ବଞ୍ଚିତ ବିଜେଡି କୁଆଡ଼େ ଯିବେ?

ବଞ୍ଚିତ ବିଜେଡି କୁଆଡ଼େ ଯିବେ?

Share :

କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦି ଅକ୍ତିଆର କରିବା ଆଶାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଦଳର ଏକତୃତୀୟାଂଶ ବିଧାୟକଙ୍କୁ ପୁନଃ ମନୋନୀତ ନକରିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ଯେଉଁ ବିଧାୟକମାନେ ନିଜନିଜ ଅଞ୍ଚଳରେ କୌଣସି ନା କୌଣସି କାରଣରୁ ବଦନାମ ହୋଇଛନ୍ତି ସେମାନଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେବାକୁ ସେ ଆପାତତଃ ସ୍ଥିର କରିଥିବା ବିଜେଡି ଆଭ୍ୟନ୍ତର ମହଲରେ ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସ ଓ ବିଜେପି ଦଳକୁ ଦୁର୍ବଳ କରିବା ପାଇଁ ଯେଉଁମାନଙ୍କୁ ବିଜେଡିରେ ସାମିଲ କରାଯାଇଛି ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ। ଯେଉଁମାନଙ୍କର ବିଜୟ ସମ୍ଭାବନା ଅଛି କେବଳ ସେଇ ନେତାମାନଙ୍କୁ ବିଜେଡି ପ୍ରାର୍ଥୀ କରିବ। ବିଜେଡି ସୁପ୍ରିମୋଙ୍କର ଏହି ଚାଲ୍‌ ନୂଅ ନୂହେଁ। ପ୍ୟାରୀ ମୋହନ ମହାପାତ୍ର ତାଙ୍କର ମାର୍ଗଦର୍ଶକ ଥିବା ସମୟରୁ ନବୀନ ନିଜକୁ ନିର୍ବିବାଦୀୟ, ନିର୍ବିକଳ୍ପ ଓ ନିଷ୍କଣ୍ଟକ ରଖିବା ପାଇଁ ପ୍ରତି ନିର୍ବାଚନରେ ବହୁ ପ୍ରାର୍ଥୀ ବଦଳାଇଥାନ୍ତି। ବାରମ୍ବାର ନିର୍ବାଚିତ ବିଧାୟକ ରାଜନୀତିରେ ପ୍ରତିଷ୍ଠାଲାଭ କଲେ କିମ୍ବା ଦକ୍ଷତା ଓ ଅଭିଜ୍ଞତା ବଳରେ ଲୋକପ୍ରିୟତା ହାସଲ କଲେ ନେତୃତ୍ବ ପ୍ରତି ବିପଦ ହେବାର ଆଶଙ୍କା ଥାଏ। ଏହି ଆଶଙ୍କା ଦୂର କରିବା ପାଇଁ ସେ ସବୁବେଳେ ଦକ୍ଷ ଓ ଅଭିଜ୍ଞମାନଙ୍କୁ ହତାଦର କରି ନୂତନ ଅନଭିଜ୍ଞ ନେତାମାନଙ୍କୁ ଅଧିକ ସଂଖ୍ୟାରେ ପ୍ରାର୍ଥୀ କରନ୍ତି ଓ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ଅଧିକ ଗୁରୁତ୍ବ ଦେଇଥାନ୍ତି। ଗଲା ୧୮ ବର୍ଷର ରେକର୍ଡ଼ ଦେଖିଲେ ଜଣାଯାଏ ଯେ ଖଣି, ପୂର୍ତ୍ତ, ଶିଳ୍ପ, ଇସ୍ପାତ, ନଗର ଉନ୍ନୟନ, ଗ୍ରାମ ଉନ୍ନୟନ ଆଦି ବିଭାଗରର ଦାୟିତ୍ବ ଅଧିକାଂଶ ସମୟ ଅନଭିଜ୍ଞ ଓ ଦୁର୍ବଳ ନେତାମାନଙ୍କ ହାତରେ ରହିଛି। ସେମାନଙ୍କୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ସ୍ବାର୍ଥ ହାସଲ କରିବା ପରେ ବଦନାମ ତକ ନୂଆ ମନ୍ତ୍ରୀଙ୍କ ମୁଣ୍ଡରେ ଅଜାଡ଼ି ଦେଇ ମୁଖ୍ୟମନ୍ତ୍ରୀ ଝାଡ଼ିଝୁଡ଼ି ସଫା ହୋଇଯାନ୍ତି। ଏଥର ମଧ୍ୟ ଏହି ଚାଲ୍‌ ଚଳିବ। ଚିଟ୍‌ ଫଣ୍ଡ, ଡାଲି, ଖଣି କାରବାର, ଜମି ଆଦି ଅନେକ ଦୁର୍ନୀତିରେ ଅଭିଯୁକ୍ତ କେତେକ ବିଧାୟକ ଓ ମନ୍ତ୍ରୀ ପ୍ରାର୍ଥି ତାଲିକାରୁ ବାଦ ପଡ଼ିବେ। ଅନ୍ୟ ଦଳରୁ ଆସିଥିବା କେତେକ ନେତାଙ୍କ ପାଇଁ ମଧ୍ୟ ବିଜେଡିର