ଜରାଶ୍ରମରେ ଜର୍ଜ୍ଜରିତ ଜଣେ ଯୋଦ୍ଧୃ

ଜରାଶ୍ରମରେ ଜର୍ଜ୍ଜରିତ ଜଣେ ଯୋଦ୍ଧୃ

Share :

ମାୟାଧର ନାୟକ ଆଜି ମଧ୍ୟ ଆଜୀବନ ଅଂଗୀକାରର ଏକ ଅନ୍ୟନାମ : ଅଭୟ ସିଂ । ଛଟାଛଟା ଅକ୍ଷରର ଦସ୍ତଖତରେ ଦିନେ ଆମ ଆଖି ଆଗରେ ଝଲସିଉଠୁଥିଲା ଝଲକାଝଲକା ରକ୍ତଧାର ପରି ଗୋଟେ ବେସାଲିସ୍ କଲମର ହାର୍ଦ୍ଦିକ ହରଫ୍ମାଳା । ସେ କଲମଟା ଥିଲା ଖଣ୍ଡାମୁନ - ଯାହାର ପଣ ଥିଲା ସମକାଳୀନ ଓଡ଼ିଆ ବୌଦ୍ଧିକତାର ସ୍ଥାଣୁତ୍ୱକୁ ଭାଙ୍ଗିଚୂରି ନୂଆ ପତିଆରାର ନିଆରା ସ୍ଥାପତ୍ୟଟିଏ ଗଢ଼ିବାକୁ ଏ ଭୂଇଁରେ । ସେ ଅଭୟ ସିଂ ଏବେ କେଉଁଠି? ଖବରକାଗଜର ଖୋଲାଫର୍ଦଠୁ ବହୁଦୂରରେ ଆତ୍ମବରଣ କରିନେଇଛନ୍ତି ସେ ଏକ ଅବୋଧ୍ୟ ଅଜ୍ଞାତବାସ । ତାଙ୍କୁ ହଠାତ୍ ପୁନରାବିଷ୍କାର କରିବା ପରେ, କ୍ଷୋଭ ଯେତିକି - ଏ ଜାତିର ସାଂସ୍କୃତିକ କ୍ଷତି କଳନା କରି ଦୁଃଖ ବି ସେତିକି ମନରେ । ସେଇ ମନର ଭାଷାରୁ ଏ ସ୍ୱରଶବ୍ଦର ସ୍ପଂଦନ... ବଂଚିଚି- ବଂଚିଚି- ବଂଚିଚି ଏ ଭଙ୍ଗା କଣ୍ଠସ୍ୱର ଥିଲା - ପ୍ରତିଭାର ପ୍ରକାଣ୍ଡ ପ୍ରବାଦ ପ୍ରସ୍ରବଣ, ସାଲିସବିହୀନ, ଜ୍ଞାନୀ, ମହାମାନୀ, ସ୍ୱଭୀମାନୀ,ଏକଦା ବହୁଳ ପ୍ରସାରିତ ସଚିତ୍ର ‘ବିଜୟା’ ପତ୍ରିକାର ସଂପାଦକ ଅଭୟ ସିଂଙ୍କର । ଏଇ ଅଭୟ ସିଂଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲି । ଠିକଣା ତାଂକର ହଜିଯାଇଥିଲା । ସେ ଅଘରୀ ହୋଇଯାଇଥିଲେ । ମୋବାଇଲ ଆଉ ରିଂଗ୍ ହୋଇନଥିଲା । ମଣିଷ ଆପଣାର ପ୍ରିୟଜନଙ୍କୁ ବର୍ଷବର୍ଷ ଧରି ଆତୁର ହୋଇ ଖୋଜୁଥାଏ, ପାଉ ନଥାଏ, ହଠାତ୍ ସନ୍ଧାନ ମିଳିଗଲେ - ସେ ଆନନ୍ଦ କହିଲେ ନସରେ । ବିଶ୍ୱବିଖ୍ୟାତ ଔପନ୍ୟାସିକ ଟଲଷ୍ଟୟ ଜୀବନର ଅପରାହ୍ନରେ ଭଂଗାମନରେ ରେଲଷ୍ଟେସନର ଏକ ବେଞ୍ଚରେ ଶୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି କିନ୍ତୁ ଓଡ଼ିଶାର ପ୍ରଥିତଯଶା ସାମ୍ବାଦିକ, କଥାକାର, ସାଂସ୍କୃତିକ ସହଯୋଦ୍ଧା ଅଭୟ ସିଂ ଜରାଶ୍ରମରେ ଜର୍ଜରିତ ଜୀବନ ବିତାଉଛନ୍ତି । ସେ ବୃଦ୍ଧାଶ୍ରମରେ, ଆମେ ସବୁ କୁଂଜବନରେ । ଏଇ ଅଭୟଙ୍କୁ ହଠାତ୍ ଆବିଷ୍କାର କଲି ଏକ ଅପୂର୍ବ ସଂଯୋଗରୁ । ଏ ସବୁର ସୂତ୍ରଧର ଆକାଶ ଦାସନାୟକ । ଘଟଣାଟି ଏହିପରି... ସେଦିନ ଥିଲା ୨୦୧୮ ସେପ୍ଟେମ୍ବର ୧୭ ତାରିଖ । ରାତି ଆଠଟାରେ ପୁଅ ଆକାଶ ଫୋନ୍ କଲା- ବାପା! ଭୁବନେଶ୍ୱର ଜରାଶ୍ରମରେ ଜନ୍ମଦିନ ପାଳନ କରୁଛି । ସେମାନଙ୍କ ମେଳରେ ହସଖୁସି ବାଣ୍ଟୁଛି । ଆକାଶ ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖରେ ତା’ ଜନ୍ମଦିନ ନିଆରା ଢଂଗରେ ପାଳେ । କେବେ ପୁରୀ ସମୁଦ୍ରବେଳାରେ ବୃଦ୍ଧାବୃଦ୍ଧମାନଙ୍କ ସଂଗରେ ତ କେବେ ଭୁବନେଶ୍ୱର ମୂକବଧିର ଛାତ୍ରଛାତ୍ରୀମାନଙ୍କ ମେଳରେ ପୁଣି କେତେବେଳେ ଅନାଥ ଆଶ୍ରମ ସ୍କୁଲ ପିଲାମାନଙ୍କ ଗହଣରେ । ଆକାଶ କହିଲା - ଏଠି ଅଭୟ ସିଂ ଅଛନ୍ତି ଯିଏ ମାସିକ ପତ୍ରିକା ‘ବିଜୟା’ର ସଂପାଦକ ଥିଲେ । ସମସ୍ତେ ସଂଗୀତ ଆସରରେ ଥିଲେ - କେବଳ ଅଭୟବାବୁ ଅଲଗା ସ୍ଥାନରେ ନିରବରେ ବସିଥିଲେ । ତାଙ୍କ ପାଖକୁ ଯିବାରୁ ସେ ଅଭୟ ସିଂ ବୋଲି ଜାଣିଲି । ତାଙ୍କୁ ପରିଚୟ ଦେଲି- ମୁଁ ମାୟାଧର ନାୟକଙ୍କ ପୁଅ । ଆକାଶକୁ ପଚାରିଲି - ସେ ପାଖରେ ଅଛନ୍ତି କି? ଆକାଶ ହଁ କହିବାରୁ ତାଙ୍କୁ ଫୋନ୍ ଦେବାକୁ କହିଲି । ବାପା କଥା ହେବେ ବୋଲି କହି ଫୋନ୍ ଦେଲା । ମୁଁ କହିଲି - ଅଭୟବାବୁ! ସେ କହିଲେ - ଭାଇ ବଂଚିଛି- ବଂଚିଛି, ବଂଚିଛି । ମୁଁ କହିଲି - କ୍ଷମା କରିବ ଅଭୟବାବୁ! ତୁମକୁ ବହୁଦିନୁ ଖୋଜୁଛି । ତୁମ ମୋବାଇଲକୁ କଲ କଲେ ଆଉ ରିଂଗ୍ ହେଉନି । ତୁମେ ରହୁଥିବା ଗଣ୍ଡମୁଣ୍ଡାଘରେ ଥରେ ଯାଇ ଖୋଜିଲି- ସେଠାରୁ ପଳାଇଯାଇଥିଲ । କେହି ତୁମ ଠିକଣା କହିପାରିଲେ ନାହିଁ । ଏଥର ଖୋଜିଲା ମଣିଷର ସଂଧାନ ପାଇଲି । କାଲି ଯାଇ ନିଶ୍ଚୟ ଦେଖାକରିବି । ଅଭୟ ସିଂଙ୍କ ଭଂଗା କଣ୍ଠସ୍ୱର ୨୩ ବର୍ଷ ତଳକୁ ଟାଣିନେଲା । ରାଜଧାନୀରେ ମୋର ରାଜନୈତିକ କାର୍ଯ୍ୟ କଳାପବେଳେ ଅଭୟବାବୁ ସହ ସାକ୍ଷାତ । ଗେଡ଼ା ଲୋକଟିଏ । ଖଦଡ଼ ଫୁଲ ପ୍ୟାଣ୍ଟ ହାପ୍ ସାର୍ଟ ପିନ୍ଧି କାନ୍ଧରେ ଶାନ୍ତି ନିକେତନୀ ବ୍ୟାଗ ଆଉ ଦଦରା ମଟର ସାଇକେଲ ଚଢି ରାଜଧାନୀ ସାରା ଘୂରିବୁଲନ୍ତି । ଜନସଂଗଠନମାନଙ୍କ ଆନ୍ଦୋଳନରେ ସଭାସମିତିରେ ହାଜର ହୁଅନ୍ତି । ‘ବିଜୟା’ ପତ୍ରିକାରେ ସଂପାଦକ ଥିଲାବେଳେ ତାଙ୍କର ଫିଚର ଓଡ଼ିଆପାଠକଙ୍କୁ ମୁଗ୍ଧ କରିଦେଉଥିଲା । ତାଙ୍କ କଲମର ଦରଦୀ ମରମୀ ଭାଷା ଖୁବ୍ କମ୍ ଲେଖକ କବି ଲେଖିପାରନ୍ତି । ମୋ ସହିତ ଧୀରେ ଧୀରେ ଘନିଷ୍ଠତା ବଢିଚାଲିଲା । ସେ ରାଜଧାନୀର ଗଣ୍ଡମୁଣ୍ଡାରେ ରହୁଥିଲେ । ମୋତେ ଥରେ ତାଙ୍କ ବସାକୁ ନିମନ୍ତ୍ରଣ କଲେ । ଖୋଜି ଖୋଜି ପହଁଚିଲି । ଅଭୟବାବୁ ତାଙ୍କ ଆଇଏଏସ୍ ବନ୍ଧୁଙ୍କ କୋଠାଘର ପାଖ ଏକବଖରିଆ ନୂଆଣିଆ ଘରେ ଥିଲେ । ଅବଶ୍ୟ ଭଡ଼ା ଦେବାକୁ ପଡ଼ୁନଥିଲା । ଘର ଭିତରକୁ ଡ଼ାକିନେଇ ଚେୟାରରେ ବସାଇଲେ । ଘରେ ବହି ଗଦାଗଦା । ଛୋଟିଆ ଖଟରେ ବିଛଣା ପଡ଼ିଛି । ବାରଣ୍ଡାରେ ରୋଷେଇ । ସେ ସଂଗେ ସଂଗେ ଚା’ କରି ଆଣିଲେ । ଗପସପ ହେଲୁ । ଅଭୟବାବୁ ପିଠଉବାଟି ରଖିଥିଲେ । ନିଜେ ଚକୁଳି ପିଠା ପ୍ରସ୍ତୁତ କରି ଖୁଆଇଲେ । କିଛିଦିନ ପରେ ଦିନେ ଗୋଟାଏ ନିଖୋଜ ଜହ୍ନରାତିରେ ଆମେ ତିନିହେଁ, କବି ଗିରିଜା ବଳୀୟାର ସିଂହ ଓ ସଚିତ୍ର ବିଜୟାର ସଂପାଦକ ଅଭୟ ସିଂ ଏକାଠି ବସି ନୂଆ ତାରାମାନଙ୍କର