ରାଜନୀତିରେ ନୈତିକତା ଓ ସ୍ୱଚ୍ଛତାର ସଂକଟ

ରାଜନୀତିରେ ନୈତିକତା ଓ ସ୍ୱଚ୍ଛତାର ସଂକଟ

Share :

ସୂର୍ଯ୍ୟମଣି ମିଶ୍ର ଦେଶର ଏପରି ଗୋଟିଏ ରାଜନୈତିକ ଦଳ ନାହିଁ ଏବଂ ନେତା ନାହାନ୍ତି ଯାହାଙ୍କ ନୈତିକତା ଏବଂ ଆୟ-ବ୍ୟୟକୁ ନେଇ ପ୍ରଶ୍ନ ଉଠୁନି । ରାଜନୀତି ଅର୍ଥାତ୍‍ ଶ୍ରେଷ୍ଠ ନୀତି - ରାଜନେତା ଅର୍ଥାତ୍‍ ଶ୍ରେଷ୍ଠ ନେତା ଭାବେ ସ୍ୱୀକୃତ-ସମ୍ମାନିତ ନେତାଙ୍କ ନୈତିକତା ଏବଂ ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏହାଦ୍ୱାରା ଗଣତାନ୍ତ୍ରିକ ବିଧି-ବ୍ୟବସ୍ଥା ଯେ ଦୁର୍ବଳ ହେବାରେ ଲାଗିଛି ଏ ସଂପର୍କରେ ଭିନ୍ନମତ ନାହିଁ ନିଶ୍ଚୟ । କ୍ଷମତା ହାସଲ ପାଇଁ ନିର୍ବାଚିତ ବିଧାୟକଙ୍କୁ କିଣାଯାଏ ବା ବିକ୍ରିଯୋଗ୍ୟ ପଣ୍ୟ ପାଲଟିଯାଆନ୍ତି । ସେ ସଂପର୍କରେ କଂଗ୍ରେସ ମୁଖପାତ୍ର ଆନନ୍ଦ ଶର୍ମାଙ୍କ ମତ-ମନ୍ତବ୍ୟରୁ ସ୍ପଷ୍ଟ । କିଛି ଦିନ ତଳେ ଶ୍ରୀ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଦଳର କର୍ଣ୍ଣାଟକ ବିଧାୟକମାନଙ୍କୁ କିଣିବା ପାଇଁ ବିଜେପି ଚାରି ହଜାର କୋଟି ଟଙ୍କା ରଖିଥିଲା । ବିଜେପି ସଭାପତି ଅମିତ ଶାହା ଶ୍ରୀ ଶର୍ମାଙ୍କ ମତ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‍ ବିଧାୟକଙ୍କୁ ଏକ ହୋଟେଲରେ ଗୃହବନ୍ଦୀ କରି ରଖାଯାଇନଥିଲେ ବିଜେପି କର୍ଣ୍ଣାଟକରେ ସରକାର ଗଠନ କରିଥାନ୍ତା । ବିଜେପି ସଭାପତି ଏବଂ କଂଗ୍ରେସ ମୁଖପାତ୍ରଙ୍କ ମତ ଉପରେ ଆଖି ପକାଇଲେ - ଦେଶର ରାଜନୀତିର ଗତି ଯେ ନିମ୍ନମୁଖୀ ତାହା ସହଜରେ ବୁଝାପଡ଼େ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ସଭାମାନଙ୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶବାସୀଙ୍କୁ ପ୍ରତିଶ୍ରୁତି ଥିଲା ‘ତାଙ୍କ ଦଳ ବିଜେପିକୁ ବିଜୟୀ କଲେ - ତାଙ୍କ ସରକାର ନୈତିକତା ଏବଂ ସ୍ୱଚ୍ଛତାକୁ ପ୍ରାଥମିକତା ଦେବେ, ବିଜେପି ଦଳ ଯେ ପାର୍ଟି ଉଇଥ୍‍ ଡିଫରେନ୍ସ’ ତାହାକୁ ପ୍ରମାଣିତ କରିବ । କିନ୍ତୁ କଂଗ୍ରେସ ଦଳର କ୍ଷମତା ପିପାସା ଠାରୁ ବିଜେପିର ପିପାସା ଯେ ପଛରେ ପଡ଼ିଛି ତାହା କହିବା ବାହୁଲ୍ୟମାତ୍ର । ଦୀର୍ଘ ୫୪ ବର୍ଷ ଧରି ଗୋଟିଏ ପରିବାରର ସଦସ୍ୟଙ୍କ ହାତମୁଠାରେ ଅଧିକ ସମୟ ଦେଶର କ୍ଷମତା ଥିଲା । ଏହି ପରିବାରର ୩ ସଦସ୍ୟ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । କଂଗ୍ରେସ ଦଳର ନେତୃତ୍ୱ ନେଇ ଦେଶର ଶାସନ ଭାର ଗ୍ରହଣ କରିଥିଳେ । କିନ୍ତୁ ଏକଛତ୍ରବାଦ ଆଚରଣ ଯାହା ଜରୁରୀ ପରିସ୍ଥିତି ସମୟରେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ପଦରେ ଦୁଇଥର ବସିଥିବା ଜଣେ ନେତ୍ରୀ ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରକୁ ଭଙ୍ଗକରି ରାଜନୀତିରେ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସେ ନିଜକୁ ପ୍ରଧାନମନ୍ତ୍ରୀ ନୁହନ୍ତି ପ୍ରଧାନ ସେବକ ବୋଲି ପରିଚୟ ଦେଇଥିଲେ । ଦେଶବାସୀ ବିଶ୍ୱାସ ଓ ଭରସା ରଖିଲେ ଏଥର ଦେଶର ରାଜନୀତିରେ ନୈତିକତା ଏବଂ ସ୍ୱଚ୍ଛତା ପ୍ରତିଷ୍ଠା ହେବ । କିନ୍ତୁ ଗୋଆ, ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପିର ଭୂମିକାକୁ ଦେଖି ଦେଶର ଜନଗଣଙ୍କର ମନରୁ ବିଶ୍ୱାସ ଭଙ୍ଗ ହେଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଯେଉଁ ଦୃଶ୍ୟ ବିଜେପି ଦେଖାଇଲା, ତାହା କଂଗ୍ରେସର ସମସ୍ତ ଅନୈତିକତାଠାରୁ ଭିନ୍ନ ନଥିଲା । ତୃତୀୟ ସ୍ଥାନରେ ଥିବା ଦଳ ସରକାର ଗଠନ କଲା । କିପରି ଏହା ସମ୍ଭବ ହେଉଛି, ତାହାକୁ ଦେଶର ସାଧାରଣ ଲୋକ ବୁଝିପାରୁନାହାନ୍ତି । ଗୋଆ-ମେଘାଳୟରେ ଏପରି ଦୃଶ୍ୟ ଦେଶବାସୀ ଦେଖିଲା ପରେ କର୍ଣ୍ଣାଟକରେ ଦେଖିଲେ । ବିଧାୟକଙ୍କୁ କିଣିବା ଏବଂ ଏଥିପାଇଁ ପକ୍କା ବ୍ୟବସ୍ଥା ହୋଇଥିବା ଭଳି ବିଜେପି ବିରୋଧରେ କର୍ଣ୍ଣାଟକର କଂଗ୍ରେସ ଏପରି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କଲେ । ଅଭିଯୋଗ ଅତିରଂଜିତ ହୋଇଥାଇପାରେ; କିନ୍ତୁ ଅଭିଯୋଗର ସତ୍ୟତା ଯେ ନାହିଁ ଏହା ମଧ୍ୟ କୁହାଯାଇନପାରେ । ସଂଖ୍ୟାଗରିଷ୍ଠତା ନଥାଇ ସରକାର ଗଠନ କରିବା ପାଇଁ କର୍ଣ୍ଣାଟକରେ ବିଜେପି ଅଣ୍ଟାଭିଡ଼ିଲା କିପରି? ଏପରି ରାଜନୈତିକ ପଦକ୍ଷେପ ନିଶ୍ଚିତ ଯେ ଏହା ନୈତିକ ଆଧାରିତ ନୁହେଁ । ରାଜ୍ୟସ୍ତରରେ ସଂଖ୍ୟା ଗରିଷ୍ଠତା ନଥାଇ ସରକାର ଗଠନ କରିବେ ହୁଏତ ୫୦-୫୫ ଘଣ୍ଟା ପାଇଁ, ଏଥିପାଇଁ ଏପରି ରାଜ୍ୟପାଳଙ୍କୁ ପଠାଇବେ ଯିଏ ତାଙ୍କର କୌପିନୀକୁ ନିଜ ହାତରେ ଧୋଇ ଶୁଖାଇବେ! ଏହି ମହାମହିମ ରାଜ୍ୟପାଳ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ କେବଳ ୧୫ ଦିନ ସମୟ ଦେଇ ପାରିବେ । ଅବଶୋଷ ଏହା ଯେ, ୧୮୨୫ ଦିନ ଯାଏ ସମୟ ଦେଇପାରିବେ ନାହିଁ । ଏମିତି ହେଲେ ସଂଖ୍ୟାଗରିଷ୍ଠତା ନଥିଲେ ବି ୫ ବର୍ଷ ଯାଏ କ୍ଷମତା ପାଇପାରନ୍ତେ । ଏହାତ ରାଷ୍ଟ୍ରପ୍ରେମ । ଏହାତ ପଲିଟିକାଲ୍‍ । ନୈତିକତାର ଡେଙ୍ଗୁରା ପିଟୁଥିବା ଦଳ ନେତାଙ୍କୁ କିଣି ପୁଣି ବିକନ୍ତି, ତାହାର ସୂଚନା କେଉଁ ଦଳ ପ୍ରତ୍ୟକ୍ଷରେ ତ ଆଉ ପ୍ରତିଦ୍ୱନ୍ଦ୍ୱି ଦଳ ପରୋକ୍ଷରେ ଦେଉଛନ୍ତି । ଏହି ଲେଖକର ମନେପଡ଼ୁଛି ୧୫ ବର୍ଷ ତଳର କଥା । ବ୍ଲକ୍‍ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ଏବଂ ଜନତା ଦଳ ପ୍ରାର୍ଥୀଙ୍କ ମଧ୍ୟରେ ଜୋର୍‍ଦାର ପ୍ରତିଦ୍ୱନ୍ଦ୍ୱିତା ହେଉଥାଏ । ଜନତା ଦଳ-କମ୍ୟୁନିଷ୍ଟ ମଧ୍ୟରେ ମେଣ୍ଟ ଥାଏ । ସେହି ସମୟରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ୍‍ ବ୍ଲକ୍‍ ଅଧ୍ୟକ୍ଷ ହେବେ ନା ଜନତା ଦଳ ପ୍ରାର୍ଥୀ ଅମୀୟ ମଲ୍ଲିକ! ଗୋଟିଏ ପକ୍ଷରେ ଜଗନ୍ନାଥ ମଲ୍ଲିକ ନେତୃତ୍ୱ ନେଉଥିବା କେବଳ ଅନ୍ୟ ପକ୍ଷରେ ଅଶୋକ ଦାସ-ଗୌତମ ରାୟ ନେତୃତ୍ୱ ନେଉଥାନ୍ତି । ଜଗନ୍ନାଥବାବୁଙ୍କ ପ୍ରଭାବକୁ ଦେଖି ନିର୍ବାଚିତ ସମିତି ସଭ୍ୟମାନଙ୍କୁ ଜିଲ୍ଲା ବାହାରକୁ ପଠାଗଲା । ଏହି ଲେଖକକ୍‍ୁ ୨ଜଣ ସମିତି ସଭ୍ୟଙ୍କୁ ନେଇ ଭଦ୍ରକ ଜିଲ୍ଲାର ଏକ ଗାଁରେ ୧୦ ଦିନ ଯାଏଁ ଗୋପନରେ ରହିବାକୁ ପଡ଼ିଥିଲା । ସେବେଠାରୁ ରାଜନୀତିରେ ନୈତିକତା କିପରି ଅବକ୍ଷୟ ହେଉଛି ତାହାକୁ ଅନୁଭବ କରିଥିଲି । ସାଂସଦ ଏବଂ ବିଧାୟକ ଯେଉଁମାନେ ଦେଶ ଓ ରାଜ୍ୟର ନୀତି ନିର୍ଣ୍ଣାୟକ ଭୂମିକାରେ ତାଙ୍କୁ ଯେ ଗୋପନରେ ରଖାଯିବ, ଗୃହବନ୍ଦୀ କରି ରଖାଯିବ, ତାଙ୍କୁ କିଣା-ବିକା କରାଯାଇ ପାରେ ସେ ସଂପର୍କିତ ଅଭିଯୋଗ କର୍ଣ୍ଣାଟକରୁ ଜାଣିବାକୁ ମିଳିଲା । ଏହାକୁ ନେଇ ରାଜନୀତିରେ ନୈତିକତା ଏବଂ ସ୍ୱଚ୍ଛତା ଯେ ଅଦୃଶ୍ୟ ସ୍ଥିତିରେ-କ୍ଷୟଷ୍ଣୁ ଅବସ୍ଥାରେ ପହଞ୍ôଚଛି ଏଥିରେ ଦ୍ୱିମତ ନାହିଁ । ପ୍ରଧାନମନ୍ତ୍ରୀ ମୋଦି-କଂଗ୍ରେସ ଅଧ୍ୟକ୍ଷ ଶ୍ରୀଗାନ୍ଧି ଯେ କ୍ଷମତା ପାଇବା ପାଇଁ ଏପରି ଅନୈତିକ ଧାରାକୁ ଆପଣାଉଛନ୍ତି, ତାହା ବିଶ୍ୱାସ ନହେଲେ ବି ଅବିଶ୍ୱାସ କରିହେଉନି । ଯେପରି ଅନୁଭବ ହେଉଛି ଆମର ଏହି ମହାନ୍‍ ଦେଶରେ ଏକ ପଲିଟିକାଲ୍‍ ମାର୍ଟ ନିର୍ମାଣ ହୋଇଛି । ଯେଉଁଠି ସମସ୍ତ ଦ୍ରବ୍ୟ ଏଠାରେ ବିକ୍ରୟ ପାଇଁ ପ୍ରସ୍ତୁତ । ଯେହେତୁ ତାଙ୍କୁ ବିକିବାର ସମ୍ଭାବନା ରହିଛି । ପ୍ରଶ୍ନ ହେଉଛି କର୍ଣ୍ଣାଟକରେ କଂଗ୍ରେସ ଏବଂ ଜେଡିଏସ ବିଧାୟକଙ୍କ ପାଖରେ ନୈତିକତା ଏବଂ ବିଶ୍ୱସ୍ତତା ଥିଲେ ସେମାନଙ୍କୁ ଲୁଚାଇ ରଖାଯାଇଥାନ୍ତା କାହିଁକି? କାହିଁକି ହେଲିକପ୍ଟରରେ ଖୋଜାଯାଇଥାନ୍ତା? ଆମ ଏହି ଧରିତ୍ରୀରେ ଯେଉଁଠି