ଲୁଣି ପାଣି ଭଲ ଲାଗେ?

ଲୁଣି ପାଣି ଭଲ ଲାଗେ?

ଦେବେନ୍ଦ୍ର ପୃଷ୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ପର୍ଯ୍ୟାୟ କ୍ରେମ ଅନେକ ନେତାଙ୍କୁ ବହିଷ୍କାର କରିଚାଲିଛନ୍ତି। ଅନେକଙ୍କୁ ଅତ୍ୟନ୍ତ ଅସମ୍ମାନଜନକ ଭାବେ। ଦଳରେ ଗଣତନ୍ତ୍ର ବୋଲି କିଛି ନାହିଁ ବୋଲି ଅନେକ ତଡ଼ାଖିଆ ନେତା ଅଭିଯୋଗ କରିଛନ୍ତି। ଦଳର କାର୍ଯ୍ୟ ନିର୍ବାହୀ କମିଟି ବୈଠକ ବସି ନିଷ୍ପତ୍ତି ନିଆଯାଏ ନାହିଁ। ଘରୋଇ କମ୍ପାନୀର ମାଲିକ ଯେପରି ନିଷ୍ପତ୍ତି ନିଅନ୍ତି ସେହିପରି ସବୁ ନିଷ୍ପତ୍ତି ନିଆଯାଏ। ସୁପ୍ରିମୋଙ୍କ ନିର୍ଦ୍ଦେଶ ଓ ଅନୁମତି ବିନା କେହି ଗଣମାଧ୍ୟମରେ କିଛି କହିପାରନ୍ତି ନାହିଁ। ଏ ଅଲିଖିତ ଆଦେଶ ଉଲ୍ଲଙ୍ଘନ କରୁଥିବା ନେତା ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୁଅନ୍ତି। ତଥାପି ଏହି ଦଳକୁ ଅନ୍ୟ ଦଳର ନେତାଙ୍କ ସୁଅ ଛୁଟୁଛି। କେହି ଦଳରେ ଗଣତନ୍ତ୍ର ଓ ସ୍ବାଭିମାନ ନଥିବା ଦର୍ଶାଇ ଇସ୍ତଫା ଦେଉ ନାହାନ୍ତି। ରାଜ୍ୟର ଅନ୍ୟ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିରେ ଅତ୍ୟଧିକ ଗଣତନ୍ତ୍ର। ଏ ଦୁଇ ଦଳରେ କିଏ କାହା ବିରୋଧରେ କେତେବେଳେ କ’ଣ କହିଲେଣି ତାହାର ହିସାବ ରଖିବା କଷ୍ଟକର। ବିଜେପି ସଭାପତିଙ୍କ ଅନୁମତି ନନେଇ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ମନ ଇଚ୍ଛା ସାମ୍ବାଦିକ ସମ୍ମିଳନୀ କରିପାରନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପାରନ୍ତି। ଦଳର ସର୍ବୋଚ୍ଚ ନେତାଙ୍କ ସଭାକୁ ବର୍ଜନ କରିପାରନ୍ତି। କାର୍ଯ୍ୟ ନିର୍ବାହୀ ବୈଠକରେ ଅନୁପସ୍ଥିତ ରହିପାରନ୍ତି। ଦଳୀୟ ମନ୍ତ୍ରୀଙ୍କ ବିରୋଧରେ ମନ ଇଚ୍ଛା ବକି ପାରନ୍ତି। ତଥାପି ସେମାନଙ୍କୁ କେହି ଦଳରୁ ବହିଷ୍କାର କରିନାହାନ୍ତି। ଏହା ସତ୍ତ୍ବେ ସେମାନେ ଅଣନିଃଶ୍ବାସ ବୋଧ କରି ଦଳତ୍ୟାଗ କରିଛନ୍ତି। ସେହିପରି କଂଗ୍ରେସରେ ମଧ୍ୟ କୋହଳ ଗଣତନ୍ତ୍ର। ଶ୍ରୀକାନ୍ତ ଜେନା କାହାରି ଅନୁମତି ନେଇ ପ୍ରଦେଶ କଂଗ୍ରେସ ସଭାପତିଙ୍କ ବିରୋଧରେ ପରୋକ୍ଷରେ ଅନେକ କଥା କହିପାରନ୍ତି। ମୁଖ୍ୟମନ୍ତ୍ରୀ ଚୌକି ଖାଲି କରିବା ଦିଗରେ ଉଦ୍ୟମ ନକରି ସେଠି କେମିତି ଭବିଷ୍ୟତରେ ପିସିସି ସଭାପତି ନବସି ପାରିବେ ସେ ଯୋଜନା କରନ୍ତି, ଦଳୀୟ ବିଧାୟକଙ୍କୁ ଇସ୍ତଫା ଦେବାକୁ ପ୍ରରୋଚିତ କରି ଦଳକୁ ଦୁର୍ବଳ କରିବାରେ ସଫଳ ହୋଇପାରନ୍ତି। ତଥାପି ତାଙ୍କୁ ଦଳ ବହିଷ୍କାର କରେ ନାହିଁ। ଅଧିକ ହେଲେ କେବଳ ଇସ୍ତାହାର କମିଟି ଅଧ୍ୟକ୍ଷ ପଦ ନେଇଯାଏ। ଉଭୟ ବିଜେପି ଓ କଂଗ୍ରେସରେ ଏହିପରି ଅନେକ ଉଦାହରଣ ରହିଛି। ଦଳରେ ଡଜନ ଡଜନ ଅସନ୍ତୁଷ୍ଟ। ସମସ୍ତ ଅସନ୍ତୁଷ୍ଟ ଦଳ ଓ ଦଳ ପରିଚାଳନା ବିରୋଧରେ ଶତମୁଖ ହେବାର ସ୍ବାଧୀନତାର ଯଥେଷ୍ଟ ଉପଯୋଗ କରୁଛନ୍ତି। ଅଥଚ ଏପରି ସ୍ବାଧୀନତା ଓ ସ୍ବାଭିମାନ ଶାସକ ବିଜୁ ଜନତା ଦଳରେ ନାହିଁ। ତଥାପି ସୁମଦ୍ରରୁ କୂଅକୁ ଡିଆଁ ମାରିବାକୁ ନେତାଙ୍କ ଅଭାବ ନାହିଁ। କଂଗ୍ରେସର ଅନ୍ୟତମ କାର୍ଯ୍ୟକାରୀ ସଭାପତି ନବ ଦାସ, ବିଧାୟକ ଯୋଗେଶ ସିଂହ, ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝୀ ପ୍ରମୁଖ ଦଳ ଛାଡ଼ିବା ନେଇ ଗଣମାଧ୍ୟମରେ ଚର୍ଚ୍ଚ ଜୋର ଧରିଥିବାବେଳ ନିକଟେର ବିଜେପି ଛାଡ଼ିଥିବା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ମଧ୍ୟ ସେହି ଦଳକୁ ଫେରିବା ଚର୍ଚ୍ଚା ଜାରି ରହିଛି। ୨୦୧୪ ନିର୍ବାଚନର ଅଳ୍ପ କେଇଦିନ ପୂର୍ବରୁ ତତ୍କାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, କଂଗ୍ରେସ ବିଧାୟକ ଦଳ ସଂପାଦକ ଅନୂପ ସାଏ ଏବଂ ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ଶାସକ ଦଳରେ ଯୋଗଦେଇ ଯେଉଁ ବାର୍ତ୍ତା ଦେଇଥିଲେ ଏବେ ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବାକୁ ଉଦ୍ୟତ କଂଗ୍ରେସ ନେତାମାନେ ମଧ୍ୟ ଏହି ବାର୍ତ୍ତା ଦେଉଛନ୍ତି। ବିଜେପି ଛାଡ଼ୁଥିବା ବା ଛାଡ଼ିବାକୁ ଥିବା ନେତାଙ୍କର ମଧ୍ୟ ସେଇ ଗୋଟିଏ ବାର୍ତ୍ତା। ବିଜେଡି ଗଲେ ଅର୍ଥ ଓ କ୍ଷମତା ମିଳିବ, ସ୍ବାଧୀନତା ଓ ସ୍ବାଭିମାନ ନମିଳୁ ପଛେ। ବିଜେଡି ଗଢ଼ାଗଲା ଦିନରୁ ଏ ୨୦ ବର୍ଷ ଭିତରେ ୨୦ ଉପରେ ନେତା ବିଭିନ୍ନ ସମୟରେ ସୁପ୍ରିମୋଙ୍କ ଦ୍ବାରା ଅପମାନିତ ହେଲେଣି ବା ତଡ଼ା ଖାଇଲେଣି। ତଡ଼ା ଖାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି, କମଳା ଦାସ, ଦାମୋଦର ରାଉତ, ପ୍ରଫୂଲ୍ଲ ଘଡ଼ାଇ ଓ ପ୍ୟାରୀମୋହନ ମହାପାତ୍ର। ସେହିପରି ଅପମାନଜନକ ଭାବେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ନଳିନୀ ମହାନ୍ତି, କମଳା ଦାସ, ଦାମୋଦର ରାଉତ, ପ୍ରଶାନ୍ତ ନନ୍ଦ, ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ମହାରଥୀ, ରଘୁନାଥ ମହାନ୍ତି। କେବଳ ସେତିକି ନୁହେଁ, ବିଜେଡି ପରିଚାଳକ ପ୍ରାୟ ପ୍ରତି ନିର୍ବାଚନରେ ବିଧାୟକ ଓ ପ୍ରାର୍ଥୀ ପରିବର୍ତ୍ତନ କରି ସେ କାହାକୁ ଅଧିକ ଦିନ ଧରି ବିଶ୍ବାସ କରନ୍ତି ନାହିଁ ବାର୍ତ୍ତା ଦେଇଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ମୁତୟନ କରିବାର କୌଶଳରେ ସେ ବିରୋଧୀ ଦଳର ନେତାଙ୍କୁ ଆଣି ଦଳୀୟ ପ୍ରାର୍ଥୀ କରନ୍ତି ପଛେ ନିଜ ଦଳର ଅନୁଗତ ନେତାଙ୍କୁ ଉପଯୁକ୍ତ ସମ୍ମାନ ଓ ପଦବୀ ପ୍ରଦାନ କରନ୍ତି ନାହିଁ। ତଥାପି କାହିଁକି ତାଙ୍କ ପ୍ରତି ଓ ତାଙ୍କ ଦଳ ପ୍ରତି ବିପକ୍ଷ ନେତାମାନଙ୍କର ଏତେ ଆଗ୍ରହ? ଏହା କ’ଣ ସମୁଦ୍ରରେ ମିଶି ନଦୀଗୁଡ଼ିକର ସତ୍ତା ହରାଇବାର ପ୍ରେମ? ନିଆଁରେ ପଡ଼ି ପତଙ୍ଗମାନଙ୍କର ମୋକ୍ଷ ପାଇବାର ଆଗ୍ରହ? ନା କେବଳ ଜନସେବା ହେଉଛି ଏମାନଙ୍କ ଜୀବନର ବ୍ରତ?

Share :