ତାଲିକା ତିଆରି କରୁଥିଲୁ । ଅଭୟବାବୁ ଗିରିଜାବାବୁ ମୋତେ ମାୟାଧର ଭାଇ ଡାକନ୍ତି । ସେମାନଙ୍କ ଠାରୁ ମୁଁ ବସୟରେ ବଡ଼ । ଅଭୟ ସିଂଙ୍କ ସହିତ ଘନିଷ୍ଠତା ଘନୀଭୂତ ହେଲା । ଥରେ ସମାଜସେବୀ ଜଗଦୀଶ ପ୍ରଧାନ ଆମ ଦୁଇଜଣଙ୍କୁ ତାଙ୍କ ଘାଟୀ ସଂଗଠନ ବଲାଙ୍ଗୀର ନୂଆପଡ଼ା ଜିଲ୍ଲାକୁ ନିମନ୍ତ୍ରଣ କଲେ । ମେ ମାସର ମୁଣ୍ଡଫଟା ଖରା ସମୟରେ ଅଭୟବାବୁ ମୁଁ ଭୁବନେଶ୍ୱରରୁ ଟ୍ରେନରେ ଟିଟିଲାଗଡ଼ ଯାଇ ରେଳଷ୍ଟେସନରେ ଦିନ ୧୨ଟାବେଳେ ପହଞ୍ଚିଲୁ । ଖଇଫୁଟା ଖରା । ସେଠାରୁ ମୁରିବାହାଲ୍, ଶୁକୁନିପଦର ଆଦିବାସୀ ସଭାରେ ଯୋଗଦେଲୁ । ସେଇ ରାତିରେ ବି ନୂଆପଡ଼ା ଜିଲ୍ଲା ବିଲେନଜୋରକୁ ଗଲୁ । ଦୁଇଦିନ ରହଣି ଭିତରେ ଅଭୟ ସିଂ ସହିତ ବନ୍ଧୁତା ଆହୁରି ନିବିଡ଼ ହେଲା । ପ୍ରାୟ ତିନିବର୍ଷ ତଳେ ଜଣେ ବନ୍ଧୁ ସାମ୍ବାଦିକ ସୁଜ୍ଞାନୀ ଚୋ÷ଧୁରୀ ଫୋନ୍ କଲେ - ଅଭୟ ସିଂ ଗୁରୁତର ଅସୁସ୍ଥ । କଟକ ମେଡ଼ିକାଲରେ ପଡ଼ିଛନ୍ତି । ଟିକେ ଅତନୁବାବୁ(ସେତେବେଳ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ)ଙ୍କୁ କହି ଚିକିତ୍ସା ବନ୍ଦୋବସ୍ତ କରାନ୍ତୁ । ମୁଁ ସଂଗେ ସଂଗେ ଅତନୁ ବାବୁଙ୍କୁ ଫୋନ୍ କରି କହିବାରୁ ସେ ସବୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଲେ । କିଛି ଦିନ ପରେ ଅଭୟ ସିଂଙ୍କୁ ଦେଖିବାକୁ ମେଡ଼ିକାଲ ଗଲି । ସେତେବେଳକୁ ସେ ଡିସଚାର୍ଜ ହୋଇସାରିଥିଲେ । ତାଙ୍କ ମୋବାଇଲରେ ଯେତେ କଣ୍ଟାକ୍ଟ କଲି ହେଲାନି । ତାଙ୍କ ଠିକଣା ହଜିଯାଇଥିଲା । ଶୁଣିଲି ସେ ତାଙ୍କ ଗଣ୍ଡମୁଣ୍ଡା ବସାଛାଡ଼ି ଦେଇଥିଲେ । ଅତନୁ ସବ୍ୟସାଚୀ ତାଙ୍କ କ୍ୱାଟରରେ ରହିବାକୁ ଅନୁରୋଧ କରିଥିଲେ- ମନା କରିଦେଲେ । ଏକମାତ୍ର ବିବହିତା ଝିଅ ପାଖରେ ରଖିବାକୁ କହିଲେ - ରାଜି ହେଲେନି । ବଡ଼ ସ୍ୱାଭିମାନୀ ଅଭୟ ସିଂ । ଆଖି ଖରାପ- ଦେହ ଜରାଜୀର୍ଣ୍ଣ - କୁଆଡ଼େ ଗଲେ କେହି ଖୋଜଖବର ରଖିଲେନି । ମୋର ଅନୁଜ ପ୍ରତିମ କବି ଗିରିଜା ବଳୀୟାର ସିଂହଙ୍କୁ କହିଲି - ଅଭୟ ବାବୁଙ୍କ ସନ୍ଧାନ ମିଳିଛି ଭୁବନେଶ୍ୱର ଜରାଶ୍ରମରେ । ସେ କହିଲେ ଅଭୟ ସିଂ! ନମ୍ବର ୱାନ ଏଡିଟର । ଯାହାର ମୂଲ୍ୟ ଏ ଜାତି ବୁଝିଲା ନାହିଁ । ସେଦିନ ‘ବିଜୟା’ ବୁଝିନଥିଲା । ଆଜି ଖବରକାଗଜମାନେ ମଧ୍ୟ ବୁଝୁନାହାନ୍ତି । ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରର ଶିକାର ହେଲେ ଯୋଦ୍ଧୃପୁରୁଷ ଅଭୟ ସିଂ । ସେ ସାଲିସ୍ କରିଥିଲେ ସ୍ୱଚ୍ଛଳତାର ଅଭାବ ହୋଇନଥାନ୍ତା -ଆରାମରେ ଥାଆନ୍ତେ । ଯେମିତି ଆମର ଅପ୍ରମିତ ଦୁଃଖର ଦୁର୍ଗ ଭିତରେ ଆଜୀବନ କଇଦିର ମିଆଜ କଟାଉଥିବା କୋଟି କୋଟି ପ୍ରାଣୀ ପାପର ପାଉଁଶ ଭିତରେ ସୁଖର ଶଙ୍ଖଶାମୁକା ସାଉଁଟିବାକୁ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଅଭୟ ସିଂଙ୍କର ସେ ସ୍ୱପ୍ନ ଦରକାର ନଥିଲା । ସେଥିପାଇଁ ସେ ଆଜି ଜାମୁ-କାଶ୍ମିର ଗୋଲାପ ବଗିଚାରେ ନବୁଲି ଚୁପଚାପ କେତେକଣ ଭାବୁଛନ୍ତି ବସି ଜରାଶ୍ରମରେ । ଯେଉଁଠି ଜାତିର ଶିଳ୍ପୀ, ଜାତିୟ କବି, ଜାତୀୟ ଜୀବନଯୋଦ୍ଧୃମାନେ ଆତ୍ମନିର୍ବାସିତ ନିରବତାରେ ଦିନାତିପାତ କରୁଛନ୍ତି - ସେଠି ଆମେ ବିଧାନସଭାର ଦ୍ୱିପ୍ରହରକୁ କୋଳାହଳରେ ମୁଠା ମୁଠା ଦୁର୍ଦ୍ଦାନ୍ତତାରେ ପରିଣତ କରି ଲାଭ କ’ଣ - ଆମ ସଂସ୍କୃତିରହିତ ଦୃଷ୍ଟିକୋଣରୁ । ୧୯ ତାରିଖ ସେପ୍ଟେମ୍ବର ୨୦୧୮ । ଯାଜପୁରରୋଡ଼ରୁ ରାଜଧାନୀର ସେଇ ଜରାଶ୍ରମରେ ପହଞ୍ଚିଲି । ଅପରାହ୍ନରେ ଦାୟିତ୍ୱରେ ଥିବା ସମାଜସେବୀ ଯୁବକ ରାଜେଶ ମୋତେ ବସାଇ ଜରାଶ୍ରମର ଝାଉଁଳା ଜ୍ୟୋତି