ଥୁତୁକୁଡି ନରସଂହାରରୁ ଚେତିବା

ଥୁତୁକୁଡି ନରସଂହାରରୁ ଚେତିବା

ସରଳ କୁମାର ଦାସ ୨୦୧୮ ମେ ମାସ ୨୨ ତାରିଖ ଦିନ ତାମିଲନାଡୁର ଟୁଟିକୋରିନ ନିକଟସ୍ଥ ଥୁତୁକୁଡିଠାରେ ବେଦାନ୍ତ ଗୋଷ୍ଠୀର ଷ୍ଟର୍ଲାଇଟ ତମ୍ବା କାରଖାନାର ସମ୍ପ୍ରସାରଣକୁ ବିରୋଧ କରି ହେଉଥିବା ଜନ ଆନ୍ଦୋଳନ ଉପରେ ପୁଲିସର ଗୁଳିଚାଳନା ଯୋଗୁ ୧୩ ଜଣ ନିରୀହ ଲୋକଙ୍କ ପ୍ରାଣ ହାନି ଘଟିଲା, ଯାହା ଓଡିଶାର କଳିଙ୍ଗନଗର ଗୁଳିକାଣ୍ଡର ସ୍ମୃତିକୁ ପୁଣି ଥରେ ଉଜ୍ଜୀବିତ କଲା। ତାମିଲନାଡୁ ସରକାର ଜନ ଆକ୍ରୋଶର ସାମନା କରି ନପାରି କାରଖାନାଟିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହେଲେ। ତଥାକଥିତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ଚାଲିଥିବା ଏହି ଅହରହ ସଂଘର୍ଷରେ ସରକାରଙ୍କ ଭୂମିକା ସନ୍ଦେହର ଊର୍ଦ୍ଧ୍ବରେ ନ ରହିଲେ ପରିଣତି ଏହିଭଳି ଦୁଃଖଦାୟକ ଓ ଭୟାବହ ହୋଇଥାଏ। ଷ୍ଟର୍ଲାଇଟ କାରଖାନାଟି ପ୍ରଥମେ ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳରେ ୧୯୯୩ରେ ପ୍ରତିଷ୍ଠା ହେବାର ଥିଲା, ଯାହା ପ୍ରବଳ ଜନ ବିରୋଧ ଯୋଗୁ ସେଠାରେ ହୋଇପାରିଲା ନାହିଁ। ତେବେ କାରଖାନାଟି ୧୯୯୮ରେ ଟୁଟିକୋରିନଠାରେ ପ୍ରତିଷ୍ଠା ହେବା ଦିନଠାରୁ ସବୁବେଳେ ବିବାଦ ଘେରରେ ରହି ଆସିଛି ଓ ଅନେକ ଥର ବନ୍ଦ ହୋଇଛି ମଧ୍ୟ। ତେବେ ଏଥର ବିରୋଧର ମୁଖ୍ୟ କାରଣ ଥିଲା କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୪ ଲକ୍ଷ ଟନରୁ ବଢାଇ ୮ ଲକ୍ଷ ଟନ କରିବା ପାଇଁ କମ୍ପାନୀର ଆବେଦନ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଆଗ୍ରହ ପ୍ରଦର୍ଶନ। ଅତୀତରେ କାରଖାନାର ବର୍ଜ୍ୟବସ୍ତୁ ପରିଚାଳନା ସନ୍ତୋଷଜନକ ନହୋଇ ସେ ଅଞ୍ଚଳର ଜଳ, ସ୍ଥଳ ଓ ବାୟୁକୁ ପ୍ରଦୂଷିତ କରୁଥିବାର ଅଭିଯୋଗ ହୋଇ ଆସୁଥିଲା। ତା ସତ୍ତ୍ବେ କମ୍ପାନୀ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇ ନଥିଲେ ମଧ୍ୟ କାରଖାନାର ସମ୍ପ୍ରସାରଣ ପାଇଁ କମ୍ପାନୀକୁ ଅଧିକ ଜମି ଯୋଗାଇ ଦେବା ସହ ଅନୁମତି ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଗ୍ରହ ଲୋକଙ୍କୁ ଉତ୍ତ୍ୟକ୍ତ କଲା। କମ୍ପାନୀ କର୍ତ୍ତୃପକ୍ଷଙ୍କ କେନ୍ଦ୍ର ସରକାରଙ୍କ ସହ ସନ୍ନିକଟତା ଯୋଗୁ ରାଜ୍ଯ ସରକାରଙ୍କ ଉପରେ ଚାପ ପଡୁଥାଇ ପାରେ ବୋଲି ସାଧାରଣରେ ଧାରଣା ଜନ୍ମିବାରୁ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ଜୋର ଧରିଲା। ସେହି ଅଞ୍ଚଳରେ ଆଖି ଓ ଗଳା କର୍କଟ ରୋଗ ବ୍ୟାପୁଥିବା ଦର୍ଶାଇ ୧୦୦ ଦିନ ଧରି ପ୍ରଦର୍ଶନକାରୀମାନେ କାରଖାନାକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ। ଏହି କାରଖାନା ବନ୍ଦ ହେବାର ସରକାରୀ ନିଷ୍ପତ୍ତି ପରେ ଦେଶର ଅର୍ଥନୀତି ଉପରେ ପଡିବାକୁ ଥିବା ସମ୍ଭାବ୍ୟ ପରିଣାମ ଉପରେ ଗଣମାଧ୍ୟମରେ ତଥ୍ୟମାନ ଏପରି ଉପସ୍ଥାପିତ କରାଗଲା ଯେପରି ଏହି ଗୋଟିଏ କାରଖାନା ବନ୍ଦ ହୋଇଗଲେ ତାମିଲନାଡୁର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିବ ଓ ତମ୍ବା ପାଇଁ ଭାରତକୁ ବାରଦୁଆର ଶୁଣ୍ଢିପିଣ୍ଡା ହେବାକୁ ହେବ। ଏ କଥା ସତ ଯେ କାରଖାନା ବନ୍ଦ ହେଲେ ଦେଶର ଶତକଡା ୪୦ ଭାଗ ଉତ୍ପାଦନ କମିଯିବ। ତେବେ ବର୍ତ୍ତମାନ ଦେଶରେ ହିନ୍ଦୁସ୍ତାନ କପର, ହିନ୍ଦାଲକୋ ଓ ଷ୍ଟର୍ଲାଇଟ କପର ଭଳି ଯେଉଁ ତିନୋଟି ପ୍ରମୁଖ ତମ୍ବା ଉତ୍ପାଦନକାରୀ କମ୍ପାନୀ ଅଛନ୍ତି ସେମାନଙ୍କର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ଦଶ ଲକ୍ଷ ଟନ। ଦେଶରେ ତମ୍ବାର ଚାହିଦା ବାର୍ଷିକ ୬.୫ ଲକ୍ଷ ଟନ ଯେଉଁଥିରୁ ୪.୩ ଲକ୍ଷ ଟନ ଦେଶୀୟ କମ୍ପାନୀଗୁଡିକ ପୂରଣ କରୁଥିବା ବେଳେ ଅବଶିଷ୍ଟ ଆବଶ୍ୟକତା ଆସିଆନ ଦେଶମାନଙ୍କଠାରୁ ଆମଦାନୀ ଜରିଆରେ ପୂରଣ ହୋଇଥାଏ। ଏହି ଦେଶମାନଙ୍କ ସହ ଭାରତ ମୁକ୍ତ ବ୍ୟାପାର ଚୁକ୍ତି କରିଥିବାରୁ ତମ୍ବା ଆମଦାନୀ ଉପରେ କୌଣସି ଶୁଳ୍କ ନପଡ଼ି ଦରଗତ କୌଣସି ପାର୍ଥକ୍ୟ ରହି ନଥାଏ। ଅନ୍ୟ ପକ୍ଷରେ ଷ୍ଟର୍ଲାଇଟ ସମେତ ଭାରତରେ ଉତ୍ପାଦିତ ତମ୍ବା ଏବେ ବି ବିଭିନ୍ନ ଦେଶକୁ ରପ୍ତାନୀ ହେଉଛି। ତେଣୁ କାରଖାନା ଉପରେ ନିର୍ଭରଶୀଳ ୮୦୦ରୁ ଊର୍ଦ୍ଧ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କଞ୍ଚାମାଲ ଚାହିଦା ପୂରଣ ହେବାରେ ଅସୁବିଧା ହୋଇ ନପାରେ। ତେବେ କାରଖାନା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଯଥାକ୍ରମେ ୩୫୦୦ କର୍ମଚାରୀ ଓ ପ୍ରାୟ ୨୫ ହଜାର ଲୋକଙ୍କ ବିକଳ୍ପ ନିଯୁକ୍ତି ସମ୍ପର୍କରେ ସରକାରଙ୍କୁ ଚିନ୍ତା କରିବାକୁ ହେବ। ଭାରତର ଭିତ୍ତିଭୂମି ଓ ଅର୍ଥନୈତିକ ବିକାଶରେ ତମ୍ବାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ ଯେନତେନ ପ୍ରକାରେଣ ପରିବେଶ ଓ ଜନସ୍ବାର୍ଥକୁ ଜଳାଞ୍ଜଳି ଦେଇ ତମ୍ବାର ଉତ୍ପାଦନ ବଢାଇବା କେତେ ଦୂର ସମୀଚୀନ। ଓଡିଶା ଖଣିଜ ସମ୍ପଦରେ ଭରା ଏକ ରାଜ୍ୟ ହୋଇଥିବାରୁ ଏଠାରେ ଉଭୟ ଖଣି ଓ ଶିଳ୍ପଗୁଡିକ ଦ୍ବାରା ପରିବେଶ ଆଇନର ଖୋଲାଖୋଲି ଉଲ୍ଲଂଘନ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। ଖଣିମାନଙ୍କରୁ ଖୋଲା ଟ୍ରକରେ ଖଣିଜ ପଦାର୍ଥ ପରିବହନ ଓ ଖଣିଜ ଦ୍ରବ୍ୟ ପରିବହନ ହେଉଥିବା କଚ୍ଚା ରାସ୍ତାରେ ଜଳ ସିଞ୍ଚନର ବ୍ୟବସ୍ଥା ନ ହୋଇ ଧୂଳି ଉଡି ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟୁଛି। ସେହିପରି ଶିଳ୍ପାଞ୍ଚଳମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନଥିବାରୁ ନଦୀ, ନାଳ, ଭୂତଳ ଜଳ, ଚାଷ ଜମି, ବାୟୁ ଆଦି ପ୍ରଦୂଷିତ ହୋଇ ସାଧାରଣ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସ୍ଥଳ ବିଶେଷରେ ଲୋକେ କାଁ ଭାଁ ଏହା ବିରୁଦ୍ଧରେ ସ୍ବର ଉଠାଇଲେ ମଧ୍ୟ ଖଣି ଓ କାରଖାନା ମାଲିକଙ୍କ ଧନ ବଳ ଓ ପହଞ୍ଚ ଆଗରେ ତାହା ନିଷ୍ପ୍ରଭ ହୋଇଯାଉଛି। ଥୁତୁକୁଡି ଜନତାଙ୍କ ବଳିଦାନ ହୁଏତ ଓଡିଶାର ଜନତାଙ୍କୁ ଉଦବୁଦ୍ଧ କରି ସେମାନଙ୍କୁ ଆଖପାଖର ପରିବେଶକୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରେରଣା ଦେବ। ପରିବେଶ ସୁରକ୍ଷା ସମ୍ପର୍କରେ ଓଡ଼ିଶାରେ ସଚେତନତା ସେତେ ଅଧିକ ନଥିଲେ ମଧ୍ୟ ଏ ନେଇ ଦେଶର ସଫଳତମ ଆନ୍ଦୋଳନ ସଂଘଟିତ ହୋଇଛି ଏଇ ଓଡ଼ିଶାରେ, ଡଙ୍ଗରିଆ କନ୍ଧଙ୍କ ନିୟମଗିରି ଆନ୍ଦୋଳନ ମାଧ୍ୟମରେ। ସେହି ଆନ୍ଦୋଳନ ଜାତୀୟ ତଥା ଆନ୍ତର୍ଜାତୀୟ ସମର୍ଥନ ହାସଲ କରିବାକୁ ସକ୍ଷମ ହେବା ସହିତ ସରକାରଙ୍କୁ ବେଦାନ୍ତ ପ୍ରୀତିରୁ କ୍ଷାନ୍ତ ରହିବାକୁ ବାଧ୍ୟ କରିଥିଲା। ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ସେହି ଆନ୍ଦୋଳନକୁ ଆହୁରି ବ୍ୟାପକ କରି ଜନ ସଚେତନତାକୁ ବୃଦ୍ଧି କରିବାକୁ ହେବ। ଏହା କେବଳ କିଛି ଉତ୍ସର୍ଗୀକୃତ ପରିବେଶ ଯୋଦ୍ଧାଙ୍କ ଦ୍ବାରା ସମ୍ଭବ। ରାଜ୍ୟରେ ଥିବା ବିଭିନ୍ନ ଖଣି ଓ ଶିଳ୍ପ ପରିବେଶକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହା ଚିହ୍ନଟ କରି ଲିପିବଦ୍ଧ କରିବା ସହ ସରକାରଙ୍କ ଦୃଷ୍ଟିକୁ ଆଣିବା ଉଚିତ। ପରିବେଶ ସୁରକ୍ଷା ଆନ୍ଦୋଳନ ସହ ସମ୍ପୃକ୍ତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନଙ୍କ ସହ ସମ୍ପର୍କ ରଖି କାମ କଲେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସମସ୍ୟା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଥାଏ ଓ ଶକ୍ତିଶାଳୀ ପୁଞ୍ଜିପତିଙ୍କୁ ସାମନା କରିହୁଏ। ଏହାର ଅର୍ଥ ଆଦୌ ନୁହେଁ ଯେ ଶିଳ୍ପ ପ୍ରତିଷ୍ଠାକୁ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ଏ ସବୁ କରିବା, ବରଂ ଶିଳ୍ପଗୁଡିକ ଦେଶର ପରିବେଶ ସଂକ୍ରାନ୍ତୀୟ ଆଇନର ଅନୁପାଳନ କରୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା। ଷ୍ଟର୍ଲାଇଟ କମ୍ପାନୀ କର୍ତ୍ତୃପକ୍ଷଙ୍କ ମତରେ ଥୁତୁକୁଡିର ସାଧାରଣ ଜନତାଙ୍କୁ ଉସୁକାଇବା ପଛରେ କିଛି ବିକାଶ-ବିରୋଧୀ ଶକ୍ତିଙ୍କ ହାତ ରହିଛି। କର୍ପୋରେଟ ଦୁନିଆର ଅଧିକାଂଶ ଲୋକ ବିକାଶ କହିଲେ କେବଳ ଅର୍ଥନୈତିକ ଅଗ୍ରଗତିକୁ ହିଁ ବୁଝନ୍ତି ଓ ସେମାନଙ୍କ ସାମାଜିକ ଦାୟିତ୍ବ କଥା ସମ୍ପୂର୍ଣ୍ଣ ପାଶୋରି ଦେଇଥାନ୍ତି। କେହି କେହି ସାମାଜିକ ଦାୟିତ୍କୁ ଏପରି ଭାବେ ନିର୍ବାହ କରିଥାନ୍ତି ଯେପରି ଏହା