ପପୁ ଓ ମୁକୁ- କିଏ ଫିଟ୍, କିଏ ଫାଟ୍?

ପପୁ ଓ ମୁକୁ- କିଏ ଫିଟ୍, କିଏ ଫାଟ୍?

Share :

ସ୍ବତନ୍ତ୍ର ପ୍ରତିନିଧି ଜଣକର ଜନ୍ମ ତାରିଖ ୧୬ ଅକ୍ଟୋବର ୧୯୪୬। ଅନ୍ୟ ଜଣକର ଜନ୍ମ ତାରିଖ ୨୬ ଜୁନ ୧୯୬୯। ପ୍ରଥମର ବୟସ ୭୨ ବର୍ଷ। ଦ୍ବିତୀୟର ବୟସ ୪୯ ବର୍ଷ। ପ୍ରଥମ ଏକ ଆଞ୍ଚଳିକ ଦଳର ସର୍ବେସର୍ବା। ଦ୍ବିତୀୟ ଏକ ସର୍ବଭାରତୀୟ ଦଳର ପ୍ରଭାବଶାଳୀ ନେତା। ପ୍ରଥମ ଜଣକ ହେଲେ ନବୀନ ପଟ୍ଟନାୟକ। ଦ୍ବିତୀୟ ଜଣକ ହେଲେ ଧର୍ମେନ୍ଦ୍ର ପ୍ରଧାନ। ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଅନ୍ୟ ଜଣକ ହେଲେ ଆସନ୍ତା ନିର୍ବାଚନରେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଜଣକର ଚାଲିଚଲଣରୁ ସେ ରୁଗ୍ଣ ଓ ଅସୁସ୍ଥ ବୋଲି ୮ ବର୍ଷ ହେଲା ଚର୍ଚ୍ଚା ହୋଇ ଆସୁଛି। ଅନ୍ୟ ଜଣଙ୍କର ଚାଲିଚଲଣରୁ ସେ ସଂପୂର୍ଣ୍ଣ ଫିଟ୍ ବୋଲି ପ୍ରତୀୟମାନ ହେଉଛି। ଜଣକର ଡାକ ନାଁ ପପୁ ଓ ଅନ୍ୟ ଜଣକର ମୁକୁ। ବିଜୁ ଜନତା ଦଳର ସୁପ୍ରିମୋ ବା ସର୍ବେସର୍ବା ନବୀନ ପଟ୍ଟନାୟକ ଗତ ୧୮ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ରହି ଆସିଛନ୍ତି। ତା’ ପୂର୍ବରୁ ସେ କେନ୍ଦ୍ରର ବାଜପେୟୀ ମନ୍ତ୍ରିଣମଣ୍ଡଳରେ ଦେଢ଼ ବର୍ଷ ପାଇଁ ମନ୍ତ୍ରୀ ଥିଲେ। ତାଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା ୧୯୯୭ ମସିହାରେ, ତାଙ୍କ ବିଜୁ ପଟ୍ଟନାୟକଙ୍କ ପରଲୋକ ହୋଇଯିବା ପରେ। ଅମନଯୋଗୀ ନବୀନବାବୁଙ୍କୁ ତତ୍କାଳୀନ ଜନତା ଦଳର କେତେକ ନେତା ବୁଝେଇଶୁଝେଇ ରାଜନୀତିକୁ ଟାଣି ଆଣିଥିଲେ ଓ ଜନତା ଦଳର ନେତୃତ୍ବ ପ୍ରଦାନ କରିଥିଲେ। ସେଥିପାଇଁ ତାଙ୍କୁ କୌଣସି କଷ୍ଟ କରିବାକୁ ପଡ଼ି ନଥିଲା। ତା’ ପୂର୍ବରୁ ରାଜନୀତିରେ ତାଙ୍କର ରୁଚି ନଥିଲା। କୌଣସି ବ୍ୟବସାୟ, ବାଣିଜ୍ୟରେ ସେ ବି ସଫଳ ହୋଇ ନଥିଲେ। ଶିଳ୍ପପତି ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିଲେ ମଧ୍ୟ କୌଣସି ଶିଳ୍ପ ବା ଉଦ୍ୟୋଗ ସହିତ ତାଙ୍କର ସଂପୃକ୍ତି ନଥିଲା। ସେତେବେଳକୁ ଅବଶ୍ୟ ସେ ଦ ଡେଜର୍ଟ କିଙ୍ଗଡମ ଓ ଦ ସେକେଣ୍ଡ ପାରାଡାଇଜ୍ ଭଳି ତିନି ଚାରିଖଣ୍ଡ ବହି ଲେଖିସାରିଥିଲେ। ତେବ ଗଲା ୨୦ ବର୍ଷ ଭିତରେ ସେ ଗୋଟିଏ ହେଲେ ବି ଲେଖା ଲେଖି ନାହାନ୍ତି। ନବୀନବାବୁ ରାଜନୀତିରେ ନବାଗତ ଥିବାରୁ ତାଙ୍କ ରାଜନୀତିକ ଜୀବନର ପ୍ରଥମାବସ୍ଥା କଟିଥିଲା ବିଜୟ ମହାପାତ୍ର, ଅନଙ୍ଗ ଉଦୟ ସିଂହେଦେଓ, ବୈଜୟନ୍ତ ପଣ୍ଡା, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖକଙ୍କ ଅଭିଭାବକତ୍ବରେ। ୨୦୦୦ ବିଧାନସଭା ନିର୍ବାଚନ ସମୟରୁ ତାଙ୍କର ଉପଦେଷ୍ଟା, ମାର୍ଗଦର୍ଶକ ତଥା ମୁଖ୍ୟ ପରିଚାଳକ ହୋଇଯାଇଥିଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ୟାରୀ ମୋହନ ମହାପାତ୍ର। ପ୍ୟାରୀଙ୍କଠାରୁ କ୍ରମେ ଦୂରେଇବା ପାଇଁ ସେ ନିର୍ଭର କରିଥିଲେ ଆଇଏଏସ ଅଫିସର ବିଜୟ ପଟ୍ଟନାୟକଙ୍କ ଉପରେ। ପରେ ମାତ୍ର ଅଳ୍ପ କିଛି ଦିନ ପାଇଁ ତାଙ୍କ ରାଜନୀତିକ ପରିଚାଳକ ଥିଲେ କଳ୍ପତରୁ ଦାସ। ବିରୋଧୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଦେହାନ୍ତ ପରଠାରୁ ଏହି ଦାୟିତ୍ବ ବହନ କରୁଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। ଓଡ଼ଶାର ଭାଷା ଏଯାଏଁ ଶିଖିପାରି ନଥିବା ନବୀନବାବୁ ଯେ ଇତିମଧ୍ୟରେ ଓଡ଼ିଶାର ସଂସ୍କୃତି, ଭୂଗୋଳ, ଇତିହାସ, ଅର୍ଥନୀତି, ରାଜନୀତି ଇତ୍ୟାଦି ସଂପର୍କରେ ଆବଶ୍ୟକ ଜ୍ଞାନ ହାସଳ କରିଥିବେ ସେନେଇ ଅନେକ ସମୟରେ ଅନେକ ନେତା ସନ୍ଦେହ ପ୍ରକଟ କରିଆସିଛନ୍ତି। ତାଙ୍କର ପୂର୍ବତନ ସହଯୋଗୀ ପ୍ରଫୁଲ୍ଲ ଘଡ଼ାଇ, ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ବିଭିନ୍ନ ସମୟରେ ଦେଇଥିବା ବୟାନ ଅନୁସାରେ ନବୀନବାବୁ କିଛି ଜାଣନ୍ତି କି କରନ୍ତି ନାହିଁ। ତାଙ୍କ ପାଇଁ ଅନ୍ୟମାନେ ସବୁ କରିଦିଅନ୍ତି। ଅନ୍ୟମାନଙ୍କର ଫାଇଦା ହେଲା ଜଣକୁ ସଖୀ କଣ୍ଢେଇ କରି ପ୍ରଚୁର କ୍ଷମତା ଉପଭୋଗ ସାଙ୍ଗକୁ ଅର୍ଥ ଓ ସଂପତ୍ତିର ମାଲିକ ହେବା। ଏହି କାରଣରୁ ନବୀନ ଶାସନ ସମୟରେ ମାର୍ଗଦର୍ଶକ, କ୍ଷମତା କେନ୍ଦ୍ର, ସୁପର ଚିଫ୍ ମିନିଷ୍ଟର, ତୃତୀୟ ମହଲା ପରି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ପରିକଳ୍ପନାର ଗୁରୁତ୍ବ ରହି ଆସିଛି। ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା କାହାର ଦାନ ନୁହେଁ, ତାହା ତାଙ୍କର ନିଜସ୍ବ ହାସଲ। ସେ ନିଜର କଠିନ ପରିଶ୍ରମ, ରାଜନୀତିକ ବିଚକ୍ଷଣତା, ସାଂଗଠନିକ ଓ ପ୍ରାଶାସନିକ ଦକ୍ଷତା ବଳରେ ଭାରତ ସରକାରଙ୍କ ମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ଜାତୀୟ ସ୍ତରର ନେତା ଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ କଲେଜ ଛାତ୍ର ସଂସଦ ସଭାପତି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଂଗଠକ ଓ ଜାତୀୟ ସଭାପତି, ଭାରତୀୟ ଜନତା ପାର୍ଟିର ସଂପାଦକ ଭଳି ବିଭିନ୍ନ ସାଙ୍ଗଠନିକ ପଦପଦବୀର ଦକ୍ଷତାର ସହିତ କାର୍ଯ୍ୟ କରି ଆସିଛନ୍ତି। ୨୦୦୦-୦୪ ପାଲଲହଡ଼ା ବିଧାୟକ, ୨୦୦୪-୦୯ ଦେବଗଡ଼ ଲୋକସଭା ସଦସ୍ୟ, ୨୦୧୨ରୁ ବିହାରରୁ ରାଜ୍ୟସଭା ସଦସ୍ୟ ଏବଂ ୨୦୧୮ରୁ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ସରକାରରେ ସେ ତୈଳ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରଣାଳୟ ଦାୟିତ୍ବରେ ରହିଛନ୍ତି, ଆରମ୍ଭରୁ ଏଯାଏଁ ଅପରିବର୍ତ୍ତିତ ଭାବେ। ଏହା ତାଙ୍କ ଦକ୍ଷତାର ପ୍ରମାଣ। ନବୀନବାବୁ କେବେ ଇଂରାଜୀରେ ଚାରି ଖଣ୍ଡ ବହି ଲେଖିଥିଲେ। କିନ୍ତୁ ଗଲା ୨୦ ବର୍ଷ ଭିତରେ କେବେ ବି ଇଂରାଜୀରେ ମନରୁ କିଛି ଭାଷଣ ଦେଇନାହାନ୍ତି। ଏମିତି କି ଗଣମାଧ୍ୟମ ଆଗରେ ବି ସେ କେବେ କୌଣସି ବିଷୟରେ ମନରୁ କିଛି ନାହାନ୍ତି। ଓଡ଼ିଶାର କୌଣସି ବିଷୟରେ ବିନା ଆଲେଖ୍ୟ ସହାୟତାରେ ସେ କିଛି କହିବାର ଦକ୍ଷତା ହାସଲ କରିପାରି ନାହାନ୍ତି। ସେ ହିନ୍ଦୀ ଓ ଇଂରାଜୀ ଜାଣିଥିଲେ ମଧ୍ୟ ସେ ଦୁଇ ଭାଷାରେ ମଧ୍ୟ ମନରୁ ଭାଷଣ ଦେବାର ଦକ୍ଷତା ତାଙ୍କର ପ୍ରମାଣସିଦ୍ଧ ହୋଇନାହିଁ। ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ କହିବାରେ ଓ ଭାଷଣ ଦେବାରେ ଅତ୍ୟନ୍ତ ଦକ୍ଷ। ଏଯାଏଁ ସେ ତାଙ୍କ ରାଜନୀତିକ ପରିଚାଳନା ନିଜେ କରି ଆସିଛନ୍ତି। ସେଥିପାଇଁ ସେ କାହାର ସହାୟତା ନେଇଛନ୍ତି ନିଶ୍ଚୟ, କିନ୍ତୁ କାହା ଉପରେ ସେଥିପାଇଁ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇନାହାନ୍ତି। ଦଳୀୟ ଓ ମନ୍ତ୍ରିମଣ୍ଡଳୀୟ ଦାୟିତ୍ବ ନିର୍ବାହ ପାଇଁ ସେ କୌଣସି ପ୍ୟାରୀ, ବିଜୟ ଓ ପାଣ୍ଡିଆନଙ୍କୁ ନିଯୁକ୍ତ କରିନାହାନ୍ତି। ନବୀନବାବୁ ନିଜ ଦଳ ଓ ସରକାରର ନିଷ୍ପତ୍ତି ନିଜେ ନିଅନ୍ତି କି ନାହିଁ ବୋଲି ଅନେକ ଥର ପ୍ରଶ୍ନ ଉଠିଛି। ବିଜୁ ଜନତା ଦଳର ଉପସଭାପତି ଥିବା ସମୟରେ ଏକାଧିକ ଥର ଏ ପ୍ରଶ୍ନ ଉଠାଇଥିଲେ ଡାକ୍ତର ଦାମୋଦର ରାଉତ। ଡାକ୍ତର ରାଉତ ଏହି ପ୍ରଶ୍ନକୁ ଏମିତିବେଳରେ ଉଠାଇଥିଲେ ଯେ ଶେଷରେ ନବୀନବାବୁଙ୍କୁ ସଫେଇ ଦେବାକୁ ପଡ଼ିଲା, ମୋ ସରକାରର ସବୁ ନିଷ୍ପତ୍ତି ମୁଁ ନିଏ! ଧର୍ମେନ୍ଦ୍ରଙ୍କର ସେ ଅବସ୍ଥା ଏଯାଏଁ ଆସିନାହିଁ। ୨୦୧୦ ମସିହାରୁ ନବୀନବାବୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନେକ ସମୟରେ ଅନେକ ଚର୍ଚ୍ଚା ହୋଇଆସିଛି। ସେ କାଳେ ସୋରିଆସିସ୍ ଅଫ୍ ଲିଭର ରୋଗରେ ପୀଡ଼ିତ। ବିଦେଶୀ ଡାକ୍ତରଙ୍କ ପରାମର୍ଶରେ ସେ ନିୟମିତ ଔଷଧ ସେବନ କରୁଛନ୍ତି। ତାଙ୍କର ଲିଭର ପ୍ରତିରୋପଣ ହେବ। ଏମିତି ଅନେକ କଥା ଶୁଣାଯାଏ। ୨୦୧୩ ମସିହାରେ ଡାକ୍ତର ରାଉତଙ୍କ ମାଲିକାନାରେ ପ୍ରକାଶିତ ସଂଚାର ସମ୍ବାଦପତ୍ରରେ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ନେଇ ଉଦବେଗ ପ୍ରକାଶ ପାଇଥିଲା। ପରେ ପରେ ଅନେକ ଖବରକାଗଜରେ ଏନେଇ ତର୍ଜମା ଚାଲିଆସିଛି। ୨୦୧୭ ମାର୍ଚ୍ଚ ମାସରେ ତାଙ୍କର ସ୍ବାସ୍ଥ୍ୟ ସଂପର୍କୀତ ଚର୍ଚ୍ଚା ଏପରି ସ୍ତରକୁ ଗତି କଲା ଯେ ନବୀନବାବୁ ଗଣମାଧ୍ୟମରେ କହିବାକୁ ବାଧ୍ୟ ହେଲେ, ମୁଁ ସଂପୂର୍ଣ୍ଣ ଫିଟ୍ ଅଛି। ୨୦୧୭ ଅଗଷୋଟ ୧୫ ତାରିଖ ସକାଳେ କିନ୍ତୁ ସେ ସ୍ବାଧୀନତା ଦିବସ ଭାଷଣ ପଢ଼ୁପଢ଼ୁ ଲୋୟର ପିଏମଜି ମଞ୍ଚରେ ପଡ଼ି ଯାଉଥିଲେ, ଦେହରକ୍ଷୀ ଓ ପୁଲିସ ବାହୁ ଧରି ବସେଇଦେଲେ। ଏବେ ବି ଅନେକ ସମୟରେ ଦେଖାଯାଏ ସେ ଏକାଦି କ୍ରମେ ୧୦-୧୫ ମିନିଟରୁ ଅଧିକ ସମୟ ଠିଆ ହୋଇପାରୁ ନାହାନ୍ତି। ଠିକ ଭାବେ ଚାଲିପାରୁ ନାହାନ୍ତି। ଦି’ ହାତ ଯାକ ଥରୁଛି। ଧର୍ମେନ୍ଦ୍ର ପ୍ରଧାନଙ୍କର ସେ ଅବସ୍ଥା ଆସି ନାହିଁ। ସେ ଏବେ ବି ଯୁବକ। ସୁସ୍ଥ, ସବଳ ଓ ଚଳଚଞ୍ଚଳ। ପ୍ରାୟ ପ୍ରତି