ସଂପୂର୍ଣ୍ଣ କ୍ରାନ୍ତିର ମହାନାୟକ ଲୋକନାୟକ

ସଂପୂର୍ଣ୍ଣ କ୍ରାନ୍ତିର ମହାନାୟକ ଲୋକନାୟକ

Share :

ସୁରେନ୍ଦ୍ରନାଥ ଛୋଟରାୟ ୧୯୭୫ ମସିହା ଜୁନ ମାସ ୨୫ ତାରିଖ ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ କଳାଦିବସ ଭାବେ ପ୍ରତ୍ୟେକ ଭାରତୀୟ ଓ ବିଶ୍ୱବାସୀଙ୍କ ମନରେ ଗଭୀର ରେଖାପାତ କରିଆସିଛି । ଏହିଦିନ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦେଶରେ ଆଭ୍ୟନ୍ତରୀଣ ଜରୁରୀ ପରିସ୍ଥିତି ଜାରିକରିଥିଲେ । ଲୋକଙ୍କର ମୌଳିକ ଅଧିକାର ପ୍ରତ୍ୟାହାର କରାଯାଇ ଦେଶରେ ଏକ ବର୍ବର ଶାସନ ପ୍ରଚଳିତ ହେଲା । ବିନା କାରଣରେ ଦେଶରେ ବିରୋଧୀ ଦଳରେ ଥିବା ମଧୁ ଦଣ୍ଡବତେ, ମଧୁ ଲିମାୟେ, ଭୀମସେନ ସାଚାରଙ୍କ ଭଳି ଜାତୀୟ ସ୍ତରର ନେତାଙ୍କ ସହ ଓଡ଼ିଶାର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟଙ୍କ ଭଳି ବରିଷ୍ଠ ନେତା ଗିରଫ ହେଲେ । ବିଧାୟକ ଥିବା ନଟବର ପ୍ରଧାନ, ଭାଗବତ ବେହେରା ଏପରିକି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା କଂଗ୍ରେସ ବିଧାୟକ ତ୍ରିଲୋଚନ କାନୁନ୍ଗୋ ଓ ତାଙ୍କ ସାନଭାଇ ଯୁବ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋଙ୍କୁ ହାତକଡ଼ି ପକାଇ କୋର୍ଟରେ ହାଜର କରି ଜେଲ ପଠାଇ ଦିଆଗଲା । ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ କରାଯାଇ ଆକାଶବାଣୀ, ଦୂରଦର୍ଶନ ଓ ଖବରକାଗଜଗୁଡ଼ିକର ସମ୍ବାଦପତ୍ର ପ୍ରସାରଣ ଉପରେ ମଧ୍ୟ ସରକାର ନିୟନ୍ତ୍ରଣଜାରୀ କଲେ । ବିହାର, ଉତ୍ତର ପ୍ରଦେଶ ଓ ଉତ୍ତରାଂଚଳ ରାଜ୍ୟମାନଙ୍କରେ ଜରୁରିକାଳୀନ ପରିସ୍ଥିତିରେ ଜନସାଧାରଣଙ୍କ ଉପରେ କଠୋର ନିର୍ଯ୍ୟାତନା ଆରମ୍ଭ କରାଗଲା । ଜରୁରୀକାଳୀନ ପରିସ୍ଥିତି ଜାରୀ ପଛର ମୁଖ୍ୟ କାରଣ ହେଲା ୧୯୭୧ ମସିହା ରାଏ ବରେଲୀ ନିର୍ବାଚନରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଅନିୟମିତତା ସମ୍ପର୍କରେ ପରାଜିତ ସମାଜବାଦୀ ନେତା ରାଜ ନାରାୟଣଙ୍କ ଦ୍ୱାରା ଆଗତ ନିର୍ବାଚନୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ଇନ୍ଦିରାଙ୍କ ବିରୁଦ୍ଧରେ ରାୟ ପ୍ରକାଶ ଓ ଦ୍ୱିତୀୟ କାରଣ ହେଲା କଂଗ୍ରେସ ଶାସନର ଭ୍ରଷ୍ଟାଚାରକୁ ବିରୋଧ କରି ବିହାର ଓ ଉତ୍ତର ପ୍ରଦେଶରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ । ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ହେଉଥିବା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନକୁ ଚପାଇ ରଖି କଂଗ୍ରେସ କ୍ଷମତାରେ ରହିବାକୁ ଜରୁରିକାଳୀନ ପରିସ୍ଥିତି ଜାରୀକଲା । ଭାରତବର୍ଷ ଜରୁରିକାଳୀନ ପରିସ୍ଥିତିର ପ୍ରତାରଣା ଓ ନିର୍ଯାତନାର ଶିକାର ହେଉଥିବାବେଳେ ଦେଶରେ ଗଣତନ୍ତ୍ରର ସୁରକ୍ଷା କରି ଭାରତବାସୀଙ୍କୁ ନ୍ୟାୟ ଦେଇ କଂଗ୍ରେସ ଶାସନ ହଟାଇବାକୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଦେଶରେ ବିଭାଜିତ ହୋଇଥିବା ଅଣ କଂଗ୍ରେସ ରାଜନୈତିକ ଦଳ ଜନସଂଘ, ପ୍ରଜା ସୋସିଆଲିଷ୍ଟ ପାର୍ଟି, ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି, ସ୍ୱତନ୍ତ୍ର ଦଳ ଓଡ଼ିଶାର ଉକ୍ରଳ କଂଗ୍ରେସ, ପ୍ରଗତି ଦଳ ଭଳି ବିଭିନ୍ନ ରାଜ୍ୟର ଆଂଚଳିକ ଦଳକୁ ମିଶାଇ ଜନତା ପାର୍ଟି ଭାବରେ ଏକ ବୃହତ ଅଣ କଂଗ୍ରେସ ଦଳ ଗଠନ କରି ସେହି ଦଳ ଉପରେ ଭାରତବାସୀଙ୍କର ଆସ୍ଥା ଓ ବିଶ୍ୱାସ ସୃଷ୍ଟି କଲେ । ସେହି ଦଳ ୧୯୭୭ ମସିହାରେ ଜୟପ୍ରକାଶଙ୍କ ଦିଗ୍ଦର୍ଶନରେ ନିର୍ବାଚନ ଲଢ଼ି କଂଗ୍ରେସ ଦଳକୁ ପରାଜିତ କରି ଭାରତବର୍ଷରେ ମୋରାରଜୀ ଭାଇ ଦେଶାଇଙ୍କ ନେତୃତ୍ୱରେ୧୯୭୭ ମସିହା ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଅଣ କଂଗ୍ରେସ ଜନତା ପାର୍ଟି ସରକାର ଗଠନ କଲେ । ଇନ୍ଦିରା ଗାନ୍ଧୀ ଓ ତାଙ୍କ ସାନପୁଅ ସଂଜୟ ଗାନ୍ଧୀଙ୍କ ସହ ବହୁ କଂଗ୍ରେସ ନେତା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେଲେ । ଏହି ଏ୍ୟ÷ତିହାସିକ ପରିବର୍ତ୍ତନର ମୁଖ୍ୟ ସୂତ୍ରଧର ଓ ପ୍ରମୁଖ ବିନ୍ଧାଣୀ ହେଲେ ଲୋକନାୟକ ଜୟପ୍ରକାଶ ନାରାୟଣ । ନିଜ ପ୍ରଗାଢ଼ ଉଦ୍ୟମ ସମର୍ପିତ ତ୍ୟାଗ ବଳରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ସେ ଶାସନ ଭାର ନ ନେଇ ମୋରାରଜୀ ଦେଶାଇଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇଥିଲେ । ଲୋକନାୟକ ଜୟପ୍ରକାଶ ନାରାୟଣ ଗଙ୍ଗା ଓ ଘାଘରା ନଦୀ ବନ୍ୟା ପ୍ରଭାବିତ ବିହାରର ସରଣ ଜିଲ୍ଲା ଅନ୍ତର୍ଗତ ସୀତାବ ଜିଆରା ଅଂଚଳର ଲାଲାଟୋଲିରେ ପିତା ହରଷୁ ଦୟାଲଙ୍କ ଔରସରୁ ମାତା ଫୁଲରାଣୀଙ୍କ ଗର୍ଭରୁ ୧୯୦୨ ମସିହା ଅକ୍ଟୋବର ୧୧ ତାରିଖ ପବିତ୍ର ବିଜୟା