ଦୁଇ ପରିବାର ୪୦ ବର୍ଷ

ଦୁଇ ପରିବାର ୪୦ ବର୍ଷ

Share :

ଶ୍ରୀକାନ୍ତ ଜେନା ନୂଆ ପ୍ରସଙ୍ଗ ଉଠାଇ ନାହାନ୍ତି। ଏ ପ୍ରସଙ୍ଗ ଉଠାଇବାରେ ମଧ୍ୟ ସେ ନୂଆ ନୁହନ୍ତି। ସ୍ବର୍ଗତ ଭାଗବତ ବେହେରା, ସ୍ବର୍ଗତ ବୈଷ୍ଣବ ପରିଡ଼ା, ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ, ବରିଷ୍ଠ ସାମ୍ବାଦିକ ରବି ଦାସ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ବହୁ ନେତା ଓ ବୁଦ୍ଧିଜୀବୀ ଏ ପ୍ରଶ୍ନ ଉପରେ ଅନେକ ଆଲୋଚନା କରିଛନ୍ତି। ଓଡ଼ିଶା ରାଜନୀତିରେ ବହୁକାଳ ଧରି ଚାଲି ଆସିଛି ଏହା ଉପରେ ଗୋଷ୍ଠୀଗତ ଚର୍ଚ୍ଚା ଓ ବିତର୍କ। କିନ୍ତୁ ଏ ପ୍ରସଙ୍ଗକୁ କୌଣସି ଦଳ ବା ନେତା ପ୍ରଭାବଶାଳୀ ଢଙ୍ଗରେ ଏଯାଏଁ ରାଜ୍ୟର ତୃଣମୂଳ ସ୍ତର ପର୍ଯ୍ୟନ୍ତ ନେଇପାରି ନାହାନ୍ତି। ଏପରିକି ବୁଦ୍ଧିଜୀବୀ ମହଲରେ ମଧ୍ୟ ଏନେଇ କ୍ବଚିତ ପ୍ରଭାବଶାଳୀ ଆଲୋଚନା ହୋଇଛି। ଏହା କେବଳ ଏକ ସାମାଜିକ ନ୍ୟାୟ ବିଷୟ ହୋଇ ରହିଯାଇଛି କତିପୟ ଜାତି ଓ ବର୍ଗ ସଚେତନ ନାଗରିକଙ୍କ ମଧ୍ୟରେ। ଓଡ଼ିଶା ଜନସଂଖ୍ୟାର ୧୮ ପ୍ରତିଶତ ହେଲେ ତଫସିଲଭୁକ୍ତ ଜାତି। ଏମାନଙ୍କୁ ଦଳିତ ବର୍ଗ କୁହାଯାଏ। ସେହିପରି ଅନ୍ୟ ୨୨ ପ୍ରତିଶତ ହେଲେ ତଫସିଲଭୁକ୍ତ ଉପଜାତି। ଏମାନଙ୍କୁ ଆଦିବାସୀ ବର୍ଗରେ ଗଣନା କରାଯାଏ। ଓଡ଼ିଶାର ସର୍ବାଧିକ ଦଳିତ, ନିଷ୍ପେଷିତ, ବଞ୍ଚିତ ଦରିଦ୍ର ହେଉଛନ୍ତି ଏଇ ଦୁଇ ବର୍ଗ। ଯଦି ଏମାନଙ୍କ ପାଇଁ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା ନଥାନ୍ତା ତେବେ ଆଜି ସେମାନଙ୍କ ମଧ୍ୟରୁ କେହି ବିଧାୟକ କି ମନ୍ତ୍ରୀ ହୋଇପାରି ନଥାନ୍ତେ, କେହି ସରକାରୀ ଚାକିରିର ମୁକରିର ହୋଇପାରି ନଥାନ୍ତେ। ସରକାରୀ ପଦପଦବୀ କ୍ଷେତ୍ରରେ ସଂରକ୍ଷଣ ସୁବିଧା ସତ୍ତ୍ବେ ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଏ ଦୁଇ ବର୍ଗର ୯୦ ପ୍ରତିଶତ ଉପରେ ଲୋକ ସାମାଜିକ, ଆର୍ଥିକ ଓ ଶୈକ୍ଷିକ କ୍ଷେତ୍ରରେ ଦୁର୍ବଳ ଓ ଅବହେଳିତ ରହିଛନ୍ତି। ଆଜି ବି ତଫସିଲଭୁକ୍ତ ଜାତି ବା ଦଳିତ ବର୍ଗର ଲୋକ ଗାଁ ଗହଳର ଉଚ୍ଚ ବର୍ଗ ଲୋକଙ୍କ ପାଖରେ ଅଛୁଆଁ। ଆଜି ବି ଓଡ଼ିଶାରେ ଅସ୍ପୃଶ୍ୟତା ଏକ ସାମାଜିକ ବ୍ୟାଧି। ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମୂଳତଃ ଆଦିବାସୀଙ୍କ ଦେବତା ହେଲେ ବି ଓଡ଼ିଶା ସରକାର ଏଯାବତ ଆଦିବାସୀମାନଙ୍କୁ ଜଙ୍ଗଲରୁ ବେଘର କରି ଚାଲିଛନ୍ତି। ସେମାନଙ୍କ ଜୀବନ ଓ ଜୀବିକାର ମୂଳାଧାରକୁ ଉଚ୍ଛେଦ କରିଚାଲିଛନ୍ତି। ଜମି ଓ ଜଙ୍ଗଲ ଉପରେ ସେମାନଙ୍କର ଅଧିକାରକୁ ସଂକୁଚିତ କରି ଦିଆଯାଉଛି। ସାମାଜିକ ନ୍ୟାୟର ପ୍ରବକ୍ତାମାନଙ୍କ ଅନୁସାରେ ଓଡ଼ିଶା ଜନସଂଖ୍ୟାର ଆଉ ପ୍ରାୟ ୫୨-୫୪ ପ୍ରତିଶତ ହେଲେ ପଛୁଆ ବର୍ଗ। ଏମାନଙ୍କୁ ଓଡ଼ିଶା ସରକାର ସାମାଜିକ ଓ ଶୈକ୍ଷିକ ପଛୁଆ ବର୍ଗ ଭାବେ ମାନ୍ୟତ ଦେଇଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ପାଖରେ ଏମାନେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବରେ ନାମିତ। ସାମ୍ବିଧାନିକ ବ୍ୟବସ୍ଥାରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ମାନ୍ୟତା ଦିଆଯାଇଛି। ଏହି ବର୍ଗର ଲୋକଙ୍କ ମଧ୍ୟରେ ଅଛନ୍ତି କୃଷି, ଗୋପାଳନ ଓ ଅନ୍ୟାନ୍ୟ କୌଳିକ ବୃତ୍ତି ସହିତ ଜଡ଼ିତ ବିଭିନ୍ନ ଜାତି। ଚଷା, ଗୋପାଳ, ତେଲି, ତନ୍ତୀ, ପାଟରା, କାପୁଡ଼ିଆ, ବଣିଆ, ମାଳି, ବାରିକ, କୁମ୍ଭାର, କମ୍ମାର, ଗୁଡ଼ିଆ ଆଦି ବିଭିନ୍ନ କୌଳିକ ବୃତ୍ତିଧାରୀ ଜାତିର ଲୋକମାନେ ଓଡ଼ିଶାରେ ସାମାଜିକ ଓ ଶୈକ୍ଷିକ ବର୍ଗରେ ଗଣନା କରାଯାଉଛନ୍ତି। ଏହି ବର୍ଗର ଲୋକମାନେ ମଧ୍ୟ ଆଧୁନିକ ସହରାୟନ ଓ ଶିଳ୍ପାୟନ ପ୍ରକ୍ରିୟାର ବୃତ୍ତି ଓ ବେଉସା ହରେଇ ଦରିଦ୍ର ଓ ଅତି ଦରିଦ୍ର ସ୍ତରକୁ ଖସିବାରେ ଲାଗିଛନ୍ତି। ଏହି ବର୍ଗର ଲୋକଙ୍କ ପାଇଁ ଭାରତ ସରକାର ସରକାରୀ ଚାକିରି କ୍ଷେତ୍ରଅରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିଲେ ବି ଓଡ଼ିଶା ସରକାର ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ସୁବିଧା ଦଇ ବାକି ସାଧାରଣ ବର୍ଗ ପାଇଁ ଉର୍ତ୍ସଗ କରିଛନ୍ତି। ଶିଳ୍ପାୟନ ଓ ଆଧୁନିକିକରଣ ପ୍ରକ୍ରିୟାରେ ସରକାରୀ ଓ ବେସରକାରୀ ଚାକିରି ସଂଖ୍ୟା କମି ଆସୁଥିବାବେଳେ ଏମାନଙ୍କ ପାଇଁ ସଂରକ୍ଷଣ ସୁବିଧା ମଧ୍ୟ ମୂଲ୍ୟହୀନ ହୋଇଯାଇଛି। କାଳକାଳ ଧରି ଶିକ୍ଷା, ସ୍ବାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସୁବିଧାରୁ ବଞ୍ଚିତ ଏହି ତିନିଟି ବର୍ଗ ବୃତ୍ତି, ବେଉସା ଓ ପ୍ରାକୃତିକ ସଂପଦ ଉପରେ ପାରମ୍ପାରିକ ଅଧିକାର ହରେଇ ନିଃସ୍ବ ଓ ଅସହାୟ ଅବସ୍ଥାକୁ ଖସି ଚାଲିଛନ୍ତି। ଏମାନଙ୍କର କଥା କହିବା ପାଇଁ ବିଧାନସଭା ଓ ସଂସଦରେ ଏହି ବର୍ଗର ପ୍ରତିନିଧିତ୍ବ ମଧ୍ୟ ଯଥେଷ୍ଟ କମ୍‌। ଓଡ଼ିଶା ରାଜନୀତିରେ ତିନି ଦଶନ୍ଧି ଧରି ଏହି ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲେ ବି ରାଜନୀତିକ ନେତୃତ୍ବରୁ ଏମାନେ ଏଯାଏଁ ଅନେକ ଦୂରରେ ରହିଛନ୍ତି। ଓଡ଼ିଶାରେ ଏଯାଏଁ ଆଦିବାସୀ ବର୍ଗରୁ ମାତ୍ର ଦୁଇ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି- ହେମାନନ୍ଦ ବିଶ୍ବାଳ ଓ ଗିରିଧର ଗମାଙ୍ଗ। ହେମାନନ୍ଦ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଦୁଇ ଥର ଯାକ ଏକ ପ୍ରକାର କାମଚଳା। ଗିରିଧରଙ୍କୁ ଉଚ୍ଚ ବର୍ଗର ନେତାମାନେ ମେଳିବାନ୍ଧି ଦୁଇ ବର୍ଷ ବି କ୍ଷମତାରେ ରଖେଇ ଦେଇନାହାନ୍ତି। ଦଳିତ ବର୍ଗର କୌଣସି ନେତା ଏଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ଏଯାଏଁ ସଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଅଧିକାଂଶ ନେତା ହେଲେ ଉଚ୍ଚବର୍ଗର ପ୍ରତିନିଧି। ସ୍ବାଧୀନତାର ୭୦ ବର୍ଷରୁ ୪୦ ବର୍ଷ ଧରି ଓଡ଼ିଶାର କ୍ଷମତା କେବଳ ଦୁଇଟି ପରିବାର ମଧ୍ୟରେ ସୀମିତ ରହିଛି। ବିଜୁ ପଟ୍ଟନାୟକ, ତାଙ୍କ ପୁଅ ନବୀନ ପଟ୍ଟନାୟକ ଏବଂ ଏ ପରିବାରର ପ୍ରତିଦ୍ବନ୍ଦ୍ବୀ ଜାନକୀ ବଲ୍ଲଭ ପଟ୍ଟନାୟକ ୪୦ ବର୍ଷ କାଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି। ଏବେ ଜାନକୀ ବଲ୍ଲଭଙ୍କ ଜାମାତା ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳରେ ଯୋଗଦେଇ ରାଜ୍ୟସଭା ସଦସ୍ୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ୪୦ ବର୍ଷ ଛାଡ଼ିଦେଲେ ବାକି ୩୦ ବର୍ଷରୁ ଆଉ ପ୍ରାୟ ୧୦ ବର୍ଷ ବିଜୁ ଓ ଜାନକୀଙ୍କ ଅନୁଗତମାନେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏବେ ଏହି ପ୍ରସଙ୍ଗ ଉଠାଇଛନ୍ତି। ତାଙ୍କ ଦାବି ହେଲା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦଳିତ କିମ୍ବା ଆଦିବାସୀ ବର୍ଗରୁ ବଛାଯାଆନ୍ତୁ ଏବଂ ଉପମୁଖ୍ୟମନ୍ତ୍ରୀ ପଦ ପଛୁଆ ବର୍ଗକୁ ଦିଆଯାଉ। ଏଭଳି ଏକ ପ୍ରସ୍ତାବ ଦେଇ ସେ ପରୋକ୍ଷରେ ବିଜୁ ଓ ଜାନକୀ ପରିବାରକୁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖିବାକୁ ପ୍ରୟାସ ପ୍ରକଟ କରିଛନ୍ତି। ତେବେ ତାଙ୍କ ପ୍ରସ୍ତାବକୁ ପରବର୍ତ୍ତ ବିଧାନସଭା ଗ୍ରହଣ କଲେ ବି ଏ ଦୁଇ ପରିବାରର ନୋମିନି ବା ମନୋନୀତ ସଦସ୍ୟ ଯେ ଏହି ପଦରେ ସଖୀ କଣ୍ଢେଇ ଭାବେ ଥଇଥାନ ନହେବେ ତାହା କିଏ କହିବ?

Share :