ସନ୍ନ୍ୟାସୀଙ୍କ ସତ୍ୟାଗ୍ରହ ଓ ସ୍ୱର୍ଗବାସ

ସନ୍ନ୍ୟାସୀଙ୍କ ସତ୍ୟାଗ୍ରହ ଓ ସ୍ୱର୍ଗବାସ

Share :

ବିଭୂତି ପତି ଗଙ୍ଗା ଯୋଦ୍ଧା ଜି.ଡ଼ି. ଅଗ୍ରୱାଲ ଆଉ ନାହାନ୍ତି । ସ୍ୱାମୀ ଜ୍ଞାନ ସ୍ୱରୂପ ସାନନ୍ଦ ରୂପେ ଅଧିକ ଲୋକପ୍ରିୟ ଭାରତର ଏହି ବିଶିଷ୍ଟ ପରିବେଶବିତ୍ ୮୬ ବର୍ଷ ବୟସରେ ଋଷିକେଶର ଏକ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଦୂଷଣମୁକ୍ତ ଗଙ୍ଗା ପାଇଁ ପ୍ରାୟ ଚାରିମାସ ପାଖାପାଖି ଅନଶନ ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏବଂ ଅପୂର୍ଣ୍ଣ ରହିଯାଇଛି ତାଙ୍କର ଇଚ୍ଛା - ମୁକ୍ତ ଗଙ୍ଗା ଅଭିଯାନ । ତାଙ୍କର ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଲେଖିଛନ୍ତି, ଶ୍ରୀ ଜି.ଡ଼ି. ଅଗ୍ରୱାଲଙ୍କ ମୃତ୍ୟୁରେ ସେ ମର୍ମାହତ । ଶିଖିବା ପାଇଁ, ଶିକ୍ଷା ପାଇଁ, ପରିବେଶ ସୁରକ୍ଷା ପାଇଁ ବିଶେଷ କରି ଗଙ୍ଗା ସଫେଇ ପାଇଁ ତାଙ୍କର ଆବେଗ ସକାଶେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କ ମୃତ୍ୟୁରେ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି । ମୋଦୀଙ୍କ ଏଭଳି ଟ୍ୱିଟ୍କୁ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ବରଂ ସେମାନେ ମୋଦୀଙ୍କ ସମବେଦନାକୁ ଦୁର୍ଭାଗ୍ୟପୂର୍ଣ୍ଣ ଓ ପ୍ରବଞ୍ଚନା ବୋଲି କହି ନିନ୍ଦା କରିଛନ୍ତି । ଯଦି ମୋଦୀ ପ୍ରକୃତରେ ସନ୍ନ୍ୟାସୀଙ୍କୁ ସମବେଦନା ଦେବାକୁ ଚାହାନ୍ତି ତେବେ ସେ ସନ୍ନ୍ୟାସୀଙ୍କ ଦାବି ମାନି କାର୍ଯ୍ୟକ୍ରମ ଆରମ୍ଭ କରିବେ । ତାହା ହିଁ ହେବ ସନ୍ନ୍ୟାସୀଙ୍କ ପ୍ରତି ତାଙ୍କର ବାସ୍ତବ ସମବେଦନା ଓ ଗଙ୍ଗା ପ୍ରତି ଭକ୍ତି । ବିଡ଼ମ୍ବନାର କଥା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ତାଙ୍କ ଚିଠିର ଉତ୍ତରକୁ ଅପେକ୍ଷା କରି କରି ସନ୍ନ୍ୟାସୀ ସ୍ୱରୂପ ସାନନ୍ଦ ଆଖି ବୁଜିଦେଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଉତ୍ତର ଆସିଲା ନାହିଁ କି ତାଙ୍କର ଜୀବଦ୍ଦଶାରେ ମୋଦୀ ମୁହଁ ମଧ୍ୟ ଖୋଲିଲେ ନାହିଁ । ଏହି ଗଙ୍ଗାଯୋଦ୍ଧା ମୋଦୀଙ୍କ ପାଖକୁ ଗୋଟିଏ ନୁହେଁ, ତିନି ତିନି ଖଣ୍ଡ ଚିଠି ଲେଖିଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ମୋଦୀଙ୍କ ଉତ୍ତରକୁ ଅପେକ୍ଷା କରିବେ । ତାଙ୍କର ବିଜ୍ଞାନକୁ ଭଲପାଇବା ଏବଂ ନଦୀପାଇଁ ଗଭୀର ଶ୍ରଦ୍ଧା ଯୋଗୁଁ ଆମ ସମୟର ସମ୍ଭବତଃ ସବୁଠାରୁ ବଡ଼ ପାରିବେଶିକ ସଂଗ୍ରାମକୁ ଜନ୍ମ ଦେଇଥିଲା । ଜଣେ ବ୍ୟକ୍ତି ନଦୀର ପବିତ୍ରତାକୁ ବଜାୟ ରଖିବା ପାଇଁ ଏକ ବିରାଟ ଲଢ଼େଇ ଲଢ଼ିଲେ । ମାତ୍ର ଦୁଃଖର ବିଷୟ ଯେ ଭାରତର ସରକାର ତାଙ୍କର ଡାକରା ଶୁଣିଲେ ନାହିଁ । ଦିନକର ଆନ୍ଦୋଳନ ପରେ ଦାବୀ ପୂରଣ ପାଇଁ ବ୍ୟଗ୍ର ହୋଇ ପଡ଼ୁଥିବା ସରକାର ଜି.ଡ଼ି. ଅଗ୍ରୱାଲଙ୍କର ପ୍ରାୟ ଚାରିମାସର ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଲେ । ତା’ପରେ ବଳପୂର୍ବକ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଗଲା ଏବଂ ବଳପୂର୍ବକ ତାଙ୍କର ଅନଶନ ଭାଙ୍ଗିବାର ପ୍ରୟାସ କରାଗଲା । ଗୋଟିଏ ଧାରଣା ଓ ଆଦର୍ଶକୁ ବଞ୍ଚାଇ ରଖିବା ସକାଶେ ଜଣେ ସଂଗ୍ରାମୀ ସନ୍ନ୍ୟାସୀ ସ୍ୱର୍ଗପ୍ରାପ୍ତି କଲେ । ତାଙ୍କର ବିଶ୍ୱାସ ଯେ ମଣିଷମାନେ ଯାହା କରିବା ଉଚିତ, ତାହା କରିବାର ପ୍ରୟାସରେ ସେ ଦେହତ୍ୟାଗ କଲେ । ତାଙ୍କର ବିଶ୍ୱାସ ଯେ ମଣିଷମାନେ ଆଦର୍ଶ ଦୁନିଆର ବିଶ୍ୱାସକୁ ବଞ୍ଚାଇ ରଖିବା ଆବଶ୍ୟକ ଏବଂ ପବିତ୍ରତାର ଧାରଣାକୁ ବଳବତ୍ତର ରଖିବା ଜରୁରୀ । ଡକ୍ଟର ଜି.ଡ଼ି. ଅଗ୍ରୱାଲଙ୍କ(ସ୍ୱରୂପ ସାନନ୍ଦ) ପାଇଁ ଗଙ୍ଗା କେବଳ ନଦୀଟିଏ ମାତ୍ର ନୁହେଁ, ଏହାଠାରୁ ଅନେକ ବେଶି । ଗଙ୍ଗା ଜୀବନଜୀବିକା, ଜୀବନଶୈଳୀ, ପୁରାଣ, ପବିତ୍ରତା ଓ ପରିବେଶର ଉତ୍ସ । ଏହା ସତ୍ତେ୍ୱ ତାଙ୍କ ବିଜ୍ଞାନର ମୂଳ ଆଧାର ଥିଲା ଗଙ୍ଗା । ଜି.