ଚାଷୀ ଆଖିରେ ଲୁହ ଦେଇଗଲା ତିତଲି

ଚାଷୀ ଆଖିରେ ଲୁହ ଦେଇଗଲା ତିତଲି

Share :

ହେମାଙ୍ଗ ପ୍ରସାଦ ରାଉଳ ଦୁଃଖ, ଦୈନ୍ୟ ଓ ଅଭାବ ଅନଟନରେ ଷଢ଼ୁଥିବା ଓଡ଼ିଆ ପାଇଁ ବାତ୍ୟା, ବନ୍ୟା ମରୁଡ଼ିର ଦାଗ ଅଭୁଲା ସ୍ମୃତି ପରି ଇତିହାସ ପୃଷ୍ଠାରେ ପଢ଼ିବାର ସୁଯୋଗ ମିଳୁଥିଲା । କିନ୍ତୁ ବିଗତ ତିନି ଦଶନ୍ଧି ଭିତରେ ଏକାଧିକ ବାତ୍ୟାବନ୍ୟାର ଚିତ୍ର ସହ ପରିଚିତ ହୋଇଗଲେ କୋଟି କୋଟି ଓଡ଼ିଆ । ୧୯୯୯ ମହାବାତ୍ୟା ପୂର୍ବରୁ ୧୯୮୦ ଓ ୧୯୯୦ର ବନ୍ୟା ଥିଲା ଓଡ଼ିଶାର ଇତିହାସ । କିନ୍ତୁ ୧୯୯୯ ମହାବାତ୍ୟାର ଦାଗ ଥିଲା ସବୁଠୁ ବଡ଼ କ୍ଷତି । ଦୁଇଦଶନ୍ଧି ପରେ ପୁନଶ୍ଚ ଫାଇଲିନ୍ ହୁଡ଼ହୁଡ଼୍ ଗଂଜାମ ପାଇଁ ମହାକାଳ ଭାବରେ ଠିଆ ହୋଇ ଆତଙ୍କର ଝଡ଼ ସୃଷ୍ଟି କରି ଭାଙ୍ଗି ଦେଇଥିଲା ସାଧାରଣ ଜନତାର ମେରୁଦଣ୍ଡ । ଆଜି ବି ଫାଇଲିନ୍ର କ୍ଷତି ଭରଣାରେ ଗଂଜାମ ଅସମର୍ଥ । ଏପରି ସମୟରେ ମାତ୍ର ୪ ଦିନ ଭିତରେ ଗଂଜାମବାସୀ ତଥା ଗଜପତି ଆନ୍ଧ୍ର ଉପାନ୍ତ ଅଂଚଳ ଦେଖିଲେ ତତ୍ଲିର ଭୟଙ୍କର ଦୃଶ୍ୟ । ତିତ୍ଲି ବାତ୍ୟାର କରାଳ ରୂପର ଛାପ ପଡ଼ିବ ଗଂଜାମ ଗଜପତି ତଥା ଆନ୍ଧ୍ରରେ ବାରମ୍ବାର ସତର୍କ କରି ଦେଇଥିଲା ଭାରତର ପାଣିପାଗ ବିଭାଗ । ଏହା ସହ ଗଂଜାମବାସୀ ଗଜପତି ଜିଲ୍ଲାବାସୀଙ୍କୁ ଆକସ୍ମିକ ଭାବରେ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେଲା ୮ ତାରିଖରୁ । ୮ ତାରିଖ ରାତିରୁ ହିଁ ନିଦ ହଜିଗଲା ଜିଲ୍ଲାବାସୀ, ପ୍ରଶାସନର । ଗଣମାଧ୍ୟମରେ ଭାସିଲା ଖବର ତିତ୍ଲି ଆସୁଛି । ବାତ୍ୟାର ଝଡ଼ ସହ ପ୍ରବଳ ବର୍ଷାକୁ ନେଇ ଛାତି ଥରାଇଲା ପରି ଖବର ପରିବେଷଣ ପରେ କୌଣସି ମଣିଷ ନିଃଶ୍ୱାସ ନେବା ସହଜ ହେଲାନି । ୯ ତାରିଖ ସନ୍ଧ୍ୟାରେ ଚିତ୍ର ସ୍ପଷ୍ଟ ହେଲା ଯେ ଏଇ ବାତ୍ୟା ଗୋପାଳପୁର ଓ ଆନ୍ଧ୍ର ମଧ୍ୟବର୍ତ୍ତୀ ଅଂଚଳରେ ଆସି ସ୍ଥଳଭାଗ ଛୁଇଁବ । ୧୦ ତାରିଖ ସକାଳୁ ସକାଳୁ ଆରମ୍ଭ ହେଲା । ପ୍ରଶାସନିକ ତତ୍ପରତା ସହ ସାଧାରଣ ଜନତାଙ୍କ ପ୍ରତିକାର ବ୍ୟବସ୍ଥା । ବାତ୍ୟା ଆସିବ କିରୂପ କେଉଁଠି ଆଗାତ ଦେବା କାହାର ତୁଣ୍ଡରେ ଭାଷା