ଣ୍ଣତାରୁ ସଂପୂର୍ଣ୍ଣ ଦୂରତା ରକ୍ଷା କରିବା ମୋର ଆମରଣ ବ୍ରତ। ମଁୁ ଆନନ୍ଦ ଲାଭ କରୁଛି ଏଇଥି ପାଇଁ ଯେ ଡକ୍ଟର ଗଗନେନ୍ଦ୍ର ଦାଶଙ୍କର ଦୀର୍ଘକାଳରୁ ଓଡିଆ ଭାଷା ଗବେଷଣାକୁ ନେଇ କେବଳ ବିଶେଷ ଅବଗାହନମୂଳକ ସଂପୃକ୍ତିବୋଧ ନାହିଁ, ସେ ମଧ୍ୟ ଓଡିଶାର ସଂସ୍କୃତି ସୂତ୍ର-ସନ୍ଧାନତତ୍ତ୍ୱକୁ ଆଧାରକରି କିଂବଦନ୍ତୀ ମଧ୍ୟରୁ ଇତିହାସ ଓ ଅର୍ଦ୍ଧସତ୍ୟ ମଧ୍ୟରୁ ସତ୍ୟ ଆବିଷ୍କାର ଦିଗରେ ଆଜୀବନ ସାଧନାରତ। ଏପରିକି ଜର୍ମାନୀର ଡ. ହେର୍ମାନ୍ କୁଲ୍କେଙ୍କ ଜଣେ ଗୁରୁତ୍ୱପୂର୍ଣ୍ଣ ସହାୟକ ଭାବରେ ବିଦେଶରେ ତାଙ୍କର ଭାଷାସଂକ୍ରାନ୍ତୀୟ କିଛି ବର୍ଷର ଗବେଷଣା ଆମପରି ତାଙ୍କ ସମକାଳୀନ ଓଡ଼ିଆମାନଙ୍କୁ ଗୌରବାନ୍ୱିତ କରାଏ। ତାଙ୍କ ପରି ଜଣେ ସତ୍ୟସନ୍ଧିତ୍ସୁ, ଭାଷାବିତ୍ ତଥା ସଂସ୍କୃତିବିତ୍ ତ ଏ ଭାଷା-ପୁରସ୍କାର ବହୁ ପୂର୍ବରୁ ପାଇବାର ଥିଲା। ବିଳମ୍ୱରେ ହେଉ ପଛେ ତାଙ୍କୁ କେନ୍ଦ୍ର ସ୍ତରୀୟ ଏ ପୁରସ୍କାରରେ ଅଳଙ୍କୃତ କରି ଖୋଦ୍ ସାହିତ୍ୟ ଏକାଡେମୀ ବରଂ ନିଜର ମର୍ଯ୍ୟାଦା ବଢାଇଛି ମୋର ଦୃଢ ମତ। ଏହାପରେ ଭାଷା ପୁରସ୍କାରକୁ ନେଇ ଦ୍ୱିତୀୟ ପ୍ରସଙ୍ଗ ଉଠାଉଛି। ବର୍ଷ ବର୍ଷ ଧରି ଅବହେଳିତ ପଶ୍ଚିମ ଓଡିଶାର ସମ୍ୱଲପୁରୀ-କୋଶଳୀ ଭାଷା ପ୍ରତି ନୂଆବର୍ଷ ଆରମ୍ଭ ହେବାପୂର୍ବରୁ ସାହିତ୍ୟ ଏକାଡେମୀ ସର୍ବପ୍ରଥମ ମାନ୍ୟତା ଦେଇ ଯେଉଁ ଦୁଇ ନିରବଚ୍ଛିନ୍ନ ସାଂସ୍କୃତିକ ସାଧକ ଓ ସାହିତ୍ୟକାର ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ଡକ୍ଟର ହଳଧର ନାଗଙ୍କୁ ସ୍ୱତନ୍ତ୍ରଭାବରେ ଭାଷା ପୁରସ୍କାର ପ୍ରଦାନଦ୍ୱାରା ସମ୍ମାନିତ କରିଛନ୍ତି, ସେଥିପାଇଁ ମଁୁ ପ୍ରଥମେ ଏକାଡେମୀର କର୍ତ୍ତୃପକ୍ଷଙ୍କୁ ସମୁଚିତ ସାଧୁବାଦ ଜଣାଉଛି। ଏଥିସହିତ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ଡକ୍ଟର ହଳଧର ନାଗଙ୍କୁ ମଧ୍ୟ କୋଶଳୀ ଭାଷାର ଚେରମୂଳରେ ପାଣି ଢାଳି ଆସିଥିବାର ନିଷ୍କାମ ନିଷ୍ଠାପରତା ପାଇଁ ସବିଶେଷ ଅଭିନନ୍ଦନ ଜଣାଉଛି। ଉଭୟ ଉଚ୍ଚକୋଟୀର ସୃଜନଶୀଳ ସାହିତ୍ୟକାର ଭାବରେ ସୁପ୍ରତିଷ୍ଠିତ ଥିଲେ ହେଁ ନିଜ ଯଶକାମନାଠାରୁ ଦୂରରେ ରହି କୋଶଳୀ ପରି ଗୋଟିଏ ଜୀବନ୍ତ ଅଥଚ ଏଯାବତ ଓଡ଼ିଆ ଲେଖକମାନଙ୍କ ଅଣହେଳାର ଶିକାର ହୋଇଆସିଥିବା ଭାଷାକୁ ସଂହତ, ସମୃଦ୍ଧ ଓ ସୁପରିଚିତ କରାଇବା ଦିଗରେ ଯେପରି ବହୁବର୍ଷ କର୍ମରତ - ସେଥିପାଇଁ ସେମାନଙ୍କୁ ଯେତେ ଅଭିନନ୍ଦନ ଦିଆଗଲେ ମଧ୍ୟ ତାହା ଅକୁଳାଣ। ତେବେ ଏହିପରି ସଂସ୍କୃତିପ୍ରେମୀ ସତ୍ସଂକଳ୍ପବଦ୍ଧ ପ୍ରତିଭାମାନଙ୍କୁ ଆମ ସମାଜ ମନେରଖୁ, ଏହା ମୋର ହାର୍ଦ୍ଦିକ କାମନା। ଅବଶେଷରେ କିନ୍ତୁ ଗୋଟିଏ କଥାକୁ ନେଇ କ୍ଷୋଭ ପ୍ରକାଶ ନକରି ରହିପାରୁନାହିଁ । ଏ କ୍ଷୋଭ- ସାହିତ୍ୟ ଓ ଭାଷା, ଏ ଦୁଇ ପୁରସ୍କାର ମଧ୍ୟରେ ଥିବା ଆର୍ଥିକ ମୂଲ୍ୟର ଆକାଶପାତାଳ ତାରତମ୍ୟକୁ ନେଇ। ଏହା ପ୍ରକୃତରେ କେବଳ ଅବିଚାରିତ ବା ଆମ ଆନୁଷ୍ଠାନିକ ଅବିଗୁଣର ଆତ୍ମପରିଚିତି ନୁହେଁ, ଘୋର ଅନ୍ୟାୟର ଅପଘୋଷଣାନାମା ମଧ୍ୟ। ସାହିତ୍ୟ ପୁରସ୍କାରର ଆର୍ଥିକ ମୂଲ୍ୟ ଯଦି ଦଶ ଟଙ୍କା ଧାର୍ଯ୍ୟ କରାଯାଏ, ତା’ହେଲେ କେଉଁ ମାପକାଠିରେ ଭାଷା-ପୁରସ୍କାର ପାଇଁ ପାଂଚ ଟଙ୍କା ଠିକ୍ କରାଯାଉଛି ? ବରଂ ସାହିତ୍ୟ ବର୍ତ୍ତମାନ ସ୍ତରରେ ଯେପରି ବ୍ୟସ୍ତବିକଳ ବ୍ୟକ୍ତିତାନ୍ତ୍ରିକ ପ୍ରତିଷ୍ଠାର ଆୟୁଧ ହୋଇଯାଇଛି, ସେ ଦୃଷ୍ଟିରୁ ଏ କ୍ଷେତ୍ରରେ ମିଳୁଥିବା ପୁରସ୍କାର ପ୍ରତି କେବଠୁ ଜନସମାଜର ଆଉ ଆସ୍ଥା ନାହିଁ। ଅପରପାର୍ଶ୍ୱରେ ଭାଷାଗତ ଦିଗରେ ଗବେଷଣା ଓ ଅନୁସନ୍ଧାନ ଜାରି ରଖୁଥିବା କତିପୟ ବିରଳ ସୁଧୀସଜ୍ଜନ ସମୂହ ସ୍ୱାର୍ଥର ସଜାଗ ପ୍ରହରୀ ଭୂମିକା ପାଳନ କରୁଛନ୍ତି। ସେମାନଙ୍କୁ ଆମ ଜାତି ଓ ଭାଷାର ମଣିଷମାନେ ଆହୁରି ଅଧିକ ମୂଲ୍ୟ ଦେବା ଜରୁରୀ। ତା ଛଡ଼ା ଏଇ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ଦିନେ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିପାରିଛି- ଏହା କ’ଣ ଆମେ ଭୁଲିଯାଇପାରିବା ? ଭାଷା ଆଗେ ସାହିତ୍ୟ ପରେ- କେବେ ଏକାଡେମୀ ଏ କଥା ବୁଝିବ? ଭାଷା ଓ ସାହିତ୍ୟକୁ ନେଇ ଦୁଇ ପୁରସ୍କାରର ଆଥିର୍କ ମୂଲ୍ୟକୁ ନେଇ ଏ ଅସଙ୍ଗତି କାହିଁକି? ତୁରନ୍ତ ଏ ତାରତମ୍ୟ ହଟାଇବା ଦିଗରେ ଆମର ରାଜନୈତିକ ନେତୃପକ୍ଷ ଓ ବୁଦ୍ଧିଜୀବୀବର୍ଗ ତୁଣ୍ଡ ଖୋଲିବାକୁ ମୋର ମାର୍ମିକ ଆବେଦନ। ଯାଜପୁରରୋଡ଼, ଯାଜପୁର ଫୋନ - ୯୮୬୧୦୩୪୧୬୩

Share :