ଡ଼ି. ଅଗ୍ରୱାଲ ଏକ ପ୍ରଦୂଷଣମୁକ୍ତ ଗଙ୍ଗାର ସ୍ୱପ୍ନ ଦେଖିଥିଲେ ଏବଂ ସତ୍ୟାଗ୍ରହ ମାଧ୍ୟମରେ ଏହାର ସୁରକ୍ଷା ପାଇଁ ପ୍ରୟାସ କରିଥିଲେ । ଜି.ଡ଼ି.ଙ୍କ ସମ୍ପର୍କରେ ନାଁ ଧାର୍ମିକ ଆଧାରରେ କିଛି କୁହାଯାଇପାରିବ, ନାଁ ଧର୍ମନିରପେକ୍ଷତା ଆଧାରରେ । ତାଙ୍କ ଜୀବନ ଏହି ସବୁ ଦ୍ୱିଧାଠାରୁ ଅନେକ ଉଦ୍ଧ୍ୱର୍କୁ ଚାଲିଯାଇଥିଲା । କାରଣ ସ୍ୱରୂପ ସାନନ୍ଦ କେବଳ ତାତ୍ତ୍ୱିକ ଆଧାରରେ କଥାବାର୍ତ୍ତା କରୁଥିବା ବୁଦ୍ଧିଜୀବୀ ବା ପରିବେଶବିତ୍ ନଥିଲେ, ସେ ଗଙ୍ଗାକୁ ନେଇ ବସ୍ତୁନିଷ୍ଠ କିମ୍ବା ନିଷ୍ପକ୍ଷ ମଧ୍ୟ ନଥିଲେ । ସେ ଏକାଧାରରେ ପୌରାଣିକ, କିମ୍ବଦନ୍ତୀ ଓ ବିଜ୍ଞାନ ଜାଣିଥିବା ଜଣେ ଗଭୀର ଜ୍ଞାନୀ ଓ ବୈଜ୍ଞାନିକ ଥିଲେ । ତାଙ୍କର ବିଜ୍ଞାନ ପ୍ରେମ ଏବଂ ନଦୀ ପ୍ରତି ଗଭୀର ଶ୍ରଦ୍ଧା ଆମ ସମୟର ସମ୍ଭବତଃ ସବୁଠାରୁ ବଡ଼ ପାରିବେଶିକ ସଂଗ୍ରାମକୁ ଜନ୍ମ ଦେଇଥିଲା - ଜଣେ ବ୍ୟକ୍ତି ନଦୀର ପବିତ୍ରତା ବଜାୟ ରଖିବା ପାଇଁ ଲଢ଼େଇ କରିବା । ମାତ୍ର ଦୁଃଖର ବିଷୟ ଯେ ଭାରତ ତାଙ୍କର ଡାକରାର ଉତ୍ତର ଦେଲା ନାହିଁ । ଭାରତର ସରକାର ନିଜର ଅହଂକାର, ବିଜ୍ଞାନ ଓ ପାରିବେଶିକ ଅଜ୍ଞତା କାରଣରୁ ସ୍ୱରୂପ ସାନନ୍ଦଙ୍କ ଭଳି ଜଣେ ପ୍ରସିଦ୍ଧ ବୈଜ୍ଞାନିକ, ପିରବେଶବିତ୍ ଏବଂ ଭାରତର ସଂସ୍କୃତି ବିଶେଷଜ୍ଞଙ୍କୁ ଏକ ଉପଦ୍ରବକାରୀ ତଥା ପ୍ରତିଭାହୀନ ଅଜ୍ଞାନୀ ସନ୍ଥ ବ୍ୟକ୍ତି ରୂପେ ବିବେଚନା କରୁଥିଲେ । ମାତ୍ର ଜି.ଡି. ଅଗ୍ରୱାଲ (ସ୍ୱରୂପ ସାନନ୍ଦ) ଉଭୟେ ବିଜ୍ଞାନ ତଥା ଆଧ୍ୟାତ୍ମିକତା ଭାଷାରେ ପାରଙ୍ଗମ ଥିଲେ । ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀ ପାଇଁ ଯୁକ୍ତି କରୁଥିଲେ । ପର୍ଯ୍ୟଟକମାନେ ତୀର୍ଥଯାତ୍ରୀ : ଜି.