ବରଗଡ ଇଥାନଲ ଜୈବ-ବିିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପିତ

ବରଗଡ ଇଥାନଲ ଜୈବ-ବିିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପିତ

Share :

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ କରକମଳରେ ବରଗଡ଼ ଜିଲ୍ଲାର ଭଟଲି ତହସିଲ୍ ଅର୍ନ୍ତଗତ ବଉଳାସିଂହା ଗ୍ରାମରେ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍)ର ଦ୍ୱିତୀୟ ପିଢି (୨ଜି) ଇଥାନଲ ଜୈବ-ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ, ଶ୍ରମ, ଇଏସଆଇ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ସୁଶାନ୍ତ ସିଂ, ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଲୋକସଭା ସଦସ୍ୟ ପ୍ରଭାସ କୁମାର ସିଂ, ବିଧାୟକ ଦେବେଶ ଆଚାର୍ଯ୍ୟ, ପ୍ରଦୀପ ପୁରୋହିତ, ଶ୍ରୀମତୀ ରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମୁକ୍ତା ସାହୁ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ ଯେ, ବରଗଡ଼ ଜିଲ୍ଲାରେ ଏହି ଇଥାନଲ ପ୍ଲାଣ୍ଟ ଚାଷୀମାନଙ୍କୁ ଏକ ଉପହାର । ବରଗଡ଼ ଜିଲ୍ଲାରେ ୨ଜି ଇଥାନଲ ଜୈବ-ବିିଶୋଧନାଗାରର ସ୍ଥାପନା ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଫଳ ରୂପେ ରୂପାୟନ ହୋଇଥିବା ସବ କା ସାଥ ସବ କା ବିକାଶ କାର୍ଯ୍ୟକ୍ରମର ଏକ ଉଦାହରଣ । ଏହି ପ୍ଲାଣ୍ଟ ରାଜ୍ୟର ସମସ୍ତ ଜନଜାତି ଓ ଚାଷୀଭାଈଙ୍କ କଲ୍ୟାଣ ମିନନ୍ତେ ସମର୍ପିତ ଏବଂ ଏହା ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା ସହ ବିକାଶର ସହଭାଗୀ ହୋଇପାରିବ । ବରଗଡ଼ର ବଉଳାସିଂହାଠାରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରିକଳ୍ପନା ଚାଷୀଙ୍କର ଆୟ ଦୁଇଗୁଣ କରିବା ପାଇଁ ଚାଷରୁ ବାହାରୁ ଥିବା ନଡା, ବର୍ଜ୍ୟବସ୍ତୁରୁ ଇଥାନଲ ପ୍ରସ୍ତୁତ ହେବ । ପ୍ରଧାନମନ୍ତ୍ରୀ ଥିବାବେଳେ ଅଟଳ ବିହାରୀ ବାଜପେୟୀ କୃଷି, ଜଙ୍ଗଲ, ସହର ବର୍ଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ପ୍ରସ୍ତୁତ କରିବା ପାଇଁ ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଜିଲାରୁ ୧୭-୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦିତ ହେଉଛି, ତେଣୁ ଚାଷଜମିରୁ ବାହାରୁ ଥିବା ନଡ଼ା ସମେତ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ଉତ୍ପାଦନ ପାଇଁ ବ୍ୟବସାୟିକ ଚୁକ୍ତି ହେବ ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯିବ । ଦେଶରେ ହେବାକୁ ଥିବା ୧୨ ଟି ପ୍ରକଳ୍ପ ମଧ୍ୟରୁ ଏହା ଗୋଟିଏ । ଜିଲାରେ ଏହିପରି ଆଉ ୫ଟି ପ୍ରକଳ୍ପ ହେବାର ସମ୍ଭାବନା ମଧ୍ୟ ରହିଛି । ଏହା ମୋଦି ସରକାରଙ୍କର ପଶ୍ଚିମ ଓଡିଶା ପାଇଁ ନୂଆଁଖାଇ ଭେଟି ବୋଲି କହିଥିଲେ ଶ୍ରୀ ପ୍ରଧାନ । ଧାନ ନଡ଼ାକୁ ଫିଡ୍ ଷ୍ଟକ୍ ଭାବେ ବ୍ୟବହାର କରି ବାର୍ଷିକ ୩ କୋଟି ଲିଟର ଇଥାନଲ ଇନ୍ଧନ ଉତ୍ପାଦନ କ୍ଷମତା ଏହି ବିିଶୋଧନାଗାର ବହନ କରିବ ଏବଂ ଏହି ବିଶୋଧନାଗାରରୁ ଉତ୍ପାଦିତ ଇଥାନଲ୍ ପେଟ୍ରୋଲ ସହ ମିଶ୍ରଣ ହେବ । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ଅଟେ । ବର୍ଦ୍ଧିତ ଶକ୍ତି ନିରାପତ୍ତା ଚାହିଦା ଏବଂ ପରିବେଶ ସମ୍ବନ୍ଧୀୟ ଉଦବେଗ ଯୋଗୁଁ ଜୈବିକ ଇନ୍ଧନ ବର୍ତ୍ତମାନ ସମୟରେ ବେଶ୍ ଗୁରୁତ୍ୱ ବହନ କରୁଛି । ବହୁ ଦେଶ ସେମାନଙ୍କର ଘରୋଇ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଜୈବ ଇନ୍ଧନର ଉପଯୋଗ କରିବା ପାଇଁ ବିଭିନ୍ନ ପ୍ରକାରର ଯାନ୍ତ୍ରିକ କୌଶଳକୁ ପ୍ରୋତ୍ସାହନ ଦେଉଛନ୍ତି । ଭାରତବର୍ଷରେ ବାର୍ଷିକ ୧୨୦ରୁ ୧୬୦ ଏମ୍ଏମ୍ଟି ବଳକା ଜୈବମାସ୍ ଉପଲବ୍ଧ ଯାହାର ବାର୍ଷିକ ୩୦୦୦ କୋଟି ଲିଟର ଇଥାନଲ ଉତ୍ପାଦନ କ୍ଷମତା ରହିଛି । ଭାରତର ରାଷ୍ଟ୍ରୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁସାରେ ୨୦୩୦ ମସିହା ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କିନ୍ତୁ ଇଥାନଲର ଅଭାବ କାରଣରୁ ବର୍ତ୍ତମାନ ମାତ୍ର ୩ ରୁ ୪ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରିତ ହେଉଛି । ୨ଜି ଇଥାନଲ ପ୍ଲାଂଟ ସ୍ଥାପନ ହେବା ଦ୍ୱାରା ପେଟ୍ରୋଲରେ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରିହେବ । ବରଗଡ ଜିଲ୍ଲାର ଭଟଲି, ଆମ୍ବାଭୋନା, ଅତାବିରା, ସୋହେଲା, ବୁର୍ଲା ଏବଂ ଲଖନପୁରରୁ ସଂଗୃହୀତ ବାର୍ଷିକ ପ୍ରାୟ ୨ ଲକ୍ଷ ଟନ୍ ଧାନ ନଡ଼ାକୁ ଏହି ଜୈବ-ବିଶୋଧନାଗାରରେ ଫିଡ୍ଷ୍ଟକ୍ ହିସାବରେ ବ୍ୟବହାର କରାଯିବ । ଜୈବ-ବିଶୋଧନାଗାରଗୁଡିକ ଇଥାନଲ୍ ଉତ୍ପାଦନ ନିମନ୍ତେ ବର୍ଜ୍ୟ ଧାନ ନଡାକୁ ବ୍ୟବହାର କରିବା ଦ୍ୱାରା ସ୍ୱଚ୍ଛ ପରିବେଶ ଗଠନରେ ସହାୟକ ହେବ ଯାହା ଦ୍ୱାରା କ୍ଷେତରେ ଦହନ ହେଉଥିବା ବର୍ଜ୍ୟ ଧାନ ନଡ଼ାକୁ ପ୍ରତିହତ କରାଯାଇପାରିବ । ପେଟ୍ରୋଲରେ ଇଥାନଲ୍ର ମିଶ୍ରଣ ଦ୍ୱାରା ଜୀବାଶ୍ମ ଇନ୍ଧନ ତୁଳନାରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିଃସରଣକୁ କମ କରାଯାଇପାରିବ । ଏହି ପ୍ଲାଂଟଟି ଶୂନ୍ୟ-ତରଳ ନିର୍ଗମନ ବୈଷୟିକ ଜ୍ଞାନକୌଶଳ ଉପରେ ପର୍ଯ୍ୟବସିତ ଯେଉଁଠାରେ ସମସ୍ତ ଜଳକୁ ପୁନଃନବୀକରଣ କରାଯାଇ ପୁନଃଶ୍ଚ ପ୍ଲାଂଟ ମଧ୍ୟକୁ ଫେରାଇ ଅଣାଯାଇପାରିବ । ସ୍ୱଚ୍ଛ ପରିବେଶ ବ୍ୟତୀତ ଆହୁରି ମଧ୍ୟ ଏହି ପରିଯୋଜନା ଚାଷୀମାନଙ୍କ ଦ୍ୱାରା ପ୍ଲାଂଟକୁ ପ୍ରେରିତ ବର୍ଜ୍ୟ ଧାନ ନଡ଼ା ପାଇଁ ସେମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ମଜଭୁତ କରିବା ନିମନ୍ତେ ସହାୟକ ହେବ । ଏହା ବ୍ୟତୀତ ପ୍ଲାଂଟ ନିର୍ମାଣ, ପ୍ଲାଂଟ କାର୍ଯ୍ୟକ୍ଷମ ଆଦି କ୍ଷେତ୍ରରେ ପ୍ରାୟତଃ ୧୨୦୦ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଜୈବ ଇନ୍ଧନର ସୁପରିଚାଳନା ଏଠାକାର ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଏହି ଅଂଚଳର ଜୀବନ ଜୀବିକାର ଉନ୍ନତିରେ ସାହାଯ୍ୟ କରିବ ।

Share :