ମାଡ଼ି ଆସୁଛି ଅନାହାର ଝଡ଼!

ମାଡ଼ି ଆସୁଛି ଅନାହାର ଝଡ଼!

Share :

କ୍ଷୁଧା, ପାଗ ପରିବର୍ତ୍ତନ ଓ ମାନବକୃତ ବିବାଦ ମିଶି ବିଶ୍ୱରେ ଏକ ‘ନିଖୁଣ ଝଡ଼’ ସୃଷ୍ଟି କରିଛନ୍ତି । ଏହା ବିରୋଧରେ ତୁରନ୍ତ ମୁକାବିଲାମୂଳକ କାର୍ଯ୍ୟାନୁଷ୍ଠାନ ଲୋଡ଼ା । ଏପରି ଏକ ଚେତାବନୀ ଦେଇଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ ବିସ୍ଲେ । ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ତରଫରୁ ମଙ୍ଗଳବାର ପାଳିତ ହୋଇଯାଇଛି ବିଶ୍ୱ ଖାଦ୍ୟ ଦିବସ । ଏହି ଦିବସ ପାଳନ ଅବସରରେ ବକ୍ତବ୍ୟ ପ୍ରଦାନ କରି ବିସ୍ଲେ କହିଛନ୍ତି, ‘ଆପଣମାନଙ୍କ ପାଇଁ ଏକ ଦୁଃସ୍ୱପ୍ନ, ଏକ ନିଖୁଣ ଝଡ଼ ଆପଣଙ୍କ ଆଡ଼େ ମାଡ଼ି ଆସୁଛି । ଏହାର ତୁରନ୍ତ ମୁକାବିଲା ଜରୁରୀ । କ୍ଷୁଧା ଓ ଅପପୁଷ୍ଟି ଯୋଗୁଁ ପ୍ରତି ୫-୧୦ ସେକେଣ୍ଡରେ ଜଣେ ଶିଶୁର ମୃତ୍ୟୁ ହୋଇଯାଉଛି । ଅଥଚ ଖାଦ୍ୟ ଉତ୍ପାଦନ ଓ ରୋଷେଇ ଘରେ ରନ୍ଧନ ପ୍ରକ୍ରିୟାରେ ପ୍ରଚୁର ପରିମାଣରେ ଖାଦ୍ୟ ନଷ୍ଟ ହେଉଛି । ଏହାର ଉତ୍ତର ରୋମ୍ରେ ନାହିଁ, ଏହା ଆପଣଙ୍କ ଘରେ ଅଛି । ଆପଣମାନେ ଏହାର ସମାଧାନ ପାଇଁ କ’ଣ କରିବେ?’ ୨୦୩୦ ସୁଦ୍ଧା ପୃଥିବୀକୁ କ୍ଷୁଧାମୁକ୍ତ କରିବାକୁ ମିଳିତ ଜାତିସଂଘ ଲକ୍ଷ୍ୟ ରଖିଛି । ଏବେ କିନ୍ତୁ ଏହି ପଥରେ ଅନେକ ପ୍ରତିବନ୍ଧକ । ଯୁଦ୍ଧ ଓ ସଂଘର୍ଷ, ପାଗ ପରିବର୍ତ୍ତନ ଏବଂ ଆର୍ଥନୀତିକ ମାନ୍ଦାବସ୍ଥା । ବିସ୍ଲେ କହିଛନ୍ତି, ଧନୀ ରାଷ୍ଟ୍ରମାନେ ଏହା ତାଙ୍କର ସମସ୍ୟା ନୁହେଁ ବୋଲି ଧରିନେଇ ଚୁପ୍ ବସି ପାରିବେ ନାହିଁ । ଏହାର ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପଡ଼ିବ । ଅନ୍ୟ ଦେଶର ଗରୀବ ଓ କ୍ଷୁଧିତ ଲୋକମାନେ ଧନୀ ଦେଶକୁ ଦେଶାନ୍ତରୀ ହେବେ । ୟୁରୋପ ଏବେ ଏହି ସମସ୍ୟାର ସମ୍ମୁଖୀନ । ବିସ୍ଲେ କହିଛନ୍ତି, ‘କ୍ଷୁଧା ହାରରେ ୧ ପ୍ରତିଶତ ବୃଦ୍ଧି ହେଲେ ଦେଶାନ୍ତର ହାରରେ ୨ ପ୍ରତିଶତ ବୃଦ୍ଧି ଘଟିବା ନିଶ୍ଚିତ ।’ ୨୦୧୭ ବର୍ଷରେ ୮୨.୧୦ କୋଟି ଲୋକ ଅର୍ଥାତ ପ୍ରତି ୯ ଜଣରେ ଜଣେ ଲୋକ କ୍ଷୁଧିତ ରହିଥିଲେ । ଏହା ଥିଲା କ୍ରମାଗତ ତୃତୀୟ ବର୍ଷ ପାଇଁ ଏହି ହାରରେ ଅଭିବୃଦ୍ଧି । ଏହା ଏକ ଭୟଙ୍କର ସ୍ଥିତି । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଜାରି କରିଥିବା ପରିସଂଖ୍ୟାନ ଅନୁସାରେ ୫ ବର୍ଷରୁ କମ୍ ବୟସର ୧୫.୫ କୋଟି ଶିଶୁ ଦୀର୍ଘକାଳୀନ ଅପପୁଷ୍ଟି ଭୋଗ କରୁଛନ୍ତି । ବିଶ୍ୱର ୨୦୦ କୋଟି ଲୋକ ସଂଗୁପ୍ତ କ୍ଷୁଧା ବା ସୂକ୍ଷ୍ମ ପୋଷକ ଅଭାବରେ ଜର୍ଜରିତ । ଅପରପକ୍ଷରେ ଠିକ ଏହି ସମୟରେ ବିଶ୍ୱର ୬୦ କୋଟି ଲୋକ ଖାଇ ଖାଇ ମୋଟା । କୃଷି ଓ ଖାଦ୍ୟ ସଂଗଠନ ବା ଫାଓର ମୁଖ୍ୟ ଜୋସ୍ ଗ୍ରାଜିଆନୋ ଦା ସିଲ୍ଭାଙ୍କ ମତରେ ମୋଟାପଣ ଏକ ବିଶ୍ୱ ସମସ୍ୟା । ସଶସ୍ତ୍ର ସଂଘର୍ଷ ଓ ଧୂମପାନଠାରୁ ବି ଏବାବଦରେ ଅଧିକ ଖର୍ଚ୍ଚ ହେଉଛି । ଏହି ଉତ୍ସବରେ ଉଦବୋଧନ ଦେଇ ପୋପ୍ ଫ୍ରାନ୍ସିସ କହିଛନ୍ତି ଯେ କ୍ଷୁଧା ଓ ପାଗ ପରିବର୍ତ୍ତନ ବିରୋଧରେ ଅର୍ନ୍ତଜାତୀୟ ଏକତା ଶିଥିଳ ହୋଇଗଲାଣି । ଏହା ଅନ୍ୟ ଏକ ସମସ୍ୟା । ତାଙ୍କ ପ୍ରତିନିଧି ପାଠ କରିଥିବା ଭାଷଣରେ ସେ କହିଛନ୍ତି, ଗରୀବ ଲୋକଙ୍କ ଦାରିଦ୍ର‌୍ୟର ମୂଳ କାରଣ ଖୋଜାଯିବା ଦରକାର । ଦାରିଦ୍ର‌୍ୟ ଓ କ୍ଷୁଧା ଦୂର କରିବାକୁ ଯାଇଁ ଅନେକଗୁଡ଼ାଏ ଗବେଷଣାମୂଳକ ପୁସ୍ତକ ପ୍ରକାଶ କରାଯିବା କେବଳ ପାଠାଗାରକୁ ସମୃଦ୍ଧ କରିବ ସିନା ତାହା ସମସ୍ୟାର ସମାଧାନ କରିପାରିବ ନାହିଁ । କେବଳ ବଡ଼ ବଡ଼ ଘୋଷଣା ଦାରିଦ୍ର‌୍ୟ ଓ କ୍ଷୁଧା ଦୂର କରିପାରିବ ନାହିଁ । କ୍ଷୁଧା ବିରୋଧୀ ସଂଗ୍ରାମ ପାଇଁ ବିପୁଳ ଆର୍ଥିକ ଅନୁଦାନ, ବାଣିଜ୍ୟ ପ୍ରତିବନ୍ଧକ ବିଲୋପନ ଏବଂ ପାଗ ପରିବର୍ତ୍ତନର ମୁକାବିଲା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।

Share :