ସାଗର ଶୋଷଣ କରୁଛି ଅଧିକ ଉତ୍ତାପ

ସାଗର ଶୋଷଣ କରୁଛି ଅଧିକ ଉତ୍ତାପ

Share :

ଗତ ଅଢ଼େଇ ଦଶନ୍ଧି ଭିତରେ ପ୍ରତ୍ୟେକ ବର୍ଷ ପୃଥିବୀର ମହାସାଗର ସବୁ ମଣିଷ ଉତ୍ପାଦନ କରୁଥିବା ବିଦ୍ୟୁତ ଶକ୍ତିର ୧୫୦ ଗୁଣ ଅଧିକ ତାପ ଶକ୍ତି ଶୋଷଣ କରୁଛି । ସାନ ଡିଏଗୋ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସ୍କ୍ରିପ୍ସ ଇନ୍ଷ୍ଟିଚ୍ୟୁନ ଅଫ୍ ଓସେନୋଗ୍ରାଫି ଏବଂ ପ୍ରିନ୍ସଟନ ଏନଭିରନମେଣ୍ଡାଲ ଇନ୍ଷ୍ଟିଚ୍ୟୁଟ୍ ତରଫରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି । ଏଥିରୁ ଜଣାପଡ଼ିଛି ଯେ ଆଗ ଆକଳନ ଅପେକ୍ଷା ମହାସାଗର ସବୁ ଅଧିକ ବେଗରେ ଉତ୍ତପ୍ତ ହେବାରେ ଲାଗିଛନ୍ତି । ସେହିପରି ଜୀବାଶ୍ମ ଇନ୍ଧନର ବ୍ୟବହାର ପୃଥିବୀ ପାଇଁ ଅଧିକ କ୍ଷତିକାରକ ବୋଲି ମଧ୍ୟ ଏଥିରୁ ଜଣାପଡ଼ିଛି । ୨୦୧୮ ନଭେମ୍ବର ପହିଲାରେ ନେଚର ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ସନ୍ଦର୍ଭ ଅନୁସାରେ ପୃଥିବୀର ମହାସାଗର ସବୁ ୧୯୯୧ ମସିହାରୁ ୨୦୧୬ ମଧ୍ୟରେ ପ୍ରତି ବର୍ଷ ୧୩ ଜେଟ୍ଟାଜୁଲ୍ରୁ ଅଧିକ ତାପ ଶକ୍ତି ଶୋଷଣ କରିଛନ୍ତି । ଜୁଲ୍ ହେଉଛି ଶକ୍ତିର ଏକକ । ଏକକ ପରେ ୨୧ଟା ଶୂନ ଦେଇ ଜେଟ୍ଟାଜୁଲ୍ ହିସାବ କରାଯାଏ । ଏହି ପରିସଂଖ୍ୟାନ ୨୦୧୪ ମସିହାରେ ଜାତିସଂଘର ଆଇପିସିସି ପ୍ରକାଶ କରିଥିବା ଆକଳନଠାରୁ ୬୦ ପ୍ରତିଶତ ଅଧିକ । ଏହି ସନ୍ଦର୍ଭର ମୁଖ୍ୟ ଲେଖିକା ତଥା ପ୍ରିନ୍ସଟନ୍ ସଂସ୍ଥାର ଜିଓସାଇନ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଲରେ ରେସପ୍ଲାଣ୍ଡି କହିଛନ୍ତି ଯେ ମହାସାଗରଗୁଡ଼ିକ ଯଦି ୩୦ ଫୁଟ ଗଭୀର ହୋଇଥାନ୍ତେ ତେବେ ଏତେ ପରିମାଣର ତାପ ଶକ୍ତି ଶୋଷଣ କରି ସେଗୁଡ଼ିକ ୧୯୯୧ ପରଠାରୁ ପ୍ରତି ଦଶନ୍ଧିରେ ୬.୫ ଡିଗ୍ରୀ ସେଲ୍ସିୟସ ଅଧିକ ଉତ୍ତପ୍ତ ହେଉଥାନ୍ତେ । ଆଇପିସିସି ରିପୋର୍ଟ ଅନୁସାରେ ଏସବୁ ୪ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଉଥିବା କଥା । ବୈଜ୍ଞାନିକମାନେ ଜାଣିଛନ୍ତି ଯେ ପୃଥିବୀରେ ଯେତେ ଅତିରିକ୍ତ ଶକ୍ତି ଉତ୍ପାଦିତ ହୋଇଥାଏ ତାହାର ୯୦ ପ୍ରତିଶତ ମହାସାଗରଗୁଡ଼ିକ ଅବଶୋଷିତ କରିଥାନ୍ତି । ତେବେ ପୃଥିବୀରେ ବାସ୍ତବରେ କେତେ ଅତିରିକ୍ତ ଶକ୍ତି ଉତ୍ପାଦିତ ହେଉଛି ତାହା ଜଣାପଡ଼ିଲେ ପୃଥିବୀ ଓ ପୃଥିବୀର ସାଗରଗୁଡ଼ିକ କେତେ ଅଧିକ ଉତ୍ତପ୍ତ ହେଉଛନ୍ତି ତାହା ହିସାବ କରିହେବ ବୋଲି କହିଛନ୍ତି ଏହି ସନ୍ଦର୍ଭର ଅନ୍ୟତମ ଲେଖକ ତଥା ସ୍କ୍ରିପ୍ସ ସଂସ୍ଥାର ଜିଓଫିଜିସିଷ୍ଟ ରାଲ୍ଫ କିଲିଙ୍ଗ । ତଥାପି ବିଶ୍ୱ ତାପମାନକୁ ପ୍ରାକ୍ ଶିଳ୍ପ ଯୁଗର ତାପମାତ୍ରାଠାରୁ ସର୍ବାଧିକ ୨ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବାକୁ ହେଲେ ପୃଥିବୀର କାର୍ବନ ବା ଅଙ୍ଗାରକାମ୍ଳ ନିର୍ଗମନକୁ ୨୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ହେବ ବୋଲି ଶ୍ରୀମତି ରେସପ୍ଲାଣ୍ଡି କହିଛନ୍ତି । ଏହି ଗବେଷଣା ପାଇଁ ବୈଜ୍ଞାନିକମାନେ ଏକ ନୂତନ ହିସାବ ପଦ୍ଧତି ଅନୁସରଣ କରିଥିଲେ । ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବାଷ୍ଫ ଉତ୍ତପ୍ତ ଜଳରେ କମ୍ ଦ୍ରବିଭୂତ ହୋଇଥାଏ । ଜଳ ଯେତେ ଅଧିକ ଉତ୍ତପ୍ତ ହେବ ସେଥିରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ସେତେ କମ୍ ପରିମାଣରେ ଦ୍ରବିଭୂତ ହେବ । ଏହାର ଅର୍ଥ ଜଳରେ ମିଶିଥିବା ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଉତ୍ତପ୍ତ ଜଳରୁ ଅଧିକ ପରିମାଣରେ ବାୟୂମଣ୍ଡଳରେ ମିଶିବ । ଏହି ବୈଜ୍ଞାନିକମାନେ ବାୟୁମଣ୍ଡଳରେ ଥିବା ଅମ୍ଳଜାନ ଓ ଅଙ୍ଗାରକାମ୍ଳର ମାତ୍ରା ମାପ କରି ମହାସାଗରର ଉତ୍ତାପ ଅବଶୋଷଣ ପ୍ରକ୍ରିୟା ସଂପର୍କରେ ସନ୍ଦର୍ଭ ରଚନା କରିଛନ୍ତି ।

Share :