ସେମାନଙ୍କର କର୍ତ୍ତବ୍ୟ ନହୋଇ ଲୋକଙ୍କ ପ୍ରତି ଦୟା ସଦୃଶ ପ୍ରତୀୟମାନ ହୋଇଥାଏ। ପରିତାପର ବିଷୟ ଆମର ରାଜନେତା ଓ ବୁଦ୍ଧିଜୀବୀଙ୍କ ମଧ୍ୟରୁ ଅନେକେ ବିକାଶର ସେହି ଅର୍ଥଟିକୁ ହିଁ ସମଗ୍ର ବିକାଶ ବୋଲି ଧରି ନେଉଛନ୍ତି। ଅର୍ଥନୈତିକ ବିକାଶ ହୁଏତ ସମୃଦ୍ଧି ଆଣି ଦେଇପାରେ। କିନ୍ତୁ ତା ସହିତ ସାମାଜିକ, ରାଜନୈତିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ପରିବେଶଗତ ବିକାଶ ଆଦି ସମ୍ମିଳିତ ନହେଲେ ତାହା ତଥାକଥିତ ବିକାଶରେ ପରିଣତ ହୋଇ ଏକତରଫା ଭାବେ କେବଳ ମୁଷ୍ଟିମେୟ ଲୋକଙ୍କୁ ଲାଭ ପହଞ୍ଚାଇଥାଏ ଓ ସମାଜର ପ୍ରଭୁତ କ୍ଷତିସାଧନ କରିଥାଏ। ତେଣୁ ଲୋକଙ୍କ ଭାବାବେଗକୁ ନବୁଝି ତାଙ୍କ ଉପରେ ଥୋପି ଦିଆଯାଉଥିବା ତଥାକଥିତ ବିକାଶର ଖସଡା ସେମାନଙ୍କ ଦ୍ାରା ଗ୍ରହଣୀୟ ନହୋଇ ବିରୋଧର ସମ୍ମୁଖୀନ ହୁଏ। ଫଳସ୍ବରୂପ ଅନେକ ସମୟରେ ଜନସ୍ବାର୍ଥର ପ୍ରଶ୍ନ ଉଠାଉଥିବା ବ୍ୟକ୍ତି ବିଶେଷ ଓ ଏନଜିଓମାନଙ୍କୁ ଜାତୀୟ ସ୍ବାର୍ଥ ବିରୋଧୀ ଆଖ୍ୟା ଦେବାକୁ ସରକାର ମଧ୍ୟ ପଛାଇ ନଥାନ୍ତି। ପରିବେଶକୁ କ୍ଷତି ପହଞ୍ଚାଇ ଯେଉଁ ବିକାଶର ସ୍ବପ୍ନ ଦେଖାଯାଏ ତାହା ଦୀର୍ଘସ୍ଥାୟୀ ନୁହେଁ ଓ ସେଥିପାଇଁ ଦେଶବାସୀଙ୍କୁ ଅନେକ ମୂଲ୍ୟ ଦେବାକୁ ହୋଇଥାଏ। କର୍ପୋରେଟ ଚାନ୍ଦାରେ ନିର୍ବାଚନ ଲଢି ଶାସନକୁ ଆସୁଥିବା ରାଜନୈତିକ ଦଳମାନେ ସେମାନଙ୍କ ସ୍ବାର୍ଥରକ୍ଷା ପାଇଁ ଜନସ୍ବାର୍ଥ ଓ ପରିବେଶ ସୁରକ୍ଷା ପ୍ରଶ୍ନକୁ ଅଣଦେଖା କରିବା ସ୍ବାଭାବିକ। ତେଣୁ ପରିବେଶ ସୁରକ୍ଷା ନେଇ ଜନସାଧାରଣଙ୍କୁ ଚେତିବାକୁ ହେବ। କାରଣ ଏଥି ସହ ସେମାନଙ୍କ ସମଗ୍ର ଅସ୍ତିତ୍ବ ପ୍ରସଙ୍ଗ ଜଡିତ। ଆବଶ୍ୟକ ହେଲେ ଏଥିପାଇଁ ଶାନ୍ତିପୂର୍ଣ୍ଣ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନର ପ୍ରସ୍ତୁତି ରହିଲେ ତା’ର ପ୍ରଭାବରେ ହୁଏତ ସରକାର ମଧ୍ୟ କର୍ପୋରେଟ ପ୍ରୀତି ଛାଡି ଚେତିବାକୁ ଆରମ୍ଭ କରିବେ। ୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ ଭୁବନେଶ୍ବର - ୭୫୧୦୧୨ ମୋ. ୯୪୩୭୦୩୮୦୧୫

Share :