ଚାଷୀ କରିବେ ସତ୍ୟାଗ୍ରହ

ଚାଷୀ କରିବେ ସତ୍ୟାଗ୍ରହ

Share :

ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ହାର୍ଦ୍ଦିକ ଶୁଭେଚ୍ଛା । ଆପଣ ଅବଗତ ଅଛନ୍ତି ଯେ, ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୯ ବର୍ଷ ହେଲା "ପ୍ରାଇସ୍, ପ୍ରେଷ୍ଟିଜ, ପେନ୍ସନ୍' ଦାବିକୁ ନେଇ ନିରନ୍ତର ଅହିଂସା ଓ ଶାନ୍ତିପୂର୍ଣ୍ଣ ରାସ୍ତାରେ ସତ୍ୟାଗ୍ରହ ଚାଲୁ ରଖିଛି । ଏହି ବର୍ଷ ମାର୍ଚ୍ଚ ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଚାଲିଥିବା ଉପବାସ ଓ ସତ୍ୟାଗ୍ରହ ପରିପ୍ରେକ୍ଷୀରେ ବିଧାନସଭା କମିଟି ଆସି ଆମକୁ ପ୍ରତିଶୃତି ଦେଇ ଗଲା ଯେ, "ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇସାରିଛି, ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରସଙ୍ଗ ପ୍ରତି ସମ୍ବେଦନଶୀଳ ଓ ପ୍ରତିଶୃତିବଦ୍ଧ ଏବଂ ଅତିଶୀଘ୍ର ଉକ୍ତ ଦାବୀକୁ ପୁରଣ କରାଯିବ ।' କିନ୍ତୁ ତା ପରେ ଦୀର୍ଘ ୬ ମାସରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ ଏ ବିଷୟରେ ଆପଣ ମୁହଁ ଖୋଲିଲେ ନାହିଁ । ଏଥିପାଇଁ ଆପଣ ଏବଂ ଆପଣଙ୍କ ସରକାରଙ୍କ ସ୍ମରଣାର୍ଥେ ବାଧ୍ୟ ହୋଇ ଏ ଚିଠିଟି ଲେଖୁଛି । ମହାଶୟ, ଆପଣ ହୃଦୟଙ୍ଗମ କରିଥିବେ ଯେ, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ର ଆନ୍ଦୋଳନ ଓଡ଼ିଶାରେ ଚାଷୀର ଆତ୍ମାର ଆହ୍ୱାନ ଭାବରେ ଠିଆ ହୋଇଛି । ଦୀର୍ଘ ୮ ବର୍ଷର ଆନ୍ଦୋଳନ ପରେ ଆମେ ଧାନ କ୍ୱିଣ୍ଟାଲ ୫ ହଜାର ଟଙ୍କା ଦାବି କରୁଥିବା ବେଳେ ଆପଣ ବିଧାନସଭାରେ ମାର୍ଚ୍ଚ ୨୫, ୨୦୧୭ରେ ସର୍ବଦଳୀୟ ପ୍ରସ୍ତାବ ଭାବରେ କ୍ୱିଣ୍ଟାଲ ୨୯୩୦ ଟଙ୍କା ହିସାବରେ ଗ୍ରହଣ କରି ପାର୍ଲାମେଣ୍ଟ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଅନୁମୋଦନ ନିମିତ୍ତ ପଠାଇଲେ । କିନ୍ତୁ, କେନ୍ଦ୍ର ସରକାର ଉପରେ ଚାପ ପକାଇବା ପାଇଁ କୌଣସି ରାଜନୈତିକ ଆନ୍ତରିକତା ଦେଖାଇଲେ ନାହିଁ । ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ସର୍ବଦା ସହଯୋଗର ହାତ ବଢ଼ାଇ ଆସୁଛନ୍ତି, ସେତେବେଳେ କ'ଣ ପାଇଁ ଏହି ଦାବୀକୁ ନେଇ ରାଜନୈତିକ ଚାପ ପକାଇଲେ ନାହିଁ? ଆପଣ ନିଜ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁସ୍ତକକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରୁଛନ୍ତି, କଥା ହୋଇ ପାରୁଛନ୍ତି, ଅଥଚ ଚାଷୀର ଉକ୍ତ ପ୍ରସ୍ତାବ ବିଷୟରେ କଥା ହୋଇ ପାରୁନାହାଁନ୍ତି । ଆପଣ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ଉପରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଦେଇପାରୁଛନ୍ତି, କିନ୍ତୁ ଚାଷୀ ବିଷୟରେ କଥା ହେବା ପାଇଁ ମୁହଁ ଖୋଲିପାରୁନାହାଁନ୍ତି । ଏହାର କାରଣ କ'ଣ? ଏଥିରୁ ସ୍ପଷ୍ଟ ହେଉଛି ଯେ, ଆପଣ ଧାନର ଦର ନିର୍ଦ୍ଧାରଣରେ ନିଜେ ଦେଇଥିବା ପ୍ରସ୍ତାବ ବିଷୟରେ ଗମ୍ଭୀର ନୁହଁନ୍ତି ବା ଆପଣଙ୍କର ରାଜନୈତିକ ଇଚ୍ଛାଶକ୍ତି ନାହିଁ, ଅଥବା ଆପଣ କେବଳ କେନ୍ଦ୍ର ପାଖକୁ ପ୍ରସ୍ତାବ ପଠାଇ ଦେବାର ନାଟକ କରି ଓଡ଼ିଶାର ଚାଷୀମାନଙ୍କୁ ନେଇ ଭୋଟ ରାଜନୀତିର ନଦୀ ପାର ହେବା ପାଇଁ ମସୁଧା କରୁଛନ୍ତି । ଠିକ୍ ସେହିଭଳି, ଆମେ ଚାଷୀ ବୁଢ଼ାବୁଢ଼ୀଙ୍କ ଭତ୍ତା ମାସକୁ ଦେଢ଼ ହଜାର ହିସାବରେ ପରିବାର ପିଛା ତିନି ହଜାର ଏବଂ ଚାଷୀ ସୁରକ୍ଷା ଭତ୍ତା ଚାଷ କରୁଥିବା ଯୁବକକୁ ୨୦ ବର୍ଷ ବୟସରୁ ମାସକୁ ୫ ହଜାର ଟଙ୍କା ହିସାବରେ ବାର୍ଷିକ ବଜେଟ୍ରେ ୨୧,୬୦୦କୋଟି ଟଙ୍କା ବ୍ୟବସ୍ଥା ରଖିବା ପାଇଁ ଦାବି କରିଆସୁଛୁ । ଆଧାର ହେଉଛି, ସମ୍ବିଧାନର ଧାରା ୨୧ । ଏହି ଧାରା ଅନୁସାରେ, ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାରକୁ ସୁରକ୍ଷା ଦେବା ରାଷ୍ଟ୍ରର କଲ୍ୟାଣକାରୀ ସରକାରର କର୍ତ୍ତବ୍ୟ ଅଟେ । ସୁପ୍ରିମକୋର୍ଟର ବ୍ୟାଖ୍ୟା ଅନୁସାରେ "ଜୀବିକା ଓ ଜୀବନର ଅଧିକାରକୁ ଅନୁଶୀଳନ କଲେ ବୁଝା ପଡ଼ୁଛି ଯେ, ଜୀବିକାର ଅଧିକାର ହେଲା "ଜଳ, ଜଙ୍ଗଲ ଓ ଜମି ଉପରେ ଅଧିକାର' ଏବଂ ଜୀବନର ଅଧିକାର ହେଲା "ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ' । ଯିଏ ରାଷ୍ଟ୍ରକୁ ସେବା ଦେଉଛି, ତାର ଜୀବନର ଅଧିକାରକୁ ସୁରକ୍ଷା ଦେବା ରାଷ୍ଟ୍ରର କଲ୍ୟାଣକାରୀ ସରକାରର କର୍ତ୍ତବ୍ୟ' । ସେହି ଧାରା ଅନୁସାରେ ବିଦ୍ୟାଳୟରେ ୬ ପାହାର ଘଣ୍ଟି ପିଟୁଥିବା ଚପରାସୀକୁ ୧୮ ହଜାର ଏବଂ ୩୦ ବର୍ଷ ପରେ ୯ ହଜାର ଟଙ୍କା ପେନ୍ସନ୍, ଅଖ ଚକ ପଢ଼ାଉଥିବା ପ୍ରାଥମିକ ଶିକ୍ଷକକୁ ୪୦ ହଜାର, ୩୦ ବର୍ଷ ପରେ ୨୦ ହଜାର ଟଙ୍କା ପେନ୍ସନ୍, ସୀମାର ସୁରକ୍ଷା ଦେଉଥିବା ସୈନିକରୁ ଆରମ୍ଭ କରି କଲେକ୍ଟର ନେତା ସମସ୍ତେ ରାଷ୍ଟ୍ର କୃପାରେ ସୁରକ୍ଷିତ ଥିବା ବେଳେ ପ୍ରତିକ୍ଷଣରେ ବିପଦ ମୁଣ୍ଡେଇ ଦେଶର ପେଟକୁ ସୁରକ୍ଷାର ସେବା ଦେଉଥିବା ଚାଷୀ ପାଇଁ ଦୀର୍ଘ ୭୨ ବର୍ଷ ସ୍ୱାଧୀନତା ପରେ ସମ୍ବିଧାନର ଧାରା ୨୧ ଲାଗୁ ନ କରିବା ସବୁ ସରକାର, ରାଜନୈତିକ ପାର୍ଟି ଏବଂ ବୁଦ୍ଧିଜୀବୀଙ୍କ ପାଇଁ ଏକ ଆହ୍ୱାନ ଓ ପ୍ରଶ୍ନବାଚୀ ଠିଆ କରୁନାହିଁ କି? ସହୀଦ୍ ବାଜି ରାଉତ, ଉକ୍ରଳମଣି ଗୋପବନ୍ଧୁ, ଭଗତ ସିଂହଠାରୁ ଆରମ୍ଭ କରି ନେତାଜୀ ଓ ମହାତ୍ମା ଗାନ୍ଧି ପର୍ଯ୍ୟନ୍ତ ଯେଉଁ ତ୍ୟାଗ ଓ ବଳିଦାନର ଲଢ଼େଇ ଲଢ଼ି ଦେଶକୁ ସ୍ୱାଧୀନ କରିଥିଲେ, ତାର ଫଳ କ'ଣ ଏଇଆ ଯେ, ୧ ଭାଗ ଲୋକ ଏ ଦେଶରେ ବଞ୍ଚିବେ ଏବଂ ୯୯ ଭାଗ ମରିଯିବେ? ଏଇଥିପାଇଁ, ଯେପର୍ଯ୍ୟନ୍ତ ସେ ୯୯ ଭାଗ ଲୋକଙ୍କୁ ସେମାନଙ୍କର ନ୍ୟାୟ ମିଳିନାହିଁ, ସେ ପର୍ଯ୍ୟନ୍ତ ଏ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମର ଲଢ଼େଇ ଜାରି ରହିବାର ଦାୟିତ୍ୱ ପ୍ରତ୍ୟେକ ସଚେତନ ବ୍ୟକ୍ତିର କର୍ତ୍ତବ୍ୟ ହେବା ଉଚିତ । ଏହି ପରିପ୍ରେକ୍ଷୀରେ ନବନିର୍ମାଣ କୃଷକ ସଂଗଠନ "ଚାଷୀ ବଞ୍ଚିଲେ ଚାଷ ବଞ୍ଚିବ, ଦେଶ ବଞ୍ଚିବ'ର ଉଦ୍ଦେଶ୍ୟକୁ ନେଇ ଲଢ଼େଇ ଜାରି ରଖିଛି । ମହାଶୟ, ଆପଣ ଦୀର୍ଘ ୧୯ ବର୍ଷ ହେଲା ନିରଙ୍କୁଶ ସଂଖ୍ୟା ଗରିଷ୍ଠତାକୁ ନେଇ ଓଡ଼ିଶାର ଅମାପ କ୍ଷମତାର ଅଧିକାରୀ ହୋଇ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ସମ୍ଭାଳିବାର ଗୁରୁଦାୟିତ୍ୱ ବହନ କରିଛନ୍ତି । ଆପଣଙ୍କ ଆଗରେ ମୋର ପରିଚୟ ହେଲା, ମୁଁ ଜଣେ ଫକୀର ବା ସନ୍ନ୍ୟାସୀ, ଯିଏ ଦୀର୍ଘ ୩୨ ବର୍ଷ ହେଲା, କେବଳ ସାଧାରଣ ଜନତାର ବିଶେଷ କରି ଚାଷୀ, ମୂଲିଆ ଓ ମଳିମୁଣ୍ଡିଆର ସ୍ୱାର୍ଥକୁ ନେଇ ସତ୍ୟରୂପୀ ବିବେକର କଷଟିରେ ନିଜକୁ ଠିଆ କରି ସତ୍ୟାଗ୍ରହର ରାସ୍ତା ବାଛି ନେଇଛି । ଏଥିରେ ନାହିଁ ପାର୍ଟି ରାଜନୀତି ବା ନିର୍ବାଚନର ବାସନା ବା ଆଧ୍ୟାତ୍ମିକ ପାଖଣ୍ଡିର ମହକ । କେବଳ ରହିଛି ସତ୍ୟରୂପୀ ଆଗ୍ରହର ନିଷ୍ଠା । ସେଥିପାଇଁ ଆପଣ ଓ ଆପଣଙ୍କ ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରତିଶୃତିର ସତ୍ୟନିଷ୍ଠାକୁ ମନେ ପକାଇ ଦେବା ପାଇଁ ଜଣେ ସତ୍ୟାଗ୍ରହୀର କର୍ତ୍ତବ୍ୟ ପାଳନ କରି ଏ ଚିଠିଟି ଲେଖୁଛି । ନଚେତ୍ ମୋ ଭଳି ଜଣେ ନିସ୍ୱ, ଫକୀର ଆପଣଙ୍କୁ ଲେଖିବାର କ'ଣ ବା ଅଧିକାର ଅଛି? ଆପଣ ଗତ ମାର୍ଚ୍ଚ ମାସର ବିଧାନସଭା ଏବଂ ପରେ ମୌସୁମୀ ଅଧିବେଶନର ବିଧାନସଭାରେ ମଧ୍ୟ ଏ ବିଷୟରେ କୌଣସି ଆଲୋଚନା ବା ନିଷ୍ପତ୍ତି କଲେ ନାହିଁ । ଆଶା ଓ ବିଶ୍ୱାସ, ଆପଣ ଆଗାମୀ ଅକ୍ଟୋବର ୨୮ ତାରିଖ ପୂର୍ବରୁ ଅଧ୍ୟାଦେଶ ମାଧ୍ୟମରେ ବିଧିବଦ୍ଧ ନିଷ୍ପତ୍ତି ନେଲେ, ମୁଁ, ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଏବଂ ଓଡ଼ିଶାର ସମଗ୍ର ଚାଷୀକୁଳ ଉପକୃତ ହେବୁ । ନଚେତ୍, ଅକ୍ଟୋବର ୨୯ରୁ ନଭେମ୍ବର ୫, ୨୦୧୮ କୁଆଖିଆ ଏବଂ ବାଲୁଗାଁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବାକୁ ଥିବା ସତ୍ୟାଗ୍ରହ ରୂପୀ ପଦଯାତ୍ରାରେ ଜୀବନକୁ ବାଜି ଲଗାଇବାକୁ ବାଧ୍ୟ ହେବୁ । ଅକ୍ଷୟ କୁମାର ନବ ନିର୍ମାଣ କୃଷକ ସଂଗଠନ

Share :