ଋଷିମୁନି-ଈଶ୍ୱରଙ୍କ ସିଦ୍ଧାନ୍ତ ଏବଂ ନୈତିକତାର ମାଳା ଜପାଯାଉଛି ସେଠାରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଘରେ ରଖି ଦ୍ୱାର ବନ୍ଦକରି ତାଲା ଲଗାଇ ରଖିବାକୁ ପଡ଼ୁଛି । ସୁରକ୍ଷା ପ୍ରତି ଭୟ! ସ୍ୱୟଂ ତ ରାମରାଜ୍ୟ ପ୍ରତିଷ୍ଠାର ଦିନ ପାଖେଇ ଆସୁଛି - ଦେଶ ବିଶ୍ୱଗୁରୁ ହେବାକୁ ଆଉ ବେଶି ଡେରି ନାହିଁ ବୋଲି ପ୍ରବଚନ ଶୁଣାଉଛନ୍ତି ନେତା । ବିଧାୟକ ସୁନାର ହରିଣୀ । ମନ୍ତ୍ରୀପଦ ମିଳିବ, ୧୦୦ କୋଟି ଦିଆଯିବାର ଅଘୋଷିତ ରଣନୀତି - କାରଣ ଯେ କୌଣସି ମୂଲ୍ୟ ଦେଇ ବିଧାୟକଙ୍କୁ ନିଜ ଦଳ ସପକ୍ଷରେ ଆଣିବାକୁ ହେବ । ନହେଲେ ଗଣତନ୍ତ୍ର ଅସୁରକ୍ଷିତ ହୋଇଯିବ! ରାଜନୀତିରେ ଏହି ଦୃଶ୍ୟ ଦେଖାଇ ଦେଉଛି ମାଟିରୁ ଆକାଶ ଯାଏ ଅନୈତିକତା ବ୍ୟାପିଗଲାଣି । ସବୁ ସ୍ଥାନ ବଜାର ଭଳି ଲାଗୁଛି । ନାଗରିକମାନଙ୍କୁ ବୁଝିବାକୁ ହେବ ଯେ ପ୍ରତି ନିର୍ବାଚନ ପୂର୍ବରୁ ଏବଂ ପରେ ‘ଆସୋସିଏସନ୍‍ ଫର୍‍ ଡେମୋକ୍ରାଟିକ୍‍ ରିଫର୍ମ (ଏଡିଆର୍‍)’ ଏବଂ ‘ସେଣ୍ଟର୍‍ ଫର୍‍ ମେଡିଆ ଷ୍ଟଡିଜ୍‍ (ସିଏମ୍‍ଏସ୍‍)’ ପକ୍ଷରୁ ସୂଚନା ଦିଆଯାଇଛି ନିର୍ବାଚିତ ପ୍ରତିନିଧିଙ୍କ ଆୟ ବୃଦ୍ଧି, ଅପରାଧିକ ପୃଷ୍ଠଭୂମି ସଂପର୍କରେ । ଏହା ତ ରାଜନୀତିରେ ନୈତିକତା ଏବଂ ସ୍ୱଚ୍ଛତା ସଂପର୍କିତ ସଂକେତ ନିଶ୍ଚୟ! ମନେହେଉଛି ସୁସାଇଡ୍‍ ସ୍କାଣ୍ଡାଲସ୍‍ କ୍ଲବ୍‍ ଯୋଗୁଁ ରାଜନୀତିରେ ନୈତିକତା ଅବକ୍ଷୟର ଦ୍ୱାର ଦେଶରେ । ରାଜନୀତିର ଏହି ଅବସ୍ଥାକୁ ନେଇ ଜାଗ୍ରତ ହେବାର ସମୟ ଆସିଛି । କ୍ଷମତା ଏବଂ ଅର୍ଥ ପାଇଁ ରାଜନୀତିର ମୂଲ୍ୟବୋଧକୁ ଦେଶର ଗଣତନ୍ତ୍ରକୁ କଳୁଷିତ କରୁଥିବା ଦଳ ଏବଂ ନେତାଙ୍କ ବିରୋଧରେ ଜନଜାଗରଣର ସମୟ ଆସିଛି । କାରଣ ଏହି ନେତାଙ୍କୁ କ୍ଷମତା ମିଳିଗଲା ପରେ ଭାରତମାତାକୁ ପଛକୁ ଠେଲିଦେଇ ନିଜ ମାଆକୁ ଧରିତ୍ରୀର