୧୬୫ କିମି ବେଗରେ ବହିବ ତିତଲି ବାତ୍ୟା

୧୬୫ କିମି ବେଗରେ ବହିବ ତିତଲି ବାତ୍ୟା

Share :

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ବାତ୍ୟା "ତିତଲି' ଅଧିକ ତୀବ୍ରତର ହେବାରେ ଲାଗିଛି । ବୁଧବାର ଅପରାହ୍ଣ ସାଢ଼େ ଦୁଇଟା ସ୍ୟାଟେଲାଇଟ୍‍ ଚିତ୍ର ଏବଂ ତଥ୍ୟକୁ ଆକଳନ କରି ଭାରତ ପାଣିପାଗ ବିଭାଗ (ଆଇଏମ୍‍ଡି) ଏହା ପୂର୍ବ ଆକଳନଠାରୁ ତୀବ୍ରତର ହେବ ବୋଲି କହିଛି । ଏପରିକି ଘଣ୍ଟାପ୍ରତି ପବନର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟରରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଇଛି । ସକାଳ ସାଢ଼େ ଆଠଟାରେ ପ୍ରକାଶିତ ବୁଲେଟିନ୍‍ରେ ଏହା ୧୬୦ ମିଲୋମିଟର ବେଗରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଇଥିଲା । ବୁଧବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ଝଡ଼ ଏକ ସିଭିୟର୍‍ ସାଇକ୍ଲୋନିକ୍‍ ଷ୍ଟର୍ମ ବା ଗମ୍ଭୀର ଘୂର୍ଣ୍ଣିବାତ୍ୟାରେ ପରିବର୍ତ୍ତନ ହେବ । ଏହାଦ୍ୱାରା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୬୫ କିଲୋମିଟରରେ ପହଞ୍ଚିପାରେ । ଗୁରୁବାର ସକାଳ ସାଢ଼େ ୧୧ଟା ବେଳକୁ ତାହା ଘଣ୍ଟାପ୍ରତି ୧୦୦ କିଲୋମିଟରକୁ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଇଛି । ଏହାପରେ ପବନ ବେଗ ୬୦ କିଲୋମିଟରକୁ ଖସି ଆସିବ । ଏହି ବାତ୍ୟା ପରିସ୍ଥିତି ଶୁକ୍ରବାର ସକାଳ ସାଢ଼େ ୧୧ଟାଯାଏ ବଳବତ୍ତର ରହିବ । ଏହିଦିନ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ସହ ବର୍ଷା ଆଶଙ୍କା କରାଯାଇଛି । ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ବେଳକୁ ବାତ୍ୟାର କେନ୍ଦ୍ରସ୍ଥଳ ଗୋପାଳପୁରର ଦକ୍ଷଣ -ଦକ୍ଷିଣ ପୂର୍ବ ଦିଗ ୨୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହି ଧୀର ଗତି ଯୋଗୁ ବାତ୍ୟାର ପ୍ରଭାବ ଲମ୍ବା ସମୟ ଯାଏ ରହିବ । ବର୍ଷା, ତୋଫାନ ଅନୁମାନ କରାଯାଇଛି । ବିଶେଷକରି ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବ । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି । ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ବାତ୍ୟା କ୍ଷତି ପହଞ୍ଚାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ରହିଛି । ସାମୁଦ୍ରିକ ଜୁଆର ମଧ୍ୟ ଅଧମିଟର ହୋଇପାରେ । ଉପକୂଳରେ ସମୁଦ୍ର ପାଖାପାଖି ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପାଣିପାଗ ବିଭାଗ ସତର୍କ କରାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ସହ ପରିସ୍ଥିତି ମୁକାବିଲା ପାଇଁ ବିପର୍ଯ୍ୟୟ ପ୍ରଶମନବଳ ମୁତୟନ କରାଯାଇଛି । ମୁଖ୍ୟ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପରିସ୍ଥିତିକୁ ନଜର ରଖିଛନ୍ତି । ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ୮୩୬ଟି ବାତ୍ୟା ଆଶ୍ରୟସ୍ଥଳକୁ ସଜାଗ ରଖିବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ଚିଠି ଲେଖିଛନ୍ତି । ଆବଶ୍ୟକ ସମୟରେ ଯେମିତି ଲୋକଙ୍କୁ ସ୍ଥାନାନ୍ତର ପାଇଁ କୌଣସି ହେଳା ନକରାଯିବ ସେ ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖିରେ ରଖି ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ରାଜ୍ୟର ସମସ୍ତ ସ୍କୁଲ୍‍ କଲେଜ ବନ୍ଦ ରହିବ । କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‍ କରାଯାଇଛି ଏବଂ ଛୁଟିରେ ଥିବା କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ସଚିବାଳୟରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମର୍କରେ ସମୀକ୍ଷା କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବାତ୍ୟାରେ ଯେପରି କମ୍‍ରୁ କମ୍‍ କ୍ଷତି ହେବ ଏବଂ ମୃତ୍ୟୁ ହାର ଶୂନ୍ୟ ରହିବ ସେଥିଲାଗି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଲେଜ ବନ୍ଦ ହେଉଥିବା ଯୋଗୁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତି ସ୍ୱଭାବିକ ହେଲେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍‍ କମିଶନର, ବିଭିନ୍ନ ବିଭାଗର କମିଶନର ଓ ପାଣିପାଗ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହି ସମୀକ୍ଷା ହୋଇଥିଲା । ଯେଉଁଥିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍‍ଫରେନ୍ସି ଜରିଆରେ ସାମିଲ୍‍ ହୋଇଥିଲେ । ଉଦ୍ଧାର, ଥଇଥାନ ତଥା ସ୍ଥାନାନ୍ତରଣ ସମ୍ପର୍କରେ ଆଲେଚନା କରିଥିଲେ । ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏ ଭିତରେ ଗଞ୍ଜାମ ଜିଲ୍ଲାର ୭୫୩ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଓଡ଼ିଶା ବିଶେଷକରି ପ୍ରଭାବିତ ହେବାକୁ ଥିବାରୁ ଋଷିକୂଲ୍ୟା ଏବଂ ଏହାର ଶାଖାନଦୀଗୁଡ଼ିକରେ ବନ୍ୟା ଆସିପାରେ । ଏଣୁ ପ୍ରଭାବ ଆଶଙ୍କାରେ ଏହି ଲୋକଙ୍କୁ ନିରାପଦ ଆଶ୍ରୟଳୀକୁ ସ୍ଥାନାନ୍ତରଣ କରାଯାଇଛି । ବାତ୍ୟା ଗୁରୁବାର ଅଧିକ ତୀବ୍ର ହେବା ଆଶଙ୍କା ରହିଛି । ଏହାର ପ୍ରଭାବରେ ଜୁଆର ଦେଢ଼ ମିଟର ଉଚ୍ଚ ହୋଇପାରେ । ଏହାବାଦ୍‍ ବାତ୍ୟା ପରବର୍ତ୍ତୀ ସମୟରେ ଅତ୍ୟାବଶ୍ୟକୀୟ ସେବା ଯେମିତି ବିଜୁଳି, ପାଣି ସଂଯୋଗ ତ୍ୱରାନ୍ୱିତ ହେବ ସେଥିନେଇ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ଏନ୍‍ଡିଆର୍‍ଏଫ୍‍ ଓ ଓଡ୍ରାଫ୍‍ ବାହିନୀ ମୁତୟନ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

Share :