ଓଡ଼ିଶାର ସବୁଠୁଁ ସଫଳ ଆଞ୍ଚଳିକ ଦଳ

ଓଡ଼ିଶାର ସବୁଠୁଁ ସଫଳ ଆଞ୍ଚଳିକ ଦଳ

Share :

ଦେବେନ୍ଦ୍ର ପୃଷ୍ଟି ନବୀନ ପଟ୍ଟନାୟକ । ଏହା କେବଳ ଏକ ନାମ ନୁହେଁ, ଏକ ଅନନ୍ୟ ସଫଳତାର ଉଚ୍ଚାଙ୍ଗ କାହାଣୀ-ଯେତିକି ଅଜବ, ସେତିକି ଆକର୍ଷଣୀୟ । ଏକ ଈର୍ଷଣୀୟ ବ୍ୟକ୍ତିତ୍ୱ । ଆଭିଜାତ୍ୟର ଆଢ଼ୁଆଳରେ ସରଳତାର ଅବତାର । ଶାସନର ଶୀର୍ଷ ସୋପାନରେ ଉଦାସୀନ ଭୋଗୀ । ପରିପୂର୍ଣ୍ଣ ବିଳାସ ଭିତରେ ସର୍ବତ୍ୟାଗୀ ଯୋଗୀ । କଳା ଓ ସାହିତ୍ୟର ପରିଚୟ ଭିତରେ ରାଜନୀତିର ପ୍ରତିଷ୍ଠା । ମଧୁର ସ୍ମିତହାସ ଓ ନିଷ୍ଠୁର ଛୁରିକାଘାତ- ଉଭୟର ଅପର୍ଯ୍ୟାପ୍ତ ଉଦାହରଣ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରଳମ୍ବିତ ଏକ ରହସ୍ୟର ଧାରା, ଏକ ଜାଜ୍ଜ୍ୱଲ୍ୟମାନ କିମ୍ବଦନ୍ତୀ । ପଛରେ ପଡ଼ିଗଲେଣି ଓଡ଼ିଶାର ଅନେକ ତୁଙ୍ଗ ପୁରୁଷ, ଶୀର୍ଷ ନେତା । ରାଜାଭିଜାତର ଶୀର୍ଷ ଉଦାହରଣ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କଠାରୁ ଆରମ୍ଭ କରି ସ୍ୱାଭିମାନ ଓ ସମୃଦ୍ଧିର ଶ୍ରେଷ୍ଠ ପ୍ରବକ୍ତା ବିଜୁ ପଟ୍ଟନାୟକଙ୍କ ଯାଏଁ ସମସ୍ତଙ୍କ ରେକର୍ଡ଼ ଭାଙ୍ଗି ସାରିଲେଣି ନବୀନ ପଟ୍ଟନାୟକ । ତାଙ୍କର ଲୋକପ୍ରିୟତା ଓ ସଫଳତା ଆଗରେ ମଳିନ ପଡ଼ିଗଲେଣି ଉକ୍ରଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ, ଲୌହ ମାନବୀ ନନ୍ଦିନୀ ଶତପଥୀ । ସମସ୍ତଙ୍କ ସଫଳତାର ରେକର୍ଡ଼ ଭାଙ୍ଗି ସାରିଲେଣି ନବୀନ- ଅମନଯୋଗୀ ରାଜନେତା, ମନଯୋଗୀ କୌଶଳବାଜ୍ । ଆରମ୍ଭରୁ ଏଯାଏଁ ଅପରାଜେୟ । ଏକ ଆଞ୍ଚଳିକ ଦଳର ଏ ପ୍ରକାର ସଫଳତା ଭାରତରେ ବିରଳ । ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ଗଠନ ପରଠାରୁ ପରାଜୟର ସ୍ୱାଦ ଚାଖି ନାହାନ୍ତି ନବୀନ ପଟ୍ଟନାୟକ । ବରଂ ଗୋଟେ ପରେ ଗୋଟେ ନିର୍ବାଚନରେ ବଢ଼ି ଚାଲିଛି ତାଙ୍କ ଆସନ ଓ ଅନୁଗତ ସଂଖ୍ୟା । ତାଙ୍କ ଆକାର ସହିତ ବଢ଼ୁଛି ତାଙ୍କ ଆକର୍ଷଣ । ତାଙ୍କ ଦଳରେ ବିଲୀନ ହୋଇ ଧନ୍ୟ ମନେ କରୁଛନ୍ତି କେତେକ ଜାତୀୟ ଦଳର ନେତା । ତକ୍ରାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ବିମ୍ବାଧର କୁଅଁର, କଂଗ୍ରେସ ବିଧାୟକ ଦଳ ସଂପାଦକ ଅନୂପ ସାଏ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ, ପୂର୍ବତନ ସାଂସଦ ସୁଦାମ ମାରାଣ୍ଡି- ଏମିତି ଅନେକ ଦଳର ବହୁ ପ୍ରଭାବଶାଳୀ ଓ ନାମକରା ନେତା ନିଜକୁ ନବୀନଙ୍କ ନିକଟରେ ନିବେଦିତ କରିସାରିଛନ୍ତି । କଂଗ୍ରେସ, ବିଜେପି, ରାଷ୍ଟ୍ରବାଦୀ କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଆଦି ଅନେକ ଦଳର ନେତା ନବୀନଙ୍କ ନେତୃତ୍ୱ ଗ୍ରହଣ କରି ଅସ୍ତିତ୍ୱ ହରାଇଥିଲେ ମଧ୍ୟ ତାଙ୍କର ଦୁର୍ବାର ଆକର୍ଷଣ କମିନାହିଁ । ଆଜି ବି ପ୍ରାୟ ପ୍ରତ୍ୟେକ ଦିନ ନବୀନ ନିବାସ ଓ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ମିଶ୍ରଣ ପର୍ବ । ମୁମ୍ବାଇର ଚର୍ଚ୍ଚିତ ପୁଲିସ କମିଶନର ପୂର୍ବତନ ଆଇପିଏସ ଅନୂପ ପଟ୍ଟନାୟକ, ଚର୍ଚ୍ଚିତ ଅଡିଟର ଜେନେରାଲ ପୂର୍ବତନ ଆଇଆରଏସ ଅମର ପଟ୍ଟନାୟକ, ପୂର୍ବତନ ଆଇଆଇଏସ ଗିରିଧର ମହାନ୍ତି, ସମ୍ବାଦ ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ, ବିଶାଳ ଶିକ୍ଷା ସାମ୍ରାଜ୍ୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଓଡ଼ିଶାର ହକି ଲିଜେଣ୍ଡ ଦିଲ୍ଲୀପ ତିର୍କିଙ୍କ ସମେତ ଅନେକ ଉଦ୍ୟୋଗପତି, ବ୍ୟୁରୋକ୍ରାଟ, ଟେକ୍ନୋକ୍ରାଟ, ସଂପାଦକ, ଶିକ୍ଷାବିତ, ସାମ୍ବାଦିକ, ଖେଳାଳି, ଅଭିନେତା, ସମାଜସେବୀ, ବ୍ୟବସାୟୀ, ସଙ୍ଗୀତକାର ଓ ଅନ୍ୟ ବହୁ ବିଭାଗର ପେସାଦାର ଏବେ ବିଜେଡିର ସଦସ୍ୟ । ଏଭଳି ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଏବେ ଅପରାଜେୟ ଓ ବିକଳ୍ପହୀନ ହେବାର ପ୍ରତିଷ୍ଠା ଅର୍ଜନ କରିଛି । ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଏକ ରାଜନୀତିକ ଆନ୍ଦୋଳନରେ ପରିଣତ ହୋଇଛି । ଓଡ଼ିଶା ଓ ଓଡ଼ିଆଙ୍କର ସ୍ୱାଭିମାନ ଓ ସମୃଦ୍ଧି ଦିଗରେ ଏହି ରାଜନୀତିକ ଆନ୍ଦୋଳନର ଅବଦାନ କ’ଣ ତାହା ଅଲଗା ପ୍ରସଙ୍ଗ । କିନ୍ତୁ ଏହି ଦଳ ଯେ ଖାଲି ଓଡ଼ିଶା କାହିଁକି ସମଗ୍ର ଭାରତର ଏକ ସଫଳ ଓ ଶକ୍ତିଶାଳୀ ରାଜନୀତିକ ମଞ୍ଚରେ ପରିଣତ ହୋଇଛି ତାହା ଅନସ୍ୱୀକାର୍ଯ୍ୟ । ଏହି ଦଳର ନେତା ଭାବେ ନବୀନ ପଟ୍ଟନାୟକ ଭାରତୀୟ ରାଜନୀତିରେ ଏକ ଅନନ୍ୟ ସ୍ଥାନ ହାସଲ କରିଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଓ ପରେ ଅନେକ ଦଳ ଗଢ଼ା ଯାଇଛି । ଅନେକ ଦଳର ମିଶ୍ରଣ ଘଟିଛି । ଅନେକ ନେତା ଗୋଟେ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି । କିନ୍ତୁ କେବେ କୌଣସି ଦଳ ଓଡ଼ିଶାରେ ଏତେ ପ୍ରଭାବଶାଳୀ ଓ ବିସ୍ତାରିତ ସଫଳତା ଅର୍ଜନ କରିପାରି ନାହାନ୍ତି । ଓଡ଼ିଶାର ରାଜନୀତିକ ଇତିହାସରେ ପ୍ରାୟ ଅନ୍ୟ ସମସ୍ତ ଆଞ୍ଚଳିକ ଦଳ ବିଫଳ ହୋଇଥିଲାବେଳେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସର୍ବାଧିକ ସଫଳ ଦଳର ମାନ୍ୟତା ଅର୍ଜନ କରିଛି । ଏହି ଦଳ କ୍ରମାଗତ ଭାବରେ ୫ ଲୋକସଭା ନିର୍ବାଚନ, ୪ ବିଧାନସଭା ନିର୍ବାଚନ, ୪ ପୌର ନିର୍ବାଚନ ଓ ୪ ପଞ୍ଚାୟତ ନିର୍ବାଚନରେ ନିଜର ଆଧିପତ୍ୟ ବଜାୟ ରଖିଛି । କେବଳ ସେତିକି ନୁହେଁ, ଏକ ଆଶ୍ଚର୍ଯ୍ୟଜନକ ସଫଳତାକ୍ରମେ ନବୀନଙ୍କ ଦଳ ପ୍ରାୟ ପ୍ରତି ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଆସନ ପାଇ ଏକ ଅଦ୍ୱିତୀୟ ସଫଳତାର ଅଧିକାରୀ ହୋଇଛି । ନବୀନଙ୍କ ନେତୃତ୍ୱରେ ବିଜେଡି ୧୯୯୮ ଲୋକସଭା ନିର୍ବାଚନରେ ୯ ଓ ୧୯୯୯ ଲୋକସଭା ନିର୍ବାଚନରେ ୧୦ ଆସନରେ ବିଜୟୀ ହୋଇଥିଲା । ୨୦୦୪ ନିର୍ବାଚନରେ ଏହି ସଂଖ୍ୟା ୧୧କୁ ବୃଦ୍ଧି ପାଇଥିଲା । ଏଯାଏଁ ଭାରତୀୟ ଜନତା ପାର୍ଟି ବା ବିଜେପି ସହିତ ମେଣ୍ଟରେ ଥିଲା ନବୀନଙ୍କ ବିଜୁ ଜନତା ଦଳ । କିନ୍ତୁ ୨୦୦୯ ନିର୍ବାଚନରେ ନବୀନ ନିଜ ଆଡ଼ୁ ମେଣ୍ଟ ଭାଙ୍ଗିଦେଲେ । ଅଥଚ ଆସନ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିଲା । ସେହି ନିର୍ବାଚନରେ ତାଙ୍କ ଦଳ ୧୪ଟି ଲୋକସଭା ଆସନ ଜିତିଲା । ୨୦୧୪ ନିର୍ବାଚନରେ ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ପୋଛି ନେଲେ ନବୀନ ପଟ୍ଟନାୟକ । ବିଧାନସଭା ନିର୍ବାଚନରେ ମଧ୍ୟ ଏହିପରି ଅନନ୍ୟ ସଫଳତାର ଅଧିକାରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ବିଜେଡି ୨୦୦୦ ନିର୍ବାଚନରେ ୬୮ ଆସନ ଜିତିଥିଲା । ୨୦୦୪ ନିର୍ବାଚନରେ ଏହି ସଂଖ୍ୟା ୬୧କୁ ଖସିଥିଲେ ମଧ୍ୟ ୨୦୦୯ ନିର୍ବାଚନରେ ୧୦୩କୁ ଏବଂ ୨୦୧୪ରେ ୧୧୭କୁ ବୃଦ୍ଧି ପାଇଥିଲା । ୨୦୧୯ ନିର୍ବାଚନରେ ଏହି ସଂଖ୍ୟା ୧୨୩ ଟପିବ ବୋଲି ବିଜେଡିର ଅନେକ ନେତା ଅନେକ ସମୟରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ୧୯୯୦ ମସିହା ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ୧୨୩ ଆସନରେ ବିଜୟୀ ହୋଇଥିଲା । ନବୀନଙ୍କ ଦଳ ଏଥର ସେହି ରେକର୍ଡ଼ କାଟିବ ବୋଲି ଦଳୀୟ ନେତାମାନେ ଆଶା ପୋଷଣ କରିଛନ୍ତି । ନବୀନବାବୁଙ୍କ ପୂର୍ବରୁ ଓ ପରେ ମଧ୍ୟ ଓଡ଼ିଶାରେ ଅନେକ ଲୋକପ୍ରିୟ ତଥା କୌଶଳୀ ନେତା ଅନେକ ଆଞ୍ଚଳିକ ଦଳ ଗଠନ କରିଛନ୍ତି । କେହି ନବୀନଙ୍କ ସଫଳତାର ସମକକ୍ଷ ହୋଇପାରି ନାହାନ୍ତି । ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ଆଞ୍ଚଳିକ ଦଳ ଭାବେ ଗଢ଼ି ଉଠିଥିଲା ଗଣତନ୍ତ୍ର ପରିଷଦ । ଏହାର ପ୍ରତିଷ୍ଠାତା ସଭାପତି ଥିଲେ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ । ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ରାଜନ୍ୟ ମଣ୍ଡଳୀ ଏହି ଦଳ ଗଠନ କରିଥିଲେ । ଏହାର ପୂର୍ବସୂରୀ ହେଉଛି କୋଶଳ ଉକ୍ରଳ ପ୍ରଜା ପରିଷଦ । ୧୯୪୮ ମସିହାରେ କୋଶଳ ଉକ୍ରଳ ପ୍ରଜା ପରିଷଦର ପ୍ରଥମ ବୈଠକ ସମ୍ବଲପୁରରେ ବସିଥିଲା । ୧୯୫୦ରେ ବଲାଙ୍ଗୀରରେ ଏହି ସଂଗଠନ ଗଣତନ୍ତ୍ର ପରିଷଦର ରୂପ ନେଲା । ଏହାର ପ୍ରଥମ ସଭାପତି ହେଲେ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ । ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ୧୦ ଲୋକସଭା ଓ ୬୭ ବିଧାନସଭା ଆସନ ଜିତିଥିଲା । ସେହି ନିର୍ବାଚନରେ ଗଣତନ୍ତ୍ର ପରିଷଦ ପାଇଥିଲା ୫ ଲୋକସଭା ୩୧ ବିଧାନସଭା ଆସନ । ୧୯୫୭ ନିର୍ବାଚନରେ ଗଣତନ୍ତ୍ର ପରିଷଦର ବିଧାନସଭା ଆସନ ସଂଖ୍ୟା ୫୧ ଓ ଲୋକସଭା ଆସନ ସଂଖ୍ୟା ୭କୁ ବୃଦ୍ଧି ପାଇଥିଲା । ୧୯୬୨ରେ ଗଣତନ୍ତ୍ର ପରିଷଦର ବିଧାନସଭା ଆସନ ସଂଖ୍ୟା ୩୭କୁ ଏବଂ ଲୋକସଭା ଆସନ ସଂଖ୍ୟା ୪କୁ ଖସିଗଲା । ଏହା ପରେ ଏହି ଦଳଌାତୀୟ ସ୍ତରର ସ୍ୱତନ୍ତ୍ର ପାର୍ଟିରେ ବିଲୀନ ହେଲା । ଏହା ସହିତ ଓଡ଼ିଶାର ଏହି ପ୍ରଥମ ଆଞ୍ଚଳିକ ଦଳ ସତ୍ତା ହରାଇଲା । ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପୁଅ ଅନଙ୍ଗ ଉଦୟ ସିଂହଦେଓ ଏବେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ନେତା । ତାଙ୍କ ପୁଅ କଳିକେଶ ସିଂହଦେଓ ମଧ୍ୟ ବିଜେଡିର ସାଂସଦ । ଓଡ଼ିଶାର ଦ୍ୱିତୀୟ ପ୍ରଭାବଶାଳୀ ଆଞ୍ଚଳିକ ଦଳ ଗଠନ କରିଥିଲେ ଡକ୍ଟର ହରେକୃଷ୍ଣ ମହତାବ । କଂଗ୍ରେସରେ ବିଜୁ ପଟ୍ଟନାୟକଙ୍କ ପ୍ରଭାବ ବିସ୍ତାର ସହିତ ଡକ୍ଟର ମହତାବ ଅବହେଳିତ ଅନୁଭବ କରି ଗଠନ କରିଥିଲେ ଜନ କଂଗ୍ରେସ । ୧୯୬୭ ନିର୍ବାଚନରେ ଜନ କଂଗ୍ରେସ ୨୬ଟି ବିଧାନସଭା ଆସନ ଜିତିବାକୁ ସମର୍ଥ ହୋଇଥିଲା । ସେହି ନିର୍ବାଚନରେ ରାଜେନ୍ଦ୍ର ନାରାୟଣଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପାର୍ଟି ୪୯ ବିଧାନସଭା ଓ ୮ ଲୋକସଭା ଆସନ ଜିତିଥିଲା । ରାଜ୍ୟରେ ସ୍ୱତନ୍ତ୍ର ପାର୍ଟି ଓ ଜନ କଂଗ୍ରେସ ମିଶି ସରକାର ଗଠନ କରିଥିଲେ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୧୯୭୧ ମସିହା ଯାଏଁ ଏହି ପଦରେ ରହିଥିଲେ । ଇତିମଧ୍ୟରେ ଜାତୀୟ କଂଗ୍ରେସରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଭାବ ବୃଦ୍ଧି ପାଇଥିଲା ଓ ବିଜୁ ପଟ୍ଟନାୟକ ନିଜକୁ ଅବହେଳିତ ଓ ଅପମାନିତ ବୋଧ କରି କଂଗ୍ରେସ ଛାଡ଼ି ଉକ୍ରଳ କଂଗ୍ରେସ ନାମରେ ଅନ୍ୟ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ । ୧୯୭୧ ନିର୍ବାଚନରେ ଏହି ଦଳ ୩୩ଟି ବିଧାନସଭା ଆସନ ଜିତିଥିଲା । ସେହିବର୍ଷ ସ୍ୱତନ୍ତ୍ର ପାର୍ଟି ମଧ୍ୟ ୩୬ଟି ଆସନ ଜିତିବାକୁ ସମର୍ଥ ହୋଇଥିଲା । ଏ ଉଭୟ ଦଳ ଝାଡ଼ଖଣ୍ଡ ପାର୍ଟିର ୪ ବିଧାୟକଙ୍କ ସହିତ ବୁଝାମଣା କରି ମେଣ୍ଟ ସରକାର ଗଠନ କରିଥିଲେ । ମୁଖ୍ୟମନ୍ତ୍ରୀ ହୋଇଥିଲେ କୌଣସି ଦଳରେ ନଥିବା ବିଶ୍ୱନାଥ ଦାସ । ସେ ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ରାଜ୍ୟପାଳ ପଦରେ ଥିଲେ । ପରେ ସେ ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଉରକେଲାରୁ ନିର୍ବାଚିତ ହୋଇଥିଲେ । ସେହିବର୍ଷ ଲୋକସଭା ନିର୍ବାଚନରେ ସ୍ୱତନ୍ତ୍ର ପାର୍ଟି ୩ ଓ ଉକ୍ରଳ କଂଗ୍ରେସ ୧ ଲୋକସଭା ଆସନ ଜିତିବାକୁ ସମର୍ଥ ହୋଇଥିଲେ । ୧୯୭୪ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ କଂଗ୍ରେସ ୬୯ ଆସନ ଜିତି ସରକାର ଗଠନ କଲା ଓ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ । ବିଜୁବାବୁଙ୍କ ଉକ୍ରଳ କଂଗ୍ରେସ ୩୫ ଆସନ, ସ୍ୱତନ୍ତ୍ର ପାର୍ଟି ୨୧ ଓ ଜନ କଂଗ୍ରେସ ମାତ୍ର ୧ ଆସନରେ ବିଜୟୀ ହୋଇଥିଲେ । ଏହି ସରକାର ସମୟରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ହେଲା । ଏହା ବିରୋଧରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସମଗ୍ର ଦେଶରେ ଆରମ୍ଭ ହେଲା ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ । ଏହି ପ୍ରକ୍ରିୟାରେ ଓଡ଼ିଶାରେ ସ୍ୱତନ୍ତ୍ର ପାର୍ଟି, ଉକ୍ରଳ କଂଗ୍ରେସ ଓ ସୋସାଲିଷ୍ଟ ପାର୍ଟିଗୁଡ଼ିକ ମିଶି ଜାତୀୟ ସ୍ତରର ଜନତା ପାର୍ଟିରେ ବିଲୀନ ହେଲେ । ୧୯୭୭ ନିର୍ବାଚନରେ ଜନତା ପାର୍ଟି ରାଜ୍ୟରେ ୧୧୦ଟି ବିଧାନସଭା ଆସନ ଓ ୧୫ଟି ଲୋକସଭା ଆସନ ଜିତିଲା ଓ କଂଗ୍ରେସକୁ ମାତ୍ର ୨୬ ବିଧାନସଭା ଆସନ ଓ ୪ଟି ଲୋକସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏହି ପରିବର୍ତ୍ତନ ଭିତରେ ପ୍ରଦେଶ କଂଗ୍ରେସରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗୁରୁତ୍ୱ ବୃଦ୍ଧି ପାଇଲା । ୧୯୮୦ ମସିହାରେ କଂଗ୍ରେସ ୧୧୮ ଆସନ ଜିତି ପୁନର୍ବାର କ୍ଷମତାକୁ ଫେରିଲା ଓ ଜାନକୀ ବଲ୍ଲଭ ମୁଖ୍ୟମନ୍ତ୍ରୀ ହେଲେ । ଶ୍ରୀମତୀ ନନ୍ଦିନୀ ଶତପଥୀ କଂଗ୍ରେସରେ ଅବହେଳିତ ବୋଧକରି ଏକ ନୂଆ ଆଞ୍ଚଳିକ ଦଳ ଗଠନ କଲେ । ତାହାର ନାମ ଥିଲା ଜାଗ୍ରତ ଓଡ଼ିଶା । ତେବେ ୧୯୮୫ ମସିହାରେ ଏହି ଦଳ ମାତ୍ର ଗୋଟିଏ ଆସନ ଜିତିଥିଲା । ନିଜେ ନନ୍ଦିନୀ ଏହି ଦଳର ଏକମାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏ ଦଳର ଭବିଷ୍ୟତ ଆଉ ଆଗକୁ ବଢ଼ିପାରି ନଥିଲା । ୧୯୯୦ ମସିହାରେ ଜନତା ପରିବାରର ପରବର୍ତ୍ତୀ ଅବତାର ଜନତା ଦଳ ଓଡ଼ିଶାରେ ବିଜୁବାବୁଙ୍କ ନେତୃତ୍ୱରେ ୧୨୩ ବିଧାନସଭା ଆସନ ଜିତି ରେକର୍ଡ଼ କଲା, ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ୧୯୯୫ ନିର୍ବାଚନରେ କଂଗ୍ରେସ ପୁଣି ୮୦ ଆସନ ଜିତି ସରକାର ଗଠନ କଲା ଓ ଜାନକୀ ବଲ୍ଲଭ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା । ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ କଲେ ଓ ଆସ୍କା ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜୟ ଲାଭ କଲେ । ସେହିବର୍ଷ ଡିସେମ୍ବର ମାସରେ ଜନତା ଦଳରେ ବିଭାଜନ ହେଲା ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ହେଲା ବିଜୁ ଜନତା ଦଳ । ଏହା ପରଠାରୁ ନବୀନଙ୍କ ବିଜୁ ଜନତା ଦଳ ରାଜ୍ୟ ରାଜନୀତିରେ ଅପରାଜେୟ ହୋଇ ରହିଛି । ୧୯୯୮ ମସିହା ଏନଡିଏ ସରକାରରେ ସେ ଖଣି ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ । ୨୦୦୦ ବିଧାନସଭା ନିର୍ବାଚନରେ ଜିତି ରାଜ୍ୟର ବିଜେଡି-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ହେଲେ । ଏଯାଏଁ ସେ ଏହି ପଦରେ ଅଛନ୍ତି । ଯଦିଓ ୨୦୦୯ ମସିହାରୁ ସେ ବିଜେପି ମେଣ୍ଟରୁ ଓହରି ଯାଇଛନ୍ତି । ନବୀନ ପଟ୍ଟନାୟକଙ୍କ ୧୮ ବର୍ଷର ଶାସନ କାଳ ଭିତରେ ଅନ୍ୟ କେତେକ ଆଞ୍ଚଳିକ ଦଳ ଗଠିତ ହୋଇଛି । କିନ୍ତୁ କୌଣସି ଦଳ ନିର୍ବାଚନୀ ସଫଳତା ଲାଭ କରିପାରି ନାହିଁ । ୨୦୦୦ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲର ଶେଷ ଦିନ ନବୀନ ପଟ୍ଟନାୟକ ତାଙ୍କ ବିଜୁ ଜନତା ଦଳର ରାଜନୀତିକ ବ୍ୟାପାର କମିଟି ମୁଖ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲେ । ଏହା ପରେ ବିଜୟ ମହାପାତ୍ର ଗଠନ କରିଥିଲେ ଓଡ଼ିଶା ଗଣ ପରିଷଦ । ସେହି ଦଳରେ ସେତେବେଳେ ଥିଲେ ତଥାଗତ ସତପଥୀ, ଉପେନ୍ଦ୍ର ନାୟକ, ନରସିଂହ ମିଶ୍ର ଓ ସଞ୍ଜୟ ଦାସବର୍ମା ପ୍ରମୁଖ କେତେକ ନେତା । ତଥାଗତ ଓ ସଞ୍ଜୟ ଏବେ ବିଜେଡିରେ ଏବଂ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା । ପରେ ବିଜୟ ମହାପାତ୍ର ଓଡ଼ିଶା ଗଣ ପରିଷଦକୁ ଅଚଳ କରି ପ୍ରଥମେ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସରେ ଯୋଗଦେଲେ । ସେହି ଦଳ ତରଫରୁ ୪ ଜଣ ନେତା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେମାନେ ସମସ୍ତେ ବିଜେଡିରେ ମିଶିଯିବା କାରଣରୁ ବିଜୟ ମହାପାତ୍ର ଏକୁଟିଆ ହୋଇଗଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ଓ ଓଡ଼ିଶା ଗଣ ପରିଷଦର ଅସ୍ତିତ୍ୱ ଲୋପ ପାଇଲା । ଏହି ସମୟ ଭିତରେ ପୂର୍ବତନ ପ୍ରଶାସକ ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ବିଜେପିରେ ମିଶି ବାଲେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ । କିନ୍ତୁ ତା’ପରେ ଦଳରେ ତାଙ୍କୁ ଅବହେଳା କରାଯିବାରୁ ସେ ଉକ୍ରଳ ଭାରତ ପାର୍ଟି ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ । ଏହି ଦଳ ଏଯାଏଁ ନିର୍ବାଚନୀ ସଫଳତା ହାସଲ କରିନାହିଁ । ଏହା ବସ୍ତୁତଃ ଏକ ଜଣିକିଆ ଦଳ ଭାବେ ତିଷ୍ଠି ରହିଛି । ସେହିପରି ପୂର୍ବତନ ଆଇଏଏସ ଅଧିକାରୀ ଯତୀଶ ମହାନ୍ତି ଆନ୍ଧ୍ର ପ୍ରଦେଶରେ ଉଚ୍ଚ ସରକାରୀ ପଦ ପରିତ୍ୟାଗ କରି ୨୦୦୭ ମସିହାରେ ସମୃଦ୍ଧ ଓଡ଼ିଶା ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ । ଏ ଦଳ ମଧ୍ୟ ଏଯାଏଁ କୌଣସି ନିର୍ବାଚନୀ ସଫଳତା ହାସଲ କରିନାହିଁ । ୨୦୧୨ ମେ ୨୯ ତାରିଖର ରାତି ଅଧିଆ ବିଦ୍ରୋହ ପରେ ନବୀନ ପଟ୍ଟନାୟକଙ୍କର ଦଶନ୍ଦି ବ୍ୟାପୀ ମାର୍ଗଦର୍ଶକ ଭାବେ ପରିଚିତ ପୂର୍ବତନ ଆଇଏଏସ ଅଫିସର ତଥା ରାଜ୍ୟସଭା ସଦସ୍ୟ ପ୍ୟାରୀ ମୋହନ ମହାପାତ୍ର ଦଳରୁ ବହିଷ୍କୃତ ହୋଇଥିଲେ । ଏହା ପରେ ସେ ଗଠନ କରିଥିଲେ ଓଡ଼ିଶା ଜନ ମୋର୍ଚ୍ଚା ନାମରେ ଅନ୍ୟ ଏକ ଆଞ୍ଚଳିକ ଦଳ । ପ୍ୟାରୀ ମୋହନଙ୍କର ବାରମ୍ବାର ଦାବି ଓ ଦମ୍ଭୋକ୍ତି ସତ୍ତେ୍ୱ ସେହି ଦଳ ମଧ୍ୟ ନିର୍ବାଚନୀ ସଫଳତା ପାଇଲା ନାହିଁ । ତାଙ୍କ ମୃତ୍ୟୁ ପରେ ଏହି ଦଳ ସମତା କ୍ରାନ୍ତି ଦଳରେ ବିଲୀନ ହୋଇସାରିଛି । ପ୍ୟାରୀ ମୋହନଙ୍କ ପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ମଧ୍ୟ ନବୀନଙ୍କ ବିଜୁ ଜନତା ଦଳରେ ଅପାଙ୍କ୍ତେୟ ହୋଇଯିବା ପରେ ସମତା କ୍ରାନ୍ତି ଦଳ ଗଠନ କରିଥିଲେ । ଏହି ଦଳର ଏକମାତ୍ର ବିଧାୟକ ଥିଲେ ଜର୍ଜ ତିର୍କି । ସେ ଏବେ କଂଗ୍ରେସରେ ଯୋଗଦେଇଛନ୍ତି । ସମତା କ୍ରାନ୍ତି ଦଳ ନିର୍ବାଚନୀ ସଫଳତା ହାସଲ କରିପାରି ନାହିଁ । ବିଜେଡିରୁ ବହିଷ୍କୃତ ହେବା ପରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି ଓ ଦିଲ୍ଲୀପ ରାୟ ପ୍ରମୁଖ ଓଡ଼ିଶା ଜନଶକ୍ତି ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିବାକୁ ପ୍ରୟାସ ପ୍ରକଟ କରିଥିଲେ । ଏ ଦଳ ପଂଞ୍ଜୀକୃତ ହେବା ପୂର୍ବରୁ ଉଦ୍ୟୋକ୍ତାମାନେ ନିଜ ନିଜ ବାଟରେ ଚାଲି ଯାଇଥିଲେ । ୨୦୧୩ ମସିହାରେ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ସଭାପତି ପଦ ହରାଇବା ପରେ ତାଙ୍କୁ ଓ ତାଙ୍କ ସାନ ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ଅବହେଳିତ କରି ରଖାଗଲା । ଏହି ସମୟ ମଧ୍ୟରେ ସୌମ୍ୟ ରଞ୍ଜନଙ୍କୁ ଦଳରୁ ନିଲମ୍ବିତ କରାଗଲା । ତା’ର ପ୍ରତିକ୍ରିୟା ସ୍ୱରୂପ ସେ ଆମ ଓଡ଼ିଶା ନାମରେ ଏକ ଦଳ ଗଠନ କରିଥିଲେ । କିନ୍ତୁ ଚଳିତ ବର୍ଷ ସୌମ୍ୟ ରଞ୍ଜନ ନିଜେ ବିଜେଡିରେ ଯୋଗଦେଇ ଏବେ ଏହି ଦଳର ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଦଳର ଅନ୍ୟ କେତେକ ନେତା ବିଜେଡିରେ ଓ ଆଉ କେତେ ଜଣ କଂଗ୍ରେସରେ ଯୋଗଦେଇଛନ୍ତି । ଓଡ଼ିଶାର ଏହିପରି ପ୍ରମୁଖ କେତେ ଜଣ ରାଜନେତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଞ୍ଚଳିକ ଦଳ ଏପରି ପ୍ରଭାବହୀନ ହୋଇଯାଇଥିବାବେଳେ କଳିଙ୍ଗ ସେନା ଓ ଓଡ଼ିଶା ଲୋକ ଦଳ ପରି କେତେକ ଛୋଟ ସଂଗଠନ ପଞ୍ଜୀକୃତ ହୋଇଛି । ତେବେ ଏସବୁ ଦଳର କୌଣସି ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡ଼ିନାହିଁ । ଏବେ ବିଜେଡିରୁ ଭିନ୍ନ ଭିନ୍ନ ସମୟରେ ଅଲଗା ହୋଇଯାଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରମୁଖ ବିଜୁ ପରିବାରର ଅନ୍ୟ ବିଚ୍ୟୁତ ଓ ବିତାଡ଼ିତ ସଦସ୍ୟମାନଙ୍କୁ ଏକାଠି ଅନ୍ୟ ଏକ ଆଞ୍ଚଳିକ ଦଳ ଗଠନ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । ତେବେ ଏଯାଏଁ ଏହି ନେତାମାନେ ଏକଜୁଟ ହୋଇନଥିବାବେଳେ ଏଭଳି ଏକ ସମ୍ଭାବନାକୁ ଗଜୁରିବା ପୂର୍ବରୁ ହତ୍ୟା କରିବା ପାଇଁ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ଓ ତା’ପରେ ତାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟକୁ ଏକ ରାଜନୀତିକ ପ୍ରସଙ୍ଗ କରାଯିବା ଯଥେଷ୍ଟ ହୋଇଛି ବୋଲି କୁହାଯାଇପାରେ । (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶ ପାଇଛି ।)

Share :