ନଥିଲା । ସମସ୍ତଙ୍କ ଆଖି ଲାଖିଲା ଖବର ଉପରେ । ୧୦-୧୧ ତାରିଖରେ ବର୍ଷା କ୍ରମଶଃ ବଢ଼ି ୧୦ ତାରିଖ ସନ୍ଧ୍ୟାରେ ଗଂଜାମ ଗଜପତିରେ ବୃଦ୍ଧି ପାଇଲା ପବନ ସାଙ୍ଗକୁ ବର୍ଷା । ଏମିତି ରାତିସାରା ପ୍ରବଳ ବାତ୍ୟାର ପ୍ରଚଣ୍ଡ ଶବ୍ଦ ସହ ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାର ସମସ୍ତ ବ୍ଲକ୍ ଭୟଭୀତ ହେଉ ହେଉ ତିତ୍ଲି ଦସ୍ତଖତ ଦେଲା ବ୍ରହ୍ମପୁରଠାରୁ ଅଶୀ କିଲୋମିଟର ଦୂର ପାଲାସା ଆନ୍ଧ୍ର ପଟରେ ବାଡ଼େଇ ହୋଇ ହୋଇ ପରେ ପଶ୍ଚିମ ଦିଗକୁ ଯିବା ସମୟରେ ଗଂଜାମ ଗଜପତିରେ ପବନ ଓ ବର୍ଷା ଅଦ୍ଭୁତପୂର୍ବ କ୍ଷତି ଘଟାଇଲା । ତିତ୍ଲିର ଦାରୁଣ ପ୍ରହାରରେ ଗଂଜାମ ଜିଲ୍ଲାର ହଜାର ହଜାର ଚାଷୀଙ୍କର ଅପୂରଣୀୟ କ୍ଷତି ହୋଇଥିଲା । ଶୀତଦିନିଆ ଫସଲର ବ୍ୟାପକ କ୍ଷୟ କ୍ଷତିକୁ ହିସାବ କରିବା ଆଦୌ ସହଜ ନୁହେଁ । ଚିକିଟି, ସୋରଡ଼ା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଛତ୍ରପୁର, ଆସିକା, ପୋଲସରା ଭଂଜନଗର, ବୁଗୁଡ଼ା ଆଦି ଅଂଚଳରେ ବନ୍ୟା ବ୍ୟାପକ ଅଂଚଳକୁ ଜଳମଗ୍ନ କରିଦେଇଛି । ହଜାର ହଜାର ଏକର ଜମିରେ ପାଣିର ଜୁଆର ଭାଙ୍ଗିଲା ପରି ସ୍ରୋତ ଦେଖିଲେ ଛାତି ଥରି ଉଠୁଛି । ଏହା ସହ କୌଣସି କୌଣସି ଅଂଚଳ ସହ ରାସ୍ତା ପଥରେ ଆଦୌ ସଂପର୍କ ହେଉନି । ସୋସିଆଲ୍ ମିଡ଼ିଆରେ ଚିତ୍ର ଲୋକେ ପଠାଇ ଦୁଃଖଦୁର୍ଦ୍ଦଶାର କାହାଣୀ ବୟାନ କରି ଆକୁଳର ସହ ସାହାଯ୍ୟ ମାଗୁଛନ୍ତି । ଦେଖିବାକୁ ଗଲେ ଫାଇଲିନ୍ ସମାନ ବାତ୍ୟା ପରବର୍ତ୍ତୀ ଅବସ୍ଥା ଗଂଜାମ ଓ ଗଜପତିର ଅର୍ଥନୈତିକ ସାମର୍ଥ୍ୟକୁ ରୁଗ୍ଣ କରିଦେଇଛି । ଏପରି ଦଣ୍ଡରେ ଦଣ୍ଡିତ କରିବାରେ କାହାର କୋପ ରହୁଛି । ଏପରି ପ୍ରଶ୍ନ ମଧ୍ୟ ବାରମ୍ବାର ଉଙ୍କି ମାରୁଛି । ଶାରଦୀୟ ପାର୍ବଣ ଋତୁ କୁମାର ପୂର୍ଣ୍ଣିମାର ମହୋତ୍ସବକୁ ତିତିଲ୍ର ପ୍ରଚଣ୍ଡ ଆକ୍ରମଣ । ଗାଁ ଗହଳିରେ ନୂଆ ପୋଷାକ ପରିଧାନ ସହ ପୂଜା ଆସର ପାଇଁ ଲୋକମାନେ ପ୍ରସ୍ତୁତି ସମୟରେ ହିଁ ଶାରଦୀୟ ବାତ୍ୟାବନ୍ୟାର ଆତଙ୍କମୟ ପରିବେଶ ନିଶ୍ଚୟ ଏକ ଚାଲେଞ୍ଜ ସାଧାରଣ ଜନତାଙ୍କ ପାଇଁ । ଅନ୍ୟପଟରେ ପ୍ରଶାସନିକ ତତ୍ପରତା ଆଶାଜନକ ନୁହେଁ । କେବଳ ବିଡ଼ିଓମାନେ କିଛି ମାତ୍ର ହାତଗଣତି ଅଧିକାରୀଙ୍କୁ ଧରି ଗଂଜାମ ଜିଲ୍ଲାର ୧୭ଟି ବ୍ଳକ୍କୁ ସାହାଯ୍ୟ ଦେବେ କାହାର ଦୁଃଖ ଶୁଣିବେ କାହାର ଦୁଃଖ ଗୁହାରୀ ଶୁଣିବେନି ଏହା ମଧ୍ୟ ସନ୍ଦିହାନ । ୧୯୯୯, ୨୦୧୩, ୨୦୧୪, ୨୦୧୮ ବାତ୍ୟା ପ୍ରସଂଗରେ ତରୁଣ, ବୃଦ୍ଧ, ବୃଦ୍ଧା ଅଭ୍ୟସ୍ତ । ଯେଉଁମାନେ ପିଲା ଦିନେ ବାତ୍ୟାକୁ ଦେଖିଥିଲେ ଆଜି ସେମାନେ ଭେଣ୍ଡିଆ । କିନ୍ତୁ ଓଡ଼ିଶା ରାଜନୈତିକ ଶକ୍ତିର ପତିଆରାରେ ଯେଉଁ ଗଂଜାମର ପରିଚୟ ଏଇଠି ରାଜନୈତିକ ଶକ୍ତିମାନେ ସାଧାରଣ ଜନତାର ସ୍ୱରକୁ ବୁଝି ବିଚାରି କାମ କରିବା ଦେଖାଯାଏନି ବରଂ କୃତ୍ରିମ କାନ୍ଦଣା ଦେଇଥାନ୍ତି । ସ୍ଥାନୀୟ ଲୋକ ପ୍ରତିନିଧି ମାନେ ନିଜର ଫାଇଦା ପାଇଁ ଲୋକଙ୍କ ପାଖରେ ପହଞ୍ଚିବେ । ଦୁଃଖରେ ଦୁଃଖୀ ବୋଲି କହିବେ କିନ୍ତୁ ଉପର ନେତାଙ୍କ ଇଙ୍ଗିତ ନ ମିଳିଲେ ଏଠାରେ ମୁଠାଏ ଚାଉଳ ମଧ୍ୟ ମିଳିବନି । ବିଜୁ ଜନତା ଦଳର ନେତାମାନେ ପଦଯାତ୍ରା, ବିଜେପିଙ୍କ ଆୟୁଷ୍ମାନ ଘରକୁ ଘର ପଦଯାତ୍ରା ଚାଲିଥିବା ସମୟରେ ତିତିଲିର ଆଘାତ ସଂପ୍ରତି ରାଜନେତାଙ୍କୁ ଲକ୍ଷ୍ୟଭ୍ରଷ୍ଟ କରିବାକୁ ବାଧ୍ୟ କରିଛି । ଏହି ବାତ୍ୟା ହିଁ ଅସଲ ପରୀକ୍ଷା ନେବ ନେତାଙ୍କର । କୃଷକର ମେରୁଦଣ୍ଡକୁ ସିଧା କରିବାକୁ ନେତାମାନେ କି ପ୍ରତିଶ୍ରୁତି ଦେଇ ଭୋଟ ସୁରକ୍ଷିତ କରିବେ ଦେଖିବାକୁ ମିଳିବ । ଗଂଜାମ ଆଜି ବନ୍ୟା ଘେରରେ । ବାବୁ, ହାକିମ ନେତା, ପ୍ରଶାସନଙ୍କ ନଜରରେ ଗଂଜାମ ରହିବ । ବାବୁମାନେ ଭଲ କାମ କଲେ ପ୍ରଶାସନ, ନେତାମାନେ ଭଲ କାମ କଲେ ଟିକେଟ୍ ଥଇଥାନ ପାଇଁ ପଦବୀ ଲୋଡ଼ିବେ । କିନ୍ତୁ କୃଷି ଓ କୃଷକ ବିପର୍ଯ୍ୟସ୍ତ ଛବି ବଦଳିବା ପାଇଁ ସରକାରୀ ବ୍ୟବସ୍ଥା ଓ ରାଜନୈତିକ ଇସ୍ତାହାର ୨୦୧୯ ନିର୍ବାଚନ ପାଇଁ ଅସଲ ଚିତ୍ର ଦେଖାଇଛି ତିତିଲି । ଏଇ ସମାଚାର ଲେଖିଲା ବେଳକୁ ଗଂଜାମର ଆର୍ତ୍ତନାଦ ଶୁଭୁଛି ବନ୍ୟା ଅଂଚଳରୁ । ଆମର ଅବସ୍ଥା ଆଉ ଅବସ୍ଥା ହୋଇନାହିଁ । ହଜାର ହଜାର ଲୋକ ଶତାଧିକ ଗ୍ରାମ ପାଇଁ ସ୍ୱୟଂ ନାରାୟଣ ରକ୍ଷା କବଚ ।

Share :