ଏବେ ନୁହେଁ ତ କେବେ ନୁହେଁ!

ଏବେ ନୁହେଁ ତ କେବେ ନୁହେଁ!

Share :

ବିଶ୍ୱ ତାପନର ଶେଷ କଥା ଶୁଣାଇଛି ପାଗ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ବା ଆଇପିସିସି । ଆଇପିସିସିର ସଦ୍ୟତମ ରିପୋର୍ଟ ଅନୁସାରେ ଯଦି ବିଶ୍ୱ ତାପନର ବୃଦ୍ଧି ହାର ଅପରିବର୍ତ୍ତିତ ରହେ ତେବେ ୨୦୩୦ରୁ ୨୦୫୨ ମଧ୍ୟରେ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇବ । ଏହାକୁ ଏତିକିରେ ସୀମିତ ରଖିବା ପାଇଁ ବି ସମାଜର ପ୍ରତ୍ୟେକ ସ୍ତରରେ ଦ୍ରୁତ, ସୁଦୂର ପ୍ରସାରୀ ଓ ଅଭୂତପୂର୍ବ ପରିବର୍ତ୍ତନ ଆଣିବା ଦରକାର । ଦକ୍ଷିଣ କୋରିଆର ଇଞ୍ଚିଅନ୍ଠାରେ ଶନିବାର ଏହି ରିପୋର୍ଟ ଅନୁମୋଦନ ଲାଭ କରିଛି । ଆସନ୍ତା ଡିସେମ୍ବର ମାସରେ ପୋଲାଣ୍ଡର କାଟୋୱାଇସ୍ରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ବୈଠକ । ଏହି ବୈଠକରେ ବିଭିନ୍ନ ଦେଶର ସରକାର ପାଗ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ଚୁକ୍ତିର ସମୀକ୍ଷା କରିବେ । ତା’ ପୂର୍ବରୁ ଆଇପିସିସିର ଏହି ରିପୋର୍ଟ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନଥି ଭାବରେ ସହାୟକ ହେବ । ୨୦୧୫ ମସିହାରେ ସଂପାଦିତ ହୋଇଥିଲା ପାଗ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ଚୁକ୍ତି । ସଦ୍ୟତମ ପାଗ ବିଶ୍ୱ ତାପନ ରିପୋର୍ଟ ସଂପର୍କରେ ଆଇପିସିସିର ବର୍ତ୍ତମାନର ଅଧ୍ୟକ୍ଷ ହୋଇସୁଙ୍ଗ ଲି କହିଛନ୍ତି ଯେ ଏଥିରେ ପ୍ରାୟ ୬ ହଜାର ବିଜ୍ଞାନସିଦ୍ଧ ତଥ୍ୟ ଓ ସହସ୍ରାଧିକ ବିଶେଷଜ୍ଞଙ୍କର ମତ ସନ୍ନିବେଶିତ ଅଛି । ଆଇପିସିସି ୱାର୍କିଂ ଗ୍ରୁପ-୧ ର ସହାଧ୍ୟକ୍ଷ ପାନମାଓ ଝାଇ କହିଛନ୍ତି ଯେ ୧ ଡିଗ୍ରୀ ସେଲସିୟସ ତାପମାତ୍ର ବୃଦ୍ଧି ଯୋଗୁଁ ଆମେ ଆର୍କଟିକ ତୁଷାର ସ୍ତରର ଅବକ୍ଷୟ, ସମୁଦ୍ର ଜଳସ୍ତର ବୃଦ୍ଧି ଓ ଉଗ୍ର ପାଣିପାଗର ପରିଣାମ ଭୋଗ କରୁଛୁ । ଆଗକୁ କ’ଣ ହେବ ତାହା ସମସ୍ତେ ଅନୁମାନ କରିବା କଥା । ସଦ୍ୟତମ ଆଇପିସିସି ରିପୋର୍ଟରେ କୁହାଯାଇଛି ବିଶ୍ୱ ତାପନ ବୃଦ୍ଧିକୁ ୨ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବା ପାଇଁ ପୂର୍ବରୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ତାହାକୁ ଯଦି ୧.୫ ଡିଗ୍ରୀ ସେଲସିୟସକୁ କମାଇ ଦିଆଯାଏ ତେବେ ଅନେକ କିଛି ସକାରାତ୍ମକ ପରିଣାମ ସୃଷ୍ଟି ହେବ । ବିଶ୍ୱ ତାପନକୁ ୨ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିଲେ ସମୁଦ୍ର ଜଳସ୍ତର ଯେତିକି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ତାହାକୁ ୧.୫ ଡିଗ୍ରୀ ସେଲସିୟମ ମଧ୍ୟରେ ସୀମିତ ରଖିଲେ ସମୁଦ୍ର ଜଳ ପତନ ତା’ଠାରୁ ୧୦ ସେଣ୍ଟିମିଟର କମ୍ ବୃଦ୍ଧି ପାଇବ । ସେହିପରି ୨ ଡିଗ୍ରୀ ସେଲସିୟସ ଧାର୍ଯ୍ୟଲକ୍ଷ୍ୟ ପୂରଣ ହେଲେ ଆର୍କଟିକ ମହାସାଗର ପ୍ରତି ଦଶନ୍ଧିରେ ଗ୍ରୀଷ୍ମ ଋତୁରେ ବରଫ ଶୂନ୍ୟ ରହିବାର ଆଶଙ୍କା ଥିବା ବେଳେ ତାପବୃଦ୍ଧି ୧.୫ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରହିଲେ ଏହି ଶତାବ୍ଦୀରେ ଥରେ ଏହି ସମ୍ଭାବନା ସୃଷ୍ଟି ହେବ । ବିଶ୍ୱ ତାପନ ୨ ଡିଗ୍ରୀ ସେଲସିୟସ ବୃଦ୍ଧି ହେଲେ ପ୍ରାୟ ସମସ୍ତ ପ୍ରବାଳ ପ୍ରାଚୀର ଲୋପ ପାଇବ । କିନ୍ତୁ ଏହା ୧.