ବିମୁଦ୍ରାକରଣ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀ

ବିମୁଦ୍ରାକରଣ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀ

ଶୀତ ଦିନିଆ ଚାଷ ପାଇଁ ଦେଶର ଲକ୍ଷଲକ୍ଷ କୃଷକ ବିହନ କି ସାର କିଣି ପାରି ନାହାନ୍ତି । କାରଣ ହେଉଛି ବିମୁଦ୍ରାକରଣ । ଏହା ସ୍ୱୀକାର କରିଛି ଭାରତର କୃଷି ମନ୍ତ୍ରଣାଳୟ । ଅର୍ଥ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିକୁ ପ୍ରଦାନ କରିଥିବା ଏକ ରିପୋର୍ଟରେ କୃଷି ମନ୍ତ୍ରଣାଳୟ ଏହା ଉଲ୍ଲେଖ କରିଛି । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାବୁଆର ଏକ ସାଧାରଣ ସଭାରେ ଗର୍ଜନ କରୁଥିଲେ, କଳାଧନକୁ ବ୍ୟାଙ୍କ ବ୍ୟବସ୍ଥାକୁ ଆଣିବା ଓ ଗଭୀରକୁ ଚେର ଲମ୍ବାଇଥିବା ଦୁର୍ନୀତିକୁ ଉପଯୁକ୍ତ ଦଣ୍ଡ ଦେବା ଉଦ୍ଦେଶ୍ୟରେ ସେ ବିମୁଦ୍ରାକରଣ ନିଷ୍ପତ୍ତି ଗ୍ରହଣ କରିଥିଲେ । ଠିକ ଏହି ସମୟରେ ତାଙ୍କ ସରକାରର କୃଷି ମନ୍ତ୍ରଣାଳୟ ଅର୍ଥ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିକୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ଦେଶର ଲକ୍ଷଲକ୍ଷ ଚାଷୀ ବିମୁଦ୍ରାକରଣ ନିଷ୍ପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନେ ଶୀତ ଦିନିଆ ଚାଷ ପାଇଁ ବିହନ ଓ ସାର କିଣିପାରି ନାହାନ୍ତି । ନଭେମ୍ବର ୨୦ ତାରିଖ ମଙ୍ଗଳବାର ଅର୍ଥ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ନିକଟରେ ହାଜର ହୋଇଥିଲେ କୃଷି, ଶ୍ରମ ଓ ନିଯୁକ୍ତି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଅଧିକାରୀମାନେ । ଏହି ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ହେଉଛନ୍ତି କଂଗ୍ରେସ ସାଂସଦ ବୀାପ୍ପା ମୋଇଲି । କମିଟି ବିମୁଦ୍ରାକରଣର ପ୍ରଭାବ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଛନ୍ତି । କମିଟି ନିକଟରେ ହାଜର ହୋଇ କୃଷି ମନ୍ତ୍ରଣାଳୟର ଅଧିକାରୀମାନେ ପ୍ରଦାନ କରିଥିବା ରିପୋର୍ଟ ଉଲ୍ଲେଖ ଅଛି ଯେ ବିମୁଦ୍ରାକରଣ ଯୋଗୁଁ ଦେଶର ଲକ୍ଷଲକ୍ଷ ଚାଷୀଙ୍କ ନିକଟରେ ଯଥେଷ୍ଟ ପରିମାଣର ନଗଦ ଅର୍ଥ ରହିନାହିଁ । ରିପୋର୍ଟ ଅନୁସାରେ ଚାଷୀମାନେ ଯେତେବେଳେ ସେମାନଙ୍କର ଖରିଫ ଫସଲ ବିକ୍ରି କରୁଥିଲେ ଏବଂ ରବି ଚାଷ ଆରମ୍ଭ କରୁଥିଲେ ଠିକ୍ ସେତିକିବେଳେ ସରକାର ବିମୁଦ୍ରାକରଣ ନିଷ୍ପତ୍ତି ଘୋଷଣା କଲେ । ଉଭୟ ଖରିଫ ଫସଲ ବିକ୍ରି ଓ ରବି ଚାଷ ପାଇଁ ପ୍ରଚୁର ନଗଦ ଅର୍ଥର ଆବଶ୍ୟକତା ଥିଲା । କିନ୍ତୁ ବିମୁଦ୍ରାକରଣ ଯୋଗୁଁ ଚାଷୀଙ୍କ ନଗଦ ଅର୍ଥ ବ୍ୟାଙ୍କକୁ ଚାଲିଗଲା । ଭାରତର ୨୬.