କିଏ ଭାରତ ରତ୍ନ? ସଚିନ ନା ସନ୍ନି?

କିଏ ଭାରତ ରତ୍ନ? ସଚିନ ନା ସନ୍ନି?

Share :

ବିଜୟ ଖୁଣ୍ଟିଆ ସନ୍ନି ମାଥୁସ ଭାରତ ରତ୍ନ ପାଇବେନି କାହିଁକି? ଏୟାରଲିଫ୍ଟ ଫିଲ୍ମ ଦେଖିବା ପରେ ଅନେକଙ୍କ ମନରେ ଆଜି ଏଇ ପ୍ରଶ୍ନ |  ତେବେ କିଏ ଏଇ ସନ୍ନି ମାଥୁସ? ସେ କ୍ରିକେଟ ତାରକା ନା ବଲିଉଡ ସେଲିବ୍ରିଟି? ଦେଶ ପାଇଁ ତାଙ୍କର ଅବଦାନ କ’ଣ? ସେ କ’ଣ ଭାରତ ରତ୍ନ ପାଇବାକୁ ଯୋଗ ନୁହନ୍ତି? ଏ ସବୁ ପ୍ରଶ୍ନର ଉତ୍ତର ଅଛି ‘ଏୟାରଲିଫ୍ଟ’ରେ | କାହାଣୀ ୨୫ ବର୍ଷ ତଳର | କାହାଣୀ ତ’ ନୁହେଁ ଘଟଣା | ୧୯୯୦ ମସିହା ତୈଳ ଉତ୍ତୋଳନ ବିବାଦକୁ ନେଇ ହଠାତ କୁଏତ ଉପରେ ଆକ୍ରମଣ କରେ ଇରାକ | ଇରାକୀ ସେନା କବଜା କରନ୍ତି କୁଏତ | କୁଏତରେ ଚାଲେ ଇରାକୀ ସୈନଙ୍କ ଆତଙ୍କ ଓ ବିଭୀଷିକା | କୁଏତୀମାନଙ୍କୁ ଖୋଜି ଖୋଜି ଅତି ଅମାନୁଷିକ ଭାବେ ହତ୍ୟା କରନ୍ତି ଇରାକୀ ସୈନ୍ୟ | ସେଠାରେ ବସବାସ କରୁଥିବା ଲକ୍ଷାଧିକ ଭାରତୀୟ ସମ୍ମୁଖୀନ ହୁଅନ୍ତି ଦୁର୍ଦ୍ଦଶାର | ଛୋଟ ପିଲାଙ୍କଠୁଁ ଆରମ୍ଭ କରି ମହିଳା ଓ ବୃଦ୍ଧବୃଦ୍ଧା ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି | ଦୋକାନବଜାର, ସ୍କୁଲକଲେଜ ଓ ଗାଡି ଚଳାଚଳ ସବୁକିଛି ବନ୍ଦ ହୋଇଯାଏ | ଖାଦ୍ୟ, ପାନୀୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦିଏ | ଚାରିଆଡେ ପଡିଯାଏ ହା ହା କାର | ନିଜେ ବଂଚିବା  ସହ ପରିଜନଙ୍କ ଜୀବନ ବଂଚାଇବା କଷ୍ଟକର ହୋଇପଡେ | ଏହି ସମୟରେ ସେଠାରେ ଦେବଦୂତ ଭଳି ଉଭା ହୁଅନ୍ତି ଜଣେ ଭାରତୀୟ ସନ୍ନି ମାଥୁସ, ଯିଏ କି କୁଏତରେ ଟୟୋଟା କମ୍ପାନୀର ମୁଖ୍ୟ ଥିଲେ | ଏପରି ପରିସ୍ଥିତିରେ ସିଏ, ତାଙ୍କ ପତ୍ନୀ ଓ ପିଲାମାନେ କୁଏତ ଛାଡିବାକୁ ନିଷ୍ପତ୍ତି ନେଲେ | ଏକଥା ତାଙ୍କ ଅଫିସର କର୍ମଚାରୀମାନେ ଜାଣିବା ପରେ ଭାଙ୍ଗିପଡିଲେ | ସମସ୍ତଙ୍କ ଆଖିରେ ଲୁହ ଆସିବା ସହ ଅଜଣା ଭୟରେ ଥରି ଉଠିଲେ | କେମିତି ବଂଚିବେ, କିଏ ତାଙ୍କୁ ଏହି ଯୁଦ୍ଧ ବିଭୀଷିକାରୁ ଉଦ୍ଧାର କରିବ? ସେତେବେଳକୁ ଅନେକ ଭାରତୀୟ ମଧ୍ୟ ଆସି ତାଙ୍କ ଅଫିସରେ ଆଶ୍ରୟ ନେଇଥାଆନ୍ତି ଅଫିସ କର୍ମଚାରୀ ଓ ଅନ୍ୟ ଭାରତୀୟଙ୍କ ଏହି କରୁଣ ଦୃଶ ସନ୍ନିଙ୍କ ହୃଦୟକୁ ଗଭୀର ରେଖାପାତ କଲା | ସେ ତାଙ୍କ ନିଷ୍ପତ୍ତି ବଦଳାଇଲେ ଅନ୍ୟମାନଙ୍କ ଜୀବନ ବଂଚାଇବା ଓ ଉଦ୍ଧାର ପାଇଁ ସେ ନିଷ୍ପତ୍ତି ନେଲେ | ଏହାକୁ ତାଙ୍କ ପତ୍ନୀ ଓ ପିଲାମାନେ ବିରୋଧ କଲେ | ସେ ଏହାକୁ ଭୃକ୍ଷେପ ନକରି କୁଏତରେ ଥିବା ଭାରତୀୟ ଦୂତାବାସ ଗଲେ | ଦୂତାବାସ ଅଧିକାରୀମାନେ କିଛି କରିପାରିବେନି କହିବା ସହ ଦୂତାବାସ ବନ୍ଦ କରି ଚାଲିଗଲେ | ତା’ପରେ ସନ୍ନି ଦିଲ୍ଲୀସ୍ଥିତ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଫୋନ କରନ୍ତି, କିନ୍ତୁ କେହି ଉଠାନ୍ତି ନାହିଁ, କିଛି ଦିନର ଚେଷ୍ଟା ପରେ ଜଣେ ଅଧିକାରୀ ଫୋନ ଉଠାନ୍ତି ଆଉ ସନ୍ନିଙ୍କ କଥା ବୁଝିବା ସହ ବୈଦେଶିକ ମନ୍ତ୍ରୀଙ୍କୁ ଅବଗତ କରାନ୍ତି | ମାତ୍ର ମନ୍ତ୍ରୀ ଏଥିପ୍ରତି କୌଣସି ଆଗ୍ରହ ପ୍ରକାଶ କରନ୍ତି ନାହିଁ | ଏପଟେ ସନ୍ନି ତାଙ୍କର କେତେକ ଭାରତୀୟ ସାଙ୍ଗଙ୍କୁ ଧରି ସେଠାରେ ଥିବା ଏକ ସ୍କୁଲରେ କ୍ୟାମ୍ପ ପକାଇବା ସହ ହଜାର ହଜାର ଭାରତୀୟଙ୍କୁ ଆଶ୍ରୟ ଦିଅନ୍ତି | ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା ମଧ୍ୟ କରନ୍ତି | ସେଥିପାଇଁ ବହୁ କଷ୍ଟ କରିବାକୁ ପଡେ ସନ୍ନି ଓ ତାଙ୍କ ସାଙ୍ଗମାନଙ୍କୁ | ଥରେ ଇରାକୀ ସୈନ୍ୟମାନେ କ୍ୟାମ୍ପରେ ପଶି ଭଙ୍ଗାରୁଜା କରିବା ସହ ଝିଅ ବୋହୂଙ୍କ ପ୍ରତି ଦୁର୍ବ୍ୟବହାର ଦେଖାନ୍ତି, ଗଚ୍ଛିତ ଥିବା ରାସନ ଓ ଖାଦ୍ୟ ସାମଗ୍ରୀକୁ ନେଇଯାଆନ୍ତି | ଇରାକୀ ସୈନ୍ୟଙ୍କ ଦାଉରୁ ରକ୍ଷା ପାଇଁ ବାଗଦାଦ ଯାଇ ଇରାକ ବୈଦେଶିକ ମନ୍ତ୍ରୀଙ୍କ ଦ୍ବାରସ୍ଥ ହୁଅନ୍ତି | ଏପଟେ ଦିଲ୍ଲୀସ୍ଥିତ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ ଜାରି ରଖିଥାନ୍ତି ସନ୍ନି | ମନ୍ତ୍ରଣାଳୟର ଉକ୍ତ କର୍ମଚାରୀ ଜଣକ ମଧ୍ୟ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥାନ୍ତି | ଏଥିରେ କ୍ଷୁବ୍ଧ ହୋଇ ବୈଦେଶିକ ମନ୍ତ୍ରୀ ଉକ୍ତ କର୍ମଚାରୀଙ୍କୁ ବଦଳି କରନ୍ତି, କିନ୍ତୁ ସେ ମନ୍ତ୍ରୀଙ୍କୁ ବୁଝାଇବାରେ ସଫଳ ହୁଅନ୍ତି | ଉଦ୍ଧାର ପାଇଁ ଏକ ଜଳ ଜାହାଜ ଭାରତ ପଠାଇଥିଲେ ମଧ୍ୟ ଜାତିସଂଘର କଟକଣା ଯୋଗୁଁ ତାହା ଉଦ୍ଧାର କାର୍ଯ୍ୟରେ ଲାଗି ପାରେନାହିଁ | ଯାହା ସନ୍ନିଙ୍କ ଚିନ୍ତାକୁ ବଢାଇ ଦିଏ | ସନ୍ନି ଏକ ସ୍କ୍ରାପ ବୋଝେଇ ଜାହାଜରେ ୫୦୦ ଭାରତୀୟଙ୍କୁ ଲକ୍ଷ ଲକ୍ଷ ଟଙ୍କା ହାତଗୁଞ୍ଜା ଦେଇ ଚୋରାରେ ସ୍ବଦେଶ ପଠାଇଦିଅନ୍ତି | ଶେଷରେ ସେ ଏକ ଯୋଜନା କରନ୍ତି | କୁଏତରେ ଥିବା ଇରାକୀ ଜେନେରାଲଙ୍କୁ ହାତ କରି ନିଜ ଅର୍ଜିତ ସବୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ବସ ଯୋଗେ ପ୍ରାୟ ୧ ଲକ୍ଷ ୭୭ ହଜାର ଭାରତୀୟଙ୍କୁ କୁଏତ ସୀମା ପାର କରାଇ ଜୋର୍ଡାନ ଓ ଅମାନକୁ ନେଇଯାଆନ୍ତି | ସେଥିପାଇଁ ସନ୍ନିଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡେ | ଏପରିକି ଅନେକ ଥର ମୃତ୍ୟୁକୁ ମଧ୍ୟ ସାମ୍ନା କରିବାକୁ ପଡେ | ଶେଷରେ ତାଙ୍କ ଉଦ୍ୟମ ସଫଳ ହୁଏ | ଏପଟେ ଭାରତୀୟଙ୍କ ଉଦ୍ଧାର ପାଇଁ ଭାରତ ସରକାର ଇଣ୍ଡିଆନ ଏୟାର ଲାଇନ୍ସ ବିମାନ ପଠାନ୍ତି | ପ୍ରାୟ ୪୮୮ଟି ବିମାନ ୫୯ ଦିନରେ ୧ ଲକ୍ଷ ୭୭ ହଜାର ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣେ | ଏହା ଏକ ବିଶ୍ବ ରେକର୍ଡ | ନିରାପଦରେ ଏତେ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରିଥିବାରୁ ଏହା ଗିନିଜ ବୁକ ଅଫ ଉଆର୍ଲଡ଼ ରେକର୍ଡରେ ଲିପିବଦ୍ଧ ହୁଏ | ନିଜ ଜୀବନ, ନିଜର ସମସ୍ତ ଅର୍ଥକୁ ବାଜି ଲଗାଇ ଯିଏ ଏତେ ସଂଖ୍ୟକ ଲୋକଙ୍କ ଜୀବନ ବଂଚାଇବା ସହ ଉଦ୍ଧାର କଲା ସେଭଳି ଦେବଦୂତ ଓ ଦେଶଭକ୍ତକୁ ଏ ଦେଶ ଆଜି ଭୁଲି ଗଲା କେମିତି? ନା ସରକାର ତାଙ୍କୁ ମନେ ରଖିଛନ୍ତି ନା ଏ ଦେଶର ଲୋକେ? ଆଜି ଅଧା ଫୁଙ୍ଗୁଳା ଦେହ ଦେଖାଇ, ଅଣ୍ଟା ହଲାଇ, ୮ ପ୍ୟାକ ବଡି ସହ ଷ୍ଟଣ୍ଟ ଦେଖାଇ ଶହ ଶହ କୋଟି ଟଙ୍କା ରୋଜଗାର କରୁଛନ୍ତି ସେଲିବ୍ରିଟିମାନେ | ସେମାନଙ୍କ ଅଭିନୟ ପାଇଁ ମିଳେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ | ସେମାନଙ୍କ ସୁରକ୍ଷା ପାଇଁ ରାଜକୋଷରୁ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା | ସେମାନେ ନିଜ ଧର୍ମ ବାହାରେ ବିବାହ କରନ୍ତି | ସମୟ ଆସିଲେ ‘ଅସହିଷ୍ଣୁତା’ ନାମରେ ଏ ଦେଶକୁ ମଧ୍ୟ ନିନ୍ଦା କରିବାକୁ ପଛାନ୍ତି ନାହିଁ | କିନ୍ତୁ ଯେଉଁ ବ୍ୟକ୍ତି ନିଜ ଜୀବନ ଓ ପରିବାରକୁ ବିପନ୍ନ କରି ନିଜର ସମସ୍ତ ଅର୍ଥ ଖର୍ଚ୍ଚ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଂଚାନ୍ତି ତାଙ୍କୁ ଭୁଲିଯାଏ ଏ ଦେଶ | ହେଲେ ଦୀର୍ଘ ୨୫ ବର୍ଷ ପରେ ଏହି ଦେଶଭକ୍ତ ଓ ଦେବଦୂତ ସନ୍ନି ମାଥୁସଙ୍କ ଜୀବନୀ ଉପରୁ ପରଦା ଉଠିଛି | ସେ ମରି ବି ଆଜି ଅମର | ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ବଲିଉଡ ସିନେମା ‘ଏୟାରଲିଫ୍ଟ’ |

Share :