ପ୍ରଶାସନର ପରିଚାଳନାରେ ତିତ୍ଲି ଭୟ ଦୂର

ପ୍ରଶାସନର ପରିଚାଳନାରେ ତିତ୍ଲି ଭୟ ଦୂର

Share :

ହେମାଙ୍ଗ ପ୍ରସାଦ ରାଉଳ ଗଂଜାମ ଜିଲ୍ଲାରୁ ତିତ୍ଲି ଭୟ ଦୂର ହୋଇଛି । ଅକ୍ଟୋବର ୧୧ ଗୁରୁବାର ସକାଳେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ପଲାସା ନିକଟରେ ସକାଳ ୪.୩୦ ରୁ ୫.୩୦ ସମୟ ମଧ୍ୟରେ ସାମୁଦ୍ରିକ ବାତ୍ୟା ତିତ୍ଲି ସ୍ଥଳଭାଗ ଛୁଇଁ ଥିଲା । ବୁଧବାରଠାରୁ ଜିଲ୍ଲା ତମାମ ବର୍ଷା ହୋଇଥିବାବଳେ ଗୁରୁବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ସହରରେ ବର୍ଷାର ପରିମାଣ କମିଛି । ଯେଉଁ ପରିମାଣରେ ଭୟ ଲୋକଙ୍କ ମଧ୍ୟରେ ଥିଲା ଲୋକଙ୍କୁ ତାହା ଅଳ୍ପ ଅନୁଭୂତ ହୋଇଛି । ସମୁଦାୟ ଗଂଜାମ ଜିଲ୍ଲାର ପରିସ୍ଥିତିକୁ ଦେଖିଲେ କାଁ ଭାଁ ଛୋଟ ଘଟଣା ପରେ ଅନ୍ୟ କୌଣସି ବଡ଼ ଧରଣର ବିତ୍ପାତ ଘଟିନାହିଁ । ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ତରଫରୁ ହୋଇଥିବା ବ୍ୟାପକ ପ୍ରସ୍ତୁତିରୁ ଲୋକେ ତ୍ରାହି ପାଇଥିବା ଦେଖାଯାଇଛି । ଜିଲ୍ଲାର ଆସିକା, ପାତ୍ରପୁର ଅଂଚଳକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇନଥିବାବେଳେ କୁକୁଡ଼ାଖଣ୍ଡି, ଗୋପାଳପୁର ରାସ୍ତାରେ ଛୋଟ ମୋଟ ଗଛ ପଡ଼ି ଅଳ୍ପ ସମୟ ପାଇଁ ରାସ୍ତା ବନ୍ଦ ହୋଇଥିଲା । ଅକ୍ଟୋବର ୧୦ ତାରିଖରୁ ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ରାତ୍ରି ୧୨ଟା ସୁଦ୍ଧା ଗଂଜାମ ଜିଲ୍ଲାରେ ସମୁଦାୟ ୩ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ଲୋକଙ୍କ ସହ ଗୃହପାଳିତ ପଶୁ ଏବଂ ବୃଦ୍ଧବୃଦ୍ଧାଙ୍କୁ ମଧ୍ୟ ଏହି ସ୍ଥାନରେ ରଖାଯାଇଥିଲା । କିଛି ବ୍ୟକ୍ତି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପ୍ରଶାସନର ବାଧ୍ୟବାଧକତାରୁ ସେମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିଲେ । ସବୁ ବ୍ଲକ୍ର ବିଡ଼ିଓମାନେ ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେଠାରେ ଲୋକଙ୍କୁ ରନ୍ଧାଖାଦ୍ୟ ସହ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୋରଡ଼ା ବ୍ଲକ୍ ଗାଜଲବାଡ଼ି ପଞ୍ଚ।।ୟତରେ ଗୋଟିଏ ପରିବାରର ୪ ଲୋକ ସମେତ ଗ୍ରାମର ୬ ଲୋକ ନିଖୋଜ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାରେ ବୁଧବାର ରାତି ୧୨ଟାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବାବେଳେ ଗୁରୁବାର ଅପରାହ୍ନ ୭ ସୁଦ୍ଧା କିଛି ସ୍ଥାନରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଥିଲା । କୁକୁଡ଼ାଖଣ୍ଡି ବ୍ଲକ୍ ମସିଆଖାଲି ପଞ୍ଚ।।ୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ପ୍ରତାପକୃଷ୍ଣଚନ୍ଦ୍ରପୁର ମୁଖ୍ୟ ରାସ୍ତା ଉପରେ ୧ ଫୁଟ ପାଣି ଯିବାରୁ ରାସ୍ତା ଧୋଇ ହୋଇଯାଇଛି । ସେହିପରି ଆସିକାରୁ ବ୍ରହ୍ମପୁର ସହର ବିଚ୍ଛିନ୍ନ ହୋଇଛି । ନଳବଣ୍ଟା ନିକଟସ୍ଥ ବଡ଼ନଦୀରେ ପାଣି ଆସିବାରୁ ରାସ୍ତା ଉପରେ ୨ ଫୁଟ ଉଚ୍ଚର ପାଣି ଚାଲିଛ । ପୁରାତନ ଗଛ ଭାଙ୍ଗି ପଡ଼ିଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବ୍ରହ୍ମପୁର ବସ୍ତି ଅଂଚଳରେ ପ୍ରବଳ ବର୍ଷା ଫଳରେ ପାଣି ଜମି ରହିଛି । ବାତ୍ୟା ତିତ୍ଲି ପ୍ରଭାବ ଗଂଜାମ ଜିଲ୍ଲାରେ ଅନୁଭୂତ ହୋଇଥିବାବେଳେ ଏହି ପରିପ୍ରେକ୍ଷୀରେ ଚିକିଟି ଅଂଚଳରେ ଜଣେ ଛାତ୍ରୀଙ୍କ ଉପରେ ଗଛ ପଡ଼ିଯିବାରୁ ତା’ର ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା କୃଷ୍ଣ ନାୟକଙ୍କ ଝିଅ ଜ୍ୟୋତିଙ୍କ ଉପରେ ବାତ୍ୟା ତିତ୍ଲି ପ୍ରଭାବରେ ଏକ ବିଶାଳ ଗଛ ପଡ଼ିଯାଇଥିଲା । ତିତ୍ଲି ପ୍ରଭାବର ୧୨୬ କିମି ବେଗରେ ପବନ ବହିବା ସହ ଲଗାଣ ବର୍ଷା ଓ ଭାଙ୍ଗି ପଡ଼ିଥିବା ଗଛ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଏନ୍ଡ଼ିଆର୍ଏଫ୍ ଟିମ୍, ବିଏମ୍ସି କର୍ତ୍ତୃପକ୍ଷ, ସାଉଥ୍କୋ ଭଳି ଜିଲ୍ଲାର ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ କର୍ମଚାରୀମାନେ ଗଛକାଟି ରାସ୍ତା ସଫା କରିବାରେ ସାମିଲ ହୋଇଥିଲେ । ସକାଳୁ ସକାଳୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଡ଼ିଆଇଜି ଆଶିଷ ସିଂ, ଏସ୍ପି ପିନାକ ମିଶ୍ର, ଏସ୍ପି ବ୍ରଜେଶ କୁମାର ରାୟ ବିଭିନ୍ନ ଟିମ୍ ଗଠନ କରି ରାସ୍ତାରେ ପଡ଼ିଥିବା ଗଛକାଟି ସଫା କରିବା କାର୍ଯ୍ୟରେ ନିଜେ ସାମିଲ ହୋଇଥିଲେ । ବିଶେଷ କରି ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଉଥିବା ଦକ୍ଷିଣପୁର ଜଳଭଣ୍ଡାରକୁ ତତ୍କାଳୀନ ଭିତ୍ତିରେ ସାଉଥ୍କୋ କର୍ତ୍ତୃପକ୍ଷ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ସୋରଡ଼ା ଓ ଅନ୍ୟ ୬ଟି ପଞ୍ଚାୟତ ୪୦ଟି ଗାଁ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଧ୍ର ପ୍ର୍ରଦେଶରେ ୮ ଜଣଙ୍କ ମୃତ୍ୟୁର ଖବର ମିଳିଛି । ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରେ ତିତ୍ଲିର ଭୟ ଏତେ ପରିମାଣରେ ଦେଖାଦେଇଥିଲା ଯେ ବଜାରରୁ ଆଳୁ ପିଆଜ ଅନ୍ତର୍ଦ୍ଧାନ ହେବା ସହ ଆଳୁ ଏବଂ ପିଆଜ କିଲୋ ୩୦ ଟଙ୍କାରେ ବିକ୍ରି ହୋଇଥିଲା । ପ୍ରଶାସନ ତରଫରୁ କଳାବଜାରୀ ବନ୍ଦ କରିବାକୁ ପ୍ରୟାସ କରିଥିଲେ ମଧ୍ୟ କେତେକ ସ୍ଥାନରେ ଚଢ଼ାଦରରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଥିବାବେଳେ ରେଲ୍ୱେ ପରୀକ୍ଷାଗୁଡ଼ିକୁ ସ୍ଥଗିତ ରଖାଯାଇଛି । ବ୍ରହ୍ମପୁର ଷ୍ଟେସନରେ ଜନସାଧାରଣ ଟ୍ରେନକୁ ଅପେକ୍ଷା କରି ରହିଛନ୍ତି । ଦୂରଗାମି ଟ୍ରେନଗୁଡ଼ିକର ଯାତ୍ରୀର ଟ୍ରେନ ବାତିଲର ସୂଚନା ନ ପାଇ ଚାଲିଆସିଥିବାରୁ ସେମାନେ କେମିତି ନିଜ ଘରକୁ ଯିବେ ସେ ବିଷୟରେ ଚିନ୍ତା କରି ଷ୍ଟେସନରେ ଅଟକି ରହିଛନ୍ତି । ବସ୍ ଚଳାଚଳ ସ୍ୱାଭାବିକ ଥିବା ସତ୍ତେ୍ୱ ଷ୍ଟେସନରୁ ବସ୍ଷ୍ଟାଣ୍ଡ ଯିବାକୁ ଅଟୋ ନଥିବା ତଥା ଯେଉଁ ଅଟୋ ଅଛି ଚଢ଼ା ଦର କହୁଥିବାରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ଆମ ପ୍ରତିନିଧିକୁ ଜଣାଇଥିଲେ । ସବୁଦିଗରୁ ଦେଖିବାକୁ ଗଲେ ବ୍ରହ୍ମପୁର ସହରରେ ତିତ୍ଲି ଭୟ ଦୂର ହୋଇଛି ।

Share :