୩୦ କୋଟି ଚାଷୀ ମୁଖ୍ୟତଃ ନଗଦ ଅର୍ଥନୀତି ଉପରେ ନିର୍ଭର କରି ଚଳିଥାନ୍ତି । ବଜାରରେ ନଗଦ ଅର୍ଥର ଅଭାବ ଦେଖାଦେବାରୁ ସେମାନେ ନା ଫସଲ ବିକି ପାରିଲେ ନା ବିହନ ଓ ସାର କିଣିପାରିଲେ । ଏପରିକି ଏହି ସମୟରେ ବଡ଼ବଡ଼ ଚାଷୀମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଲେ । ବଜାରରୁ ନଗଦ ଅର୍ଥ ବ୍ୟାଙ୍କକୁ ପଳାଇବାରୁ ସେମାନେ ଶ୍ରମିକମାନଙ୍କୁ ମଜୁରୀ ଦେଇପାରିଲେ ନାହିଁ କି ରବି ଫସଲ ପାଇଁ ବିହନ ଓ ସାର ଆଦି କିଣିପାରିଲେ ନାହିଁ । ଏହି ସମୟରେ ଜାତୀୟ ବିହନ ନିଗମ ମଧ୍ୟ ୧.୩୮ ଲକ୍ଷ କୁଇଣ୍ଟାଲ ଗହମ ବିହନ ବିକିପାରି ନଥିଲା । କାରଣ ତାହା କିଣିବାକୁ ଚାଷୀଙ୍କ ନିକଟରେ ନଗଦ ଅର୍ଥ ନଥିଲା । ଗହମ ବିହନ ବିକ୍ରି ପାଇଁ ସରକାର ପରେ ପୁରୁଣା ହଜାରେ ଓ ପାଞ୍ଚ ଶହ ଟଙ୍କିଆ ନୋଟ କାରବାରକୁ ସାମୟିକ ଅନୁମତି ଦେଇଥିଲେ ବି ବିହନ ନିଗମର ବିହନ କିଣିବାକୁ ଲୋକଙ୍କ ପାଖରେ ଆଉ ନୋଟ୍ ନଥିଲା । ଅର୍ଥ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିର ଏହି ଶୁଣାଣି ସମୟରେ ହାଜର ହୋଇ ନଥିଲେ କୃଷି ମନ୍ତ୍ରଣାଳୟର ସଚିବ । ସେଥିପାଇଁ କମିଟି ହାଜର ହୋଇଥିବା କୃଷି ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନଙ୍କୁ ତାଗିଦ କରିଥିଲେ । କମିଟିର ସଦସ୍ୟ ଥିôବା ତୃଣମୂଳ କଂଗ୍ରେସ ନେତା ଦୀନଶେ ତ୍ରିବେଦୀ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରିଥିଲେ । ସେ କହିଥିଲେ ଯେ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମୀ ଦେଇଥିବା ରିପୋର୍ଟ ଅନୁସାରେ ବିମୁଦ୍ରାକରଣ ଯୋଗୁଁ ୧.୫ ନିୟୁତ ବା ୧୫ ଲକ୍ଷ ଚାକିରି ଚାଲିଗଲା । ଏ ବିଷୟରେ ସରକାର ସଚେତନ ଅଛନ୍ତି କି? ତେବେ ଶ୍ରମ ମନ୍ତ୍ରଣାଳୟ ତରଫରୁ ସଂସଦୀୟ ସ୍ଥାୟୀ କମିଟିକୁ ଦିଆଯାଇଥିବା ରିପୋର୍ଟରେ ବିମୁଦ୍ରାକରଣର ପ୍ରଶଂସା କରାଯାଇଛି । ଶ୍ରମ ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟ ଅନୁସାରେ ବିମୁଦ୍ରାକରଣ ପରେ ଦେଶରେ ୩ ଲକ୍ଷ ନୂଆ ଚାକିରି ସୃଷ୍ଟି ହୋଇଛି ।

Share :