ଡି. ଅଗ୍ରୱାଲ(ସ୍ୱରୂପ ସାନନ୍ଦ)ଙ୍କ ସହିତ ବଞ୍ଚିବା ତଥା ଚଳିବା ଆଦୌ ସହଜସାଧ୍ୟ ନଥିଲା । ସେ ନିଜେ ଉଚ୍ଚମାନର ଜୀବନ ଜୀଉଁଥିଲେ ଏବଂ ତାଙ୍କର ଛାତ୍ରଛାତ୍ରୀ ଓ ଚାରିକଡ଼ର ଲୋକମାନେ ମଧ୍ୟ ସେପରି ଜୀବନ ବଞ୍ଚନ୍ତୁ ବୋଲି ଚାହୁଁଥିଲେ । ତାଙ୍କ ନିକଟରେ ଲୋକପ୍ରିୟ ହେବାର କୌଣସି ପ୍ରବଣତା ନଥିଲା । ପର୍ଯ୍ୟଟନ ଦ୍ୱାରା ଆଧ୍ୟାତ୍ମିକତାକୁ ବିନିଷ୍ଟ କରିବାର ମୁର୍ଖତାକୁ ସେ ନାପସନ୍ଦ କରୁଥିଲେ । ଜି.ଡି. ଅଗ୍ରୱାଲଙ୍କ ବିଚାରରେ ଜଣେ ନାଗରିକ ତୀର୍ଥଯାତ୍ରୀ ପରି ହେବା ଉଚିତ୍ । କାରଣ ଜଣେ ତୀର୍ଥଯାତ୍ରୀ ହିଁ ଜାଣିଛି ପରିବେଶ (ଜମି, ଜଳ, ଜଙ୍ଗଲ ଏବଂ ନଦନଦୀ, ବାୟୁ ଓ ଆକାଶ)କୁ କିପରି ଛୁଇଁବାକୁ ହେବ ଏବଂ କେତେ କୋମଳତାର ସହ ଛୁଇଁବାକୁ ହେବ । ଯେଉଁ ନାଗରିକମାନେ ନଦୀକୁ ପ୍ରଦୁଷିତ କରନ୍ତି ସେମାନଙ୍କର ନାଗରିକତ୍ୱ ସମ୍ପର୍କରେ କୌଣସି ଧାରଣା ନାହିଁ । ଜି.ଡି. ଅଗ୍ରୱାଲଙ୍କୁ ନିକଟରୁ ଜାଣିବା ପରେ ଇଚ୍ଛା ହୁଏ ବିଜ୍ଞାନର ବିଦ୍ୱାନମାନେ ତାଙ୍କ ପରି ଆଦର୍ଶ ହୁଅନ୍ତି କି? ଯାହା ଫଳରେ ସେମାନେ ବୈଜ୍ଞାନିକ ନୈତିକତା ସୃଷ୍ଟି କରନ୍ତେ ଯାହାକୁ ନେଇ ବିଜ୍ଞାନ ଗର୍ବିତ ହୁଅନ୍ତା । ଆଜିକାଲି ବିଜ୍ଞାନର ନୈତିକତା କେବଳ ଔପଚାରିକତା ଓ ଭଦ୍ରୋଚିତ ବ୍ୟବହାରରେ ସୀମିତ ହୋଇ ରହିଯାଇଛି । ଭୁଲ ନକରିବାର ପ୍ରୟାସ ହିଁ ଏଥିରେ ପ୍ରାଧାନ୍ୟ ପାଇଛି ଏବଂ ଏହି ନୈତିକତାର କୌଣସି ଝୁଙ୍କ ନେବାର ସାହାସ ମଧ୍ୟ ନାହିଁ । ଜି.ଡି. ଅଗ୍ରୱାଲ ଗାନ୍ଧୀ ବିଚାରଧାରା ନୈତିକତାକୁ ଠିକ୍ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଜଣଙ୍କର ଶରୀର ଓ ଜୀବନଶୈଳୀ ସେ ପ୍ରସାର କରୁଥିବା ନୈତିକତା ସହ ମେଳ ଖାଉଥିବା ଆବଶ୍ୟକ । ତାଙ୍କ ପାଖରେ ଗାନ୍ଧୀବାଦୀ ବିଚାରଧାରା ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସହାବସ୍ଥାନ କରୁଥିଲେ ଏବଂ ସେ ଏକ ଭିନ୍ନ ପୃଥିବୀ ପାଇଁ ଆହ୍ୱାନ ଦେଉଥିଲେ । ସ୍ୱଚ୍ଛ ଆନ୍ଦୋଳନ କ'ଣ ସେକଥା ଜି.