୫ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରହିଲେ ୭୦-୯୦ ପ୍ରତିଶତ ପ୍ରବାଳ ପ୍ରାଚୀର ଲୋପ ପାଇବ । ଏହି ରିପୋର୍ଟର ଅନ୍ୟତମ ଲେଖକ ତତା ଅଷ୍ଟ୍ରେଲିଆ କ୍ୱିନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ଚେଞ୍ଜ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଓଭ୍ ହୋଫ-ଗୁଲ୍ଡବର୍ଗ କୁହନ୍ତି ଯେ ଏହି ଲକ୍ଷ୍ୟକୁ ଯଦି ଆମେ ୦.୫ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବା ତେବେ ବର୍ତ୍ତମାନ ବିଶ୍ୱର ପରିବେଶ ଓ ପରିବେଷ୍ଟନି କିଛିଟା ସୁରକ୍ଷିତ ରହିପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୦ରେ ବିଶ୍ୱ ତାପନ ସମସ୍ୟା ସଂପର୍କରେ ଚିନ୍ତା ବ୍ୟକ୍ତ କରିଥିବା ଅନ୍ତର୍ଜାତୀୟ ସମୁଦାୟ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ପ୍ରାକ୍-ଶିଳ୍ପ ଯୁଗର ତାପମାତ୍ରାଠାରୁ ସର୍ବାଧିକ ୨ ଡିଗ୍ରୀ ସେଲସିୟମ ମଧ୍ୟରେ ସୀମିତ ରଖିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ୨୦୧୫ ମସିହାରେ ବିଶ୍ୱ ସମୁଦାୟ ଚୂଡ଼ାନ୍ତ କରିଥିବା ପ୍ୟାରିସ ଚୁକ୍ତିରେ ଏହାକୁ ସେହି ୨ ଡିଗ୍ରୀ ସେଲସିୟସରେ ଅପରିବର୍ତ୍ତିତ ରଖିଥିଲେ ବି ୧.୫ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାକ୍-ଶିଳ୍ପ ଯୁଗର ତାପମାତ୍ରାଠାରୁ ବିଶ୍ୱ ତାପମାତ୍ରା ଏବେ ସୁଦ୍ଧା । ୧ ଡିଗ୍ରୀ ସେଲସିୟସ ଅଧିକ ହୋଇସାରିଲାଣି । ଏହି ରିପୋର୍ଟର ଲେଖକମାନେ କହିଛନ୍ତି ଯେ ବିଶ୍ୱ ତାପମାତ୍ରାକୁ ଧାର୍ଯ୍ୟଲକ୍ଷ୍ୟ ମଧ୍ୟରେ ସୀମିତ ରଖିବାକୁ ହେଲେ ବିଶ୍ୱ ସମୁଦାୟକୁ ଦ୍ରୁତ, ସୁଦୂର ପ୍ରସାରୀ ଓ ଅଭୂତପୂର୍ବ ସାମାଜିକ ପରିବର୍ତ୍ତନ ଆଣିବାକୁ ପଡ଼ିବ । ସେଥିପାଇଁ ଶକ୍ତି ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆବଶ୍ୟକ । ଭୂମି ବ୍ୟବହାରରେ ପରିବର୍ତ୍ତନ ଆବଶ୍ୟକ । ସହର ଓ ଶିଳ୍ପ ଡିଜାଇନରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ପରିବହନ ଓ କୋଠା ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଏସବୁ ପରିବର୍ତ୍ତନ ସହିତ ୨୦୩୦ ସୁଦ୍ଧା ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନ ପରିମାଣକୁ ଅଧାକୁ କମାଇବାକୁ ପଡ଼ିବ ଏବଂ ୨୦୫୦ ସୁଦ୍ଧା ତାହାକୁ ଶୂନ ସ୍ତରକୁ ଆଣିବାକୁ ହେବ । ସେହିପରି ମିଥେନ ବ୍ୟବହାର ଓ ନିର୍ଗମନ କମ କରିବାକୁ ହେବ । କୋଇଲା, ତେଲ ଓ ଗ୍ୟାସ ଭଳି ଇନ୍ଧନ ବ୍ୟବହାର କମାଇବାକୁ ପଡ଼ିବ । ବିକଳ୍ପ ଇନ୍ଧନ ବାବଦରେ ୩-୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଏଥିଯୋଗୁଁ ବାୟୁ ପ୍ରଦୂଷଣ କମିବ । ଏବେ ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ପ୍ରତି ବର୍ଷ ପ୍ରାୟ ୧୦ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ଏହି ଅକାଳ ମୃତ୍ୟୁକୁ ରୋକି ହେବ । ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକମାନଙ୍କର ସ୍ୱାସ୍ଥ୍ୟ, ଜୀବିକା, ଖାଦ୍ୟ ସୁରକ୍ଷା ବିପନ୍ନ ହୋଇଚାଲିଛି । ଜଳ ଯୋଗାଣ କମୁଛି । ଆର୍ଥନୀତିକ ଅଭିବୃଦ୍ଧି ପ୍ରଭାବିତ ହେଉଛି । ଦାରିଦ୍ର‌୍ୟ ଓ ଅସମାନତା ବୃଦ୍ଧି ପାଉଛି । ଏସବୁର ଏକମାତ୍ର ସମାଧାନ ହେଲା ବିଶ୍ୱ ତାପମାତ୍ରା ବୃଦ୍ଧିକୁ ରୋକିବା ।

Share :