ଦେଶର ସବୁଠୁ ଗରୀବ କିଏ?

ଦେଶର ସବୁଠୁ ଗରୀବ କିଏ?

Share :

ସୂର୍ଯ୍ୟମଣି ମିଶ୍ର ଭାରତରେ ମୋଟ ୪୧୨୦ ଏମ୍ଏଲ୍ଏ ଏବଂ ୪୬୨ ଏମ୍ଏଲ୍ସି ଅର୍ଥାତ୍ ମୋଟ ୪,୫୮୨ ବିଧାୟକ। ପ୍ରତି ବିଧାୟକଙ୍କ ପାଇଁ ବେତନ, ଭତ୍ତା ମିଶି ପ୍ରତି ମାସ ୨ ଲକ୍ଷ ଖର୍ଚ୍ଚ ହୋଇଥାଏ। ଅର୍ଥାତ୍ ୯୧ କୋଟି ୬୪ ଲକ୍ଷ ଟଙ୍କା ପ୍ରତି ମାସ, ଏହି ହିସାବରେ ପ୍ରତିବର୍ଷ ହାରାହାରି ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ! ଭାରତର ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ମୋଟ ୭୭୬ ସାଂସଦ। ଏହି ସାଂସଦଙ୍କୁ ବେତନ, ଭତ୍ତା ମିଶି ପ୍ରତିମାସ ୫ ଲକ୍ଷ ଟଙ୍କା ଦିଆଯାଇଥାଏ। ଅର୍ଥାତ୍ ମୋଟ ସାଂସଦଙ୍କ ବେତନ, ଭତ୍ତା ମିଶି ପ୍ରତି ମାସ ୩୮ କୋଟି ୮୦ ଲକ୍ଷ ଟଙ୍କା। ପ୍ରତିବର୍ଷ ଏହି ସାଂସଦଙ୍କ ୪୬୫ କୋଟି ୬୦ ଲକ୍ଷ ଟଙ୍କା ବେତନ ଓ ଭତ୍ତା ବାବଦରେ ଦିଆଯାଇଥାଏ। ଅର୍ଥାତ୍ ଭାରତର ବିଧାୟକ ଏବଂ ସାଂସଦଙ୍କ ପାଇଁ ଭାରତର ପ୍ରତିବର୍ଷ ୧୫ ଅରବ ୬୫ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। (୧ ଅରବ ଙ୍ଗ ୧୦୦୦ କୋଟି)। ଏହା ତ କେବଳ ବିଧାୟକ ଓ ସାଂସଦଙ୍କ ମୂଳ ବେତନ ଓ ଭତ୍ତାର ବିବରଣୀ। ଏହାବ୍ୟତୀତ ଘର, ଖାଦ୍ୟ, ଭ୍ରମଣ ଭତ୍ତା, ଚିକିତ୍ସା, ବିଦେଶ ଗସ୍ତର ଖର୍ଚ୍ଚ ପୃଥକ ଅଛି। ଏକ ଆକଳନ ଅନୁଯାୟୀ ଏ ବାବଦରେ ଅର୍ଥାତ୍ ବିଧାୟକ ଓ ସଂସଦଙ୍କ ପାଇଁ ୩୦ ଅରବ ଟଙ୍କା ଖର୍ଚ୍ଚ ହୋଇଥାଏ। ବିଧାୟକ ସୁରକ୍ଷା ପାଇଁ ଦୁଇ ବଡି ଗାର୍ଡ (ଅଙ୍ଗରକ୍ଷୀ) ଏବଂ ଗୋଟିଏ ସେକ୍ସନ୍ ହାଉସ୍ ଗାର୍ଡ ଅର୍ଥାତ୍ ଅତି କର୍ମରେ ୫ ପୁଲିସ୍ କର୍ମୀ ବା ୭ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥାଏ। ୭ ପୁଲିସ୍ କର୍ମଚାରୀଙ୍କ (ହାରାହାରି ୨୫ ହଜାର ଟଙ୍କା ମାସିକ ବେତନ ଜଣପିଛା) ବାବଦରେ ମୋଟ ୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏଇ ହିସାବରେ ୪୫୮୨ ବିଧାୟକଙ୍କ ସୁରକ୍ଷା ପାଇଁ ବାର୍ଷିକ ହାରାହାରି ୯ ଅରବ ୬୫ କୋଟି ୨୨ ଲକ୍ଷ ଟଙ୍କା ପ୍ରତିବର୍ଷ ଖର୍ଚ୍ଚ ହୋଇଥାଏ। (୧ ଅରବ ଙ୍ଗ ୧୦୦୦ କୋଟି)। ଏହି ପ୍ରକାର ସାଂସଦଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ୧୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଜେଡ୍ ଶ୍ରେଣୀର ସୁରକ୍ଷାପ୍ରାପ୍ତ ନେତା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ହାରାହାରି ୧୬ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଥାନ୍ତି। ଏ ବାବଦରେ ୭୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ପ୍ରକାର କ୍ଷମତାଧାରୀ ନେତାଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ହାରାହାରି ୨୦ ଅରବ ଟଙ୍କା ଖର୍ଚ୍ଚ ହୋଇଥାଏ। ଅର୍ଥାତ୍ ପ୍ରତିବର୍ଷ ନେତାଙ୍କ ପାଇଁ ଅତି କମ୍ରେ ୫୦ ଅରବ ଟଙ୍କା ଖର୍ଚ୍ଚ ହୋଇଥାଏ। (୧ ଅରବ ସମାନ ୧୦୦୦ କୋଟି)।ଏହି ଖର୍ଚ୍ଚରେ ରାଜ୍ୟପାଳ, ଭୂତପୂର୍ବ ନେତାଙ୍କ ପେନ୍ସନ୍, ପାର୍ଟିର ନେତା, ପାର୍ଟି ଅଧ୍ୟକ୍ଷ, ଏମାନଙ୍କ ସୁରକ୍ଷା ଆଦି ଖର୍ଚ୍ଚ ପୃଥକ। ଏହି ନେତାମାନଙ୍କର ଖର୍ଚ୍ଚକୁ ଯଦି ଯୋଡ଼ାଯିବ, ତେବେ ମୋଟ ଖର୍ଚ୍ଚ ହାରାହାରି ୧୦୦ ଅରବ ଟଙ୍କା ହୋଇଯିବ। ଏବେ ନାଗରିକମାନେ ଚିନ୍ତା କରିବା ଉଚିତ ହେବ ଯେ, ଆମେ ପ୍ରତିବର୍ଷ ନେତାଙ୍କ ପାଇଁ ହାରାହାରି ୧୦୦ ଅରବ ଟଙ୍କା ଖର୍ଚ୍ଚ କରୁଛୁ। ଆମ ଟିକସ ଅର୍ଥ ନେତାଙ୍କ ବେତନ, ଭତ୍ତା, ସୁରକ୍ଷା ପାଇଁ ଏହି ପରିମାଣରେ ଖର୍ଚ୍ଚ ହେଉଛି। ଏହା ବଦଳରେ ଦେଶର ଗରିବ ଲୋକଙ୍କୁ କ’ଣ ମିଳୁଛୁ ? ଭାରତର ଲୋକଙ୍କ ଟିକସ ଅର୍ଥରୁ ୧୦୦ ଅରବ ଟଙ୍କା ଖର୍ଚ୍ଚ ହେଉଛି ନେତାଙ୍କ ପାଇଁ। ନିର୍ବାଚନ ଖର୍ଚ୍ଚ ଉପରେ ପ୍ରତିବନ୍ଧକ ଲଗାଯିବା ଦରକାର। ନେତା କେବଳ ଟେଲିଭିଜନ୍ (ଟିଭି) ମାଧ୍ୟମରେ କେବଳ ପ୍ରଚାର କରିପାରିବେ। ଅନ୍ୟ ଏକ ପ୍ରସ୍ତାବ ହେଉଛି ନେତାଙ୍କ ବେତନ, ଭତ୍ତା ଉପରେ ପ୍ରତିବନ୍ଧ ଲଗାଯାଉ। ଦେଶର