ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଉଛନ୍ତି ବର୍ଷକୁ ୭୦ ଲକ୍ଷ

ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଉଛନ୍ତି ବର୍ଷକୁ ୭୦ ଲକ୍ଷ

Share :

ବିଶ୍ୱ ବ୍ୟାପୀ ବଢ଼ି ଚାଲିଛି ପ୍ରଦୂଷଣ । ବଢ଼ି ଚାଲିଛି ବ୍ୟାଧି ଓ ମରଣର ବୋଝ । ଏଥିନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବା ହୁ । ସେଥି ନିମନ୍ତେ ଏହାର ମୁକାବିଲା କରିବାକୁ ପ୍ରଥମ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା(ଡବ୍ଲ୍ୟୁଏଚଓ) ଆୟୋଜନ କରୁଛି ଏକ ଅନ୍ତର୍ଜାତୀୟ ସମ୍ମିଳନୀ । ଏଥିରେ ଯୋଗଦେବାକୁ ବିଶ୍ୱର ସମସ୍ତ ଦେଶର ସ୍ୱାସ୍ଥ୍ୟ ଓ ପରିବେଶ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମ୍ମିଳନୀରେ ଯୋଗଦେବେ ବିଶ୍ୱର ବଡ଼ବଡ଼ ନେତା, ବିଶେଷଜ୍ଞ, ବୈଜ୍ଞାନିକ ଓ ଗବେଷକ । ଏଥିରେ ଯୋଗଦେବାକୁ ଭାରତକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସୁଇଜରଲାଣ୍ଡର ଜେନେଭାରେ ଅକ୍ଟୋବର ୩୦-ନଭେମ୍ବର ୧ ତାରିଖ ଯାଏଁ ତିନି ଧରି ଚାଲିବ ଏହି ସମ୍ମିଳନୀ । ଯେଉଁ ଦେଶରେ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ଓ ଜୀବନ ଅଧିକ ଯନ୍ତ୍ରଣାମୟ ସେହିସବୁ ଦେଶ ପାଇଁ ଏହି ସମ୍ମିଳନୀରେ ଟାର୍ଗେଟ ଧାର୍ଯ୍ୟ ହେବ । ଏସବୁ ଦେଶ ମଧ୍ୟରେ ଭାରତ ଅନ୍ୟତମ । ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ ପ୍ରାୟ ସମଗ୍ର ଉତ୍ତର ଭାରତର ବାୟୁର ମାନ ଅତ୍ୟନ୍ତ ନିମ୍ନ ସ୍ତରକୁ ଗତି କରିଛି ଓ ଏସବୁ ସ୍ଥାନରେ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସର୍ବାଧିକ । ବିଶ୍ୱ ସ୍ତରୀୟ ସର୍ବେକ୍ଷଣ ଅନୁସାରେ ସାରା ପୃଥିବୀର ସର୍ବାଧିକ ପ୍ରଦୂଷିତ ୨୦ଟି ସହର ମଧ୍ୟରେ ଭାରତର ୧୪ଟି ସହର ଅନ୍ତର୍ଭୁକ୍ତ । କାନପୁର, ଫରିଦାବାଦ ଓ ବାରାଣାସୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ ତିନିଟି ସ୍ଥାନ ଅଧିକାର କରିଛନ୍ତି । ଭାରତର ସର୍ବାଧିକ ପ୍ରଦୂଷିତ ଅନ୍ୟ ସହରଗୁଡ଼ିକ ହେଲେ ଦିଲ୍ଲୀ, ପାଟନା, ଆଗ୍ରା, ମୁଜାଫରପୁର, ଶ୍ରରନଗର, ଗୁରୁଗ୍ରାମ, ଜୟପୁର, ପାଟିଆଲା ଏବଂ ଯୋଧପୁର । ସେହିପରି ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅନ୍ୟ ଗୋଟିଏ ସହର ହେଲା କୁଏତର ଅଲି ସୁବାହ ଅଲ-ସାଲେମ । ଚୀନ ଓ ମଙ୍ଗୋଲିଆର କେତେକ ସହର ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ସରକାରୀ ପରିସଂଖ୍ୟାନ ଅନୁସାରେ ବାହାର ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୬ ମସିହାରେ ଭାରତରେ ୧୦.