ଗଂଜାମ ନେତା, କିଏ କାହାର ନୁହଁନ୍ତି!

ଗଂଜାମ ନେତା, କିଏ କାହାର ନୁହଁନ୍ତି!

Share :

ହେମାଙ୍ଗ ପ୍ରସାଦ ରାଉଳ ସାଂପ୍ରତିକ ସମୟରେ ଗଂଜାମ ରାଜନୈତିକ ଚିତ୍ର ଯେଉଁ ଉତ୍ଥାନ ପତନର ଆହ୍ୱାନ ଦେଉଛି ରାଜନେତାଙ୍କ ପାଇଁ ନିର୍ବାଚନ ପୂର୍ବରୁ ସମୀକ୍ଷା ଆସନ୍ନ। ସହରଠୁଁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ରାଜନୈତିକ ବିଚାର ନେଇ ଚଳଚଞ୍ଚଳ ହୋଇଛି ପରିବେଶ। ଆଉ ମାତ୍ର ଛ’ମାସ ପରେ ସାଧାରଣ ନିର୍ବାଚନର ବିଗୁଲ ବାଜିବ। କିଛି ନେତାଙ୍କ ଅଭ୍ୟୁଦୟ ହେବ କିଛି ନେତାଙ୍କ ଭାଗ୍ୟ ମଧ୍ୟ ଅସ୍ତ ହେବାର ସୂଚନା ଆଭାସ ମିଳୁଛି। ତେବେ ତ୍ରିଶକ୍ତି ମଧ୍ୟରେ ଛକାପପ୍ତାର ଖେଳ ଚାଳିଥିବା ସମୟରେ ଏଠି କିଏ ମିତ୍ର, କିଏ ଶତ୍ରୁ, କିଏ କେଉଁ ଶିବିରର ଧରିବା ବି ଭାରି ଜଟିଳ ପରି ମନେହୁଏ। ହାତର ଦୁର୍ଗ ଥିଲା ଗଂଜାମ। ବ୍ରହ୍ମପୁରରେ ହାତର ଇତିହାସ ବହୁ ରାଜନୈତିକ ଶକ୍ତିର ପ୍ରୟୋଗଶାଳା। କିନ୍ତୁ ଆଜି ହାତ ହତଶ୍ରୀ ହେଲାପରି ଅଣନିଃଶ୍ୱାସୀ ଅବସ୍ଥା ଦେଇ ଗତିକରୁଛି। ଯେଉଁ ରାଜନେତାଙ୍କୁ ହାତ ତଳରୁ ନେଇ ଶୀର୍ଷ ଆସନରେ ପହଞ୍ଚାଇଥିଲା ସେମାନେ କ୍ଷମତା ଦଖଲ ପରେ ସୁବିଧାବାଦୀ ହୋଇ ଖସିଯାଇ ବିରୋଧୀଙ୍କ ଶକ୍ତିର ଶରଣାର୍ଥୀ। ବ୍ରହ୍ମପୁର ମାଟିପୁଅ ଚନ୍ଦ୍ରଶେଖର ସାହୁ ଦୁଇଦଶନ୍ଧି ତଳେ ମ୍ୟୁନିସିପାଲ୍ଟିର ଅଧ୍ୟକ୍ଷ ଭାର ଗ୍ରହଣ କରି ପରେ ବ୍ରହ୍ମପୁର ମାଟିରୁ ସାଂସଦ ହୋଇ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଭାର ଥିଲା କଂଗ୍ରେସର ବଡ଼ ଅବଦାନ ତାଙ୍କ ବ୍ୟକ୍ତିଗତ ରାଜନୈତିକ କ୍ୟାରିୟର ପାଇଁ ରାଜ୍ୟରେ କାର୍ଯ୍ୟକାରୀ ସଭାପତି ପଦ ମଧ୍ୟ ଥିଲା ତାଙ୍କର ବ୍ୟକ୍ତିତ୍ୱର ଆଉ ଏକ ସାମର୍ଥ୍ୟ। କ୍ରମଶଃ କଂଗ୍ରେସ ପ୍ରତି ବିମୁଖ ଓ କ୍ଷମତାରେ ରହିଥିବା ମୁରବୀଙ୍କୁ ଗୋଡ଼ରେ ଆଡେ଼ଇ ଦେଇ ବିକ୍ରମ, ଭଗବାନଙ୍କୁ ଧରି