ଦଶମୀ ତିଥିରେ ଜନ୍ମ ହୋଇଥିଲେ । ତାଙ୍କ ନାମ ଥିଲା ବାଉଲ । ମାତ୍ର ପାଟଣା ଜିଲ୍ଲା ସ୍କୁଲରେ ତାଙ୍କ ନାମ ଲେଖାବେଳେ ତାଙ୍କ ପିତା ତାଙ୍କ ନାମ ଜୟପ୍ରକାଶ ନାରାୟଣ ରଖିଲେ । ପାଟଣା ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତକ୍ରାଳୀନ ବିଦ୍ୟାଳୟ ଅଧ୍ୟକ୍ଷ ଅମଜଦ୍ ଅଲ୍ଲୀ ଖାଁ, ମସୁଦ ସାହେବ ଓ ବିଟମୋର ସାହେବଙ୍କ ସଂସ୍ପର୍ଶରେ ଆସି ତାଙ୍କର ଜାତୀୟତା ଚେତନା ବୃଦ୍ଧି ପାଇଲା । ପାଟଣାର ସରସ୍ୱତୀ ଭବନ ସ୍କୁଲ ଓ କଲେଜ ପିଲାଙ୍କ ସମନ୍ୱୟସ୍ଥଳୀ ଥିଲା । ଏଠାରେ ରହିଥିବା ଅନ୍ତେଃବାସୀମାନେ ପରବର୍ତ୍ତୀ ଅବସ୍ଥାରେ ଭାରତବର୍ଷର ଶାସନ ଦାୟିତ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଜୟପ୍ରକାଶ ପାଟନା କଲେଜରେ ବିଜ୍ଞାନ ପଢ଼ିଲେ । ମାତ୍ର ୧୯ ବର୍ଷ ବୟସରେ ଜାତୀୟବାଦୀ ନେତା ବାରିଷ୍ଟର ବ୍ରଜବିହାରୀ ପ୍ରସାଦଙ୍କ ୧୪ ବର୍ଷ ବୟସ୍କା କନ୍ୟା ପ୍ରଭାବତୀଙ୍କୁ ବିବାହ କଲେ ଓ ବିବାହ ପରେ ମଧ୍ୟ ତାଙ୍କ ଉଚ୍ଚଶିକ୍ଷା ଅବ୍ୟାହତ ରଖିଲେ । ୧୯୨୨ ମସିହାରେ ଆମେରିକା ଯାଇ ନିଜେ ଅଙ୍ଗୁର ବଗିଚା, ରାସ୍ତା କାମ ଓ କଂସେଇଖାନା ଜଗୁଆଳୀ ଦାୟିତ୍ୱ ସହ ଶାରୀରିକ ପରିଶ୍ରମ କରି ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କଲେ । ବିଦ୍ୱାନ ଜୟପ୍ରକାଶ ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବା ବେଳେ ମାସିକ ୩୦ ଡଲାର ବୃତ୍ତି ପାଇବା ସହ ଅଧ୍ୟାପନା କରି ନିଜ ପଢ଼ା ଖର୍ଚ୍ଚ ଉଠାଉଥିଲେ । ଜୟପ୍ରକାଶ ପ୍ରଥମେ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ସମାଜବାଦ ଚିନ୍ତାଧାରାରେ ନିଜକୁ ଜଡ଼ିତ କରି ଶ୍ରମିକ ଓ କୃଷକ ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ଘଟଣା ବହୁଳ ଜୀବନରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୀମାନ୍ତ ଗାନ୍ଧୀ ଖାଁ ଅବଦୁଲ୍ ଗଫୁର ଖାଁ ଆଦି ନେତାଙ୍କ ସଂସ୍ପର୍ଶରେ ଆସିଥିଲେ । ନାସିକ ଜେଲରେ ବନ୍ଦୀ ଥିଲା ବେଳେ ଅଶୋକ ମେହେଟ୍ଟା, ମିନୁ ମାସାନି, ଅଚ୍ୟୁତ ପଟ୍ଟବର୍ଦ୍ଧନ ଓ ଏମ.ଏଲ. ଦାନ୍ତୁୱାଲା ପ୍ରମୁଖଙ୍କ ସହ ମିଶି କଂଗ୍ରେସ ଦଳ ମଧ୍ୟରେ ଥାଇ କଂଗ୍ରେସ ସମାଜବାଦୀ ଦଳ ଗଠନ କରିବାକୁ ନିଷ୍ପତି ନେଇଥିଲେ । ପରବର୍ତ୍ତି ଅବସ୍ଥାରେ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ କ୍ରମାଗତ କାରାବରଣ କରିବା ସହ ଜେଲ୍ରୁ ମଧ୍ୟ ପ୍ରାଚୀର ଡେଇଁ ପଳାୟନ କରିଥଲେ । ତାଙ୍କ ସମଗ୍ର ଜୀବନ ଅଣକଂଗ୍ରେସ ରାଜନୈତିକ ଶକ୍ତିର ଏକତ୍ରୀକରଣରେ ନିୟୋଜିତ ଥିଲା । ତାଙ୍କ ମାର୍ଗଦର୍ଶନରେ ଶରଦ ଯାଦବ, ଲାଲୁ ପ୍ରସାଦ ଯାଦବ ଓ ନିତିଶ କୁମାରଙ୍କ ଭଳି ତତ୍କାଳୀନ ଯୁବ ପ୍ରତିଭାମାନେ ଆଜି ଭାରତବର୍ଷର ଅଣକଂଗ୍ରେସ ରାଜନୀତିର ମୁଖ୍ୟ ସୂତ୍ରଧର ହୋଇଛନ୍ତି । ଡଃ ରାମ ମନୋହର ଲୋହିଆଙ୍କ ୧୯୬୭ ମସିହାରେ ଅକାଳ ବିୟୋଗ ପରେ ଅଣକଂଗ୍ରେସ ଶକ୍ତିକୁ ଏକତ୍ରିତ କରି ୧୯୭୭ ମସିହାରେ ଜନତା ପାର୍ଟି ମାଧ୍ୟମରେ ଯେଉଁ କଂଗ୍ରେସ ଶାସନର ବିଲୋପ ହୋଇଥିଲା ସେହି ଜନତା ପାର୍ଟି ନେତାମାନଙ୍କ ମଧ୍ୟରେ ମନାନ୍ତର ହୋଇ ଜନତା ପାର୍ଟି ୧୯୭୯ ମସିହାରେ ବିଭାଜିତ ହୋଇ ଚୌଧୁରୀ ଚରଣ ସିଂହଙ୍କ ନେତୃତ୍ୱରେ ଲୋକ ଦଳ ଓ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୯୮୦ରେ ଭାରତୀୟ ଜନତା ପାର୍ଟି ଗଠନ ହେଲା । ଅଣକଂଗ୍ରେସ ଶକ୍ତିର ବିଭାଜନକୁ ଭାରତବାସୀ ଗ୍ରହଣ କଲେନାହିଁ ଯାହା ଫଳରେ ପୁନର୍ବାର ୧୯୮୦ରେ ମଧ୍ୟବର୍ତ୍ତୀ ନିର୍ବାଚନରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଶାସନଭାର ଗ୍ରହଣ କଲା । ସେହି ଦିନଠାରୁ ଭାରତବାସୀ କୌଣସି ଅଣକଂଗ୍ରେସ ଦଳକୁ ପୂର୍ଣ୍ଣ ବହୁମତ ଦେବାକୁ ସାହସ କରିପାରୁନାହାନ୍ତି । ୧୯୮୯ ମସିହାରେ ଜନତା ଦଳ ୧୯୯୮, ୧୯୯୯ରେ ଭାଜପା ଶାସନ ଭାର ନେଇଥିଲେ ମଧ୍ୟ ପୂର୍ଣ୍ଣ ବହୁମତ ପାଇ ନପାରି ଏକ ବହୁ ଦଳୀୟ ମେଂଟ ସରକାର ଚାଲିଥିଲା । ମାତ୍ର ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ଭାଜପା ସରକାର ବହୁମତ ପାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ତଥାପି ବହୁ ଦଳୀୟ ମେଣ୍ଟ ସରକାର ଚାଲିଅଛି । ଏହି ମହାମାନବଙ୍କର ୧୯୭୯ ମସିହା ଅକ୍ଟୋବର ମାସ ୮ ତାରିଖରେ ପରଲୋକ ହେଲା । ଜୟପ୍ରକାଶଙ୍କ ୧୧୭ତମ ଜୟନ୍ତୀ ଅବସରରେ ସେହି ମହାନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସମାଜବାଦୀ ଚିନ୍ତାଧାରା ଛାତ୍ର ଓ ଯୁବସମାଜ ଗ୍ରହଣ କଲେ ତାହାହିଁ ହେବ ଜୟପ୍ରକାଶଙ୍କ ପ୍ରତି ଶ୍ରେ ଶ୍ରଦ୍ଧାଞ୍ଜଳି । ସଭାପତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ ଗୁଆଳି, କଟକ ମୋ-୯୩୩୮୨୦୨୪୭୧

Share :