ପୁରୀରେ ସଙ୍ଗଠିତ ହେବାକୁ ପ୍ରୟାସ କରୁଛି କଂଗ୍ରେସ

ପୁରୀରେ ସଙ୍ଗଠିତ ହେବାକୁ ପ୍ରୟାସ କରୁଛି କଂଗ୍ରେସ

Share :

୨୦୧୯ ନିର୍ବାଚନ ପାଇଁ ବିଗୁଲ ବାଜି ନଥିଲେ ମଧ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରକାଶ ପାଇଛି ନିର୍ବାଚନୀ ତତ୍ପରତା । କ୍ଷମତାସୀନ ବିଜେଡି, ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଭୋଟ୍ ଲଢ଼େଇ ପାଇଁ ଆରମ୍ଭ ହୋଇଗଲାଣି ସମରସଜ୍ଜା । ବିଜେଡି ନିଜର ସ୍ଥିତି ବଜାୟ ରଖିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଚାଲିଛି ଘର ସଜଡ଼ା ଓ ପାଗଭିଡ଼ା ପର୍ବ । ପୁରୀ ଲୋକସଭା ଆସନ ଓ ଜିଲ୍ଲାର ୬ଟି ବିଧାନସଭା ଆସନ ଏବେ ବିଜେଡି ଦଖଲରେ ରହିଛି । ଆଗାମୀ ନିର୍ବାଚନରେ ପାଲି ଓଲଟାଇବା ପାଇଁ ବିଜେପି ପକ୍ଷରୁ ଆପ୍ରାଣ ଉଦ୍ୟମ ଚାଲିଥିବା ବେଳେ କଂଗ୍ରେସ ସ୍ଥିତି ସୁଧାରିବା ପାଇଁ ପ୍ରୟାସ ଚଳାଇଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସଭାସମିତି ଓ ଜନସମ୍ପର୍କ ଅଭିଯାନ କରାଯାଇଥିବା ବେଳେ ଦଳର ପ୍ରଭାବ ବିସ୍ତାର ପାଇଁ ବିଜେପି ମହିଳା ମୋର୍ଚ୍ଚାର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା, ମହିଳା ମୋର୍ଚ୍ଚାର ଅଧ୍ୟକ୍ଷାଙ୍କ ସମେତ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଓ ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜନ ସମସ୍ୟାକୁ ଇସ୍ୟୁ କରି ଜନତାଙ୍କ ନିକଟତର ହେବା ପାଇଁ ନିକଟରେ କଂଗ୍ରେସ ପକ୍ଷରୁ ପାଳନ କରାଯାଇଥିଲା ଭାରତ ବନ୍ଦ । ପୁରୀରେ ଭାରତ ବନ୍ଦର ସଫଳତା କଂଗ୍ରେସକୁ ଉତ୍ସାହିତ କରିଛି । ଗୋଷ୍ଠୀକନ୍ଦଳ ଓ ନେତାମାନଙ୍କ ମଧ୍ୟରେ ଅହଂ ଯୁଦ୍ଧ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦଳୀୟ ସଙ୍ଗଠନକୁ ସକ୍ରିୟ ଓ ଶକ୍ତିଶାଳୀ କରିବା ପାଇଁ ବିଳମ୍ବରେ ହେଲେ ମଧ୍ୟ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ୧୦ବର୍ଷ ଧରି ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରାୟ ୧୨ ବର୍ଷ ଧରି ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ କାର୍ଯ୍ୟ ତୁଲାଇଥିବା ଦଳର ପୁରୁଖା ଗାନ୍ଧିବାଦୀ ନେତା ସ୍ୱର୍ଗର୍ତ ବୃନ୍ଦାବନ ପାତ୍ରଙ୍କ ପୁତ୍ର ସତ୍ୟବ୍ରତ ପାତ୍ରଙ୍କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି କରାଯିବା ପରେ ଦଳରେ ସକ୍ରିୟତା ପ୍ରକାଶ ପାଇଛି । ଗୋଷ୍ଠୀକନ୍ଦଳର ଅବସାନ ଘଟାଇ ସମସ୍ତଙ୍କୁ ଏକାଠି କରିବା ପାଇଁ ଶ୍ରୀ ପାତ୍ର ଯୋଜନାବଦ୍ଧ ଉଦ୍ୟମ ଚଳାଇଥିବା ପ୍ରତୀତ ହେଉଛି । ବାରମ୍ବାର ପରାଜୟ ଯୋଗୁଁ ନୈରାଶ୍ୟ ଜର୍ଜ୍ଜରିତ ଓ ହତୋତ୍ସାହିତ ଦଳୀୟ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ସମସ୍ତ ବିବାଦ ଓ ମତଭେଦ ଭୁଲି ଐକ୍ୟବଦ୍ଧ ହେଲେ ହିଁ କଂଗ୍ରେସ ନିର୍ବାଚନ ଯୁଦ୍ଧରେ ବିଜୟୀ ହୋଇପାରିବ ବୋଲି କର୍ମୀ ଓ ନେତାମାନେ ହୃଦୟଙ୍ଗମ କରିବା ଆରମ୍ଭ କଲେଣି । ଏହି ପ୍ରକ୍ରିୟା ଓ ସ୍ଥିତି ଅବ୍ୟାହତ ରହିଲେ କଂଗ୍ରେସ ଦଳ ବିଜେଡିକୁ ଟକ୍କର ଦେଇପାରିବ ବୋଲି ବିଚାର କରାଯାଉଛି । ୧୯୯୫ ମସିହା ପରଠାରୁ ଲଗାତାର ବିଧାୟକ ରୂପେ ନିର୍ବାଚିତ ହୋଇ ଆସୁଥିବା ବର୍ତ୍ତମାନର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଶକ୍ତିଶାଳୀ ବିକଳ୍ପ ହେଲାଭଳି ପ୍ରାର୍ଥୀ ଦିଆଗଲେ କଂଗ୍ରେସ ଦଳ ବିଜୟର ସ୍ୱାଦ ଚାଖିପାରେ ବୋଲି କର୍ମୀମାନେ ଆଶା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ କଂଗ୍ରେସରୁ ଅହଂ ଯୁଦ୍ଧ ଓ ଗୋଷ୍ଠୀ ବିବାଦର ସମ୍ପୂର୍ଣ୍ଣ ଅବସାନ ଘଟିନାହିଁ । ନୂତନ ଡିସିସି ସଭାପତି ଶ୍ରୀ ପାତ୍ର ଦଳଭିତରେ ସଂହତି, ସମନ୍ୱୟ ଓ ପାରସ୍ପରିକ ସଦ୍ଭାବ ପ୍ରତିଷ୍ଠା ପ୍ରତି ପ୍ରାଥମିକତା ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଉଛି । ସ୍ୱାଧୀନତା ପରେ ଅନୁଷ୍ଠିତ ନିର୍ବାଚନ ଫଳାଫଳର ବିଶ୍ଳେଷଣରୁ ଜଣାଯାଏ ଯେ ଏପର୍ଯ୍ୟନ୍ତ ଅନୁଷ୍ଠିତ ୧୬ଟି ନିର୍ବାଚନ ମଧ୍ୟରୁ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାତ୍ର ୪ ଥର କଂଗ୍ରେସ ବିଜୟୀ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ହେଲା ଏହି ଆସନ କଂଗ୍ରେସର ହାତଛଡ଼ା ହୋଇଯାଇଛି । ୧୯୭୭ ପରଠାରୁ କଂଗ୍ରେସ ଆଉ ଉଧେଇ ପାରୁନାହିଁ । ୧୯୫୨ ମସିହାରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ବିଜୟ ହାସଲ କରିପାରି ନଥିଲା । ସୋସିଆଲିଷ୍ଟ ପାର୍ଟିର ଫକୀର ଚରଣ ଦାସ ପ୍ରଥମ ନିର୍ବାଚନରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୭ ନିର୍ବାଚନରେ ମଧ୍ୟ ପ୍ରଜା ସୋସିଆଲିଷ୍ଟ ପାର୍ଟିର ହରିହର ବାହିନୀପତି ବିଜୟ ଲାଭ କରିଥିଲେ । ୧୯୬୧ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ଭଗବାନ ପ୍ରତିହାରୀ ନିର୍ବାଚିତ ହୋଇଥିବା ବେଳେ ୧୯୬୭ ମସିହାରେ ପୁନର୍ବାର ପୁରୀ ଆସନ ପ୍ରଜା ସୋସିଆଲିଷ୍ଟ ଦଖଲକୁ ଯାଇଥିଲା । ନିର୍ବାଚିତ ହୋଇଥିଲେ ହରିହର ବାହିନୀପତି । ତେବେ ୧୯୭୧ ଓ ୧୯୭୪ ନିର୍ବାଚନରେ କଂଗ୍ରେସର ବ୍ରଜମୋହନ ମହାନ୍ତି ପୁରୀ ଆସନ ଦଖଲ କରିଥିଲେ । ୧୯୭୭ରେ ସାରାଦେଶରେ କଂଗ୍ରେସର ଘୋର ବିପର୍ଯ୍ୟୟ ଘଟିଥିଲା । ଜନତା ଦଳର ବ୍ରଜ କିଶୋର ତ୍ରିପାଠୀ ପୁରୀ ଆସନରୁ ବିଜୟୀ ହୋଇଥିଲେ । ୧୯୮୦ ମସିହାରେ କଂଗ୍ରେସର ଗଦାଧର ମିଶ୍ର ଏହି ଆସନ ପୁନଃ ଦଖଲ କରିଥିବା ବେଳେ ୧୯୯୦ ନିର୍ବାଚନରେ ଜନତା ଦଳର ବ୍ରଜ କିଶୋର ତ୍ରିପାଠୀ ପୁନଃ ନିର୍ବାଚିତ ହୋଇଥିଲେ । ୧୯୯୧ରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟ ହାସଲ କରିଥିଲେ ଜନତା ଦଳର ପ୍ରାର୍ଥୀ ଉମାବଲ୍ଲଭ ରଥ । ୧୯୯୫ ମସିହା ନିର୍ବାଚନ ଠାରୁ ଅଦ୍ୟାବଧି ମହେଶ୍ୱର ମହାନ୍ତି ଲଗାତାର୍ ଭାବେ ପୁରୀ ବିଧାନସଭା ଆସନର ପ୍ରତିନିଧିତ୍ୱ କରିଆସୁଛନ୍ତି । ଅନୁରୂପ ଭାବେ ଲୋକସଭା ନିର୍ବାଚନରେ ଅଣକଂଗ୍ରେସ ପ୍ରାର୍ଥୀ ୧୦ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୬ ଥର ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛି । ତେବେ ୧୯୫୧ ପ୍ରଥମ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମିଶ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ । ୧୯୫୭ ଲୋକସଭା ନିର୍ବାଚନରେ ମଧ୍ୟ ଶ୍ରୀ ମିଶ୍ର ନିର୍ବାଚିତ ହୋଇଥିବା ବେଳେ ୧୯୬୨ର କଂଗ୍ରେସର ବିଭୁଧେନ୍ଦ୍ର ମିଶ୍ର ଏହି ଆସନରୁ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ତେବେ ୧୯୬୭ ନିର୍ବାଚନରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ରବି ରାୟ ବିଭୁଧେନ୍ଦ୍ର ମିଶ୍ରଙ୍କୁ ପରାଜିତ କରି ବିଜୟ ହାସଲ କରିଥିଲେ । ୧୯୭୧ ନିର୍ବାଚନରେ କଂଗ୍ରେସ ପୁଣି ଏହି ଆସନ ଦଖଲ କରିଥିଲା । ବନମାଳି ପଟ୍ଟନାୟକ ଏହି ଆସନରୁ ବିଜୟୀ ହୋଇଥିଲେ । ଏମରଜେନ୍ସି ପରେ ୧୯୭୭ ନିର୍ବାଚନରେ ସାରା ଭାରତରେ ପ୍ରବାହିତ ହୋଇଥିଲା କଂଗ୍ରେସ ବିରୋଧୀ ହାୱା । ବନମାଳୀ ପଟ୍ଟନାୟକଙ୍କୁ ପରାଜିତ କରି ଭାରତୀୟ ଲୋକ ଦଳର ପ୍ରାର୍ଥୀ ପଦ୍ମଚରଣ ସାମନ୍ତସିଂହାର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ପାଲି ଓଲଟିଲା । କଂଗ୍ରେସର ବ୍ରଜମୋହନ ମହାନ୍ତି ପୁରୀ ଲୋକସଭା ଆସନକୁ ପୁନଃ ଦଖଲ କଲେ । ୧୯୮୪ ନିର୍ବାଚନରେ ମଧ୍ୟ ଶ୍ରୀ ମହାନ୍ତି ଜନତା ଦଳର ଟାଣୁଆ ପ୍ରାର୍ଥୀ ବାରିଷ୍ଟର ରଣଜିତ ମହାନ୍ତିଙ୍କୁ ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୮ ନିର୍ବାଚନରେ ଭାରତୀୟ ଲୋକ ଦଳର ନୀଳମଣି ରାଉତରାୟ ଓ ୧୯୯୯ରେ ଜନତା ଦଳ ପ୍ରାର୍ଥୀ ବ୍ରଜକିଶୋର ତ୍ରିପାଠୀ ପୁରୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୧୯୯୬ରେ କଂଗ୍ରେସ ପ୍ରାର୍ଥୀ ପିନାକୀ ମିଶ୍ର ଏହି ଆସନକୁ ଦଖଲ କରିଥିଲେ । ୧୯୯୮ ଓ ୧୯୯୯ ନିର୍ବାଚନରେ ବ୍ରଜକିଶୋର ତ୍ରିପାଠୀ ପୁନଃ ନିର୍ବାଚିତ ହୋଇଥିଲେ । ୨୦୦୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୂପେ ନିର୍ବାଚିତ ହେଲେ ବ୍ରଜକିଶୋର ତ୍ରିପାଠୀ । ୨୦୦୯ରେ ବଦଳିଗଲା ରାଜନୈତିକ ଚିତ୍ର । ପିନାକୀ ମିଶ୍ର ବିଜେଡି ପ୍ରାର୍ଥୀ ରୂପେ ଲଢ଼ି ବିଜୟୀ ହୋଇଥିଲେ । ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ ରୂପେ ପିନାକୀ ମିଶ୍ର ବିଜୟ ହାସଲ କରିଥିଲେ । ଏକଦା ବ୍ରଜମୋହନ ମହାନ୍ତି ଥିଲେ ପୁରୀ ଜିଲ୍ଲା କଂଗ୍ରେସର ଅପ୍ରତିଦ୍ୱନ୍ଦୀ ନେତା । ପିସିସି ସଭାପତି ଓ ରାଜସ୍ୱ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇବା ସହ କେନ୍ଦ୍ରରେ ଉପମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ କେନ୍ଦ୍ରକୁ ଯିବା ପରେ ତାଙ୍କ ଆଶୀର୍ବାଦରେ ଗଦାଧର ମିଶ୍ର ପୁରୀରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ ୧୯୮୦ ନିର୍ବାଚନରେ । ପରବର୍ତ୍ତୀ ସମୟରେ ବ୍ରଜମୋହନ ମହାନ୍ତି ଓ ଗଦାଧର ମିଶ୍ରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗଦାଧର ମିଶ୍ର, ସତ୍ୟବାଦୀର ବିଧାୟକ ରବୀନ୍ଦ୍ରନାଥ ଦାସ ଓ କାକଟପୁର ବିଧାୟକ ବୈକୁଣ୍ଠନାଥ ସ୍ୱାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଘନିଷ୍ଠ ଅନୁଗତ ବନିଯାଇଥିଲେ । ପରବର୍ତ୍ତୀ ସମୟରେ ନିଜର କୁଟନୀତି ପ୍ରୟୋଗ କରି ବ୍ରଜମୋହନ ମହାନ୍ତି ଗଦାଧର ମିଶ୍ରଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ । ଦଳୀୟ ସଙ୍ଗଠନକୁ ବିଶ୍ୱାସକୁ ନନେଇ ନିଜସ୍ୱ ସଙ୍ଗଠନ ତିଆରି କରିବା ଗଦାଧରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ଦଳର