ଜଞ୍ଜିରରେ ଜାହ୍ନବୀ- ଜବାବ୍ ଦିଅ ଜାଗିର୍ଦାର !

ଜଞ୍ଜିରରେ ଜାହ୍ନବୀ- ଜବାବ୍ ଦିଅ ଜାଗିର୍ଦାର !

ବିଭୂତି ପତି ସ୍ୱରୂପ ସାନନ୍ଦ ସନ୍ନ୍ୟାସୀଙ୍କ ସ୍ୱର୍ଗପ୍ରାପ୍ତିର ମୂଲ୍ୟ ଦେବେ ମୋଦୀ। ଦୀର୍ଘ ଚାରିବର୍ଷରୁ ଉର୍ଦ୍ଧ୍ୱ ହେଲାଣି ମୋଦୀଙ୍କ ମିଛ ପାଇଁ ଜହର ପିଇ ଜଉଘର ଜଞ୍ଜିରରେ ଜଳି ଜଳି ଜାଗର ପାଳୁଛି ଜାହ୍ନବୀ (ଗଙ୍ଗା)। ମୋଦୀ ଜାହ୍ନବୀର ଜାଗିର୍ ଖାଇ ଏବଂ ନିଜକୁ ଜାହ୍ନବୀର ଜାଗିରଦାର୍ ବୋଲି ପରିଚୟ ଦେଇ ଜାହ୍ନବୀକୁ ଯାତନା ଦେଇଚାଲିଛନ୍ତି। ଆଜି ମୋଦୀଙ୍କ ଜାଲ୍ର ଜବରଦସ୍ତ ଜବାବ୍ ମାଗୁଛି ଜାହ୍ନବୀ। ଆଗାମୀ ଦିନରେ ସ୍ୱରୂପ ସାନନ୍ଦଙ୍କ ସତ୍ୟାଗ୍ରହ ଏବଂ ସ୍ୱର୍ଗପ୍ରାପ୍ତି ପାଇଁ ମୋଦୀ ଜାହ୍ନବୀକୁ ଜରିମାନା ନିଶ୍ଚିତ ଦେବେ। ଗଙ୍ଗାର ସ୍ୱଚ୍ଛତା ଓ ମୁକ୍ତ ପ୍ରବାହ ପାଇଁ ଆମରଣ ଅନଶନ ଓ ସତ୍ୟାଗ୍ରହ ଚଳାଇଥିବା ସନ୍ନ୍ୟାସୀ ସ୍ୱରୂପ ସାନନ୍ଦଙ୍କର ୮୬ ବର୍ଷ ବୟସରେ ସ୍ୱର୍ଗପ୍ରାପ୍ତି ହେଲା। ୨୦୧୮ ଜୁନ୍ ୨୨ ତାରିଖରୁ ଦେଶର ବିଶିଷ୍ଟ ପରିବେଶବିତ୍ ତଥା ଗଙ୍ଗା ମୁକ୍ତି ଆନ୍ଦୋଳନର ଭୀଷ୍ମ ପିତାମହ ସ୍ୱରୂପ ସାନନ୍ଦ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରି ଏହାକୁ ପ୍ରବାହକୁ ମୁକ୍ତ ରଖିବା ତଥା ମୋଦୀ ତାଙ୍କ ଗଙ୍ଗା ମାତାଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଏକ ସାମ୍ୱାଦିକ ସମ୍ମିଳନୀରେ ତାଙ୍କର ପ୍ରତିଶ୍ରୁତି ପୂରଣ ନହେବା ପର୍ଯ୍ୟନ୍ତ ସେ ଆମରଣ ଅନଶନ ପ୍ରତ୍ୟାହାର କରିବେ ନାହିଁ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସେ ମୃତ୍ୟୁକୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ ବୋଲି ବିଜେପି ସରକାରଙ୍କୁ ସ୍ପଷ୍ଟ ଭାବେ ଜଣାଇଥିଲେ। ଯଥାଶୀଘ୍ର ଗଙ୍ଗା ସମେତ ଏହାର ଶାଖା ନଦୀରେ କରାଯାଉଥିବା ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ସରକାରୀ ସ୍ତରରେ ବନ୍ଦ କରାଯିବାର ଘୋଷଣା କରାଯାଇ ଗଙ୍ଗାର ପ୍ରବାହ ଓ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ମୁକ୍ତ କରାଯିବାକୁ ମୋଦୀ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଖୋଦ୍ କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା କାୟାକଳ୍ପ ପୁନରୁଦ୍ଧାର ମନ୍ତ୍ରୀ ମଧ୍ୟ ସ୍ୱାମୀ ସ୍ୱରୂପ ସାନନ୍ଦଙ୍କୁ ଭେଟି ସତ୍ୟାଗ୍ରହରୁ ନିବୃତ୍ତ ହେବାକୁ ଅନୁରୋଧ କରିଥିଲେ। ମାତ୍ର ସ୍ୱରୂପ ସାନନ୍ଦ ମିଥ୍ୟ ପ୍ରତିଶ୍ରୁତି ପରିବର୍ତ୍ତେ ଯଥାଶୀଘ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ବନ୍ଦ କରିବାର ଘୋଷଣା କରିବାକୁ ତାଙ୍କୁ ଅନୁରୋଧ କରିଥିଲେ । ୨୦୧୮ ଫେବୃୟାରୀ ୨୪ ଏବଂ ଜୁନ୍ ୧୩ ଦୁଇ ଦୁଇଟି ଚିଠି ସ୍ୱରୂପ ସାନନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିଲେ। ଏଇ ଦୁଇଟି ଚିଠିରେ ସ୍ୱରୂପ ସାନନ୍ଦ ମୋଦୀଙ୍କୁ ନିଜର ଆଦରର ସାନଭାଇ ବୋଲି ସମ୍ୱୋଧନ କରିଥିଲେ। ତୃତୀୟ ଚିଠି ସ୍ୱରୂପ ସାନନ୍ଦ ଅଗଷ୍ଟ ୫ରେ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିଲେ ସେତେବେଳକୁ ସନ୍ନ୍ୟାସୀ ସ୍ୱରୂପ ସାନନ୍ଦଙ୍କର ସତ୍ୟାଗ୍ରହ ଏବଂ ଆମରଣ ଅନଶନ ଆରମ୍ଭ ହୋଇଯାଇଥିଲା। ଉମା ଭାରତୀଙ୍କୁ ଏଇ ଚିଠିର ଏକ ନକଲ ଦିଆଯାଇଥିଲା। ଅଗଷ୍ଟ ୫ରେ ସନ୍ନ୍ୟାସୀ ସ୍ୱରୂପ ସାନନ୍ଦ ମୋଦୀଙ୍କୁ ଲେଖିଥିବା ତୃତୀୟ ଚିଠିରେ ଶ୍ରୀ ନରେନ୍ଦ୍ର ଭାଇ ମୋଦୀଜୀ, ସମ୍ମାନନୀୟ ଭାରତର ପ୍ରଧାନମନ୍ତ୍ରୀ ବୋଲି ସମ୍ୱୋଧନ କରିଥିଲେ। ତା'ପରେ ସବୁକିଛି ଇତିହାସ ପାଲଟିଗଲା। ଆଜି ସନ୍ନ୍ୟାସୀଙ୍କ ସ୍ୱର୍ଗପ୍ରାପ୍ତିର ସେହି ଇତିହାସ ମୋଦୀଙ୍କ ମହାମିଛର ମୂକସାକ୍ଷୀ ପାଲଟିଯାଇଛି। ଅତ୍ୟନ୍ତ ଦୁଃଖ ଓ ଗଭୀର ପରିତାପରେ ସନ୍ନ୍ୟାସୀ ସ୍ୱରୂପ ସାନନ୍ଦ ଶେଷ ଚିଠିଟି ମୋଦୀଙ୍କୁ ଲେଖିଥିଲେ। ପୂର୍ବର ଦୁଇ ଚିଠି ଭଳି ତୃତୀୟ ଚିଠିର କୌଣସି ଉତ୍ତର ମଧ୍ୟ ସ୍ୱରୂପ ସାନନ୍ଦଙ୍କ ସ୍ୱର୍ଗପ୍ରାପ୍ତି ପର୍ଯ୍ୟନ୍ତ ମିଳିନଥିଲା। ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାପରେ ସମସ୍ତେ ଦୃଢ଼ ଆଶାବାଦୀ ହୋଇଥିଲେ ମୋଦୀ ନିଶ୍ଚିତ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରି ଏହାର ସ୍ୱଚ୍ଛ ଓ ମୁକ୍ତ ପ୍ରବାହକୁ ପୁନର୍ଜୀବନ ଦେବେ। କାରଣ ୨୦୧୪ ନିର୍ବାଚନ ପ୍ରତିଶ୍ରୁତିରେ ମୋଦୀ ନିଜର ନିର୍ବାଚନୀ ଭାଷଣରେ କହିଥିଲେ ‘ମୁଁ, ମୋଦୀ ମୋ ଗଙ୍ଗା ମାଆର ଡ଼ାକରାରେ ଏଠାକୁ ଆସିଛି। ଗଙ୍ଗାକୁ ମୁକ୍ତ କରିବାକୁ ମୁଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ସନ୍ନ୍ୟାସୀ ସ୍ୱରୂପ ସାନନ୍ଦ ମୋଦୀଙ୍କୁ ଲେଖିଥିବା ତୃତୀୟ ଚିଠିରେ ଏସବୁ ମିଛ ଥିଲାବୋଲି ଉଲ୍ଲେଖ କରିଛନ୍ତି। ସ୍ୱରୂପ ସାନନ୍ଦ ପ୍ରଥମେ ୨୦୦୮ରେ ଗଙ୍ଗା ପାଇଁ ସତ୍ୟାଗ୍ରହ କରିଥିଲେ ଏବଂ ତତ୍କାଳୀନ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିରେ ଅନଶନ ପ୍ରତ୍ୟାହାର କରିଥିଲେ। ପୁନଶ୍ଚ ୨୦୦୯ରେ ଦିଲ୍ଲୀ ଏବଂ ୨୦୧୦ରେ ହରିଦ୍ୱାରଠାରେ ମଧ୍ୟ ଅନଶନ ଆରମ୍ଭ କରିଥିଲେ। ତତ୍କାଳୀନ କଂଗ୍ରେସ ସରକାର ତାଙ୍କର ଦାବୀ ମାନିନେଇ ପାଳନ କରିବାରୁ ସେ ଅନଶନ ପ୍ରତ୍ୟାହାର କରିଥିଲେ। ୨୦୧୧ ଜୁଲାରେ ସ୍ୱରୂପ ସାନନ୍ଦ ସ୍ୱାମୀ ଅଭିମୁକ୍ତେଶ୍ୱାରାନନ୍ଦଙ୍କ ଠାରୁ ସନ୍ନ୍ୟାସ ବ୍ରତ ଗ୍ରହଣ କରିଥିଲେ। ପ୍ରାୟ ଚାରିମାସ ଧରି କେବଳ ପାଣି ଓ ମହୁ ପିଇ ସ୍ୱରୂପ ସାନନ୍ଦ ଗଙ୍ଗାର ମୁକ୍ତି ସତ୍ୟାଗ୍ରହ ଚଳାଇଥିଲେ। ମୃତ୍ୟୁ ପୂର୍ବରୁ ସ୍ବରୂପ ସାନନ୍ଦ ମୋଦୀ ସରକାରଙ୍କର ଚଞ୍ଚକତା ଓ ଅଜ୍ଞତାକୁ ଲୋକଲୋଚନକୁ ଆଣିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦେଶର ସର୍ବାଧିକ ରାଜନୈତିକ ନେତାମାନଙ୍କର ଗଙ୍ଗାର ବିଜ୍ଞାନ, ପରିବେଶ ଓ ପବିତ୍ରତା ସମ୍ପର୍କରେ କୌଣସି ଧାରଣା ନାହିଁ। ଗଙ୍ଗା ନଦୀରେ ନର୍ମାଣ କରାଯାଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ବିରୋଧ କରି ସ୍ୱରୂପ ସାନନ୍ଦ ସତ୍ୟାଗ୍ରହ କରୁଥିଲେ। ସ୍ୱରୂପ ସାନନ୍ଦ ଗଙ୍ଗାର ପ୍ରବାହ, ପରିବେଶ ଓ ବିଜ୍ଞାନ ତଥ୍ୟକୁ ତର୍ଜମା କରି କହିଛନ୍ତି ମୋଦୀ ସରକାରଙ୍କ ପ୍ରକଳ୍ପଗୁଡ଼ିକ ଗଙ୍ଗାର ଜୀବନକୁ ଶ୍ୱାସରୁଦ୍ଧ କରିଦେଉଛନ୍ତି। ଆଇ.ଆଇ.ଟି କାନପୁର ସିଭିଲ ତଥା ପାରିବେଶିକ ଇଂଜିନିୟରିଂ ବିଭାଗର ପ୍ରାକ୍ତନ ଅଧ୍ୟାପକ ଜି.