ଡ଼ଃ ରିନା ରାଉତରାୟ ରେବ ପଢ଼ୁଛୁ ନା ଖେଳୁଚୁ ଲୋ .. ବାଡ଼ିପଟେ ଗୋବର ଘଷି ପାରୁପାରୁ ବଡ଼ ପାଟିରେ ଡାକ ପକାଉଚି ରେବର ବୋଉ ମଇନା। ରେବର ବାପା ସନା ମରିବା ୧୨ ବର୍ଷରୁ ଅଧିକା ହେଲାଣି। କୋଉ ଗୋଟେ ଗ୍ୟାରେଜରେ ମିସ୍ତ୍ରୀ କାମ କରୁଥିଲା। କି ଗୋଟେ ରୋଗ ହେଲା ଯେ ଯେତେ ଡାକ୍ତର ଦେଖେଇଲେ ବି ଭଲ ହେଲାନି। ଘରେ ପଡ଼ି ପଡ଼ି ଆଖି ବୁଜିଲା ସନା। ମଲାବେଳକୁ ମଇନାର ହାତ ଧରି କହିଥିଲା ମୋ ଝିଅକୁ ପାଠ ପଢ଼ାଇବୁ। ବଡ଼ ମଣିଷ କରିବୁ। ଆଖିରୁ ଲୁହ ପୋଛିଦେଇ ସେଇ ଦିନଠାରୁ ତିନି ବରଷର ଝିଅ ରେବକୁ ପାଠ ପଢେଇବାକୁ ନିଷ୍ପତ୍ତି ନେଇ ଦାଣ୍ଡକୁ ବାହାରିଲା ମଇନା। ଝିଅ ଛୁଆକୁ କାହା ପାଖରେ ଛାଡି କି ଯିବନି ବୋଲି ଗାଁ ଭିତରେ ବାବୁ ଘରେ ବାସି ପାଇଟି କରି ରେବକୁ ବଡ଼ କରି ଏବେ ତାକୁ ହାଇସ୍କୁଲରେ ନାମ ଲେଖେଇଛି। ସନା ବିନା ଦେହ ଓ ମନ ଭାଙ୍ଗି ଯାଇଥିଲେ ବି ରେବ ପାଠପଢି ବଡ଼ ମଣିଷ ହେବ ଭାବି ଆଖିରେ ଆଖିଏ ସ୍ବପ୍ନ ନେଇ ଆଗକୁ ପାଦ ବଢ଼ାଏ। ବାବୁ ଘରେ କାମ କଲାବେଳେ ବାବୁର ସେ ଖାଇଗଲା ଭଳି ଚାହାଣୀ ଜମା ଭଲ ଲାଗେ ନାହିଁ ତାକୁ। ଟିକିଏ ନିରୋଳା ପାଇଲେ ଥଟ୍ଟା କରିବାକୁ ଆଗେଇ ଆସେ ବାବୁ। ହେଲେ ମଇନାର ସେ ଗମ୍ଭୀର ମୁହଁକୁ ଦେଖି କିଛି କହି ପାରେନି। ବାବୁଆଣୀ ଭାରି ଭଲ ମଣିଷଟିଏ। ବାବୁର ଏ ବଦମାସି ଗୁଣ ଜାଣିକି ସବୁବେଳେ ଗୋଡ଼େଗୋଡ଼େ ଜଗିଥାନ୍ତି। ଭଲ ଦିନମାନଙ୍କରେ, ପୂଜା ପର୍ବରେ ତା ପାଇଁ ଓ ରେବ ପାଇଁ ଲୁଗାପଟା ଓ ସୁଆଦିଆ ଖାଇବାମାନ ଦିଅନ୍ତି। ବାବୁଆଣୀଙ୍କ ପାଇଁ ସେ ଘରେ ମଇନା କାମ କରେ ସିନା କିନ୍ତୁ ରେବ ବଢ଼ିଲା ଦିନରୁ ତାକୁ ଆଉ ବାବୁ ଘରକୁ ନିଏ ନାହିଁ। ରେବ ବଡ଼ ହେଲା ଦିନରୁ ତାର ବହୁତ ଚିନ୍ତା ବଢି ଯାଇଛି। କଞ୍ଚା ବୟସରେ ସନା ତାକୁ ଛାଡ଼ି ଗଲା ଦିନରୁ ଏ ମଣିଷ ରାକ୍ଷସଙ୍କ କବଳରୁ ନିଜକୁ କେମିତି ସିଏ ବଞ୍ଚେଇଛି ସିଏ ଜାଣିଚି। କିନ୍ତୁ ରେବ ତ କୁନି ଛୁଆଟିଏ। ସ୍କୁଲରୁ ଆଣିବାକୁ ଆଉ ଛାଡ଼ିବାକୁ ଗଲାବେଳେ ସିଏ ଦେଖିଚି କେମିତି ଡାହାଳ କୁକୁର ପରି ସେ ବଜାରି ଟୋକାଗୁଡ଼ା ଛକରେ ଠିଆ ହୋଇ କମେଣ୍ଟ ମାରୁଥାନ୍ତି। ଝିଅ ରେବ ସେ ସବୁ କିଛି ବୁଝି ପାରେନି। ଡେଇଁ ଡେଇଁ ଖୁସିରେ ତା ମା ସାଙ୍ଗରେ ଗପିଗପି ଚାଲିଥାଏ। ହେଲେ ମଇନାର ଆଖି ଚାରିଆେ ବୁଲୁଥାଏ, ସତେ ଯେମିତି ଗୋଟେ ବଳୟ କରିକରି ସିଏ ତା ଝିଅକୁ ସ୍କୁଲକୁ ନେଇଯାଏ। ଘରେ ସଞ୍ଜବେଳେ ଝିଅ ସହିତ ଗପଆଳରେ ବିଭିନ୍ନ କଥା ଜଣେଇଥାଏ। କାହାକୁ ଦେହରେ ହାତ ମରେଇ ଦେବୁନି, ଅଜଣା ଲୋକ ସହିତ କଥା ହେବୁନି ଓ ଏକୁଟିଆ କୁଆଡ଼େ ବି ଯିବୁନି ଏମିତି କେତେ କଣ। ନିଷ୍ପାପ ଛୁଆଟିଏ ଦୁନିଆ ବିଷୟରେ କିଛି ବି ଜାଣିନି। ତା ମୁଣ୍ଡରେ ଏତେ ସବୁ କଥା ପୂରେଇବାକୁ ଭଲ ଲାଗେନି ତାକୁ। ତଥାପି କେମିତି ଏତେ ବଡ଼ ଦୁନିଆରେ ତାକୁ ସୁରକ୍ଷିତ କରି ରଖିବ ସେଇ ଚିନ୍ତାରେ ସେ ବ୍ୟସ୍ତ ହୋଇ ପଡ଼େ। ରେବ ବହୁତ ଭଲ ପାଠ ପଢୁଛି। ସ୍କୁଲ ସାରଙ୍କଠୁ ଏ କଥା ଶୁଣିଲେ ତାର ସବୁ କଷ୍ଟ ଦୂର ହେଇ ଯାଏ। ୟାଡୁ ସ୍ୟାଡୁ ଏମିତି କଥା ଭାବୁ ଭାବୁ ଘଷି ପାରୁ ପାରୁ ପୁଣି ଥରେ ପାଟି କଲା ମଇନା, ଆଲୋ ପଢ଼ୁଛୁ ଟି? ହଁ ହଁ ବୋଉ। ତୁ ଏତେ ବଡ଼ ପାଟି କରନା। ମୁଁ ପାଠ ପଢୁଛି, ଘର ଭିତରୁ ଉତ୍ତର ଦେଲା ରେବ। ମୁରୁକି ହସି ମଇନା ହାତଧୋଇ ଘର ଭିତରକୁ ଆସି ରୋଷେଇ କଲା। କାଲି ସକାଳୁ ବାବୁଆଣୀ କହିଛନ୍ତି ମହାଷ୍ଟମୀ ପୂଜା ଅଛି। ଦୁର୍ଗା ପୁଜା। ଗାଧୋଇ ପାଧୋଇ ଜଲଦି ଆସିବୁ। ଝିଅକୁ ବି ନେଇକି ଆସିବୁ। ପୂଜାରେ ସାହାଯ୍ୟ କରିବୁ ଆଉ ମା ଝିଅ ଏଇଠି ପ୍ରସାଦ ଖାଇକି ଯିବ। ‘ଚାଲେ ଜଲଦି ଖାଇକି ଶୋଇ ପଡିବା ଲୋ ଝିଅ। ସକାଳୁ ସକାଳୁ ଗାଧୋଇ କି ବାବୁଆଣୀ ଘରକୁ ଯିବା ଦୁର୍ଗା ମାଙ୍କ ପୂଜାକୁ।’ ଖାଇସାରି ଶୋଇଲେ ମଇନା ଓ ତା ଝିଅ ରେବ। ସକାଳୁ ସକାଳୁ ଗାଧୋଇ ପାଧୋଇ ଚାଲିଲେ ବାବୁ ଘରକୁ ପୂଜା କରିବାକୁ। ଡେଇଁଡେଇଁ ଚାଲିଥାଏ ରେବ। ପଚାରୁ ଥାଏ ବୋଉ ଲୋ ଦୁର୍ଗା ମା’ କିଏ? ତାଙ୍କୁ କାହିଁକି ପୂଜା କରନ୍ତି? ମଇନା କହୁଥିଲା, ପୁରାଣ ଯୁଗରେ ଗୋଟେ ଦୁଷ୍ଟ ରାକ୍ଷସ ଥିଲା, ତା ନାଁ ମହିଷାସୁର। ତାକୁ କେହି ମାରି ପାରୁ ନ ଥିଲେ। ସେଥିପାଇଁ ଦେବତାମାନେ ମିଶି ମା’ ଦୁର୍ଗାଙ୍କୁ ପୂଜା କରି ଆବାହନ କଲେ। ମା’ ଦୁର୍ଗା ଆବିର୍ଭାବ ହୋଇ ତାକୁ ମାରିଲେ। ସେଥିପାଇଁ ଆଜି ଦିନରେ ତାଙ୍କ ପୂଜା କରାଯାଏ। ଓଃ! ଏତେ ବଳ ମା’ ଦୁର୍ଗାଙ୍କର! ଦେବତାମାନେ ମାରି ପାରିଲେନି, ସିଏ ଏକା ତାକୁ ମାରିଦେଲେ, କହି ଖୁସିରେ ଠୋ ଠୋ ତାଳି ମାରି ଡେଇଁଡେଇଁ ଚାଲିଲା ରେବ। ମା’ ଝିଅ ଦିହେଁ ପହଂଚିଲେ ବାବୁ ଘରେ। ବହୁତ ଜାକଜମକରେ ପୂଜାବିଧି ଚାଲିଥାଏ, ଘରେ ବନ୍ଧୁବାନ୍ଧବ ଭର୍ତ୍ତି। ମଇନାକୁ ଦେଖୁଦେଖୁ ବାବୁଆଣୀ ଡାକି ନେଲେ ତାକୁ। ଆଲୋ ଏତେ ଡେରି କରିଦେଲୁ, ଜଲଦି ଯା ଭୋଗଡାଲା ସଜାଡ଼ିବୁ, ନନା ଆସିଗଲେଣି। ଟିକେ ବୁଲିପଡ଼ି ରେବକୁ ଅନେଇ ଦେଇ କହିଲେ, ଇଲୋ ଇଲୋ ତୋ ଝିଅ ରେବ କି? ଏତେ ବଡ଼ ହେଇଗଲାଣି? ସୁନ୍ଦରିଆଟିଏ ହେଇଚି। ହଉହଉ ଆସେ, ବୋଉ ସାଙ୍ଗରେ। ପୂଜା ସରିଲେ ତୋତେ ପଇସା ଦେବି ନୂଆ ଡ୍ରେସ କିଣିବୁ। କହି ତରତର ହୋଇ ଭିତରକୁ ଗଲେ ବାବୁଆଣୀ। ପଛେପଛେ ମଇନା ଓ ରେବ। ପୂଜାର୍ଚ୍ଚନା ଚାଲିଥାଏ। ବନ୍ଧୁ ବାନ୍ଧବ ଖିଆପିଆ ଗହଳି ଲାଗିଥାଏ। କାମରେ ବ୍ୟସ୍ତ ମଇନା। ନଜର କିନ୍ତୁ ଥାଏ ତାର ରେବ ଉପରେ। ଆଗଣାରେ ଅନ୍ୟ ଛୁଆଙ୍କ ସହିତ ଖେଳୁଥାଏ। ପୂଜା ଚାଲିଥାଏ, ମା’ଙ୍କ ପୂଜା। ବହୁତ ପ୍ରକାର ଆୟୋଜନ କରାଯାଇଥାଏ। ଏ ଭିତରେ ବ୍ୟସ୍ତ ରହି ଯାଇଛି ମଇନା। ହଠାତ ମନେ ପଡ଼ିଲା ରେବ କଥା। ଘର ଭିତରୁ କଣେଇ କି ଅନେଇଲା ଅଗଣା ଆଡ଼େ। କାହିଁ ଦିଶୁନି ରେବ। ହଁ ସେଇ ଛୁଆମାନଙ୍କ ସହିତ ବୋଧେ ସେ ପାଖକୁ ଯାଇଥିବ। ପୁଣି କାମରେ ମନ ଦେଲା। ବାବୁଆଣୀ ଆସିଲେ। ଆଲୋ ମଇନା, ଆଜି ତ ଦିନରାତି ପୂଜା ଚାଲିବ।