ମସରେ ଓଡ଼ିଶାର ଗାଁ ଗହଳ ସହିତ ଦେଶ ଓ ବିଦେଶ ଗସ୍ତ କରି ସେ ନିଜର ଫିଟ୍‌ନେସ୍‌ ପ୍ରମାଣ ଦେଇଛନ୍ତି। ତାଙ୍କୁ ଯୋଗ କରିବାର ଲୋକେ ଦେଖିଛନ୍ତି, ଦୌଡ଼ିବାର ଲୋକେ ଦେଖିଛନ୍ତି, ଲମ୍ବ ଲମ୍ବ ପାହୁଣ୍ଡ ପକେଇ ଓ ତରବରରେ ଚାଲିବାର ବି ଲୋକେ ଦେଖିଛନ୍ତି। ନବୀନବାବୁଙ୍କ ଶାସନ ସମୟରେ ଅନେକ ଦୁର୍ନୀତି ଅଭିଯୋଗ ଉଠିଛି। ଖଣି, ପାଣି, ଜମି, ଜଙ୍ଗଲ, କୋଠାବାଡ଼ି, ଡାଲି, ବିହନ, କାମ, ରାସନ କାର୍ଡ଼, ଚିଟ୍‌ ଫଣ୍ଡ ଆଦି ଅନେକ କ୍ଷେତ୍ରରେ ନବୀନ ସରକାର ସମୟରେ ଲକ୍ଷଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରର ଅନେକ ମନ୍ତ୍ରୀ ଓ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ତଦନ୍ତ ପରିସରଭୁକ୍ତ ହୋଇଛି। ଦୁର୍ନୀତି ଅଭିଯୁକ୍ତ କେତେକ ମନ୍ତ୍ରୀଙ୍କୁ ପ୍ରଥମେ ବରଖାସ୍ତ କରି ପୁଣି ଡାକି ମନ୍ତ୍ରୀ କରାଯାଇଛି। ଦୁର୍ନୀତି ଅଭିଯୁକ୍ତ କେତେକ ଅଫିସରଙ୍କୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗରର ଦାୟିତ୍ବ ଅର୍ପଣ କରାଯାଇଛି। ନବୀନବାବୁଙ୍କ ଦୀର୍ଘ ଦୁଇ ଦଶନ୍ଧିର ଶାସନ ମଧ୍ୟରେ ଓଡ଼ିଶା ଏବେ ବି ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇନାହିଁ। ଶତ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ଦିଆଯାଇ ନାହିଁ। ସମସ୍ତଙ୍କ ପାଇଁ ପକ୍କା ଘର, ନିଶ୍ଚିତ ଶିକ୍ଷା ଓ ନିଶ୍ଚିତ ନିଯୁକ୍ତି ସୁବିଧା ଦିଆଯାଇ ନାହିଁ। ଏସବୁ କ୍ଷେତ୍ରରେ ଅନେକ କେନ୍ଦ୍ରୀୟ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଅନୁଦାନ ଆସୁଥିଲେ ମଧ୍ୟ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ ଓ ନିଯୁକ୍ତି କ୍ଷେତ୍ର ସବୁଠାରୁ ଅବହେଳିତ ହୋଇରହିଛି। ଧର୍ମେନ୍ଦ୍ରଙ୍କ ୫ ବର୍ଷର ମନ୍ତ୍ରିତ୍ବ ମଧ୍ୟରେ ତାଙ୍କର ଏକମାତ୍ର ବିଫଳତା ହେଲା ସେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିପାରି ନାହାନ୍ତି କି ବିଭିନ୍ନ ସମୟର ଅନ୍ତର୍ଜାତୀୟ ବଜାର ଦର ଅନୁସାରେ ଖାଉଟୀଙ୍କୁ ଶସ୍ତାରେ ତୈଳ ଯୋଗାଇପାରି ନାହାନ୍ତି।

Share :