ନେତା ମାଲେମାଲ, ଜନତା କାଙ୍ଗାଲ

ନେତା ମାଲେମାଲ, ଜନତା କାଙ୍ଗାଲ

Share :

ସମଗ୍ର ଭାରତ ବର୍ଷରେ ବଲାଙ୍ଗୀର ଏକ ପଛୁଆ ଓ ଅନଗ୍ରସର ଜିଲ୍ଲା ଭାବେ ପରିଚିତ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଜିଲ୍ଲାର ବିକାଶ ଆଶନୁରୂପକ ହୋଇପାରିନାହିଁ । ପିଲା ବିକ୍ରିଠାରୁ ଆରମ୍ଭ କରି ଅନାହାର ମୃତ୍ୟୁକୁ ନେଇ ଜିଲ୍ଲା ଚର୍ଚ୍ଚାରେ ରହିଛି । ଜିଲ୍ଲାରେ କାମ ମିଳୁ ନଥିବାରୁ ଅନେକ ଲୋକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇ ନିର୍ଯ୍ୟାନତାର ଶିକାର ହେଉଛନ୍ତି । ଏହି ଜିଲ୍ଲାରୁ ବିଭିନ୍ନ ସମୟରେ ନିର୍ବାଚିତ ହେଉଥିବା ନେତାମାନେ ରାଜ୍ୟସ୍ତରରେ ବେଶ୍ ପ୍ରଭାବ ସୃଷ୍ଟି କରିଛନ୍ତି । ସମସ୍ତ ରାଜନୈତିକ ଦଳର ନେତାମାନେ ବିକାଶ ରାଜନୀତି କରୁଛୁ ବୋଲି କହିଥାନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଜିଲ୍ଲାର ବିକାଶ ହୋଇ ପାରିନାହିଁ । ବରଂ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ନେତାମାନଙ୍କର ବହୁ ମାତ୍ରାରେ ବିକାଶ ହୋଇଛି । ଅନଙ୍ଗ ଉଦୟ ସିଂହଦେଓ: ୧୯୭୦ ଦଶକରେ ରାଜନୀତିରେ ପ୍ରବେଶ କରିଥିବା ଅନଙ୍ଗ ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ହେବ ବଲାଙ୍ଗିର ରାଜନୀତିରେ ସକ୍ରିୟ ରହି ଆସିଛନ୍ତି । କ୍ରମାଗତ ଭାବେ ବଲାଙ୍ଗୀର ସଦର ଆସନରୁ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଅନେକ ଥର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ୨୦୧୪ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ପରିସ୍ଥିତି ଯୋଗୁଁ ୨୦୧୪ ନିର୍ବାଚନରେ ତାଙ୍କୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ପଡ଼ିଥିଲା ଏବଂ ସେହିି ନିର୍ବାଚନରେ ସେ ପରାଜିତ ହୋଇଥିଲେ । ୨୦୦୪ ମସିହାରେ ଶ୍ରୀ ସିଂହଦେଓ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସମ୍ପତ୍ତିର ମୋଟ ମୂଲ୍ୟ ଥିଲା ମୋଟ ୧ କୋଟି ୩୨ ଲକ୍ଷ ଟଙ୍କା । ଅସ୍ଥାବର ସମ୍ପତ୍ତି ୬୪ ଲକ୍ଷ ୬୧ ହଜାର ଟଙ୍କାର ଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୬୮ ଲକ୍ଷ ୨୭ ହଜାର ଟଙ୍କା ଥିଲା ଓ ୧ ଲକ୍ଷ ଟଙ୍କା ଋଣ ନେଇଥିବା ଦର୍ଶାଯାଇଥିଲା । ୨୦୦୯ ମସିହାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩ କୋଟି ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ସେଥିରେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୮ ହଜାର ଟଙ୍କା ଥିଲା । ୨୫ ଲକ୍ଷ ଟଙ୍କା ଋଣ ଆଣିଥିବା ବେଳେ ତାଙ୍କ ନାମରେ ଗୋଟାଏ ମାମଲା ଥିବା ଦର୍ଶାଯାଇଥିଲା । ସେହିପରି ୨୦୧୪ ରାଜ୍ୟସଭା ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩ କୋଟିରୁ ୧୧ କୋଟି ୫୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଏଥିରେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୯୧ ଲକ୍ଷ ଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ୬୬ ଲକ୍ଷ ଥିଲା । ୧ କୋଟି ୫୫ ଲକ୍ଷ ଟଙ୍କାର ଋଣ ଥିଲା । ନରସିଂହ ମିଶ୍ର: ବଲାଙ୍ଗୀର ରାଜନୀତିରେ ଏକ ପ୍ରମୁଖ କ୍ଷମତା କେନ୍ଦ୍ର ହେଉଛନ୍ତି ନରସିଂହ ମିଶ୍ର । ସେ ୧୯୯୦ ମସିହାରୁ ରାଜନୀତିରେ ସକ୍ରିୟ ରହିଛନ୍ତି । ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଲୋଇସିଂହା ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ତକ୍ରାଳୀନ ବିଜୁ ପଟ୍ଟନାୟକ ସରକାରରେ ଆଇନ ମନ୍ତ୍ରୀ ହୋଇଥିଲେ । ପରବର୍ତ୍ତି ସମୟରେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଅଧ୍ୟକ୍ଷ ହୋଇଥିବା ବେଳେ ୨୦୦୪ ମସିହାରେ ବିରୋଧୀ ଦଳ ଉପନେତା ହୋଇଥିଲେ । ୨୦୧୪ ମସିହାରେ ବଲାଙ୍ଗିର ସଦର ଆସନରୁ ଅନଙ୍ଗ ଉଦୟ ସିଂହଦେଓଙ୍କୁ ପରାସ୍ତ କରି ସେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ଶ୍ରୀ ମିଶ୍ର କଂଗ୍ରେସ ଦଳ ଟିକେଟରେ ସାଂସଦ ନିର୍ବାଚନ ଲଢିଥିଲେ । ସେ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସର୍ବମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୯୧ ଲକ୍ଷ ୫୫ ହଜାର ୨୨୪ ଟଙ୍କା । ସେଥିରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୦ ଲକ୍ଷ ୫୦ ହାଜର ଟଙ୍କା ଥିବା ବେଳେ ସ୍ଥାପର ସମ୍ପତ୍ତିର ମୂଲ୍ୟ ଥିଲା ୩୧ ଲକ୍ଷ ୫ ହଜାର ୨୨୪ ଟଙ୍କା । ତେବେ ୨୦୧୪ ନିର୍ବାଚନରେ ନରସିଂହଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ଘଟିଥିଲା । ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସର୍ବମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୩ କୋଟି ୨୧ ଲକ୍ଷ ୪୩ ହଜାର ଟଙ୍କା । ହାଜି ମହମ୍ମଦ ଆୟୁବ ଖାନ: ବଲାଙ୍ଗୀର ଜିଲ୍ଲାର ଆଉ ଜଣେ ପ୍ରଭାବଶାଳୀ ନେତା ହେଉଛନ୍ତି କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାନ । ୨୦୦୪ ମସିହାରେ ଆୟୁବ ଖାନଙ୍କ ସର୍ବମୋଟ ସମ୍ପତ୍ତିର ମୂଲ୍ୟ ୮୪ ଲକ୍ଷ ୯୭ ହଜାର ଟଙ୍କା ଥିଲା । ସେଥିରୁ ୧୯ ଲକ୍ଷ ୬୬ ହଜାର ଟଙ୍କା ସ୍ଥାବର ସମ୍ପତ୍ତି ଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଥିଲା ୬୫ ଲକ୍ଷ ୩୧ ହଜାର । ୫୦ ହଜାର ଟଙ୍କା ସେ ଋଣ ଆଣିଥିବା