୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଯାଜପୁର ରାଜନୀତିରେ ସେତିକି ଝଡ଼ ସୃଷ୍ଟି ହେଉଛି । ଶାସକ ଦଳର ଏହି ଝଡ଼କୁ ଦେଖି ବିରୋଧି କଂଗ୍ରେସ ତୀକ୍ଷ୍ଣ ନଜର ରଖିଥିବା ବେଳେ ବିଜେପି ଏଥିରୁ ଫାଇଦା ଉଠାଇବାକୁ ବସିଛି । ମୁଖ୍ୟତଃ ୨୦୧୯ ନିର୍ବାଚନରେ ଯାଜପୁର ବିଜେଡିର ବହୁ ପୁରୁଣା ମୁହଁ ବାଦ୍ ପଡିବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ହେଲେ ବାଦ୍ ପଡିବାକୁ ଥିବା ଏହି ପୁରୁଣାଙ୍କ ମଧ୍ୟରେ କାହା ପାଳି ପଡିବ ଓ ତାଙ୍କ ବଦଳରେ ନୂଆ ମୁହଁ କିଏ ଆସିବ ତାହା ଏବେ ଅସ୍ପଷ୍ଟ ଥିଲେ ମଧ୍ୟ ଦଳୀୟ କର୍ମୀ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଉକ୍ରଣ୍ଠାର ସହ ଚାହିଁ ବସିଛନ୍ତି । ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ବିଜେଡିର ଏକ ଗଡ ବୋଲି କୁହାଯାଉଛି । ଏହି ଜିଲ୍ଲାର ଗୋଟିଏ ଲୋକସଭା ଆସନ ଓ ୭ଟି ନିର୍ବାଚନ ମଣ୍ଡଳୀକୁ ଶାସକ ବିଜେଡି ଦୀର୍ଘ ୧୮ ବର୍ଷ ଧରି ନିଜ ଅକ୍ତିଆରରେ ରଖିଛି । ହେଲେ ଦଳକୁ କ୍ଷତି ପହଞ୍ଚାଇବା ଭଳି ବୟାନବାଜି କରିବା ଓ ଦଳକୁ ବଦ୍ନାମ କରୁଥିବା ଭଳି ଲୋକ ପ୍ରତିନିଧିମାନେ ବିଜେଡି ସୁପ୍ରିମୋଙ୍କ ରୋଶର ଶିକାର ହୋଇଥିବାର ନଜିର ମଧ୍ୟ ଅଛି । କିଏ ନିଜର ମନ୍ତ୍ରୀପଦ ହରାଇଛି ତ ଆଉ କିଏ ଦଳରୁ ବାଦ୍ ପଡିଛନ୍ତି । ବିଗତ ଦିନରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ କ୍ଷେତ୍ରରୁ ଏହା ସ୍ପଷ୍ଟ ହୋଇଯାଇଛି । ଯାଜପୁର ରାଜନୀତିର ପିତାମହ ଭୀଷ୍ମ ବୋଲି କୁହାଯାଉଥିବା ଶ୍ରୀ ଘଡାଇ ଦଳୀୟ ଟିକେଟ୍ରୁ ବଞ୍ôଚତ ହୋଇଥିଲେ ମଧ୍ୟ ସେ ଦୀର୍ଘଦିନ ଧରି ଅନ୍ୟ ଦଳକୁ ଯିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ସେହିପରି ଯାଜପୁର ଜିଲ୍ଲାର ଅନ୍ୟ କେତେକ ବିଧାୟକ, ସାଂସଦଙ୍କ ନାଁ ନିଶାନ ମଧ୍ୟ ଲିଭି ଗଲାଣି । ତେଣୁ କେଉଁ ରାଜନେତା କେତେବେଳେ ବିଜେଡି ଦଳର ସୁପ୍ରିମୋଙ୍କ ରୋଶର ଶିକାର ହେବେ ତାହା କହିବା ଅସମ୍ଭବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଚିଟ୍ଫଣ୍ଡ୍ ଦୁର୍ନୀତି ଠାରୁ ଆରମ୍ଭ କରି ଦୁର୍ଦ୍ଦାନ୍ତ ଅପରାଧି ଟିଟୋ ଲିଙ୍କ୍, ସରକାରୀ ଯୋଜନା ହଡପ୍, ଦଳୀୟ ବିଶୃଙ୍ଖଳା ଆଦି ପ୍ରସଙ୍ଗକୁ ନେଇ ଦଳକୁ କ୍ଷତି ପହଞ୍ଚାଇଥିବା ଏହି ଜିଲ୍ଲାର ବହୁ ବିଜେଡି ନେତା ଏବେ ବିଜେଡି ସୁପ୍ରିମୋଙ୍କ ସ୍କାନର୍ରେ ରହିଛନ୍ତି । ଯେଉଁମାନେ କି, ଆଗାମୀ ଦିନରେ ଦଳୀୟ ଟିକେଟ୍ରୁ ବଞ୍ôଚତ ହେବେ ବୋଲି ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି । କେବଳ ଥା ଥା ମା ମା ଢଙ୍ଗରେ ସମ୍ପୃକ୍ତ ନେତାଙ୍କ ପକ୍ଷ ଛେଦନ କରାଯାଇ ସେମାନଙ୍କୁ ଦଳରେ ଥଇଥାନ କରାଯାଇଛି । ଅନ୍ୟପକ୍ଷରେ ଦୁର୍ନୀତି ଛିଟା ଲାଗିଥିବା ନେତା, ମନ୍ତ୍ରୀଙ୍କୁ ବାଦ୍ ଦେଇ ନବୀନ୍ ନିଜ ସ୍ୱଚ୍ଛ ଶାସନର ପରିଚୟ ପୂର୍ବରୁ ଦେଇଆସଛନ୍ତି । ଚିନାବାଦାମ ର୍ଦୁନୀତିର ଛିଟା ବିଜେଡି ଦଳରେ ଲାଗିବା ପରେ ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ହାତରୁ ମନ୍ତ୍ରୀପଦ ଯାଇଥିଲା । ଏପରିକି, ସେ ଦଳୀୟ ଟିକେଟ୍ରୁ ବାଦ୍ ମଧ୍ୟ ପଡିଥିଲେ । ପରେ ସେ ଏନ୍ସିପି ଦଳରୁ ବଡଚଣା ବିଧାୟକ ଭାବେ ନିର୍ବାଚିତ ହୋଇ ୨୦୧୪ ସାଧାରଣ ନିର୍ବାଚନରେ ପୁନଃର୍ବାର ବିଜେଡିକୁ ଫେରି ଏହି ଆସନରୁ ବିଜୟୀ ହୋଇଥିଲେ । ସେ ସମୟରେ ସେ ବିଜେଡି ଦଳର ମୁଖପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ଥିଲେ । କିନ୍ତୁ କୌଣସି କାରଣରୁ ସେ ବିଜେଡି ଦଳର ମୁଖପାତ୍ର ଦାୟିତ୍ୱ ହରାଇଥିଲେ । ଜିଲ୍ଲାର ବରିଷ୍ଠ ରାଜନେତା ଭାବେ ପରିଚିତ ଶ୍ରୀ ଶତପଥୀ ଭୂତ ଟ୍ୟାଙ୍କର ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସହ ସମ୍ପର୍କ ରଖିବା, ଟିଟୋ ଲିଙ୍କ୍ ଆଦି ଘଟଣାରେ ବିବାଦୀୟ ହୋଇପଡିବାରୁ ବିଜେଡି ଦଳକୁ ଲୋକେ ସମାଲୋଚନା କରିଥିଲେ । ଏପରିକି, ଏହି ନିର୍ବାଚନ ମଣ୍ଡଳୀର ବହୁ ଆଗଧାଡିର ନେତା ବିଜେଡି ଛାଡି ବିଜେପିରେ ସାମିଲ୍ ହେବା ଘଟଣା ଦଳୀୟ ସୁପ୍ରିମୋଙ୍କ ନଜରକୁ ଆସିଥିଲା । ଯାହାକୁ ନେଇ ଏବେ ଶ୍ରୀ ଶତପଥୀ ଦଳୀୟ ସୁପ୍ରିମୋଙ୍କ ସ୍କାନର୍ରେ ଅଛନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଏହି ନିର୍ବାଚନ ମଣ୍ଡଳୀର ଜଣେ ପ୍ରଭାବଶାଳୀ କଂଗ୍ରେସ ନେତା ନିକଟରେ ଦଳ ଛାଡିଥିବା ବେଳେ ସେ ନିଜର ସମର୍ଥକଙ୍କ ସହ ବିଜେଡିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି । ଯେ କି, ଆଗାମୀ ସାଧାରଣ ନିର୍ବାଚନରେ ବଡଚଣା ଆସନରୁ ପାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ସେହିପରି ୨୦୧୧ ମସିହାର ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି ଘଟଣାରେ ସରକାର ହରଡଘଣାରେ ପଡିବା ପରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ମହିଳା ଶିଶୁ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ଏପରିକି, ଲଗାତର ଭାବେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ସେ ବିଜୟୀ ହୋଇଆସୁଥିଲେ ମଧ୍ୟ ଆଉ ତାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳିନାହିଁ । ଯଦିଓ ବିଜେଡିର ମହିଳା ସଭାନେତ୍ରୀ ଭାବେ ତାଙ୍କୁ ଦଳ ପକ୍ଷରୁ ଥଇଥାନ କରାଯାଇଥିଲା ହେଲେ ନିକଟରେ ଏହି ପଦବୀ ମଧ୍ୟ ତାଙ୍କ ହାତରୁ ଖସି ଯାଇଛି । ତାଛଡା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଶହ ଶହ କୋଟି ଟଙ୍କାର ଦୁର୍ନୀତି, ସରକାରୀ ଯୋଜନାକୁ ତାଙ୍କ ପରିବାର ଲୋକେ ହଡପ କରିଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶାସକ ବିଜେଡିରେ ଦୁର୍ନୀତିର ଛିଟା ଲାଗିଛି । ଅନ୍ୟପକ୍ଷରେ ପ୍ରମିଳାଙ୍କ ଶାସନ କାଳରେ ଏହି ନିର୍ବାଚନ ମଣ୍ଡଳୀର ଲୋକେ ଅଣନିଃଶ୍ୱାସୀ ହୋଇପଡିବା ସହ କେତେକ ଦଳ ଛାଡିଥିବା ବେଳେ ଆଉ କେତେକ ବିଜେଡି ସୁପ୍ରିମୋଙ୍କୁ ଏଥିନେଇ ଅବଗତ କରିଛନ୍ତି । ଯାହାକୁ ଦଳର ସୁପ୍ରିମୋ ସହଜରେ ହଜମ କରିପାରୁ ନାହାନ୍ତି । ଏପରିକି, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଲୋକେ ଏବେ ନୂଆ ନେତା ଖୋଜୁଥିବା ବେଳେ ଦଳର ସୁପ୍ରିମୋ ମଧ୍ୟ ଏହି ଅଞ୍ଚଳ ପାଇଁ ନୂଆଁ ମୁହଁ ସନ୍ଧାନରେ ରହିଥିବାର ଶୁଣିବାକୁ ମିଳୁଛି । ତେବେ ଆଗାମୀ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ପଦାଧିକାରୀ(ଆଇଏଏସ୍) ପାର୍ଥର୍ୀ ହେବେ ବୋଲି ବିଞ୍ଝାରପୁର ଭୋଟରଙ୍କ ମଧ୍ୟରେ ଆଲୋଚନା ହେଉଛି । ସେହିପରି କୋରେଇ ନିର୍ବାଚନ ମଣ୍ଡଳୀରେ ଦୀର୍ଘଦିନ ଧରି ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଶାସକ ବିଜେଡି ପାଇଁ ଚିନ୍ତାର ବିଷୟ ହୋଇଛି । ତେଣୁ ଆସନ୍ତା ନିର୍ବାଚନରେ କଳେ ବଳେ କୌଶଳେ ଏହି ଆସନକୁ ବିଜେଡି ଅକ୍ତିଆର କରିବା ଲକ୍ଷ ରଖି ନୂଆ ମୁହଁ ଖୋଜିପାରେ ବୋଲି ଚର୍ଚ୍ଚା ହେଉଛି । ନଚେତ୍ ଏହି ଜିଲ୍ଲାର ଜଣେ ପ୍ରଭାବଶାଳୀ ଯୁବ ନେତାଙ୍କର କୋରେଇରେ ଦବ୍ଦବା ଥିବାରୁ ସେ ଦଳର ସ୍ୱାର୍ଥ ରକ୍ଷା ପାଇଁ ସେଠାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଯାହାହେଉ ଯାଜପୁର ରାଜନୀତିରେ ଆରମ୍ଭ ହୋଇଥିବା ଝଡ଼ ଆଗାମୀ ଦିନରେ କେଉଁ ପୁରୁଣା ମୁହଁକୁ ବାଦ୍ ଦେଇ ଦଳ ନିଜର ସ୍ଥିତି ଜାହିର କରିବ ସେଥିନେଇ ଏବେଠାରୁ ଅଙ୍କକଷା ଚାଲିଛି ।