ଗଂଜାମ ବିଜେଡିର ନାରୀଶକ୍ତି

ଗଂଜାମ ବିଜେଡିର ନାରୀଶକ୍ତି

Share :

ହେମାଙ୍ଗ ପ୍ରସାଦ ରାଉଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଂଜାମ ଜିଲ୍ଲାରେ ଚର୍ଚ୍ଚିତ ଚେହେରାମାନେ ଆଗାମୀ ଦିନରେ ରାଜନୀତିରେ ମଙ୍ଗୁଆଳ ସାଜି ଶାସକ ଦଳ ପାଇଁ ନୂଆ ସମ୍ଭାବନା ଭାବରେ ଅଭ୍ୟୁଦୟ ହେବାକୁ ଯାଉଛନ୍ତି । ତନ୍ମଧ୍ୟରେ ନାରୀନେତ୍ରୀଙ୍କ ସ୍ଥାନ ଶୀର୍ଷରେ । ବ୍ରହ୍ମପୁରଠାରେ ଅଙ୍କ କଷୁଥିବା ନେତାମାନେ ବିଜୁ ଜନତା ଦଳର ଟିକଟ୍ରେ ଅନେକ ଆଶାୟୀ ଖୁନ୍ଦି ହୋଇରହିଲେ । ଜିଲ୍ଲା ରାଜନୀତିର କେନ୍ଦ୍ରବିନ୍ଦୁ ବ୍ରହ୍ମପୁର । ଏହି ସଂସଦୀୟ କ୍ଷେତ୍ରରେ ବିଜୁ ଜନତା ଦଳର କର୍ମୀଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି । କାରଣ ପଛରେ କେବଳ ନବୀନଙ୍କ ଭାବମୂର୍ତ୍ତି ଏବଂ ହସହସ ବଦନ । ଓଡ଼ିଆ ନହୋଇ ଓଡ଼ିଆ ସଂସ୍କୃତିକୁ ଭଲଭାବରେ ନଜାଣି ମଧ୍ୟ ପକ୍କା ଓଡ଼ିଆ ପୁଅ ପରି ଗଂଜାମ ଜିଲ୍ଲାର ପୁରପଲ୍ଲୀରେ ସାଧାରଣରେ ଚର୍ଚ୍ଚା । ଚିଟ ଫଣ୍ଡରେ ବଳିପଡ଼ିବେ ବିଧାୟକ କିନ୍ତୁ ସୁରକ୍ଷିତ ନବୀନ । ଆଶା କରାଯାଉଛି ଗଂଜାମ ଜିଲ୍ଲାରେ ପୁନଶ୍ଚ ନବୀନଙ୍କ ବିଚାରରେ ନେଇ ପୁରୁଣା ଖେଳାଳୀଙ୍କ ଯୁଗ ଅନ୍ତ ହେବ । ଏହା ଅନ୍ତ ହେବା ପୂର୍ବରୁ ନବୀନ ବାବୁଙ୍କ ଶୁଭ ଦୃଷ୍ଟିରେ ଆଗରେ ରହିଛନ୍ତି ଦୁଇ ନାରୀ । ସମୃଦ୍ଧି ଖ୍ୟାତି ବ୍ୟକ୍ତିତ୍ୱ କାମରେ ଦକ୍ଷତା, ସୁନାମର ସୁନ୍ଦର ଦସ୍ତାବିଜ ଧରି ସମସ୍ତ ଲୋକଙ୍କ ମନ ଜିଣିଥିବା ପ୍ରତିଭାମୟୀ ଆରତୀ ଦେବୀ ଏକ ନୂତନ ଆଶାର କିରଣ ଭାବରେ ବିଜୁ ଜନତା ଦଳର ଶିବିରରେ ଉଭା ହେବା ପ୍ରାୟ ନିଶ୍ଚିତ । ପୋଲସରା ବ୍ଲକ୍ ନିର୍ବାଚନ ମଣ୍ଡଳୀର ଏଇ ୨୭ ବର୍ଷିୟା ଉଚ୍ଚଶିକ୍ଷିତା ସମୁଜ୍ଜଳ ବ୍ୟକ୍ତିତ୍ୱର ଅଧିକାରିଣୀ ଆରତୀଙ୍କୁ ନେଇ ବହୁ ଆଲୋଚନା । ସେ ବ୍ୟାଙ୍କ ଚାକିରିରୁ ଦୂରେଇ ଯାଇ ଜନସେବାରେ ମନୋନିବେଶ ପୂର୍ବକ ଢ଼ୁଙ୍କାପଡ଼ା ପଞ୍ଚାୟତରୁ ସରପଞ୍ଚ ଭାବରେ କେବଳ ଜନହିତକାରୀ କାର୍ଯ୍ୟ କରି ନାହାନ୍ତି ବରଂ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସେ ଜଣେ ସେଲିବ୍ରିଟି ଭାବରେ ସୁପରିଚିତ । ଆମେରିକାରେ ଓବାମାଙ୍କ ସହ, ଲଣ୍ଡନରେ ରାଜପରିବାର ସହ ଭାବ ବିନିମୟ କରି ଆରତୀ ଦେବୀ ସ୍ୱତନ୍ତ୍ର ସ୍ଥାନ ଦାଖଲ କରିଛନ୍ତି ଓଡ଼ିଶା ତଥା ଗଂଜାମର ସାଧାରଣ ଜନତାଙ୍କ ଜନ ଭାବନାରେ । ଆରତୀ ଦେବୀଙ୍କ ବ୍ୟକ୍ତିତ୍ୱ ସହ ରାଜନୈତିକ ଭବିଷ୍ୟତ ପ୍ରତି ଯଥେଷ୍ଟ ଆସ୍ଥା ପ୍ରକଟ କରିବା ପାଇଁ ହୁଏତ ଆଗାମୀ ନିର୍ବାଚନରେ ଆସିକା ସଂସଦୀୟ କ୍ଷେତ୍ରରେ ଏଇ ମହିୟସୀଙ୍କ ଆବିର୍ଭାବ ହୋଇପାରେ । ସେହିପରି ଲତିକା ପ୍ରଧାନ କରଡ଼ାକଣା ଶେରଗଡ଼ ଅଂଚଳର । ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଟି ଦିନରୁ ମାତ୍ର ୫ ବର୍ଷ ବୟସରେ ସେ ଯେହେତୁ ରାଜନୈତିକ ପରିବାରରୁ ଆସିଛନ୍ତି ତାଙ୍କରି ରାଜନୀତି ପ୍ରତି ତାଙ୍କର ଆକର୍ଷଣ ଦେଖିବାକୁ ମିଳିଥିଲା । ସେ ୨୦୦୮ ମସିହାରେ ବିଜେଡ଼ିରେ ଯୋଗଦେଲା ପରେ ରାଜ୍ୟର ନାରୀନେତ୍ରୀ ହିସାବରେ ସର୍ବକନିଷ୍ଠ ଶେରଗଡ଼ ବ୍ଲକ୍ ଚେୟାରମ୍ୟାନ । ଏକଦା ସାମ୍ୟବାଦୀ ପରିବାର ଥିଲା ଓଡ଼ିଶା ରାଜନୀତିରେ ଏକ ରୁଚିବନ୍ତ ସ୍ୱାକ୍ଷର । ସିପିଆଇ, ସିପିଏମ୍ ମାଟିରେ ଶ୍ରମିକ ନେତାଙ୍କ ଅମ୍ଳାନ ସ୍ୱାକ୍ଷର ବହନ କରିଥିବା ନିତ୍ୟାନନ୍ଦ ପ୍ରଧାନ ଓ ରେଣୁବାଳା ପ୍ରଧାନ ବିଜୁ ଜନତା ଦଳର ସାଂସଦ । କିଏ ରାଜ୍ୟସଭାକୁ କିଏ ଲୋକସଭାକୁ ଯାଇ ନିଜ ନିଜର ଗାରିମାରେ ଗରୀୟାନ୍ । ସେଇ ପରିବାରର ଦାୟାଦ ଲତିକା ପ୍ରଧାନ । କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ପାଇଁ ଘୋଷଣା ହୋଇଥିବା ବିଗତ ନିର୍ବାଚନରେ । କିନ୍ତୁ ବୁଝାମଣାର ଅଭାବ ଓ ତ୍ରୁଟି ଯୋଗୁଁ ସୁଜ୍ଞାନୀଙ୍କ ପାଇଁ ବଳିପଡ଼ିଲେ ଲତିକା ଏବଂ ପ୍ରଧାନ ପରିବାରକୁ ସନ୍ତୁଷ୍ଟ କରିବାକୁ ଯାଇ ଲତିକାଙ୍କ ରାଜନୈତିକ ଜୀବନରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ବିଜୁ ଜନତା ଦଳ ରାଜ୍ୟ ସଂଯୋଜିକା ଭାବରେ ଆଶ୍ୱସ୍ତ ହେବା ସହ ସନ୍ତୁଷ୍ଟ କରିଥିଲା । ଏଠାରେ ସୂଚନାଥାଉକି ସେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଦୁଇଦୁଇ ଥର ମୁଖ୍ୟମନ୍ତ୍ରୀଙ୍କଠାରୁ ସମ୍ମାନିତ ହୋଇଛନ୍ତି । ଲତିକା ପ୍ରଧାନ କେବଳ ଜିଲ୍ଲାରେ ନୁହେଁ ଓଡ଼ିଶା ରାଜନୀତିରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଲତିକା ପ୍ରଧାନ ଯୋଗ୍ୟତାରେ ଦକ୍ଷତାରେ ଓ କାର୍ଯ୍ୟରେ ଆଜି ରାଜ୍ୟରେ ନାରୀନେତ୍ରୀ ଭାବରେ ମଧ୍ୟ ଚର୍ଚ୍ଚିତ ଚେହେରା ମଧ୍ୟରୁ ଜଣେ । ଲତିକାଙ୍କ ପାଇଁ ୨୦୧୯ ନିର୍ବାଚନ ନିଶ୍ଚୟ ଏକ ନୂତନ ସକାଳର ବାଟ ଦେଖାଇ ବିଧାନସଭାର ଦ୍ୱାର ଉନ୍ମୁକ୍ତ ରଖିବାର ପ୍ରୟାସ ହେବ ଏବଂ ବିଜେଡ଼ିର ଶଙ୍ଖରୁ ସେ ପ୍ରତିନିଧିତ୍ୱ କରିବେ ନିର୍ବାଚନ ରଣାଙ୍ଗନରେ । ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ନାରୀନେତ୍ରୀଙ୍କ ଅଭାବ ନାହିଁ । କିନ୍ତୁ ଭାଗ୍ୟ ଏମାନଙ୍କ ସାଥୀ ହେଉନି । ସୁଲୋଚନା ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ନାୟକ, କେ. ମାଧବୀ, ମମତା ବିଷୋୟୀ, ସଂଘମିତ୍ରା ଦଳେଇ ପ୍ରମୁଖ ବିଜୁ ଜନତା ଦଳର ଗୋଟିଏ ଗୋଟିଏ ସୁପରିଚିତ ଚେହେରା । ସବୁଠୁ ଆଗରେ ଯିଏ ଅଛି ମେୟରଙ୍କ ପରେ ସଂଘମିତ୍ରାଙ୍କ ନାମ ଦ୍ୱିତୀୟରେ ସ୍ୱୀକାର୍ଯ୍ୟ । କଂଗ୍ରେସରେ ନିଜର ରାଜନୈତିକ ଭବିଷ୍ୟତ ଗଢ଼ିଥିବା ନାରୀନେତ୍ରୀ ହଠାତ୍ ଦଳୀୟ ବିଚାର ସହ ଖାପଖୁଆଇ ନପାରି ସେ ଶଂଖର ଶିବିରକୁ ଆଦରି ନେଲେ । ୨୦୦୯ରୁ ଏଯାବତ୍ ତାଙ୍କର ଆଶା ଆଶାରେ ରହିଯାଇଛି । କର୍ପୋରେଟର ସ୍ତର ଭିତରେ ସେ ରହିଗଲେ ସୀମିତ । ସଂଘମିତ୍ରା ଦଳେଇଙ୍କ ଯୋଗ୍ୟତାକୁ ନେଇ ସଠିକ୍ ମୂଲ୍ୟାୟନ ଯଦି ହୁଏ ଆଗାମୀ ମେୟର ନିର୍ବାଚନରେ ସେ ବ୍ରହ୍ମପୁର ପାଇଁ ଅନେକ ସମ୍ଭାବନା । ବିକଶିତ ବ୍ରହ୍ମପୁରରେ ନାରୀନେତ୍ରୀଙ୍କ ଆବଶ୍ୟକତାକୁ ସ୍ୱୀକାର ନହେଲେ ହୁଏତ ଅସନ୍ତୋଷ ରହିବା ସ୍ୱାଭାବିକ । ଗଂଜାମର ନାରୀଶକ୍ତିର ଜାଗରଣ ସହ ସବୁ ନାରୀନେତ୍ରୀଙ୍କ ପାଇଁ ସୁଯୋଗ ଆଣିବ ୨୦୧୯ ନିର୍ବାଚନ । ଅନ୍ୟପଟରେ ବିଜେପି ଓ କଂଗ୍ରେସ ମଧ୍ୟ ସୁନ୍ଦର ବ୍ୟକ୍ତିତ୍ୱ ଅନୁସନ୍ଧାନରେ । ବ୍ରହ୍ମପୁର ଗଂଜାମରେ ନାରୀ ପ୍ରତିଭାଙ୍କ ମଧ୍ୟରୁ ଅନେକଙ୍କୁ ନେଇ ସମ୍ଭାବନା ବଢ଼ିଛି । ବିଜେଡ଼ି, ବିଜେପିରେ ନାରୀ ଶକ୍ତିର ପୁନ୍ରୁତ୍ଥାନ ନିଶ୍ଚୟ ଗଂଜାମ ମାଟିରେ ସୁକନ୍ୟାଙ୍କ ପାଇଁ ସୁନ୍ଦର ସଂଦେଶ ଦେବ ୨୦୧୯ । ବାକି ରହିଲା ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ।

Share :