ପ୍ରଧାନମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ସଂପର୍କିତ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଉଚିତ ହେବ। ଦେଶରୁ ଦାରିଦ୍ର୍ୟ ଦୂର ପାଇଁ ସାଂସଦ ଭବନରେ ଥିବା କ୍ୟାଣ୍ଟିନ୍ ଭଳି ପ୍ରତି ୧୦ କିଲୋମିଟରରେ ଗୋଟିଏ କ୍ୟାଣ୍ଟିନ୍ ଖୋଲାଯାଉ। ଏହି କ୍ୟାଣ୍ଟିନ୍ରେ ସାଂସଦ ଭବନ କ୍ୟାଣ୍ଟିନ୍ ଭଳି ସମସ୍ତଙ୍କୁ ୨୯ ଟଙ୍କାରେ ପେଟପୂରା ଖାଇବାକୁ ମିଳୁ। ଏହାଦ୍ୱାରା ଦେଶର ୮୦ ଭାଗ ଲୋକଙ୍କ ପରିବାର ପୋଷଣ ଦାୟିତ୍ୱ ଶେଷ ହୋଇଯିବ। ନା ଦରକାର ହେବ ସାଧାରଣ ନାଗରିକଙ୍କ ପାଇଁ ସିଲିଣ୍ଡର ନା ରାସନ। ଏହାଦ୍ୱାରା ଗୃହିଣୀ ମଧ୍ୟ ଖୁସି ହେବେ। ଏହାପରେ ସମସ୍ତେ କହିବେ, ସବ୍କା ସାଥ, ସବ୍କା ବିକାଶ। ସବୁଠାରୁ ବଡ଼ ଫାଇଦା ହେବ ସରକାରଙ୍କ ପାଇଁ, ଆଉ ୧ ଟଙ୍କାରେ ଚାଉଳ କି ଗହମ ଦେବାକୁ ପଡ଼ିବ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ୍ରଆଉ କହିବାକୁ ପଡ଼ିବନି-ମିଡିଲ୍ କ୍ଲାସ୍ ଲୋକ ନିଜ ହିସାବରେ ଘର ଚଳାନ୍ତୁ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ ଦେଶ ଓ ରାଜ୍ୟରେ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରିପାରିବେ। ଦେଶର ସାଧାରଣ ନାଗରିକ ଜାଣିବା ଉଚିତ ହେବ ଯେ, ଦେଶରେ ଏପରି ଗୋଟିଏ ଯାଗା ଅଛି, ଯେଉଁଠି ନିମ୍ନ ତାଲିକା ମୁତାବକ ସବୁଠୁ ଶସ୍ତାରେ ଖାଦ୍ୟ ସାମଗ୍ରୀ ମିଳେ। ଚା- ୧ ଟଙ୍କା, ସୁପ୍- ୫.୫୦, ଡାଲି- ୧.୫୦, ଭାତ- ୩ ଟଙ୍କା, ଚପାତି- ୧ ଟଙ୍କା, ଚିକେନ୍- ୨୪.୫୦, ଦୋସା- ୪ ଟଙ୍କା, ବିରିଆନି- ୮ ଟଙ୍କା, ମାଛ- ୧୩ ଟଙ୍କା। ଏସବୁ ଖାଦ୍ୟ ସାମଗ୍ରୀ କେବଳ ଗରିବଙ୍କ ପାଇଁ ଏବଂ ଏସବୁ ମିଳିବା ସ୍ଥାନ ଭାରତର ସଂସଦ କ୍ୟାଣ୍ଟିନ୍ରେ। ଏହି ଗରିବଙ୍କ ପାଇଁ ମାସିକ ୮୦ ହଜାର ଟଙ୍କା ବିନା ଇନ୍କମ୍ ଟ୍ୟାକ୍ସରେ। ଦେଶର ଗରିବଙ୍କ ପାଇଁ ମାପକାଠି ହେଉଛି, ସେ ହିଁ ଗରିବ, ଯିଏ ୩୦ ବା ୩୨ ଟଙ୍କା ପ୍ରତିଦିନ ରୋଜଗାର କରନ୍ତି ସେ ଗରିବ ନୁହଁନ୍ତି। ସାମ୍ୱାଦିକ, ଭୁବନେଶ୍ୱର ମୋ- ୯୪୩୮୦୦୬୨୧୫

Share :