ଡି. ଅଗ୍ରୱାଲ ଭଲ ଭାବରେ ବୁଝିଥିଲେ । ଏହା କେବଳ ସତ୍ୟ ଉପରେ ରଙ୍ଗ ବୋଳିବାର ପ୍ରୟାସ ମାତ୍ର । ଏଥିରେ ସତ୍ୟର ସମ୍ମୁଖୀନର ସତ ସାହାସ ନଥିଲା । ତାଙ୍କ ସମ୍ମୁଖରେ ସରକାର ସମ୍ପୂର୍ଣ୍ଣ ରୂପେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିଲେ । କିଛି ବର୍ଷ ପୂର୍ବେ ଇରୋମ ଶର୍ମିଳାଙ୍କ ସମ୍ମୁଖରେ ମଧ୍ୟ ସରକାରଙ୍କର ଏକା ଅବସ୍ଥା ହୋଇଥିଲା । ଉଭୟେ ଜାଣିଥିଲେ ଯେ ଏପରି ଚାହିଁବା ଦରକାର ଯାହା ପାଇଁ ଜଣେ ମରିବାକୁ ମଧ୍ୟ ପ୍ରସ୍ତୁତ ଥିବ । ବାସ୍ତବରେ ପରିବେଶ ଓ ନଦୀପ୍ରତି ଜି.ଡି. ଅଗ୍ରୱାଲଙ୍କ ନିଷ୍ଠା ଏବଂ ମୋଦୀଙ୍କ ଉଦ୍ଭଟ କାର୍ଯ୍ୟ ମଧ୍ୟରେ ତୁଳନା କରାଯିବା ଆବଶ୍ୟକ । ଜି.ଡି. ଅଗ୍ରୱାଲ ତାଙ୍କର ବିଶ୍ୱାସ ପାଇଁ ପ୍ରାଣତ୍ୟାଗ କଲେ ଆଉ ମୋଦୀ ମିଳିତ ଜାତିସଂଘର ପୁରସ୍କାର ହାସଲ କଲେ । ମୋଦୀ କେବେହେଲେ ବୁଝିପାରିବେ ନାହିଁ ଯେ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସଙ୍ଗମରୁ ହିଁ ପରିସଂସ୍ଥାନ ଓ ନାଗରିତ୍ୱର ସୃଷ୍ଟି ହୁଏ ବୋଲି । ଜି.ଡି. ଅଗ୍ରୱାଲ ଅନେକ ଭାବଧାରର ସଙ୍ଗମ ହୋଇଥିବା ବେଳେ ମୋଦୀ ଓ ତାଙ୍କ ସରକାର କେବଳ ଅହଂକାର ଓ ସେମାନେ ସମ୍ମୁଖୀନ ହେଉଥିବା ବିରୋଧାଭାଷର ପ୍ରତିଫଳନ । ଶ୍ରଦ୍ଧାଞ୍ଜଳି କେବଳ ଜଣଙ୍କର ସଫଳତାର ଲମ୍ବା ତାଲିକା ନୁହେଁ । ଜି.ଡି. ଅଗ୍ରୱାଲ କୌଣସି ପ୍ରମାଣପତ୍ରର ଅପେକ୍ଷା ରଖନ୍ତି ନାହିଁ । ସେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରଥମ ଅଧ୍ୟକ୍ଷ ଥିଲେ । ବାର୍କଲେରୁ ଡକ୍ଟରେଟ୍ ହାସଲ କରିଥିବା ଜି.ଡି. ଅଗ୍ରୱାଲ ଆଇ.ଆଇ.