ନବୀନ ଓ ନିମୋଲରଙ୍କ କବିତା

ନବୀନ ଓ ନିମୋଲରଙ୍କ କବିତା

Share :

ସେମାନେ ପ୍ରଥମେ ସମାଜବାଦୀମାନଙ୍କୁ ହତ୍ୟାକଲେ । ମୁଁ କିଛି କହିଲି ନାହିଁ । କାରଣ ମୁଁ ସମାଜବାଦୀ ନଥିଲି । ତା’ପରେ ସେମାନେ ଶ୍ରମିକନେତାମାନଙ୍କୁ ମାରିଲେ । ମୁଁ କିଛି କହିଲି ନାହିଁ । କାରଣ ମୁଁ ଶ୍ରମିକ ନେତା ନଥିଲି । ତା’ପରେ ସେମାନେ ଜିଉମାନଙ୍କୁ ହତ୍ୟାକଲେ । ମୁଁ କିଛି କହିଲି ନାହିଁ । କାରଣ ମୁଁ ଜିଉ ନଥିଲି । ତା’ପରେ ସେମାନେ ମୋତେ ମାରିଲେ । ମୋ ପାଇଁ କହିବାକୁ ଆଉ କେହି ନଥିଲେ । ଜର୍ମାନୀର ମାର୍ଟିନ ନିମୋଲର୍ ଲେଖିଥିଲେ ଏ କବିତାଟି । ଠିକ୍ ଏଇ ଭାଷାରେ ନୁହେଁ । ଜର୍ମାନୀରେ ସେ ଯାହା ଲେଖିଥିଲେ ତାହାର ବହୁ ସଂଶୋଧନ ଓ ସଂସ୍କରଣ ହୋଇଛି । ୧୮୯୨ରୁ ୧୯୮୪ ଯାଏଁ ଇହଧାମରେ ଥିଲେ ମାର୍ଟିନ ନିମୋଲର । ନାଜୀ ଜର୍ମାନୀରେ ଚାଲିଥିବା ଗଣହତ୍ୟା ସମୟର ଏ ଲେଖା । ନିମୋଲର ଜଣେ ଧର୍ମଯାଜକ । ସେ ପ୍ରଥମେ ହିଟଲରଙ୍କ ସମର୍ଥକ ଥିଲେ । କିନ୍ତୁ ପରେ ଯେତେବେଳେ ହିଟଲର ଧର୍ମ ଉପରେ ରାଷ୍ଟ୍ର ବୋଲି ଘୋଷଣା କଲେ ତାଙ୍କ ଆସ୍ଥା ତୁଟିଗଲା । ସେ ହିଟଲରଙ୍କୁ ବିରୋଧ କଲେ । ସେଥିପାଇଁ ବନ୍ଦୀ ହେଲେ । ୧୯୪୫ ମସିହାରେ ମିତ୍ରଶକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ଜିତିବା ପରେ ନିମୋଲର କାରାମୁକ୍ତ ହେଲେ । ସେ ପ୍ରଥମେ କ’ଣ ଲେଖିଥିଲେ ତାହା ଜଣାନାହିଁ । କିନ୍ତୁ କବିତାଟା ନାଜୀ ଜର୍ମାନୀରେ ଅନେକ ସଂଶୋଧନ ଦେଇ ଗତି କରିଛି । ସମାଜବାଦୀ ଜାଗାରେ ସେ କାଳେ ପ୍ରଥମେ ସାମ୍ୟବାଦୀ ବା ସୋସାଲିଷ୍ଟ ଜାଗାରେ କମ୍ୟୁନିଷ୍ଟ ବୋଲି ଲେଖିଥିଲେ । ସେହିପରି ଜିଉ ଶବ୍ଦଟି ମଝିରେ ସଂଶୋଧିତ ହୋଇଛି ବୋଲି କୁହାଯାଏ । ସେ ହତ୍ୟା କଲେ ବୋଲି ଲେଖି ନଥିଲେ । ନିମୋଲରଙ୍କ ଏଇ କବିତାର ଇଂରାଜୀ ଅନୁବାଦରେ ଲେଖାଯାଇଛି ‘ଦେ କେମ୍ ଆଉଟ୍’ ଅର୍ଥାତ ସେମାନେ ଆସିଲେ । ନାଜୀ ଜର୍ମାନୀରେ ସେମାନେ ଆସିଲେର ଅର୍ଥ ସମସ୍ତେ ବୁଝୁଥିବେ । ସେ ଯାହା ହେଉ, ନିମୋଲରଙ୍କ ଏଇ କବିତାଟି ଓଡ଼ିଶାର ବିଜୁ ଜନତା ଦଳର ନେତାମାନଙ୍କ ପାଇଁ ବିଶେଷ ଭାବେ ଧ୍ୟେୟ ହେବା ଉଚିତ । ସେମାନେ ଏହାକୁ ଭଲ ଭାବେ ପଢ଼ିଲେ ଓ ବୁଝିଲେ ସେମାନେ ନିଜେ କରିଥିବା ‘ବଡ଼ ଭୁଲ’ ବିଷୟରେ ହେଜି