କେତେକ ନେତାଙ୍କ ହକ୍‌ କଟିବ। ତା’ଛଡ଼ା ଏଥର ମଦ ପ୍ରସାରଣ ପାଇଁ ଅସନ୍ତୁଷ୍ଟ ହୋଇଥିବା ମହିଳାଙ୍କୁ ମନେଇବା ନିମନ୍ତେ ଜାତୀୟ ସ୍ତରରେ ଦୁଇ ଦଶନ୍ଧିରରୁ ଅଧିକ କାଳ ହେଲାଣି ପଡ଼ି ରହିଥିବା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିବାରୁ ନିଜ ଦଳରୁ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ନବୀନଙ୍କ ଉପରେ ଚାପ ପଡ଼ିବ। ତା’ ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ହକ୍‌ଦାର ପୁରୁଷ ପ୍ରାର୍ଥୀଙ୍କୁ ଟିକେଟ ନମିଳିବାର ସମ୍ଭାବନା ରହିଛି। ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ବିଜେଡିର ୧୧୭ ବିଧାୟକଙ୍କ ମଧ୍ୟରୁ ଅତି କମରେ ୪୦ ଜଣ ଏବଂ ବାକି ୩୦ ଆସନରୁ ୧୦ ପ୍ରାର୍ଥୀ ବଦଳିବେ। ତେବେ ଯେଉଁ ୫୦ ଜଣ ସମ୍ଭାବ୍ୟ ଅସନ୍ତୁଷ୍ଟ ବାହାରିବେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂର୍ବରୁ ବିଧାନ ପରିଷଦ ଥୋପ ପକା ସରିଛି। ଏହା ସହିତ ନିଗମ ଅଧ୍ୟକ୍ଷ, ଯୋଜନା ବୋର୍ଡ ସଭ୍ୟପଦ, କେତେକ କମିଶନର ସଭ୍ୟପଦ ଆଦି ଥୋପ ମଧ୍ୟ ରହିଛି। ରାଜନୀତିକୁ କେବଳ ଅର୍ଥାଗମର ମାଧ୍ୟମ ଭାବେ ଗ୍ରହଣ କରିଥିବା କେତେକ ନେତାଙ୍କୁ ନଗଦ ଟଙ୍କା ଦିଆଯାଇ ଓ ଅନ୍ୟ କେତେକଙ୍କୁ ଭବିଷ୍ୟତରେ ଠିକାଦି କାମ ଦେବାର ପ୍ରତିଶ୍ରୁତି ଦେବାକୁ ଯୋଜନା ଚୂଡ଼ାନ୍ତ ହୋଇଛି। ଏହା ବାଦ ଯେଉଁ ଅସନ୍ତୁଷ୍ଟ ରହିବେ ସେମାନଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପିର ନଜର ରହିବାର ସମ୍ଭାବନା ଅଛି। ଏହିଭଳି ଅଧିକାଂଶ ଅସନ୍ତୁଷ୍ଟଙ୍କୁ ପ୍ରାର୍ଥୀ କରି ବିଜେପି ମିଶନ ୧୨୦ ସ୍ବପ୍ନ ଦେଖିଥାଇ ପାରେ। ସେହିପରି ବିଜେଡିର ଆକର୍ଷଣରେ ଖାଲି ହୋଇଚାଲିଥିବା କଂଗ୍ରେସ ଖାଳେଇରେ ଏଭଳି ବିଜେଡି ଅସନ୍ତୁଷ୍ଟଙ୍କୁ ଜାଗା ଦେବା ପାଇଁ ମଧ୍ୟ ପ୍ରଦେଶ କଂଗ୍ରେସ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏ ଦୁଇ ଦଳଙ୍କର ଏପରି ଯୋଜନା କେତେ ଦୂର ସଫଳ ହେବ ତାହା ଭବିଷ୍ୟତ କହିବ। ତେବେ, ଏମିତି ବି ହୋଇପାରେ ଯେ ବିଜେଡିର ଶକ୍ତିଶାଳୀ ଅସନ୍ତୁଷ୍ଟ ନେତାମାନଙ୍କୁ କଂଗ୍ରେସ ଓ ବିଜେପି ତରଫରୁ ସ୍ବାଧୀନ ପ୍ରାର୍ଥୀ ହେବା ପାଇଁ ଉତ୍ସାହିତ କରାଯାଇ ପାରେ। ସେଭଳି ନେତାମାନଙ୍କୁ ସ୍ବାଭିମାନର ମନ୍ତ୍ର ଦେଇ ନିର୍ବାଚନୀ ମଇଦାନରେ ଛାଡ଼ିଦେଲେ ବିଜେଡି ଭୋଟ୍‌ କିଛି ମାତ୍ରାରେ କ୍ଷୟ ପାଇବାର ସମ୍ଭାବନା ଅଛି। ମାତ୍ର ଏଭଳି ଏକ ସମ୍ଭାବନାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ନେତାମାନଙ୍କୁ ସେମାନଙ୍କର ରାଜନୀତିକ ବିଚକ୍ଷଣତା ସହିତ ଉଦାରତାର ପେଡ଼ି ଖୋଲିବାକୁ ହେବ।

Share :