ଯେତୋଟି ଅଛନ୍ତି- ସେମାନଙ୍କ ସଂପର୍କରେ କିଛି କଥା କହିଲେ । ଓଃ! ଜରାଶ୍ରମରେ ଏତେ ଝାଉଁଳା ଫୁଲ । ଚାରିକାନ୍ଥର ଚୋ÷ହୁଦୀ ଭିତରେ ଏତେ ଦୁଃଖ, ଏତେ କଥା- କେତେ ବ୍ୟଥା । ଉପର ମହଲା ଶିଡ଼ିରୁ ଜଣେ ଜୀର୍ଣ୍ଣଶୀର୍ଣ୍ଣ ଗେଡ଼ା ଲୋକଙ୍କୁ ଦୁଇଜଣ ଦି’ହାତକୁ ଧରି ଓହ୍ଲାଉଛନ୍ତି । ଆରେ ଏତ ଅଭୟ ସିଂ । ଅଭୟ ସିଂ ଭଂଗା କଣ୍ଠରେ କହିଲେ - ମାୟାଧର ଭାଇ! ମୋତେ ଦେଖିବାକୁ ଆସିଛ । ଅଭୟ ସିଂଙ୍କର ହାତ ଥରୁଥିଲା । ପାଦ ଠିକ୍ ଭାବେ ପଡ଼ୁନଥିଲା । ବିନା ସହାୟତାରେ ତଳ ଉପର ହେବା କଷ୍ଟ । ତାଙ୍କୁ ହାତଧରି ଚେୟାରରେ ବସାଇଲି । ସେ ମୋତେ ଜଳଜଳ ହୋଇ ଚାହିଁଲେ । ତାଙ୍କ ଆଖି ଛଳଛଳ ହୋଇଗଲା । ହାପପ୍ୟାଣ୍ଟ, ଟି ସାର୍ଟ ପିନ୍ଧିଥିଲେ । ଦେହ ଥରୁଥିଲା । ଅଭୟ ବାବୁ କହିଲେ - ପାନ ଅଛି ? ଖଣ୍ଡେ ଦିଅ । ସଂଗେ ସଂଗେ ପାନ ଖଣ୍ଡି ଦେଇ କହିଲି- ଆହୁରି ୫ ଖଣ୍ଡ ପାନ ତମ ପାଇଁ ଆଣିଛି । ମୁଖମଣ୍ଡଳରେ ସାମାନ୍ୟ ହସ । ପାନ ୫ ଖଣ୍ଡି ନେଇ ତାଙ୍କ ଛିଣ୍ଡା ପକେଟରେ ପୂରାଇଦେଲେ । ତତ୍ତ୍ୱାବାଧାରକ ରାଜେଶ ବାବୁଙ୍କଠାରୁ ଅଭୟ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଅବଗତ ହେଲି । ଆଗରୁ ଜାଣିଥିଲି- ଅଭୟ ସିଂ ଭାରି ସ୍ୱାଭିମାନୀ । ପଚାରିଲି - ତମ ପାଇଁ ବହି ଦି’ଖଣ୍ଡ ଆଣିଛି । ସେ କହିଲେ - ଆଣିଛ - ଦିଅ । ବହିଦେଇ କହିଲି - ଯଦି ଅନୁମତି ଦେବ- ଚଦର ଖଣ୍ଡେ ଆଣିଛି । ନେବ ନା? କିଛି କହିଲେ ନାହିଁ - ମୁଁ ଯାଜପୁରରୋଡ଼ରୁ ଏଣ୍ଡି ଚଦର ଖଣ୍ଡେ ନେଇଥିଲି- ବ୍ୟାଗରୁ ବାହାର କରି ତାଙ୍କ ଦିହରେ ଘୋଡ଼ାଇ ଦେଲି । ସେ ଥରଥର ହୋଇ ଉଠିବାକୁ ଚେଷ୍ଟା କଲେ । ହାତଧରି ଉଠାଇଲି । ସେ ମୋ କାନ୍ଧରେ ହାତପକାଇ କାନ୍ଦକାନ୍ଦ ହେଲେ । ପୁଣି କହିଲି - ଆପୁଲ ଆଣିଛି ଖଣ୍ଡେ ଖାଇବ? ସେ କହିଲେ - ହଉ ଦିଅ । ଆପୁଲ ଛୋଟ ଛୋଟ କରି କାଟି ଖଣ୍ଡେ ତାକୁ ଖୁଆଇଦେଲି । ଦାନ୍ତ ଖରାପ- ଚୋବାଇବା କଷ୍ଟକର । ଖାଇଲେ । ରାଜେଶ ବାବୁଙ୍କୁ କହିଲି ଚାଲ - ଅଭୟବାବୁ କେଉଁଠି ରହୁଛନ୍ତି -ଦେଖିଆସିବା । ଆମେ ଉଠିଲୁ । ଅଭୟବାବୁଙ୍କୁ ଦୁଇଜଣ ଦି’ ହାତକୁ ଧରି ଶିଡ଼ି ପାହାଚ ଚଢ଼ାଇ ପ୍ରଥମ ମହଲାକୁ ନେଲେ । ଜରାଶ୍ରମ ପରିଷ୍କାର ପରିଚ୍ଛନ୍ନ । ଅଭୟବାବୁ ଯେଉଁଠି ଥିଲେ ସେଠି ପହଞ୍ଚି ଦେଖିଲି- ରୁମରେ ଫ୍ୟାନଲାଇଟ ଅଛି । ପାଖରେ ପାଇଖାନା- ରାଧୁଆଘର ଖଟ ବିଛଣା ପଡ଼ିଛି । ଅଭୟବାବୁଙ୍କୁ ଖଟରେ ବସାଇ ଦିଆଗଲା । ସେ ମୋତେ ତାଙ୍କ ପାଖରେ ବସିବାକୁ କହିଲେ । ବସିଲି । ଅଭୟବାବୁ ମୋ ହାତଧରି କହିଲେ - ଭାଇ! ତୁମେ ମୋତେ ଖୋଜିବ- ଲୋଡ଼ିବ । ମୁଁ ତାଙ୍କ ମୁହଁକୁ ଆଉଁଶି ଦେଇ ଉତ୍ତର ଦେଲି- ଆଉ ଖୋଜିବାର ନାହିଁ ଅଭୟ । ୩ ବର୍ଷ ତଲାସ ପରେ ମୁଁ ମୋର ଖୋଜୁଥିବା ତାରାଟି ପାଇଯାଇଛି- ସେ ହେଉଛି ତୁମେ । ଆଖିରେ ଲୁହ ଜକେଇ ଆସିଲା । ଅଭୟ ବାବୁଙ୍କୁ ବୟସ ପଚାରିବାରୁ କହିଲେ- ୭୦ କି ୭୧ ହେବ ବୟସ କିନ୍ତୁ ୬୪ କି ୬୫ । ନିଜକୁ ଭୁଲିଛି - ନିଜ ବୟସକୁ ଭୁଲିଛି । ନିଜେ ବି ଦିନେ ସେ ପାଉଁଶତଳର ନିଆଁ- ତା’ ବି ଭୂଲିଛି । ଭୁଲିଛି- ଭୁଲିଛି -ଭୁଲିଛି ନିଜ ଇତିହାସ? ନିଆଁ ନା ପାଉଁଶ - ଏସବୁ ଅଳନ୍ଧୁ ଭିତରୁ କିନ୍ତୁ ଫୁଟିଉଠେ ଆଜି ବି ସେଇ ତଲୁଆରି ତାଜାହସ । ସେଇ ହସ ହିଁ ଗୋଟାଏ ତୋଫାନୀ ହାୱାର ତୀବ୍ର ଘୋଷଣାନାମା । ସେ ଆମର ସେଇ ଅନେକ ବର୍ଷ ତଳର ଆତ୍ମସମର୍ପଣହୀନ ଅଭୟ ସିଂ । ମୁଁ ଯେମିତି ତା’ ଆଗରେ ସେଇ ପୁରୁଣାଦିନର ଦର୍ପଣ । ଯିଏ ସେ ହିମତବାଲା ହସର ପ୍ରତିବିମ୍ବକୁ ଆପଣମାନଙ୍କୁ ଉପହାର ଦେବାପାଇଁ ପାଛୋଟି ଆଣିଛି । ଦିନେ ଓଡ଼ିଶାର ବୋ÷ଦ୍ଧିକ ଜଡ଼ତାକୁ ଭାଂଗିବାପାଇଁ ଏ ନିଜର ଆତ୍ମାର ସ୍ୱପ୍ନମାନଙ୍କୁ ଆମ ଅପନ୍ତରାରେ ଚଲେଇବାର ଶପଥ ପାଠ କରିଥିଲା- ଆଜି କିନ୍ତୁ ପାଦେ ଚାଲିବା ବି କଷ୍ଟ । ମୋ ଆଖି ଜକେଇ ଆସିଲା । ଜୀବନର ଜନପଥରେ ମୁଁ ବହୁ ଦୁଃଖି ମଣିଷର ଆଖିକୁ ଚାହିଁଛି- ପଟୁଆର ମଣିଷ ଯେତେବେଳେ ତା’ର ଭଂଗା ଭାତ ହାଣ୍ଡିପାଇଁ ଜୀବନର ଯୁଦ୍ଧ ଘୋଷଣା ଶୁଣାଇବାକୁ ରାଜରାସ୍ତାକୁ ଓହ୍ଲାଇ ଆସିଛି- ଆଜି ସେ ଲେଲିହାନ ଶିଖାର ସ୍ପର୍ଦ୍ଧାକୁ ଅନୁଭବ କରିଛି- ଏକ ପ୍ରକାର ଅଶ୍ରୁସିକ୍ତ ଅଂଗୀକାରରେ । ଏହି ଅଂଗୀକାରର ଏକଦା ଅନ୍ତରଂଗ ଅଂଶୀଦାର ମଧ୍ୟ । ଅଳ୍ପକାଳ ପାଇଁ ହେଉ ପଛେ- ମୋ ପାଇଁ ଥିଲା ଅଭୟ । ଆମ ଦୁହିଁଙ୍କର ରାସ୍ତା ଅଲଗା । ସେ ଦିନ କିନ୍ତୁ ସ୍ୱପ୍ନର ରଂଗ ଥିଲା ଲାଲ । ବିଦାୟ ନେଲାବେଳେ କହିଲି - ଅଭୟ! ତୁମେ ଭଲ ହୋଇଯିବ । ତୁମେ ପୁଣି ଉଠିବ- ପୁଣି ଜାଗିବ- ପୁଣି ଲେଖିବ- ବୋ÷ଦ୍ଧିକ ଜଗତରେ ମହାବିପ୍ଲବ ସୃଷ୍ଟି କରିବ । ସେ ଉପରକୁ ମୁଣ୍ଡ ଟେକି ମୋତେ ଚାହିଁଲେ - କହିଲେ- ହଁ ମାୟାଧର ଭାଇ! ହଁ - ହଁ । ତାଙ୍କ ଠିକଣା । ମୁଁ ଜାଣିଶୁଣି ଜଣାଉନାହିଁ । ମୁଁ ଚାହେନା- ତାଙ୍କର ତପଭଂଗ ପାଇଁ ଆମର ପ୍ରଚାରଯନ୍ତ୍ର ସେଠି ନିଜର ବଳୟ ବିସ୍ତାର କରିବେ । ପ୍ରତିକୂଳତା ଗୋଟେ ପ୍ରତିଭାକୁ କେତେ ପରିଶ୍ରାନ୍ତ କରିଦିଏ - ତା’ର ଗୋଟେ ଗୋଟେ ଲେଲିହାନ ନଜିର ଅଭୟ ସିଂ । କାରଣ ତାଙ୍କର କଲମକୁ ସେ କେବେ ଆତ୍ମସମର୍ପଣ ଭଂଗିରେ ଟେକି ଦିଆଯାଉଥିବା ଅସ୍ତ୍ରରେ ପରିଣତ କରିଦେଇନାହାନ୍ତି । ଆଜି କୋଇଲା ଗଦା ଭିତରୁ କୋହିନୂରର ସନ୍ଧାନ ପାଇଲି । ଓଡ଼ିଆମାନେ ପ୍ରତିଭାକୁ କ’ଣ ବୁଝିବ ନାହିଁ କେବେ ବି? ଏ ଜାତି କ’ଣ ଦିନେ ଭାସିଯିବ ବଂଗୋପସାଗରରେ?

Share :