ଓଡ଼ିଶା ରାଜନୀତିରେ ଆଉ ଜଣେ ପୁଅ!

ଓଡ଼ିଶା ରାଜନୀତିରେ ଆଉ ଜଣେ ପୁଅ!

Share :

ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ ବଂଶବାଦ ରାଜନୀତି ମୁହାଁ ହେଉଥିବା ଦଳ ଭିତରେ ଗୁଂଜରଣ ଉଠିଲାଣି । ନିରଞ୍ଜନ ନିଜର ପୁତ୍ର ସୁଲିଆଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ସାମିଲ କରିବା ପାଇଁ ଏକ ପ୍ରକାର ସ୍ଥିର କରିସାରିଛନ୍ତି । ଏଥିପାଇଁ ପିସିସି ସଭାପତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଆଗାମୀ ଦିନରେ ବାଲେଶ୍ୱର ଲୋକସଭା ଆସନ ପାଇଁ ସୁଲିଆଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ପ୍ରାଥମିକ କଥାବାର୍ତ୍ତା ଶେଷ ହୋଇଥିବା ଜଣାପଡ଼ିଛି । ଏହି ଚର୍ଚ୍ଚା ପଛର ମୁଖ୍ୟ କାରଣ ହେଉଛି ନିରଞ୍ଜନ ୨ୟ ଥର ପିସିସି ସଭାପତି ହେବା ପରେ ତାଙ୍କ ଟିମ୍ରେ ଯେଉଁମାନଙ୍କୁ ସଦସ୍ୟଭାବେ ମନୋନୀତ କରିଛନ୍ତି କିମ୍ବା ଯେଉଁମାନେ ଜିଲ୍ଲା ଦାୟିତ୍ୱରେ ପାଇଛନ୍ତି ସେମାନଙ୍କୁ ଏହି ପଦପଦବୀରେ ଅବସ୍ଥାପତି କରାଇବା ପଛରେ ତାଙ୍କ ପୁଅଙ୍କ ପ୍ରତ୍ୟେକ୍ଷ ହାତ ଥିବା କଥା ଆଲୋଚନା ହେଉଛି । ଏପରିକି ନିରଞ୍ଜନଙ୍କ ସହ ଅଧିକାଂଶ କାର୍ଯ୍ୟକ୍ରମରେ ସୁଲିଆଙ୍କୁ ଦେଖିବାକୁ ମିଳୁଛି । ଦୁଇଦିନ ତଳେ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ଯେଉଁ ଜାଗରଣ ଯାତ୍ରାର ଆୟୋଜନ କରାଯାଇଥିଲା ସେଥିରେ ସୁଲିଆ ଉପସ୍ଥିତ ଥିଲେ । ଏ ସମସ୍ତ ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ନିରଞ୍ଜନ ନନ୍ଦନ ସୁଲିଆ ଚଳିତ ଥର କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ୍ଷ ରାଜନୀତିରେ ସମ୍ପୃକ୍ତ ହେବେ । ଯେହେତୁ ତାଙ୍କ ବାପା ଏବେ ପିସିସି ସଭାପତି ତେଣୁ ଏହାକୁ ଆୟୁଧ କରି ସେ ନିର୍ବାଚନୀ ବୈତରଣୀ ପାର ହେବାକୁ ଅଣ୍ଟା ଭିଡ଼ିଛନ୍ତି । ତେବେ ପିସିସି ସଭାପତିଙ୍କ ଏତାଦୃଶ ପୁତ୍ରପିତ୍ରୀ କିନ୍ତୁ କଂଗ୍ରେସର ଅନ୍ୟ ନେତାମାନେ ହଜମ କରିପାରୁନାହାନ୍ତି । ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷର ଦାନାବାନ୍ଧିବା ଆରମ୍ଭ କଲାଣି । ପୂର୍ବଥର ଯେଉଁଭଳି ସୁସଂଗଠିତ ଢ଼ଙ୍ଗରେ ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ପରିଚାଳିତ ହେଉଥିଲା ତାହା ଦେଖିବାକୁ ମିଳୁ ନ ଥିବା ଆଲୋଚନା ହେଉଛି । ଆଲୋଚନା ଅନୁସାରେ ନିରଞ୍ଜନ ନିଜ ପୁଅଙ୍କ କଥାରେ ଅନୁପ୍ରାଣିତ ହୋଇ ବିଗତ ଦିନରେ ତାଙ୍କୁ ସହଯୋଗ କରିଥିବା କିଛି ନେତାଙ୍କୁ ଏବେ କୋଣଠେସା କରିଛନ୍ତି ଯେଉଁମାନେ କି ନିରଞ୍ଜନଙ୍କ ଯୋଗୁଁ ଅନ୍ୟ ପୂର୍ବତନ ପିସିସି ସଭାପତି ପାଖରେ ଅଲୋଡ଼ା ହୋଇପଡ଼ିଥିଲେ । ସୁଲିଆଙ୍କ ରାଜନୀତି ପ୍ରବେଶକୁ ନେଇ ଦ୍ୱନ୍ଦର କାରଣରେ ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ପୂର୍ବ ନିର୍ବାଚନରେ ପିସିସି ସଭାପତି ଭାବେ ଜୟଦେବ ଜେନା କାର୍ଯ୍ୟ କରୁଥିଲେ । ସେ ସମୟରେ ସେ ମଧ୍ୟ ନିଜ ପୁତ୍ର ତଥା ସେତେବେଳର ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ କଥାରେ ପରିଚାଳିତ ହୋଇ କିଛି ନେତାଙ୍କୁ ଟିକେଟ୍ ପ୍ରଦାନ କରିଥିଲେ । ଏପରିକି କେବେ ବି ଭଦ୍ରକ ଜିଲ୍ଲା ସହ ଜଡ଼ିତ ନ ଥିବା ସଂଗ୍ରାମଙ୍କୁ ହାଇକମାଣ୍ଡଙ୍କ ନିକଟରେ ଲବି କରି ଟିକେଟ୍ ପ୍ରଦାନ କରିଥିଲେ ଜୟଦେବ । କିନ୍ତୁ ପରବର୍ତ୍ତୀ ସମୟରେ ଭଦ୍ରକ ଜିଲ୍ଲା ଲୋକସଭା ଆସନରେ କଂଗ୍ରେସ ପରାଜିତ ହୋଇଥିଲା । ଯାହାକୁ ନେଇ ସେ ସମୟରେ ଦଳରେ ଅସନ୍ତୋଷ ଦେଖାଦେବା ସହ ପୁତ୍ରମୋହ ଯୋଗୁଁ ଦଳର ଏପରି ସ୍ଥିତି ହୋଇଛି ବୋଲି ଚର୍ଚ୍ଚା ଜୋରଧରିଥିଲା । ଏସବୁ ମଧ୍ୟରେ ପୁଣିଥରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ନିଜର ରାଜନିତୀରେ ପୂର୍ବରୁ କେବେ ବି ରୁଚି ରଖି ନ ଥିବା କିମ୍ବା ଛାତ୍ର, ଯୁବ ସଂଗଠନ ସହ କେବେ ବି ଆଦୌ ଜଡ଼ିତ ନ ଥିବା ସୁଲିଆଙ୍କୁ ରାଜନୀତିକୁ ଆଣିବାକୁ ନେଇ ଦଳରେ ଅସନ୍ତୋଷ ତେଜିବାରେ ଲାଗୁଛି । ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୁହନ୍ତି, ଦଳରୁ କିଏ ପ୍ରାର୍ଥୀ ହେବ ତାହା ଦଳ ନିଷ୍ପତ୍ତି ନେବ । ଏଥିପାଇଁ ହାଇକମାଣ୍ଡ ଅଛନ୍ତି । ତେବେ ଦଳରେ ରାଜନୀତି କରିବାର ଅଧିକାର ସମସ୍ତଙ୍କ ନିକଟରେ ରହିଛି । ଖାସ୍ କରି ସକ୍ରିୟ ଭାବେ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା କିଛି ଦୋଷାବହ ନୁହେଁ । ଯେଉଁମାନଙ୍କର କଂଗ୍ରେସ ପ୍ରତି ଅବଦାନ ରହିଛି ତଥା ଯେଉଁମାନେ କଂଗ୍ରେସ ଶୁଭଚିନ୍ତକ ସେମାନେ ଦଳର ବିଭିନ୍ନ ଅଂଶ ଗ୍ରହଣ କରିଲେ ଦଳ ମଜବୁତ ହେବ । ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସୁଲିଆ ଦଳ ତରଫରୁ ପ୍ରାର୍ଥୀ ହେବେ କି ନାହିଁ ତାହା ଉପରେ ଚିନ୍ତା କରାଯାଇନାହିଁ ।

Share :