ପିଠା- ଏକ ପ୍ରଚାର ମାଧ୍ୟମ

ପିଠା- ଏକ ପ୍ରଚାର ମାଧ୍ୟମ

Share :

୨୦୧୮ ଡିସେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପିଠା କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ତାହା ସୁଦ୍ଦୁ ଏକ ପ୍ରଚାର ମାଧ୍ୟମ। ଏହି କାର୍ଯ୍ୟକ୍ରମରେ କୌଣସି ଲୋକ କିଛି ପାଇବେ ନାହିଁ। ବରଂ ପିଠା ଖାଇବେ ନବୀନ ଓ ତାଙ୍କ ସରକାର ଏବଂ ଦାମ ଦେବେ ଲୋକେ- ଏହା ଏଇଭଳି ଏକ କାର୍ଯ୍ୟକ୍ରମ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ‘ପିପୁଲ୍ସ ଏମ୍ପାୱାରମେଣ୍ଟ-ଏନାବ୍ଲିଂ ଟ୍ରାନ୍ସପ୍ୟାରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫୋ ଓଡ଼ିଶା ଇନିସିଏଟିଭ’ ବା ପିଠା କାର୍ଯ୍ୟକ୍ରମ ଜରିଆରେ ପ୍ରତିମାସ ୧୫-୨୦ ତାରିଖ ମଧ୍ୟରେ ପ୍ରତି ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହେବ ଓ ସେହି ଶିବିର ଜରିଆରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବହିତ କରାଯିବ। ଏହାର ଅର୍ଥ ସରକାର ଲୋକଙ୍କ ପାଇଁ କି କି କାର୍ଯ୍ୟକ୍ରମ ସବୁ କାର୍ଯ୍ୟକାରୀ କରୁଛନ୍ତି ସେ ସଂପର୍କରେ ଲୋକମାନଙ୍କୁ କୁହାଯିବ। ଏହା ସରକାରଙ୍କର ବିଶୁଦ୍ଧ ପ୍ରଚାର ବ୍ୟତିତ ଅନ୍ୟ କିଛି ନୁହେଁ। ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ଏହା ହେଉଛି ଆମ ଗାଁ ଆମ ବିକାଶ ଯୋଜନାର ଏକ ଅଂଶ। ସରକାରଙ୍କର ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନ୍ସି ଆଣ୍ଡ ଟିମ ୱାର୍କ ବା ଥ୍ରି ଟି ନୀତି ଅନୁଯାୟୀ ଏହା ପରିକଳ୍ପିତ। ମୁଖ୍ୟମନ୍ତ୍ରୀଙ୍କ ଭାଷାରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ହିତାଧିକାରୀ ଭିତ୍ତିକ ଯୋଜନାର କାର୍ଯ୍ୟକାରିତାରେ ସ୍ବଚ୍ଛତା ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଉତ୍ତରଦାୟିତ୍ବ ନ୍ୟସ୍ତ କରିବା ଏବଂ ଲୋକମାନଙ୍କୁ ସଶକ୍ତ କରିବା। କହିବା ବାହୁଲ୍ୟ ଲୋକ ଚାହିଁଲେ କାର୍ଯ୍ୟକ୍ରମରେ ସ୍ବଚ୍ଛତା ପ୍ରତିଷ୍ଠା ହୁଏ ନାହିଁ। ସରକାର ଚାହିଁଲେ ହିଁ ସ୍ବଚ୍ଛତା ଆସେ। ସରକାର ଯଦି ସ୍ବଚ୍ଛ ଭାବରେ ନିଷ୍ପତ୍ତି ଗ୍ରହଣ ନକରନ୍ତି, ସ୍ବଚ୍ଛତା ରକ୍ଷା ପାଇଁ ଲୋକମାନଙ୍କୁ ସମସ୍ତ ତଥ୍ୟ ଓ ସୂଚନା ପ୍ରଦାନ ନକରନ୍ତି ତେବେ ସ୍ବଚ୍ଛତା କିପରି ଆସିବ? ସେହିପରି ତୃଣମୂଳ ସ୍ତରରୁ ଉପର ସ୍ତରର ପ୍ରଶାସନ ଯାଏଁ ଉତ୍ତରଦାୟିତ୍ବ ନ୍ୟସ୍ତ କରିବାକୁ ହେଲେ ସରକାରଙ୍କୁ ନିଷ୍ପକ୍ଷ ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ହେବ। ପ୍ରାଶାସନିକ ଦୁର୍ନୀତି ଓ ଉଦାସୀନତା ପାଇଁ ଉପର ସ୍ତରରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣା କରାଯାଉ ନଥିବାରୁ ଏହା ମାଡ଼ିମାଡ଼ି ଚାଲିଛି। ଏବାବଦରେ ଲୋକଙ୍କ ତରଫରୁ ପ୍ରଚୁର ଅଭିଯୋଗ ରହିଛି। ସରକାର କେତେକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ତୃଣମୂଳ ସ୍ତରରେ ପଲ୍ଲିସଭା ଓ ଗ୍ରାମସଭା ବୈଠକ ଯଦି ନିୟମ ମୁତାବକ ବସନ୍ତା, ସଭାରେ ଖୋଲାଖୋଲି ହୋଇ ହିତାଧିକାରୀ ଚୟନ କରାଯାଆନ୍ତା, ପ୍ରକଳ୍ପ ନିର୍ଣ୍ଣୟ ଓ ପ୍ରକଳ୍ପ ସ୍ଥାନ ଚିହ୍ନଟ କରାଯାଆନ୍ତା ତେବେ ଏଭଳି ଏକ ପ୍ରଚାର ଯୋଜନାର ଆବଶ୍ୟକତା ପଡ଼ନ୍ତା ନାହିଁ। ପଲ୍ଲିସଭା ଓ ଗ୍ରାମସଭା ବସିବାରେ ଜାଲିଆତି କରାଯାଉଥିବାରୁ ତୃଣମୂଳ ସ୍ତରରେ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ବଢ଼ି ଚାଲିଛି। ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କଲେ ଏହାର ନିରାକରଣ ହୋଇପାରିବ। ସେହିପରି ସରକାର ଯଦି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆମ ଏଲଡ଼ଡି, ମିଶନ ଶକ୍ତି, ମଧୁବାବୁ ଭତ୍ତା ଯୋଜନା, ନିର୍ମାଣ ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା, କଳାକାର ଭତ୍ତା ଯୋଜନା ଆଦିର ହିତାଧିକାରୀ ଚୟନ ଓ ଭତ୍ତା ବଣ୍ଟନ ଦାୟିତ୍ବ ସହିତ ଉତ୍ତରଦାୟିତ୍ବ ନ୍ୟସ୍ତ କରିବାର କ୍ଷମତା ହସ୍ତାନ୍ତର କରେନ୍ତ ତେବେ ଏଭଳି ଏକ କେନ୍ଦ୍ରୀୟ କାର୍ଯ୍ୟକ୍ରମର ଆବଶ୍ୟକତା ପଡ଼ନ୍ତା ନାହିଁ। ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ ରଖିବା ସହିତ କ୍ଷମତାର ବିକେନ୍ଦ୍ରୀକରଣ ପରିବର୍ତ୍ତେ ତୃତୀୟ ମହଲା ଓ ସଚିବାଳୟରେ କେନ୍ଦ୍ରୀଭୂତ କରୁଥିବାରୁ ଏଭଳି ପ୍ରତ୍ୟେକ ହିତାଧିକାରୀ ଭିତ୍ତିକ କାର୍ଯ୍ୟକ୍ରମରେ ଲାଞ୍ଚ, ପିସି ଓ କମିଶନ କାରବାର ହୋଇଚାଲିଛି। ଏବେ ସରକାର ଯେଉଁ ପିଠା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକି ଯାଉଛନ୍ତି ସେ ବାବଦରେ ଆଉ କିଛି ଅଧିକ ଅର୍ଥ ଖର୍ଚ୍ଚ ହେବ। ସରକାରଙ୍କ ପ୍ରଚାର ହେବ। ଆଉ କିଛି କର୍ମୀ ଉପକୃତ ହେବେ। ଭୋଟ ବ୍ୟାଙ୍କ ସୁଦୃଢ଼ ଓ ସଂଗଠିତ ରହିବ। କେଉଁଠି କେତେ ଭୋଟ ଅଛି ତାହା ମଧ୍ୟ ଜଣାପଡ଼ିବ। ଗୋଟିଏ ବାକ୍ୟରେ କହିଲେ ଲୋକଙ୍କ ଟଙ୍କାରେ ସରକାର ବା ଶାସକ ଦଳର ପ୍ରଚାର ହେବ।

Share :