ନନ୍ଦିତା ଦାସ ପାଇବେ ଆପ୍ସା ପୁରସ୍କାର

ନନ୍ଦିତା ଦାସ ପାଇବେ ଆପ୍ସା ପୁରସ୍କାର

Share :

ଚିତ୍ରାଭିନେତ୍ରୀ ତଥା ଚିତ୍ର ନିର୍ମାତା ନନ୍ଦିତା ଦାସ ଦ୍ୱାଦଶ ଏସିଆ ପ୍ରଶାନ୍ତ ମହାସାଗରୀୟ ଚଳଚ୍ଚିତ୍ର ପୁରସ୍କାର ବା ଆପ୍ସା ଉତ୍ସବରେ ସମ୍ମାନଜନକ ଏଫଆଇଏପିଏଫ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏଫଆଇଏପିଏଫ ହେଉଛି ପ୍ୟାରିସ ସ୍ଥିତ ଇଣ୍ଟର୍ନେସନାଲ ଫେଡେରେସନ ଅଫ୍ ଫିଲ୍ମ ପ୍ରଡ୍ୟୁସର୍ସ ଆସୋସିଏସନ । ଏହି ସଂସ୍ଥା ହିଁ ବିଶ୍ୱବ୍ୟାପୀ ଚଳଚ୍ଚିତ୍ର ଉତ୍ସବ ଆୟୋଜନକୁ ଅନୁମତି ଓ ସ୍ୱୀକୃତି ପ୍ରଦାନ କରିଥାଏ । ନଭେମ୍ବର ୨୯ ତାରିଖରେ ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପ୍ୟାସିଫିକ୍ ସ୍କ୍ରିନ ଆୱାର୍ଡ଼ସ ଉତ୍ସବରେ ନନ୍ଦିତା ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବେ । ବିଖ୍ୟାତ ଚିତ୍ରକର ଯତିନ ଦାସଙ୍କ ଝିଅ ନନ୍ଦିତା ଦାସ ଅନେକ ବଳିଷ୍ଠ କାହାଣୀ ଭିତ୍ତିକ କଳାତ୍ମକ ଚିତ୍ରରେ ଅଭିନୟ କରି ଖ୍ୟାତି ଓ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ତାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମଗୁଡ଼ିକ ମଧ୍ୟରେ ‘ଫାୟାର’, ‘ଆର୍ଥ’, ‘ବିଟୁଇନ୍ ଦ ଲାଇନ୍’ ଆଦି ଅନ୍ୟତମ । ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ହେଉଛି ‘ଫିରକ୍’ । ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଦ୍ୱିତୀୟ ଫିଲ୍ମ ହେଉଛି ‘ମଣ୍ଟୋ । ଏଥିରେ ଅଭିନୟ କରିଥିବା ନବାଜୁଦ୍ଦିନ ସିଦ୍ଦିକ ମଧ୍ୟ ବ୍ରିସବେନରେ ଆପ୍ସା ପୁରସ୍କାର ଗ୍ରହଣ କରିବେ । ଏଫଆଇଏପିଏଫ ବା ଫିଆଫ ପୁରସ୍କାର ଘୋଷଣା କରି ଏହାର ସଭାପତି ଲୁଇ ଆଲବର୍ଟୋ ସ୍କାଲେଲ୍ଲା କହିଛନ୍ତି ଯେ ନନ୍ଦିତା ଦାସ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଫିଲ୍ମ ଅଭିନୟ ଓ ଚିତ୍ର ନିର୍ମାଣ କ୍ଷେତ୍ରରେ ଅନେକ ଅବଦାନ ଦେଇଛନ୍ତି । ତାଙ୍କର ଅଭିନୟ ଓ ନିର୍ଦ୍ଦେଶନା ଅନ୍ତର୍ଜାତୀୟ ସ୍ୱୀକୃତି ଲାଭ କରିଛି । ତାଙ୍କ ଫିଲ୍ମର କାହାଣୀ ସାଧାରଣ ବିତର୍କ କ୍ଷେତ୍ରରେ ତାଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତାର ପରିଚୟ ଦିଏ ।

Share :