୮୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଘର ଭିତର ବାୟୁ ପ୍ରଦୂଷଣ ଯୋଗୁଁ ସେହିବର୍ଷ ଭାରତରେ ୧୦.୮୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । ବିଶ୍ୱ ସ୍ତରରେ ପ୍ରତି ବର୍ଷ ପ୍ରାୟ ୭୦ ଲକ୍ଷ ଲୋକ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଉଛନ୍ତି । ବିଶ୍ୱ ସ୍ତରରେ ପ୍ରତି ୧୦ ଜଣରୁ ୯ ଜଣ ଲୋକ ନିମ୍ନ ମାନର ବାୟୁ ସେବନ କରୁଛନ୍ତି । ଏସିଆ ଓ ଆଫ୍ରିକାର ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ପ୍ରଦୂଷଣ ଜନିତ ମୃତ୍ୟୁର ୯୦ ପ୍ରତିଶତରୁ ଅଧିକ ଘଟୁଛି । ବର୍ଷର ଏହି ସମୟରେ ହରିଆନା ଓ ପଞ୍ଜାବ ଆଦି ରାଜ୍ୟର କୃଷକମାନେ କ୍ଷେତରେ ନଡ଼ା ପୋଡ଼ି ଦେଉଥିବାରୁ ଦିଲ୍ଲୀ ସମେତ ଉତ୍ତର ଭାରତର ବାୟୁର ମାନ ନିମ୍ନତମ ସ୍ତରକୁ ଖସିଯାଉଛି । ଏହି ସମୟରେ ଜେନେଭା ପ୍ରଦୂଷଣ ମୁକାବିଲା ସମ୍ମିଳନୀ ଆୟୋଜିତ ହେଉଥିବାରୁ ଅଂଶଗ୍ରହଣକାରୀ ବିଶେଷଜ୍ଞମାନେ ଭାରତକୁ କଡ଼ା ସମାଲୋଚନା କରିପାରନ୍ତି । ସମ୍ମିଳନୀ ନିମନ୍ତେ ଅଂଶଗ୍ରହଣକାରୀ ଦେଶଗୁଡ଼ିକ ମଧ୍ୟରେ ବଣ୍ଟନ କରାଯାଇଥିବା ଆଜେଣ୍ଡା ନୋଟ୍ ବା ସଂକଳ୍ପ ସୂଚନା ଅନୁସାରେ ବିଶ୍ୱ ପ୍ରଦୂଷଣର ମୁକାବିଲା କରିବା ନିମନ୍ତେ ସ୍ୱଳ୍ପ ଖର୍ଚ୍ଚରେ ଅନେକ କିଛି ଉପାୟ ଉପଲବ୍ଧ ଅଛି । ପରିବହନ, ଶକ୍ତି, କୃଷି, ବର୍ଜ୍ୟ, ଗୃହନିର୍ମାଣ ଆଦି କ୍ଷେତ୍ରରୁ ସୃଷ୍ଟି ହେଉଥିବା ପ୍ରଦୂଷଣ ରୋକିବା ପାଇଁ ସ୍ୱଳ୍ପ ଖର୍ଚ୍ଚରେ ଅନେକ କିଛି ପଦକ୍ଷେପ ନିଆଯାଇପାରିବ । ପାଗ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ସଙ୍ଗେସଙ୍ଗେ ପରିପୋଷଣୀୟ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ ସମ୍ମିଳନୀରେ ସ୍ୱର ଉଠିବାର ସମ୍ଭାବନା ରହିଛି । ସେହିପରି ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହିତ ସହରଗୁଡ଼ିକ ସମସ୍ତଙ୍କ ପାଇଁ ଜୀବନ-ଉପଯୋଗୀ କରିବାର ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ ହୋଇପାରେ ।

Share :