ତୁ ଯା’ ଖାଇଦେବୁ। ରେବକୁ ଡାକି ଆଣେ ମିଶିକି ଖାଇଦିଅ। ଟିକେ ବିଶ୍ରାମ ନେଇ ପୁଣି ସନ୍ଧ୍ୟାପୂଜାର ଆୟୋଜନ କରିବା ଯେ। ଉଠିଲା ମଇନା। ଅଗଣାକୁ ଆସି ଦେଖିଲା ରେବ ନାହିଁ। ବୋଧେ ବାଡ଼ିପଟେ ଛୁଆଙ୍କ ସହିତ ଖେଳୁଥିବ। ରେବ ଲୋ.. ରେବ.., ଡାକିଡାକି ବାଡ଼ିପଟକୁ ଗଲା। ନା ଏଠି ବି ନାହିଁ। କୁଆଡେ ଗଲା? ମନଟା ଟିକେ ଦବିଗଲା। ଛୁଆମାନେ ଖାଇ ବସିଥିଲେ। ସେଠି ବି ନାହିଁ। ପଚାରିଲା ରେବ କାହିଁ? ସେମାନେ କହିଲେ ଖେଳୁଥିଲା ତ ଆମ ସହିତ। କୁଆଡ଼େ ଗଲା ଆମେ ଦେଖିନୁ। ମନ ପାପ ଛୁଇଁଲା ମଇନାର। ତରତର ହୋଇ ଦୌଡ଼ିଦୌଡ଼ି ପାଟିକରି ରେବ ଲୋ ..ରେବ.. ଡାକି ଡାକି ଏ ଖଞ୍ଜାରୁ ସେ ଖଞ୍ଜା ଖୋଜି ବୁଲିଲା ମଇନା। ତା ପାଟିଶୁଣି ବାବୁଆଣୀ ଓ କିଛି ଲୋକମଧ୍ୟ ତା ପଛେ ପଛେ ଧାଇଁଥାନ୍ତି। ବାବୁଆଣୀ ପଚାରୁଥାନ୍ତି, ବାବୁ କାହାନ୍ତି? କୁଆଡ଼େ ଗଲେ କି? ମଇନା ସେମିତି ଧଇଁ ସଇଁ ହୋଇ ଦୌଡୁ ଥାଏ। ରେବ ଲୋ ..ରେବ .। ଦୌଡ଼ିଦୌଡ଼ି ମଇନା ଯାଇ ପହଁଚିଲା ଧାନ ଘରେ। ବାବୁ ଘରର ଧାନ ଘର। ବର୍ଷସାରାର ଧାନ ସଂଗ୍ରହ ହୋଇ ରହେ ସେ ଘରେ। କବାଟ ଖୋଲା ଅଛି ଧାନ ଘରର। ଧାଇଁ ପଶିଗଲା ମଇନା। ଗୋଟେ କଣକୁ ଚୁପ ହୋଇ ଠିଆ ହୋଇଛି ରେବ। ଜାମା ପଟା ଛିଣ୍ଡି ଯାଇଛି, କେଶ ଅସ୍ତ ବ୍ୟସ୍ତ, ଅଥଚ ସ୍ଥିର ହୋଇ ଠିଆ ହୋଇଛି ଆଉ ହାତରେ ଗୋଟେ ଛୋଟ ଲୁହା ଗଇଁତିଟିଏ ରକ୍ତ ଜୁଡୁବୁଡୁ ହୋଇଛି। ଦୌଡ଼ି ଯାଇ କୁଣ୍ଢେଇ ପକେଇଲା ରେବକୁ ମଇନା। କ’ଣ ହେଇଛି ଲୋ ମୋ ଝିଅର? କିଏ ତୋତେ ଏମିତି କଲା? ସେମିତି ସ୍ଥିର ଆଉ ଗମ୍ଭୀର କଣ୍ଠରେ ରେବ କହିଲା ବୋଉ ଲୋ, ମା’ ଦୁର୍ଗା ଆସିଥିଲେ। ମୋର କିଛି ହୋଇନି। ହେଇ ଦେଖ ସେଠି କେମିତି ମରି ପଡ଼ିଛି ମହିଷାସୁର। ଚମକି ବୁଲିପଡ଼ି ଦେଖିଲା ମଇନା। ବାବୁର ରକ୍ତ ଜୁଡୁବୁଡୁ ଶରୀର ପଡିଛି। ସବୁକିଛି ବୁଝି ପାରୁଥିଲା ମଇନା। ବୁଝିପାରୁଥିଲା ସିଏ ତା ରେବ ଆଜି ବଡ଼ ହେଲା। ପଛପଟୁ ବାବୁଆଣୀ ଆସି ମୁଣ୍ଡିଆ ମାରି ଗୁଣୁଗୁଣୁ ହେଉଥିଲେ.. ଯା ଦେବୀ ସର୍ଭୂତେଷୁ ...। ମୋ- ୯୪୩୮୨୭୨୧୫୨