ରାୟଗଡ଼ାରେ କର୍ମୀଙ୍କଠାରୁ ଦୂରେଇ ଯାଇଛି ବିଜେଡି!

ରାୟଗଡ଼ାରେ କର୍ମୀଙ୍କଠାରୁ ଦୂରେଇ ଯାଇଛି ବିଜେଡି!

Share :

ନିର୍ବାଚନ ଯେତିକି ପାଖେଇ ଆସୁଛି ରାୟଗଡ଼ା ଜିଲ୍ଲାରେ ବିଜେଡ଼ିର ଦୁର୍ଗ ସେତିକି ଦୁର୍ବଳ ହେବାରେ ଲାଗିଛି । ନିକଟରେ ବିଜୁ ଜନତା ଦଳ ପକ୍ଷରୁ ପୃଥକ ପୃଥକ ଭାବେ ହୋଇଥିବା ତିନି ଥାକିଆ ଗୁପ୍ତ ସର୍ଭେ ସାଙ୍ଗକୁ ରାଜ୍ୟ ସରକାରଙ୍କ ଗୋଇନ୍ଦା ବିଭାଗ ରିପୋର୍ଟ କହୁଛି । ଏହି ପରିସ୍ଥିତିରେ ସୁଧାର ନହେଲେ ଆସନ୍ତା ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡ଼ିପାରେ । ସରକାରଙ୍କ ଅନେକ ବିକାଶମୁଳକ ଯୋଜନା ଏବେ ବି ରାୟଗଡ଼ାବାସୀଙ୍କ ପାଇଁ ଅପହଞ୍ଚଂ ହୋଇ ରହିଛି । ବର୍ଷବର୍ଷ ଧରି ଶାସନ କଳ ଲୋକଙ୍କୁ ଅଣଦେଖା କରିବା ଫଳରେ ଆସନ୍ତ।। ନିର୍ବାଚନରେ ବିଜେଡ଼ି ପରାସ୍ତ ହେବ ବୋଲି ଦଳର ଏକ ଗୁପ୍ତ ସର୍ଭେରୁ ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲାର ଅଧିକାଂଶ ଭୋଟର ସବୁବେଳେ କଂଗ୍ରେସ ସପକ୍ଷରେ ଭୋଟ ଦେଇ ଆସୁଥିବାରୁ ଏଠି କଂଗ୍ରେସର ନିଜସ୍ୱ ଭୋଟବ୍ୟାଙ୍କ ରହିଛି କହିଲେ ଅତ୍ୟୁକ୍ତି ହେବନାହଁ । ତେବେ ୨୦୧୪ରେ କଂଗ୍ରେସର ଗଡ଼ଭାଙ୍ଗି ବିଜେଡ଼ି ନିଜ ସ୍ଥିତି ମଜଭୁତ କରିଥିଲା । କିନ୍ତୁ ଦଳ ମଧ୍ୟରେ ସମନ୍ୱୟର ଅଭାବ ଏବଂ ବିକାଶ କାର୍ଯ୍ୟକ୍ରମ ବାଟବଣା ହେବା ଯୋଗୁଁ ଦଳକୁ ପୁଣି ୨୦୦୯ ମସିହା ସ୍ଥିତି ଫେରିବାକୁ ପଡ଼ିପାରେ । ଏହାକୁ ଦେଖି ବିଜୁ ଜନତା ଦଳର ରାଜ୍ୟ ସଂଗଠନ ରାୟଗଡ଼ା ଜିଲ୍ଲାକୁ ଗୁରୁତ୍ୱ ଦେଇ ମାଳମାଳ ନେତାଙ୍କୁ ରାଜ୍ୟ ସ୍ତରୀୟ ସଂଗଠନରେ ଆଗ ଧାଡ଼ିଆ ପଦବୀ ଦେଇଥିଲେ ମଧ୍ୟ ତୃଣମୁଳ ସଙ୍ଗଠନ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ୁ ନାହିଁ । ଏବେ ଜିଲ୍ଲାରେ ବିଜେଡ଼ିର ରାଜ୍ୟ ସ୍ତରୀୟ ନେତାଙ୍କ ଅଭାବ ନଥିଲେ ସୁଦ୍ଧା ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ହାତରେ ରହିଛି ଜିଲ୍ଲାରେ ବିଜେଡ଼ିର ଲଗାମ । ସେ ପୌର ନିର୍ବାଚନ ହେଉ ବା ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ତାଙ୍କ ବିନା ସୁପାରିସରେ ଦଳର କାହାକୁ ଟିକଟ ମିଳିବା କାଠିକର ପାଠ । ହେଲେ ଏବେ ଜିଲ୍ଲାରେ ବିଜେଡ଼ି ଦୁର୍ଗ ଭୁଶୁଡ଼ିବା ଦେଖି ରାଜ୍ୟ ବିଜେଡ଼ି ସଙ୍ଗଠନରେ ଚିନ୍ତା ବଢ଼ିଯଇଛି । ଲୋକେ ବିଜେଡ଼ି ପ୍ରତି ଆସ୍ଥା ହରାଉଛନ୍ତି କାହିଁକି ସେ ନେଇ ହୋଇଥିବା ସର୍ଭେ ମୁତାବକ ରାଜନୈତିକ କର୍ମୀଙ୍କ ହାତରୁ କ୍ଷମତା ଅପହୃତ ହେବା ଦଳ ପାଇଁ କ୍ଷତିକାରକ ହୋଇପାରେ ବୋଲି ଜଣାପଡ଼ିଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ସର୍ଭେରେ ଜିଲ୍ଲା ସ୍ତରୀୟ ବିଜେଡ଼ି ନେତାଙ୍କ ହାତରେ କୌଣସି କ୍ଷମତା ନଦେବା, ରାଜ୍ୟ ସରକାରଙ୍କ ବିଭିନ୍ନ ଯେଜନାର କାର୍ଯ୍ୟାନ୍ୱୟନରେ କର୍ମୀ କିମ୍ବା ଗାଁ ନେତାଙ୍କ ମତକୁ ଗୁରୁତ୍ୱ ଦିଆନଯାଇ ଜିଲ୍ଲପାଳ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମତାମତକୁ ଗୁରୁତ୍ୱ ଦିଆଯିବା, ଦଳୀୟ ନେତା ଓ ଗାଁ ଲୋକଙ୍କ ମତାମତ ନନେଇ ପ୍ରାଶାସନିକ ଅଧିକାରୀ ବିଭିନ୍ନ ଯେଜନାରେ ହିତାଧିକାରୀ ଚୟନ କରିବା ଆଦି କାରଣ ଯୋଗୁଁ ଦଳ ଲୋକଙ୍କଠାରୁ ଦୂରେଇ ଯାଇଛି । ସବୁଠାରୁ ବଡ଼ କଥା ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦଳର ଲୋକସଭା ସଦସ୍ୟ, ରାଜ୍ୟସଭା ସଦସ୍ୟ କିମ୍ବା ବିଧାୟକ କୌଣସି ବିଭାଗରେ ନିଜ ନୋମିନି ନିଯୁକ୍ତି ନକରିବା ଫଳରେ କର୍ମୀ ଓ ନେତାଙ୍କ ମଧ୍ୟରେ ଫାଟ ବଢ଼ିଥିବା ମଧ୍ୟ ସର୍ଭେରୁ ଜଣାପଡ଼ିଛି । ଦଳର ତୃଣମୂଳ ସ୍ତରୀୟ ନେତାମାନଙ୍କ ମତରେ ଜିଲ୍ଲା ଶାସନ ଓ ଦଳ ଲୋକଙ୍କଠାରୂ ଅନେକ ଦୂରରେ କାର୍ଯ୍ୟ କରୁଛି । ପ୍ରାଶାସନିକ ଅଧିକାରୀମାନେ ନିଜସ୍ୱ ଆଜେଣ୍ଡାରେ କାମ କରୁଥିବାବେଳେ ଲୋକ ପ୍ରତିନିଧି କିମ୍ବା ଶାସକ ଦଳର ନେତାଙ୍କୁ କୋଣଠେସା କରି ରଖିଛନ୍ତି । ସେହିପରି ଦଳର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାମାନଙ୍କ କଥା ଶୁଣିବାକୁ ଆଗଧାଡ଼ିର ନେତାମାନେ ସମୟ ଦେଉ ନାହାନ୍ତି । ଫଳରେ ସଙ୍ଗଠନ ଏବଂ ସଙ୍ଗଠକଙ୍କ ମଧ୍ୟରେ ଦେଖା ଦେଇଥିବା ଫାଟର ଲାଭ ଉଠାଉଛନ୍ତି ପ୍ରଶାସକମାନେ । ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାମାନେ ହିଁ ଭୋଟ୍ ସଂଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ସେମାନେ ଦଳ ଓ ସରକାରରେ ଗୁରୁତ୍ୱ ପାଉ ନଥିବାରୁ ଜିଲ୍ଲାରେ ବିଜେଡି ଦୁର୍ବଳ ପରିଣାମ ହାସଲ କରିପାରେ ବୋଲି ଏହି ଗୁପ୍ତ ଜନମତ ସର୍ଭେରୁ ଜଣାପଡ଼ିଛି । ଜିଲ୍ଲାରେ ବିଜେଡ଼ିର ସଂଗଠନକୁ ସୁଦୃଢ଼ କରିବା ପାଇଁ ଅନେକ ରାଜ୍ୟ ସ୍ତରୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ଦଳ ସଙ୍ଗଠିତ ହେବା ବଦଳରେ ଆଭ୍ୟନ୍ତରୀଣ ଫାଟ ଅଧିକ ମେଲା ହୋଇଛି । ପରିଣାମ ସ୍ୱରୁପ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ କଂଗ୍ରେସ ଖାତାକୁ ଯାଇଛି । ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଦଳର ପରିଣାମ ସେଇଭଳି ହେବ ବୋଲି ଆଶଙ୍କା କରାଯାଉଛି । ରାୟଗଡ଼ା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ରାୟଗଡ଼ା ବ୍ଲକ ଏବଂ ପୌରପାଳିକାରେ ବିଜେଡ଼ିର ସ୍ଥିତି ସୁଦୃଢ଼ ଥିଲେ ବି କାଶୀପୁର ବ୍ଲକରେ ଦୁର୍ବଳ ରହିଛି । ବିଗତ ନିର୍ବାଚନରେ କାଶୀପୁର ଭୋଟର ନିର୍ଣ୍ଣାୟକ ଭୂମିକା ନେଇଥିଲେ । ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁନିଗୁଡ଼ା, କୋଲନରା, ବିଷମକଟକ ଏବଂ କଲ୍ୟାଣସିଂହପୁର ବ୍ଲକ ମଧ୍ୟରୁ କଲ୍ୟାଣସିଂହପୁରକୁ ଛାଡ଼ିଦେଲେ ଅନ୍ୟ ତିନୋଟି ବ୍ଲକରେ ବିଜେଡ଼ିର ସ୍ଥିତି ଭଲନାହଁ । ସେହିଭଳି ଗୁଣପୁର ବିଧାନସଭା କ୍ଷେତ୍ରର ପାଚଂଟି ବ୍ଲକ ଓ ଦୁଇଟି ଏନଏନସି ମଧ୍ୟରୁ ଗୁଣପୁର ବ୍ଲକ ଓ ଏନ୍ଏସି, ଗୁଡ଼ାରି ବ୍ଲକ ଓ ଏନ୍ଏସି ଏବଂ ରାମନାଗୁଡ଼ା ବ୍ଲକରେ ଦଳର ସ୍ଥିତି ଭଲ ନାହିଁ । ପହ୍ମପୁର ଓ ଚନ୍ଦ୍ରପୁର ବ୍ଲକରେ ଦଳର ସ୍ଥିତି ଅପେକ୍ଷାକୃତ ଭଲ । ଏବେଠାରୁ ଯଦି ଜିଲ୍ଲାରେ ସାଙ୍ଗଠନିକ ବ୍ୟବସ୍ଥାକୁ ସଜଡ଼ା ନଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ରାୟଗଡ଼ା ଜିଲ୍ଳାର ତିନୋଟି ଯାକ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀମାନେ ପରାସ୍ତ ହେବାର ଆଶଙ୍କା ଅଧିକ ।

Share :