ଟି କାନପୁରର ପାରିବେଶିକ ଇଞ୍ଜିନିୟରିଂ ବିଭାଗର ଡିନ୍ ଥିଲେ । ସେ ସମ୍ଭବତଃ ଅନୀଲ ଅଗ୍ରୱାଲ ଓ ରାଜେନ୍ଦ୍ର ସିଂହଙ୍କ ପୃଷ୍ଠପୋଷକତା କରୁଥିବା ଗୁରୁ ହିସାବରେ ପରିଚିତ ହେବାକୁ ଅଧିକ ଶ୍ରେୟସ୍କର ମଣିଥାନ୍ତେ । ଏକଥା ପ୍ରଶ୍ନ କରାଯିବା ଉଚିତ୍ ଯେ ମୋଦୀ ସରକାର ଏବଂ ଖୋଦ୍ ମୋଦୀ ଗଙ୍ଗା ମୁକ୍ତି ଓ ସୁରକ୍ଷାର ସ୍ଲୋଗାନ୍ ଦେଇ ଏବଂ ନିଜକୁ ଗଙ୍ଗାର ପୁତ୍ର ବୋଲି କହୁଥିବା ସରକାର ଦୀର୍ଘ ଚାରିମାସ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଜି.ଡି. ଅଗ୍ରୱାଲଙ୍କ ଅନଶନ ପ୍ରତି ଆଖି ବୁଜିଦେଲେ କାହିଁକି ଓ କିପରି? ପ୍ରାୟ କିଛିଦିନର ଅନଶନ ପରେ ଜି.ଡିଙ୍କୁ ତାଙ୍କ ଆଶ୍ରମ ପରିସରରୁ ବଳପୂର୍ବକ ସ୍ଥାନାନ୍ତରିତ କରାଗଲା ଏବଂ ଜୋରଜବରଦସ୍ତୀ ତାଙ୍କର ଅନଶନ ଭାଙ୍ଗିବା ପାଇଁ ପ୍ରୟାସ କରାଗଲା । ମାତ୍ର ଜଣେ ଗାନ୍ଧୀବାଦୀ ପରି ଏହି ଉଦ୍ୟମର ପ୍ରତିରୋଧ କଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ସରକାର ତାଙ୍କ ସହିତ କଥାବାର୍ତ୍ତା କରିବାର କୌଣସି ପ୍ରୟାସ କଲେ ନାହିଁ କିମ୍ବା ତାଙ୍କର ନୈତିକତା ପ୍ରତି ସମ୍ମାନ ଜଣାଇ ଗଙ୍ଗାର ଉନ୍ନତିର ପରିଚାଳନା କରିବେ ବୋଲି ପ୍ରତିଶୃତିଟିଏ ମଧ୍ୟ ଦେଇପାରିଲେ ନାହିଁ । ଜି.ଡି. ଅଗ୍ରୱାଲ ଏକଥା ପ୍ରଦର୍ଶିତ କରିଦେଲେ ଯେ ଗଙ୍ଗାରେ ଥିବା ଅଣୁଜୀବମାନଙ୍କର ବିଶୋଧନ କରିବାର ଅଦ୍ଭୁତ ଗୁଣ ଯୋଗୁଁ ଗଙ୍ଗା ଏକ ସାଧାରଣ ନଦୀ ନୁହେଁ । ଜି.ଡି. ଅଗ୍ରୱାଲ ଏକଥା ମଧ୍ୟ ଦେଖାଇଦେଇ ଗଲେ ଯେ ପୁରାଣ ଏବଂ ବିଜ୍ଞାନକୁ ଅଲଗା କରାଯାଇ ପାରିବ ନାହିଁ । ସରକାର ଶିଷ୍ଟତାର ସହିତ ଶୁଣିପାରିଥାଆନ୍ତେ ଏବଂ ଏହା ଶୁଣିବା ଉଚିତ୍ ଥିଲା । ସରକାର ତାଙ୍କୁ କ୍ଷମା ପ୍ରାର୍ଥନା କରିପାରି ଥାଆନ୍ତେ । କେବଳ ଏକ ନଦୀର ମୁମୂର୍ଷୁ ଅବସ୍ଥା ସକାଶେ ଏ ଶୋକ ନୁହେଁ, ବରଂ ଏକ ଏପରି ବ୍ୟକ୍ତିପାଇଁ ଏ ଶୋକ ଯିଏକି ଅନାବଶ୍ୟକ ଭାବେ ମୃତ୍ୟୁ ବରଣ କଲେ । ଏପରି ଜଣେ ବ୍ୟକ୍ତି ଯିଏକି ଏଭଳି ଏକ ଭାରତର ବିବେକ, ଯେଉଁ ଭାରତ ଯାହା ଉପଭୋଗାବାଦକୁ ଭଲପାଏ ଏବଂ ବିଶ୍ୱାସ କରେ ଯେ ମୂଲ୍ୟବୋଧରିକ୍ତ ଉପଭୋଗ ଦ୍ୱାରା ମଧ୍ୟ ନିରନ୍ତରତା ହାସଲ କରାଯାଇ ପାରିବ । ମୃତ୍ୟୁ ବେଳକୁ ଜି.