ରାଣୀ କରିଦେବେ! ଅନୈତିକତାବାଦୀ-ଭ୍ରଷ୍ଟାଚାରୀଙ୍କୁ ଆଉ ଆଶୀର୍ବାଦ-ସହଯୋଗ ନୁହେଁ, ବିରୋଧ ଏବଂ ଅସହଯୋଗ କରାଯାଇ ପାରିଲେ ରାଜନୀତିରେ ନୈତିକତାର ପୁନଃ ପ୍ରତିଷ୍ଠା ହୋଇପାରିବ । ମତଦାତାମାନେ ଏପରି ନେତା ନିର୍ବାଚିତ କରୁଛନ୍ତି, ଯେଉଁମାନେ ଭୀଷ୍ମ ପିତାମହ ଏବଂ ଗୁରୁ ଦ୍ରୋଣ ଭାବେ ଜନ୍ମ ନେଇଛନ୍ତି । ଏଥିପାଇଁ ତାଙ୍କ ଆଗରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଲେ ବି ସେ କିଛି କହିପାରୁନାହାନ୍ତି-କହିପାରିବେ ନାହିଁ! ଅଧର୍ମକୁ ଧର୍ମ ଭାବରେ ତିଆରି କରୁଥିବା ନେତାଙ୍କୁ ଚିହ୍ନଟ କରିବା ଆଜି ଦିନରେ ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରପ୍ରେମର ମୃଗଛାଲ ପିନ୍ଧି ଜନତାଙ୍କ ଆଗରେ ମିଛ ସ୍ୱପ୍ନର ଶୀତଳ ମଳୟ ପବନ (ସମୀର) ପ୍ରବାହିତ କରିଚାଲିଛନ୍ତି । ଗତ ୭୦ ବର୍ଷ ଧରି ଭାରତମାତାର ମୁଖକୁ ଭାଙ୍ଗି ଚାଲିଛନ୍ତି । ଏହି ଦେଶମାତୃକାର ମୁଖ ଭଙ୍ଗକାରୀଙ୍କୁ ମଥାରେ ନିର୍ବାଚନରେ ରାଜତିଳକ ଲଗାଇବା ତ ମତଦାତାଙ୍କର ଭୁଲ ନିଶ୍ଚୟ, ମହାପାପ ବି! ଯେଉଁ ନେତା ଏବଂ ତାଙ୍କ ପରିବାରସାରା ସିବିଆଇ ତଦନ୍ତ ଘେରରେ ତାଙ୍କୁ ସମର୍ଥନ କରାଯାଉଛି । କାଲି ଯେଉଁ ନେତା କହୁଥିଲେ ‘ତିଳକ-ତରାଜୁ ଔର ତଲ୍‍ୱାର-ଇନକୋ ମାର୍‍ ଜୁତେ ଚାର୍‍’ । ଏବେ କହୁଛନ୍ତି ‘ହାତୀ ନୁହେଁ ଗଣେଶ ହେ - ବ୍ରହ୍ମା ବିଷ୍ଣୁ ମହେଶ ହେ’ । ଜାତି-ସଂପ୍ରଦାୟ-ଧର୍ମ ବା ଭକ୍ତିକୁ ରାଜନୀତି ସହ ଯୋଡ଼ି ଯେ କୌଣସି ଅନୈତିକ ଉପାୟରେ କ୍ଷମତାର ସୁଖ ଲାଭ କରିବାର ପ୍ରତିଯୋଗିତା ତାଲିକାରେ ଏବେ ଜାତୀୟ ଦଳଠାରୁ ଆଞ୍ଚଳିକ ଦଳ ଯାଏ । କର୍ଣଟକ ବିଧାନସଭାର ଦୃଶ୍ୟ ଦେଖାଇଦେଇଛି ରାଜନୀତିରେ ନୈତିକତା ଏବଂ ସ୍ୱଚ୍ଛତା କିପରି ସଂକଟରେ!! ସାମ୍ବାଦିକ, ଭୁବନେଶ୍ୱର ମୋ : ୯୪୩୮୦୦୬୨୧୫

Share :