ଡ଼ି ଅଗ୍ରୱାଲଙ୍କର(ସ୍ୱରୂପ ସାନନ୍ଦ ଭାବେ ସୁପରିଚିତ) ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ୱ ସମୟ ଧରି ଦେଶରେ ଚହଳ ପକାଇ ଚଳାଇଥିବା ସତ୍ୟାଗ୍ରହର ବାର୍ତ୍ତା ଥିଲା ଗଙ୍ଗାର ମୁକ୍ତ ପ୍ରବାହ। ଗଙ୍ଗା ହେଉଛି ଅନନ୍ୟ, ସ୍ୱତନ୍ତ୍ର ଏବଂ ଏକ ନିଆରା ନଦୀ। ନଦୀକୁ କେବଳ ତାର ଭୌତିକ ସ୍ଥିତିଠାରୁ ଅଧିକ କିଛି ବୋଲି ବିଚାର କରାଯିବା ଉଚିତ। ଗଙ୍ଗା ପବିତ୍ରତାର ଏକ ପ୍ରତୀକ ଏବଂ ଏହା ସ୍ୱତନ୍ତ୍ର ଗୁଣର ଅଧିକାରିଣୀ। ଏସବୁ ସତ୍ତ୍ୱେ ପ୍ରତିଟି ସରକାର ଗଙ୍ଗା ନଦୀ ପ୍ରତି ଖାମଖିଆଲି ଆଚରଣ ପ୍ରଦର୍ଶନ କରୁଛନ୍ତି। ଏକଥା ସତ୍ୟ ଯେ ସରକାର ଜାତୀୟ ଗଙ୍ଗା ନଦୀ ଅବବାହିକା ପ୍ରାଧିକରଣ ଗଠନ କରିଛନ୍ତି । ମାତ୍ର ସ୍ୱରୂପ ସାନନ୍ଦଙ୍କ ମତରେ ଏହି ଜାତୀୟ ଚରିତ୍ରଟି କେବଳ ମାତ୍ର ଅମଲାତାନ୍ତ୍ରିକ ଢ଼ାଞ୍ଚାପାଇଁ ପ୍ରଯୁଜ୍ୟ, ନଦୀ ପାଇଁ ନୁହେଁ। ସେ କହୁଥିଲେ, ଗଙ୍ଗାକୁ ସଭ୍ୟତା ଆଧାରରେ ବିଚାର କରାଯିବା ଆବଶ୍ୟକ, ଯେଉଁସ୍ଥାନରେ ପୁରାଣ ଓ ବୈଜ୍ଞାନିକ ପ୍ରାମାଣିକତାର ସହାବସ୍ଥାନ ଘଟେ। ତାଙ୍କ ଦୁଃଖର ମୂଳ ହେଉଛି ଗଙ୍ଗା ନଦୀର ସରକାରୀକରଣ। ଏହାର ପବିତ୍ରତା ସତ୍ତ୍ୱେ ଗଙ୍ଗା ନଦୀକୁ ପି.ଡ଼ବ୍ଲ୍ୟୁ.ଡ଼ି. ବିଭାଗର ଭିତ୍ତିଭୂମି ପରି ବିଚାର କରାଯାଉଛି। ନଦୀର ପୌରାଣିକତା, ପବିତ୍ରତା କିମ୍ୱା ନଦୀର ପାରିବେଶିକ ପରିସଂସ୍ଥାନ ସମ୍ପର୍କରେ କୌଣସି ଅବଧାରଣା ଏଥିରେ ନାହିଁ। ସରକାର ଗଙ୍ଗାର ପ୍ରଦୂଷଣକୁ ସର୍ବନିମ୍ନ ସ୍ତରକୁ ଆଣିବା ଏବଂ ଏହାର ଧାରାକୁ ବାଧିତ ନକରିବା ସହିତ ଗଙ୍ଗା ପ୍ରବାହକୁ ମୁକ୍ତ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁନାହାନ୍ତି। ମାତ୍ର ସରକାର ଓ ଅମଲାତନ୍ତ୍ର ଗଙ୍ଗା ଉପରେ ୬୦୦ ବନ୍ଧର ବୋଝ ଲଦିଦେଇଛନ୍ତି। ପ୍ରଦୂଷଣ ଓ ଜବରଦଖଲ ଜଞ୍ଜିରରେ ଗଙ୍ଗା ଏବେ ଶ୍ୱାସରୁଦ୍ଧ। ସେ ଉଭୟ ପୁରାଣ ଏବଂ ବିଜ୍ଞାନ ଆଧାରରେ ତାଙ୍କର ଯୁକ୍ତି ଉପସ୍ଥାପନ କରୁଥିଲେ। ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ ମୋ- ୯୯୧୦୭୪୦୮୩୯

Share :