ଡି. ଅଗ୍ରୱାଲ ୮୬ ବର୍ଷର ହୋଇଥିଲେ । ସେ ସ୍ୱାମୀ ଜ୍ଞାନ ସ୍ୱରୂପ ସାନନ୍ଦ ରୂପେ ପରିଚିତ ଥିଲେ । ମାତ୍ର ସ୍ୱାମୀଜୀଙ୍କ ରୂପରେ ହେଉ ଅଥବା ଜଣେ ବୈଜ୍ଞାନିକ, ଏହି ବ୍ୟକ୍ତିଙ୍କ ସତ୍ୟତା ସମ୍ମୁଖରେ ସରକାର ସର୍ବଦା ଅପ୍ରତିଭ ଅନୁଭବ କରୁଥିଲେ । ଏହି ବ୍ୟକ୍ତିଙ୍କ ବିଶ୍ୱାସ ଯୋଗ୍ୟତା ଆଗରେ ଯୋଗୀ ଆଦିତ୍ୟନାଥଙ୍କ ଧର୍ମ ଉପଦେଶ କେବଳ ଛଳନା ପରି ପ୍ରତୀୟମାନ ହୁଏ ଏବଂ ମୋଦୀଙ୍କ ଭାଷଣ କେବଳ ଅହଂକାରର ପ୍ରତିଫଳନ କରେ । ସରକାର ଗଙ୍ଗାର ଉପରମୁଣ୍ଡରେ ମାତ୍ରାଧିକ ସଂଖ୍ୟକ ନଦୀବନ୍ଧ ନିର୍ମାଣକୁ ବନ୍ଦ କରିବାପାଇଁ ତାଙ୍କ ପରାମର୍ଶକୁ ଶୁଣିବା ଉଚିତ୍ ଥିଲା । ଜି.ଡି. ଅଗ୍ରୱାଲ ଚାହୁଁଥିଲେ ଯେ ଗଙ୍ଗା ମୁକ୍ତରେ ପ୍ରବାହିତ ହେଉଥିବା ଅନେକଗୁଡିଏ ଭାବନା / ଧାରଣାର ସମାଜ ହେଉ ଏବଂ ମୁକ୍ତରେ ପ୍ରବାହିତ ନଦୀ ହେଉ । ପ୍ରତିବାଦର ମୁହୂର୍ତ୍ତ : ଜି.ଡି. ଅଗ୍ରୱାଲଙ୍କୁ ସମ୍ମାନ ପ୍ରଦର୍ଶନ କରିବା କିପରି? ତାଙ୍କର ସଫଳତାର ତାଲିକା ପ୍ରସ୍ତୁତ କରି ନୁହେଁ, ବରଂ ତାଙ୍କର ସ୍ୱପ୍ନ ପୂରଣ ଦିଗରେ କାର୍ଯ୍ୟ କରି ଏବଂ ତାଙ୍କ ବୈଜ୍ଞାନିକ ବିଚାରଧାରାର ବିଶ୍ୱାସନୀୟତାକୁ ସମ୍ମାନ ଜଣାଇ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁପରେ ପ୍ରଥା ଅନୁଯାୟୀ ଗୋଟିଏ ମିନିଟ୍ର ନୀରବ ପ୍ରାର୍ଥନା ଦରକାର ନାହିଁ । ସେ ଯାହା କରୁଥିଲେ ସେଇ କଥାକୁ ହଜାର ହଜାର ଲୋକଙ୍କ ମୁହଁରେ ପରିଭାଷିତ କରାଯିବା ଆବଶ୍ୟକ । ଜି.ଡି. ଅଗ୍ରୱାଲଙ୍କ ପରି ବିଶିଷ୍ଟ ରାସାୟନବିତ୍ ସି.ଭି. ଶେଷାଦ୍ରୀ, ଏକା ଅନୁଷ୍ଠାନର ଅନୀଲ ଅଗ୍ରୱାଲ ପ୍ରମୁଖ ଆଇ.ଆଇ.