ଶେଖର ଗଲେ ଶଂଖମୁହାଁ ହୋଇ ଯାହାକି କଂଗ୍ରେସ ବିଧ୍ୱଂସ୍ତ ରୂପ ଫୁଟି ଉଠିଲା। ଏଇଠୁ ବାରି ହେଉଛି କଂଗ୍ରେସ ହାତ ଭାରି ଦୁର୍ଗତ ସମୟ ଦେଇ ଗତିକରୁଛି। ସଂପ୍ରତି ବ୍ରହ୍ମପୁର ସଂସଦୀୟ ଆସନ ପାଇଁ ଗଜପତିରୁ ବ୍ୟବସାୟୀ ସାମ୍ରାଜ୍ୟର ବାଦ୍ଶାହା ତିରୁପତି ପାଣିଗ୍ରାହୀଙ୍କୁ ପ୍ରୋଜେକ୍ଟ କରାଯାଇପାରେ। ତେବେ ଆଗାମୀ ଦିନରେ କଂଗ୍ରେସ ଓ ବିଜେଡ଼ିର ଛକାପଞ୍ଝାର ଗତି ନିଶ୍ଚୟ ଅନେକଙ୍କ ହୃତସ୍ପନ୍ଦନ ବଢ଼ାଇଦେବ। ବିଜେପି ମଧ୍ୟ ଜଗି ବସିଛି। ତୃତୀୟ ଶକ୍ତି ଭାବରେ କିଛି କରିସ୍ମା କରିବାକୁ ସଠିକ୍ ନେତୃତ୍ୱ ସଠିକ୍ ସମୟରେ ଯଦି ମିଳିଯାଏ ବ୍ରହ୍ମପୁର ସଂସଦୀୟ ଆସନ ନିଶ୍ଚୟ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାର ସ୍ୱର ଶାଣିତ ହେବ। ଶାସକ ଦଳର ସ୍ଥିତି ମଧ୍ୟ ଟଳମଳ। ଗଂଜାମ ଜିଲ୍ଲାରେ କୌଣସି ବିଧାନସଭାର ଜନ ପ୍ରତିନିଧିଙ୍କ ପାଇଁ ୨୦୧୯ ନିର୍ବାଚନ ସୁରକ୍ଷିତ ମଧ୍ୟ ନୁହେଁ। ଗୋଟିଗୋଟି କରି ବିଧାନସଭା କ୍ଷେତ୍ରରେ ଆଜି ବି ଚିଟଫଣ୍ଡ ତାତି ବଳବତ୍ତର ରହିଛି। ଚିଟଫଣ୍ଡ କେଳେଙ୍କାରୀରେ ଶାସକ ଦଳ ନେତାମାନଙ୍କ ମଧ୍ୟରୁ ଅନେକଙ୍କୁ ନାଲିଗାର ପକାଇଦେଇ ତୃତୀୟ ମହଲା ଏକ ଭିନ୍ନ ଧରଣର ଖେଳ ଖେଳିବ। ଏହା ନିଶ୍ଚୟ ବିରୋଧୀ କଂଗ୍ରେସ ତ ଭାରତୀୟ ଜନତା ପାର୍ଟି ପାଇଁ ଏକ ଇସ୍ୟୁ ହେବ। ବିଜେପିର ନେତାମାନେ ନିଶ୍ଚୟ ଶେଷରେ ଚିଟଫଣ୍ଡ ଇସ୍ୟୁକୁ ଘରେ ଘରେ ପହଞ୍ଚାଇବେ ଏବଂ ସିବିଆଇର ଷଣ୍ଢୁଆସି ଆକ୍ରମଣ ହୁଏତ ନିର୍ବାଚନ ପୂର୍ବରୁ ଆଉ ଟିକିଏ ଅଧିକ ବିଜେପି ଉପରେ ହେବ। ବିଜେପିର ଜିଲ୍ଲା ସଭାପତିଙ୍କୁ ନେଇ ବହୁ ବିରୋଧୀ ସ୍ୱର ରହିଥିଲେ ସୁଦ୍ଧା ରାଜ୍ୟର ବିଚାର ଲଦିଦେଇ ବିଜେପି ନିଜକୁ ସୁରକ୍ଷିତ ସ୍ଥିତିକୁ ନେଲାବେଳକୁ ନିର୍ବାଚନ ପହଞ୍ଚି ସାରିଥିବା ସଠିକ୍ ଭାବରେ କୌଣସି ନେତାଙ୍କୁ ଚୟନ କରିବାରେ ବିଜେପି ଆଜି ଅସମର୍ଥ। ଏଣୁ ବିଧାନସଭା କ୍ଷେତ୍ରରେ ବିଜେପିର ପ୍ରାର୍ଥୀ ଅସୁରକ୍ଷିତ କେବଳ ମଣିବେ ନାହିଁ ବରଂ ଆତ୍ମ ବିଶ୍ୱାସ ବଢ଼ାଇଦେବ। ଅନ୍ୟପକ୍ଷରେ ଭଂଜନଗର ବିକ୍ରମ ଆରୁଖ ଓ ଚିକିଟିର ଊଷା ଦେବୀଙ୍କୁ ଛାଡ଼ିଦେଲେ ବିଜେଡ଼ି ଜିଲ୍ଲାର ସମସ୍ତ ବିଧାନସଭାରେ ନୂଆ ପ୍ରତିଦ୍ୱନ୍ଦ୍ୱୀ ଠିଆ କରିବାର ସମ୍ଭାବନା ଅଧିକ। ଏଣୁ ବିଜେପି, ବିଜେଡ଼ି, କଂଗ୍ରେସ ନିଜ ନିଜର ନୂଆ ସେନା ସହ ୨୦୧୯ ନିର୍ବାଚନ ମତଦାନକୁ ଓହ୍ଲାଇବେ ତେବେ ଜନତା ଜନାର୍ଦ୍ଦନ ହିଁ ଅସଲ ନିର୍ଣ୍ଣୟ କରିବେ। ଦୁଇ ଦଶନ୍ଧିରୁ ଅଧିକ ହାତ କ୍ଷମତାରୁ ଦୂରରେ ବିଜୁ ଜନତା ଦଳ ନବୀନଙ୍କୁ ନେଇ ଗଂଜାମର ଶକ୍ତି ଗଠନର ଏକ ଅଭେଦ୍ୟ ଦୁର୍ଗ ଏବଂ ସମ୍ଭାବନାମୟ ଅଂଚଳରେ ବିଜେପିର ସ୍ଥିତି କିଛି ଆଶା ସଂଚରଣ କରିଥିଲେ ହେ ତ୍ରିଶକ୍ତିଙ୍କ ପାଇଁ ୨୦୧୯ ନିର୍ବାଚନ ଗଂଜାମ ଗଜପତି ବିଶେଷ କରି ଦକ୍ଷିଣ ଓଡ଼ିଶାକୁ ପ୍ରଭାବ ବିସ୍ତାର କରିବ। ବ୍ରହ୍ମପୁରରେ ରାଜନୈତିକ ସଚେତନତା ବର୍ଗଙ୍କ ପାଇଁ ନୂଆ ନେତୃତ୍ୱ ନୂଆ ଆଶା ନୂଆ ବିକାଶର ଅନୁଭବ ସମୟର ଦୋ ଛକିରେ। ନେତାଙ୍କଠାରୁ ଅଧିକ ଜନତା ଯଦି ରାଜନୀତିରେ ରାଜନୀତିର ଖେଳ ଖେଳି ବିଚାର କରିବେ ତେବେ ତିନୋଟି ଦଳର ସବୁ ଅଂକ ଭୁଲ ହୋଇ ଏକ ନୂଆ ଭୂଗୋଳ ଆଙ୍କିବ ଗଂଜାମ। ଏହା ସ୍ୱୀକାର କରିବା ନିଶ୍ଚୟ। ବିଜେପି ବିଜେଡ଼ି କଂଗ୍ରେସରେ ଆଜି ନୂଆ ଯୁବ ନେତୃତ୍ୱଙ୍କ ପାଇଁ ଅଜସ୍ର ସମ୍ଭାବନା ରହିଛି। ଦାଗୀ ଅପରାଧୀ ନେତାଙ୍କୁ କୌଣସି ଦଳ ଗୁରୁତ୍ୱ ଦେବେ ନାହିଁ। ଯଦି ନିର୍ମଳ ସମୁଜ୍ଜଳ ଚରିତ୍ରବାନ ଆଦର୍ଶ ନେତୃତ୍ୱଙ୍କ ହାତରେ ରାଜନୈତିକ ଚିତ୍ର ତିଆରି ହୁଏ ଅଂଚଳର ବିକାଶ ସହ ରାଜନୈତିକ ଲାଭ ମିଳିପାରିବ। ଆଗୁଆ ଅଂଚଳ ଗଂଜାମର ବିକାଶଧାରା ନିଶ୍ଚୟ ତ୍ୱରାନ୍ୱିତ ହେବା ସହ ପୁଣିଥରେ ଗଂଜାମ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ଆସନ ଦଖଲ କରିବ।

Share :