ପୁରୁଖା ନେତା ଓ କର୍ମୀମାନେ ରହିଲେ ବ୍ରଜମୋହନ ମହାନ୍ତିଙ୍କ ଶିବିରରେ । ଫଳରେ ୧୯୮୫ ବିଧାନସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ନିଧନ ଯୋଗୁଁ ସାରାଦେଶରେ କଂଗ୍ରେସ ପ୍ରତି ଅନୁକମ୍ପା ହାୱା ପ୍ରଭାହିତ ହୋଇଥିଲେ ମଧ୍ୟ ଗଦାଧର ମିଶ୍ର ପରାଜିତ ହୋଇଥିଲେ । ଗଦାଧର ମିଶ୍ର ଓ ବ୍ରଜମୋହନ ମହାନ୍ତିଙ୍କ ମଧ୍ୟରେ ବିବାଦ ହେବା ପରଠାରୁ ପୁରୀରେ ଆରମ୍ଭ ହୋଇଥିଲା କଂଗ୍ରେସ ସଙ୍ଗଠନର ପତନ ପ୍ରକ୍ରିୟା । ସଙ୍ଗଠନରେ ଗୋଷ୍ଠୀବିବାଦ ବ୍ୟାପକ ଓ ତୀବ୍ରତର ହୋଇଥିଲା । ଏହାର ପ୍ରଭାବ ପଡ଼ିଥିଲା ୧୯୮୫ରେ ଅନୁଷ୍ଠିତ ପୁରୀ ପୌରସଂସ୍ଥା ନିର୍ବାଚନରେ । ଗଦାଧର ମିଶ୍ରଙ୍କ ଅନୁଗତମାନେ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କଲେ । ଜନତା ଦଳ ୧୨ଟି ୱାର୍ଡ଼ ଅକ୍ତିଆର କରି ଜଣେ ସ୍ୱାଧୀନ କାଉନସିଲରଙ୍କ ସମର୍ଥନରେ ପୌରପାଳିକା ଦଖଲ କଲା । ୬ ଜଣ ସ୍ୱାଧୀନ ଓ କଂଗ୍ରେସର ୫ ଜଣ କାଉନସିଲର ଗଦାଧର ମିଶ୍ରଙ୍କ ନେତୃତ୍ୱରେ ପରିଚାଳିତ ହେଲେ । ବ୍ରଜ ମହାନ୍ତିଙ୍କ ସମର୍ଥକ ହାରିଗଲେ । ମହେଶ୍ୱର ମହାନ୍ତି ହେଲେ ନଗରପାଳ । ୧୯୯୦ରେ ଜେ ବି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନଥିବାରୁ ଗଦାମିଶ୍ରଙ୍କୁ ଟିକେଟ୍ ମିଳିଲା ନାହିଁ । ତକ୍ରାଳୀନ ପିସିସି ସଭାପତି ନନ୍ଦିନୀ ଶତ୍ପଥୀ ଓ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ସଙ୍ଗଠନ ସହିତ ବିଶେଷ ଭାବେ ଜଡ଼ିତ ନଥିବା ଡା. ବେଲାରାଣୀ ଦତ୍ତଙ୍କୁ ଟିକେଟ୍ ଦେଲେ କିନ୍ତୁ ସେ ପରାଜିତ ହେଲେ । ସେହିଭଳି ପୁରୁଣା ସଙ୍ଗଠନ ସହିତ ନଥିବାରୁ ୧୯୯୨ ଉପନିର୍ବାଚନରେ ଗଦାଧର ମିଶ୍ରଙ୍କ ପରାଜୟ ଘଟିଲା । ୧୯୮୪ ନିର୍ବାଚନର ପୁନରାବୃତ୍ତି ଘଟିଲା । ୧୯୯୫ରେ କେନ୍ଦ୍ରମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଚାପରେ ସେତେବେଳେ ପିସିସି ସଭାପତି ଥିବା ଜେବି ପଟ୍ଟନାୟକ ସଙ୍ଗୀତଜ୍ଞ ପ୍ରଫୁଲ କରଙ୍କୁ ଟିକେଟ୍ ଦେଲେ କିନ୍ତୁ ବାହାରୁ ପ୍ରାର୍ଥୀ ଆଣି କର୍ମୀଙ୍କ ଉପରେ ଲଦି ଦିଆଯାଇଥିବାରୁ ଦଳୀୟ ସଙ୍ଗଠନ ତାଙ୍କ ସହିତ ରହିଲା ନାହିଁ । ଫଳରେ ରେକର୍ଡ଼ ସଂଖ୍ୟକ ଭୋଟ୍ ପାଇ ମଧ୍ୟ ଶ୍ରୀ କର ପରାସ୍ତ ହେଲେ । ସେତେବେଳକୁ ବ୍ରଜ ମହାନ୍ତି ତକ୍ରାଳୀନ ମନ୍ତ୍ରୀ ଗଙ୍ଗାଧର ମହାପାତ୍ର ଓ ଗଦାଧର ମିଶ୍ରଙ୍କ ଗୋଷ୍ଠୀ ଭାଗଭାଗ ହୋଇଯାଇଥିଲେ । ସେହିଦିନ ଠାରୁ କଂଗ୍ରେସ ନେତୃତ୍ୱବିହୀନ ହୋଇପଡ଼ିଲା । ୧୯୯୫ରେ ଉମାବଲ୍ଲଭ ରଥ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ । ଗଦାଧର ମିଶ୍ର ଦଳୀୟ ପ୍ରାର୍ଥୀଙ୍କୁ ଧୋକା ଦେଇ ଶ୍ରୀ ରଥଙ୍କୁ ସମର୍ଥନ କରିଥିଲେ । ଫଳରେ ଦଳୀୟ ପ୍ରାର୍ଥୀ ହାରିଲେ ଏବଂ ସଙ୍ଗଠନ ଭାଗଭାଗ ହୋଇଗଲା । ୨୦୦୦ ମସିହା ନିର୍ବାଚନରେ ବିପିନ ଦାସଙ୍କୁ ଆଣି କର୍ମୀମାନଙ୍କ ଉପରେ ପ୍ରାର୍ଥୀଭାବେ ଲଦି ଦିଆଗଲା । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଙ୍ଗଠନ ସହିତ ତାଙ୍କର କିଛି ସମ୍ପର୍କ ନଥିଲା । ତେଣୁ ସେ ଅମାନତ ହରାଇଲେ । ରାଜ୍ୟ ନେତୃତ୍ୱ ମଧ୍ୟ କିଛି ବୁଝିଲେ ନାହିଁ । ୨୦୦୪ରେ ପିସିସି ସଭାପତି ଜେବି ପଟ୍ଟନାୟକ ଜନତା ଦଳରୁ ଟିକେଟ୍ ଚୋରି ଅଭିଯୋଗରେ ତଡ଼ା ଖାଇଥିବା ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ପ୍ରାର୍ଥୀଭାବେ ଛିଡ଼ା କରାଇଥିଲେ । ପୂର୍ବରୁ ଯେହେତୁ ଉମା କଂଗ୍ରେସକୁ ବିରୋଧ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ତେଣୁ ପୁଣି କଂଗ୍ରେସକୁ ଫେରିଲା ପରେ ପୁରୁଖା କର୍ମୀ ତାଙ୍କୁ ଗ୍ରହଣ କଲେ ନାହିଁ । ସେ ନିଜସ୍ୱ ସଙ୍ଗଠନ ତିଆରି କଲେ । କିନ୍ତୁ ନିର୍ବାଚନରେ କୃତକାର୍ଯ୍ୟ ହୋଇପାରିଲେ ନାହିଁ । ୨୦୦୯ରେ ଉମା କଂଗ୍ରେସ ଛାଡ଼ି ବିଜେପିରୁ ପ୍ରତିଦ୍ୱନ୍ଦିତା କଲେ ତେଣୁ ନେତୃତ୍ୱରେ ପୁଣି ସଙ୍କଟ ଦେଖାଦେଲା । ଜିଲ୍ଲା ସଭାପତି ଉତ୍ତମ ଆଚାର୍ଯ୍ୟଙ୍କୁ ଟିକେଟ୍ ଦିଆଗଲା, ସେ ମଧ୍ୟ ଅମାନତ ହରାଇଲେ । ୨୦୧୪ରେ ସୁଚରିତା ମହାନ୍ତି ପୁରୀ ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହେଲେ ଏବଂ ଉମା ରଥ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଉଭୟ ପରାଜୟ ବରଣ କରିଥିଲେ । ସେବେଠାରୁ କଂଗ୍ରେସ ଅଣ୍ଟା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏବେ ଉମା ବଲ୍ଲଭ ରଥ ଆଗାମୀ ନିର୍ବାଚନରୁ ଆଠଗଡ଼ରୁ ଲଢ଼ିବେ ବୋଲି ରାଜନୈତିକ ମହଲ ସ୍ଥିର କରିଛି । ତେଣୁ ନୂତନ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର କର୍ମୀମାନଙ୍କ ଆସ୍ଥାଭାଜନ ହୋଇପାରିଲେ ଏବଂ ଦଳକୁ ସସଙ୍ଗଠିତ କରିପାରିଲେ ଦଳ ଆଗାମୀ ନିର୍ବାଚନ ସମୟରେ ସଫଳ ମୁକାବିଲା କରିପାରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଉଛନ୍ତି ।

Share :