ପାରିବେ । ବିଜେଡି ସୁପ୍ରିମୋ କାହିଁକି ଓ କିପରି ବିନା ପ୍ରତିବାଦରେ ଜଣକ ପରେ ଜଣେ ବିଜୁଭକ୍ତଙ୍କୁ ଝାଡ଼ୁମାରି ସଫା କରିପାରିଲେ ସେ ବିଷୟରେ ନିମୋଲରଙ୍କର ଏଇ କବିତାରେ ଅନେକ ଆଭାସ ରହିଛି । ଏଇ କବିତା ଆଧାରରେ ବିଜେଡିର ବିଜୁଭକ୍ତ-ଦମନ ଉପରେ ଆଉ ଗୋଟେ କବିତା ଲେଖାଯାଇ ପାରେ । ସେ କବିତାଟି ଏପରି ହୋଇପାରେ: ସେ ପ୍ରଥମେ ବିଜୟ ମହାପାତ୍ରଙ୍କୁ ମାରିଲେ । ମୁଁ ପ୍ରତିବାଦ କଲିନି । କାରଣ ସେ ମୋ ସାଙ୍ଗ ନଥିଲା । ତା’ପରେ ସେ ଦିଲ୍ଲୀପ ରାୟଙ୍କୁ ମାରିଲେ । ମୁଁ କିଛି କହିଲି ନାହିଁ । କାରଣ ସେ ମୋ ମିତ୍ର ନଥିଲା । ତା’ପରେ ସେ ନଳିନୀ ଓ କମଳାଙ୍କୁ ମାରିଲେ । ମୁଁ ପ୍ରତିବାଦ କଲିନି । କାରଣ ସେଥିରେ ମୋ ସ୍ୱାର୍ଥ ନଥିଲା । ତା’ପରେ ସେ ରାମକୃଷ୍ଣଙ୍କୁ ହଟେଇଲେ । ମୁଁ ସମର୍ଥନ କଲି । କାରଣ ସେଥିରେ ମୋ ସ୍ୱାର୍ଥ ଥିଲା । ତା’ପରେ ସେ ଶରତ କରଙ୍କୁ ତଡ଼ିଲେ । ମୁଁ ନୀରବ ରହିଲି । କାରଣ ତାହା ହିଁ ମୋର ସ୍ୱାର୍ଥ ଥିଲା । ତା’ପରେ ସେ ପ୍ୟାରୀଙ୍କୁ ସଂହାର କଲେ । ମୁଁ ତାଳି ମାରିଲି । କାରଣ ସେଥିରେ ମୋର ସ୍ୱାର୍ଥ ଥିଲା । ତା’ପରେ ସେ ବୈଜୟନ୍ତଙ୍କୁ ତଡ଼ିଲେ । ମୁଁ ସମର୍ଥନ କଲି । କାରଣ ମୋର ସ୍ୱାର୍ଥ ଥିଲା । ତା’ପରେ ସେ ମୋତେ ତଡ଼ିଲେ । ମୋ ପାଇଁ ଆଉ କିଏ କହିବାକୁ ବାକି ନଥିଲେ । ସମସ୍ତେ ତଡ଼ାଖାଇ ସାରିଥିଲେ । ଏବେ ତଡ଼ା ଖାଇବାକୁ ବାକି ଅଛନ୍ତି ସୂର୍ଯ୍ୟ ପାତ୍ର । ସୁରେନ୍ଦ୍ରନାଥ ନାୟକ ତ ବୁଢ଼ା ହୋଇଗଲେଣି । ଅବସର ଜୀବନ କାଟୁଛନ୍ତି । ଯେଉଁ ପାଣ୍ଡିଆନଙ୍କୁ ଏବେ ସମସ୍ତେ ଗାଳି କରୁଛନ୍ତି ତାଙ୍କ ଅବସ୍ଥା ଯେ ଦିନେ ପ୍ୟାରୀଙ୍କ ପରି ନହେବ କିଏ କହିବ? ପ୍ୟାରୀ ତ ଚାକିରି କରୁ ନଥିଲେ । ପାଣ୍ଡିଆନ ଚାକିରି କରୁଛନ୍ତି । କେତେବେଳେ ପ୍ରକାଶ ମିଶ୍ରଙ୍କ ପରି ଭିଜିଲାନ୍ସ ମାମଲାରେ ପଡ଼ିବେ, କିଏ ଜାଣେ? ଦାମବାବୁ ବିଦା ହେବା ପରେ ବିଜୁ ପରିବାରକୁ ନେଇ ନୂଆ ଦଳ ଗଢ଼ିବା କଥା କହୁଥିଲେ । ତାଙ୍କର ଏପରି ଦମ୍ଭୋକ୍ତି ସଂପର୍କରେ ବିଜୟ ମହାପାତ୍ର ଓ ପ୍ରଫୁଲ୍ଲ ଘଡ଼େଇ ଯେଉଁ ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି ତାହା ଠିକ୍ ନିମୋଲରଙ୍କର ଏଇ କବିତା ପରି । ଆଉ କିଏ ବାକି ଅଛି ଯେ!

Share :