ବିଶ୍ୱ ପାଇଁ ପାକିସ୍ତାନ ବଡ଼ ବିପଦ

ବିଶ୍ୱ ପାଇଁ ପାକିସ୍ତାନ ବଡ଼ ବିପଦ

Share :

ବିଶ୍ୱ ଶାନ୍ତି ଓ ମାନବ ଜାତି ପାଇଁ ଯୁଦ୍ଧ ବିଧ୍ୱସ୍ତ ସିରିଆଠାରୁ ପାକିସ୍ତାନ ତିନି ଗୁଣ ଅଧିକ ବିପଜ୍ଜନକ ବୋଲି ଏକ ରିପୋର୍ଟରେ ମତ ଦେଇଛନ୍ତି ଇଂଲଣ୍ଡର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ଷ୍ଟ୍ରାଟେଜିକ୍ ଫୋରସାଇଟ୍ ଗ୍ରୁପ ବା ଏସଏଫଜି । ଏହି ରିପୋର୍ଟ ଅନୁସାରେ ପାକିସ୍ତାନରେ ବିଶ୍ୱର ସର୍ବାଧିକ ଆତଙ୍କବାଦୀ ତାଲିମ କେନ୍ଦ୍ର ରହିଛି । ପାକ୍ ସରକାରଙ୍କ ସହାୟତ ପାଇ ଏସବୁ କେନ୍ଦ୍ର ନିରାପଦରେ ଚାଲିଛି । ହ୍ୟୁମାନିଟି ଆଟ୍ ରିସ୍କ-ଗ୍ଲୋବାଲ୍ ଟେରର ଥ୍ରେଟ୍ ଇଣ୍ଡିକାଣ୍ଟ ଶୀର୍ଷକ ଏହି ରିପୋର୍ଟ ଅନୁସାରେ ପାକିସ୍ତାନର ଲସ୍କାର-ଇ-ତଇବା ଆତଙ୍କବାଦୀ ସଂଗଠନ ବିଶ୍ୱ ଶାନ୍ତି ପାଇଁ ସବୁଠୁଁ ଅଧିକ ବିପଦ । ଆଫଗାନିସ୍ତାନର ତାଲିବାନ ମଧ୍ୟ ମଣିଷ ଜାତି ପାଇଁ ଅନ୍ୟ ଏକ ବଡ଼ ଧରଣର ବିପଦ । ତେବେ ଏହି ସଂଗଠନକୁ ପାକିସ୍ତାନରୁ ଲୁଚାଚୋରାରେ ସହାୟତା ଯୋଗାଇ ଦିଆଯାଉଛି । ଆଫଗାନିସ୍ତାନରେ ଥିବା ଅନ୍ୟ ବହୁ ଆତଙ୍କବାଦୀ ସଂଗଠନ ମଧ୍ୟ ପାକିସ୍ତାନ ସହାୟତାରେ ଚାଲିଛି । ପାକିସ୍ତାନରେ ବିଶ୍ୱର ସର୍ବାଧିକ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀ ତାଲିକ କେନ୍ଦ୍ର ରହିଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ପ୍ରକାର ଉଗ୍ରବାଦ, ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ରର ଅପବ୍ୟବହାର ଏବଂ ଆର୍ଥନୀତିକ ଦୁଃସ୍ଥିତି ହିଁ ଆତଙ୍କବାଦ ପ୍ରସାରଣ ପାଇଁ ସହାୟକ ପରିବେଶ ସୃଷ୍ଟି କରୁଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଭଳି ସ୍ଥିତିରେ ବୃଦ୍ଧି ପାଉଥିବା ଆତଙ୍କବାଦ ମାନବ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଛି । ଏପରିକି ମଣିଷ ସଭ୍ୟତାର ସ୍ଥିତି ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରୁଛି । ପାକିସ୍ତାନର ସାଂପ୍ରତିକ ଆର୍ଥିକ ସଂକଟ ଯୋଗୁଁ ଆତଙ୍କବାଦର ଦ୍ରୁତ ପ୍ରସାରଣ ଘଟିବାର ଆଶଙ୍କା ରହିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଚାଲିଥିବା ପାକିସ୍ତାନ ବାରମ୍ବାର ବିଶ୍ୱ ସମୁଦାୟରେ ସମାଲୋଚିତ ଓ ନିନ୍ଦିତ ହୋଇଥିଲେ ବି ଏହା ନିଜକୁ ଆତଙ୍କବାଦର ଶିକାର ବୋଲି ଦର୍ଶାଇ କେତେକ ଦେଶର ଅନୁକମ୍ପା ହାସଲ କରୁଛି । ଆତଙ୍କବାଦର ମୁକାବିଲା ପାଇଁ ପାକିସ୍ତାନ ବିଦେଶରୁ ଆଣୁଥିବା ସହାୟତା ମଧ୍ୟ ଆତଙ୍କବାଦୀଙ୍କ ସହାୟତାରେ ବିନିଯୋଗ ହେଉଛି । ଏହା ଜଣାପଡ଼ିବା ପରେ ଆମେରିକା ପରି ଦେଶ ପାକିସ୍ତାନକୁ ଆଉ ଆତଙ୍କବାଦର ମୁକାବିଲା ପାଇଁ ଆର୍ଥିକ ସହାୟତା ନଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଆତଙ୍କବାଦ ବିରୋଧରେ ଇସଲାମାବାଦ ଅଭିଯାନ ଚଳେଇଛି ବୋଲି ଯେଉଁ ଦାବି କରୁଛି ତାହାକୁ ବିଶ୍ୱ ସମୁଦାୟ ମିଛ ବୋଲି ବୁଝିସାରିଲେଣି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।

Share :