ଦର୍ଶାଇଥିଲେ । ୨୦୦୯ ନିର୍ବାଚନ ସମୟରେ ତାଙ୍କର ସମ୍ପତ୍ତି ମୂଲ୍ୟ କମି ଯାଇଥିଲା । ୮୪ ଲକ୍ଷ ଟଙ୍କାରୁ କମି ୬୧ ଲକ୍ଷ ୬୭ ହଜାର ହୋଇଥିଲା । ତେବେ ୨୦୧୪ ନିର୍ବାଚନ ବେଳକୁ ତାଙ୍କ ସମ୍ପତ୍ତିର ପରିଣାମ ବଢ଼ି ୨ କୋଟି ୩୦ ଲକ୍ଷ ଟଙ୍କା ହୋଇଥିଲା । ସେଥିରେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫୧ ଲକ୍ଷ ୩୯ ହଜାର ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୭୯ ଲକ୍ଷ ଟଙ୍କା ହୋଇଥିଲା । ୭ ଲକ୍ଷ ୮୯ ହଜାର ଟଙ୍କାର ଋଣ ରହିଛି । ଯୋଗେନ୍ଦ୍ର ବେହେରା: ବଲାଙ୍ଗୀର ଜିଲ୍ଲାର ଆଉ ଜଣେ ପ୍ରଭାବଶାଳୀ ନେତା ହେଉଛନ୍ତି ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା । ଶ୍ରୀ ବେହେରା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ଲୋଇସିଂହାରୁ ନିର୍ବାଚିତ ହୋଇଛନ୍ତି । ୨୦୦୪ ନିର୍ବାଚନରେ ଶ୍ରୀ ବେହେରାଙ୍କ ସର୍ବମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୨୪ ଲକ୍ଷ ୭୯ ହଜାର । ସେଥିରୁ ୧୯ ଲକ୍ଷ ୬୬ ହଜାର ଟଙ୍କା ସ୍ଥାବର ସମ୍ପତ୍ତି ହୋଇଥିବା ବେଳେ ୧୯ ଲକ୍ଷ ୧୦ ହଜାର ଟଙ୍କାର ଥିଲା ସ୍ଥାବର ସମ୍ପତ୍ତି । ତାଙ୍କ ନାଁରେ ୯ ଲକ୍ଷ ୬୮ ହଜାର ଟଙ୍କା ଋଣ ରହିଥିଲା । ୨୦୦୯ରେ ସର୍ବମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୪୫ ଲକ୍ଷ ଟଙ୍କା । ସେଥିରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ ଲକ୍ଷ ୪୫ ହଜାର ଟଙ୍କା ଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୩୯ ଲକ୍ଷ ଟଙ୍କା । ତେବେ ୨୦୧୪ ନିର୍ବାଚନରେ ତାଙ୍କ ସମ୍ପତ୍ତିର ମୂଲ୍ୟ ବଢ଼ି ୨ କୋଟି ୩୦ ଲକ୍ଷ ଟଙ୍କା ହୋଇଥିଲା । ସେଥିରେ ଅସ୍ଥାବର ସମ୍ପତ୍ତି ୫୧ ଲକ୍ଷ ୩୯ ହଜାର ଟଙ୍କା ଥିବା ବେଳେ ସ୍ଥାବର ସମ୍ପତ୍ତି ଥିଲା ୧ କୋଟି ୭୯ ଲକ୍ଷ ଟଙ୍କା । ତାଙ୍କ ନାଁରେ ୭ ଲକ୍ଷ ୮୯ ହଜାର ଟଙ୍କାର ଋଣ ରହିଥିଲା । ଟୁକୁନି ସାହୁ: ପ୍ରଥମ ଥର ପାଇଁ ୨୦୧୪ ନିର୍ବାଚନରେ ଟୁକୁନି ସାହୁ ଟିଟିଲାଗଡ ନିର୍ବାଚନ ମଣ୍ଡଳିରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସର୍ବମୋଟ ସମ୍ପତ୍ତିର ମୂଲ୍ୟ ୨ କୋଟି ୬୬ ଲକ୍ଷ ଟଙ୍କା ରହିଛିି । ସେଥିରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୬ ଲକ୍ଷ ଟଙ୍କା ଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ଥିଲା ୨ କୋଟି ଟଙ୍କା । ତାଙ୍କ ନାଁରେ ୬୮ ହଜାର ଟଙ୍କାର ଋଣ ରହିଛି । କଳିକେଶ ନାରୟଣ ସିଂହଦେଓ: ୨୦୦୪ ନିର୍ବାଚନରେ କଳିକେଶ ପ୍ରଥମ ଥର ପାଇଁ ସଇଁନ୍ତଳା ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ତାଙ୍କ ସର୍ବମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୪୫ ଲକ୍ଷ ୭୦ ହଜାର ଟଙ୍କା । ସେ ସବୁ ଅସ୍ଥାବର ସମ୍ପତ୍ତି ହୋଇଥିବା ବେଳେ ତାଙ୍କ ନାଁରେ ସ୍ଥାବର ସମ୍ପତ୍ତି ନ ଥିଲା । ତେବେ ୬ ଲକ୍ଷ ୧୨ ହଜାର ଟଙ୍କା ଋଣ ରହିଥିଲା । ୨୦୦୯ରେ ସେ ବଲାଙ୍ଗିର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିଲା । ସର୍ବମୋଟ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ହୋଇ ୩ କୋଟି ୬୦ ଲକ୍ଷ ଟଙ୍କା ହୋଇଥିଲା । ସେଥିରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୩୫ ଲକ୍ଷ ଟଙ୍କା ହୋଇଥିବା ବେଳେ ୧ କୋଟି ୨୫ ଲକ୍ଷ ଟଙ୍କା ସ୍ଥାବର ସମ୍ପତ୍ତି ଥିଲା । ତାଙ୍କ ନାଁରେ ଋଣ ଥିଲା ୧୪ ଲକ୍ଷ ଟଙ୍କା । ୨୦୧୪ ରେ କଳିକେଶ ପୂନର୍ବାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୮ କୋଟି ୭୪ ଲକ୍ଷ ଟଙ୍କା ହୋଇଥିଲା । ୪ କୋଟି ୪୪ ଲକ୍ଷ ଅସ୍ଥାବର ସମ୍ପତ୍ତି ଥିବା ବେଳେ ୪ କୋଟି ୩୫ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ନାଁରେ ୨ କୋଟି ୪୪ ଲକ୍ଷ ଟଙ୍କାର ଋଣ ରହିଛି । କନକ ବର୍ଦ୍ଧନ ସିଂଦେଓ (ବିଧାୟକ) ବଲାଙ୍ଗିର ଜିଲ୍ଲାର ଆଉ ଜଣେ ହେବିୱେଟ ନେତା ହେଉଛନ୍ତି ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ । ରାଜ୍ୟ ରାଜନୀତିରେ ମଧ୍ୟ ତାଙ୍କର ବେଶ୍ ପତିଆରା ରହିଛି । ପୂର୍ବରୁ ସେ ରାଜ୍ୟ ବିଜେପିର ସଭାପତି ଥିବା ବେଳେ ବର୍ତ୍ତାମନ ବିଧାୟକ ଦଳ ନେତା ରହିଛନ୍ତି । ୧୯୯୫ ମସିହାରୁ ସେ କ୍ରମାଗତ ଭାବେ ପାଟଣାଗଡ ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଥିଲେ । ୨୦୦୯ ନିର୍ବାଚନ ସମୟରେ ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ସର୍ବମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୪ କୋଟି ୧୪ ଲକ୍ଷ ୭୨ ହଜାର ୬୨୫ ଟଙ୍କା । ସେଥିରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୨୬ ଲକ୍ଷ ୭୧ ହଜାର ୪୨୫ ଟଙ୍କା ଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟଥିଲା ୮୮ ଲକ୍ଷ ୧ ହଜାର ୨୦୦ ଟଙ୍କା ତେବେ ୨୦୧୪ ନିର୍ବାଚନରେ ତାଙ୍କ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିଥିଲା । ୨୦୦୯ ନିର୍ବାଚନରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪ କୋଟିରୁ ଉର୍ଦ୍ଧ ଥିବା ବେଳେ ୨୦୧୪ ନିର୍ବାଚନରେ ତାହା ବୃଦ୍ଧି ପାଇ ୬ କୋଟି ୨୩ ଲକ୍ଷ ୫୭ ହଜାର ହୋଇଥିଲା । ତାଙ୍କ ନାରେ ୩୮ ଲକ୍ଷ ୧୭ ହଜାର ୩୪୦ ଟଙ୍କା ଋଣ ରହିଥିବା ବେଳେ ୩ ଟି ମାମଲା ରହିଥିଲା ।

Share :