ଟି କାନପୁରର ପାରିବେଶିକ ଜ୍ଞାନକୁ ଏକ କାବ୍ୟିକ ସାବଲୀଳତା ପ୍ରଦାନ କରିଥିଲେ । ଏବେ, ଜି.ଡ଼ି ଅଗ୍ରୱାଲ ଯାହା କହିଯାଇଛନ୍ତି, ତାଙ୍କୁ କେହିହେଲେ ଅସ୍ୱୀକାର କରିପାରିବେ ନାହିଁ । ଏହି ଅନୁଷ୍ଠାନଗୁଡ଼ିକୁ ତାଙ୍କର ବିଜ୍ଞାନର ଢଙ୍ଗକୁ ବଜାୟ ରଖିôବାକୁ ପଡ଼ିବ । ଯେତେବଳେ ସରକାର ଏପରି ବିଜ୍ଞାନକୁ ନଷ୍ଟ କରିଚାଲନ୍ତି କିମ୍ବା "ବିଗ୍ ସାଇନ୍ସ'ର ସର୍କସରେ ଏହି ବିଜ୍ଞାନକୁ ସ୍ଥାଣୁ କରିଦେଉଛନ୍ତି ଏବଂ ଭାରତୀୟ ବିଜ୍ଞାନ ଚୀନର ବିଜ୍ଞାନର ଘୁଣଖିଆ ବିଜ୍ଞାନକୁ ଅନୁକରଣ କରିଚାଲିଛନ୍ତି ସେତେବେଳେ ସ୍ୱରୂପ ସାନନ୍ଦଙ୍କ ପରି ବୈଜ୍ଞାନିକଙ୍କର କଥା ସ୍ମରଣ କରାଯିବା ଆବଶ୍ୟକ । ଏପରି ବୈଜ୍ଞାନିକମାନଙ୍କର ଜୀବନ ଉଭୟ ଭାରତୀୟ ବିଜ୍ଞାନ, ଆଧ୍ୟାତ୍ମିକତାର ସୋଧନ କରିଛନ୍ତି । ମୋ ବିଚାରରେ ଜି.ଡ଼ି. ଅଗ୍ରୱାଲଙ୍କର ସ୍ୱର୍ଗପ୍ରାପ୍ତିର ଶୋକ ପ୍ରକାଶ କରିବାର ମୁହୂର୍ତ୍ତ ନୁହେଁ । ଏହା ପ୍ରତିବାଦର, ବିରୋଧର ମୁହୂର୍ତ୍ତ ହେବା ଉଚିତ । ସେ ଯେଉଁସବୁ ସତ୍ୟ ଉନ୍ମୋଚନ କରିଯାଇଛନ୍ତି ସେସବୁର ଏକତ୍ରୀକରଣ ମୁହୂର୍ତ୍ତ ହେବାର ସମୟ ଆସିଛି । ଏବେ ବିଜ୍ଞାନୀମାନେ ହିଁ ବିଜ୍ଞାନର ସୁରକ୍ଷା ପାଇଁ ଅଣ୍ଟାଭିଡ଼ି ବାହାରିବା ଉଚିତ । ପରିବେଶବିତ୍ ଓ ନଦୀସୁରକ୍ଷା କର୍ମୀମାନେ ଏବେ ସ୍ୱାମୀ ସ୍ୱରୂପ ସାନନ୍ଦଙ୍କ ସ୍ମୃତିକୁ ବାସ୍ତବ ରୂପ ଦେବାର ସମୟ ଆସିଛି । ସନ୍ନ୍ୟାସୀ ସ୍ୱରୂପ ସାନନ୍ଦ ଏକ ସତ୍ୟାଗ୍ରହୀ ଭାରତ ନିର୍ମାଣର ମୁଖବନ୍ଧ ହିସାବରେ ସତ୍ୟାଗ୍ରହୀ ବିଜ୍ଞାନର ପ୍ରତିଶ୍ରୁତି ପାଇବା ପାଇଁ ହକ୍ଦାର । ତାଙ୍କର ଗଙ୍ଗା ମୁକ୍ତି ଅଭିଯାନ ଓ ସ୍ୱପ୍ନର ଗଙ୍ଗା ଗଠନକୁ ସାକାର କରିପାରିଲେ ତାହା ହିଁ ହେବ ଏହି ସନ୍ନ୍ୟାସୀଙ୍କ ପ୍ରତି ଗଭୀର ସମବେଦନା ଓ ଶ୍ରଦ୍ଧାଞ୍ଜଳି । ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ ମୋ- ୯୯୧୦୭୪୦୮୩୯

Share :