ସରଳ କୁମାର ଦାସ ପ୍ରଧାନମନ୍ତ୍ରୀ ମୋଦି ନଭେମ୍ୱର ୮, ୨୦୧୬ ରାତି ୮ଟାରେ ଟେଲିଭିଜନରେ ଆବିର୍ଭାବ ହୋଇ ଯେତେବେଳେ ତାଙ୍କର ବିମୁଦ୍ରାକରଣ ନିଷ୍ପତି ସମ୍ପର୍କରେ ଘୋଷଣା କଲେ, ଦେଶବାସୀ ସ୍ତବ୍ଧ ହୋଇଗଲେ। ଘୋଷଣା ଅନୁଯାୟୀ ଏହି ନିଷ୍ପତି ପଛରେ ଥିବା ତିନୋଟି କାରଣ, କଳାଧନକୁ ଲୋପ କରି ଦୁର୍ନୀତି ନିବାରଣ କରିବା, ଜାଲ ନୋଟର ପ୍ରଚଳନକୁୁ ବନ୍ଦ କରିବା ଓ ଆତଙ୍କବାଦୀଙ୍କୁ ମିଳୁଥିବା ପାଣ୍ଠି ଉପରେ ଅଙ୍କୁଶ ଲଗାଇ ଆତଙ୍କବାଦୀ ଗତିବିଧିକୁ ନିୟନ୍ତ୍ରଣ କରିବା। କିଛି ଦିନ ପରେ କୁହାଗଲା, ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଅର୍ଥବ୍ୟବସ୍ଥାରେ ପ୍ରଚଳିତ ଟଙ୍କାର ପରିମାଣକୁ ହ୍ରାସ କରି ଡିଜିଟାଇଜେସନ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା। ଏ ସବୁ ଭିତରେ ଆଟୋର୍ନି ଜେନେରାଲ ସୁପ୍ରିମକୋର୍ଟରେ ଜଣାଇଥିଲେ ଯେ ଅଚଳ ହୋଇଥିବା ୧୫.୪୪ ଲକ୍ଷ କୋଟି ଟଙ୍କା ଭିତରୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର କଳାଧନ ଆଉ ଅର୍ଥବ୍ୟବସ୍ଥାକୁ ଫେରିବ ନାହିଁ ବୋଲି ସରକାରଙ୍କ ବିଶ୍ୱାସ। ଭାରତୀୟ ରିଜର୍ଭ ବ୍ୟାଙ୍କର ୨୦୧୭-୧୮ ବାର୍ଷିକ ରିପୋର୍ଟରେ ୧୫.୩୧ ଲକ୍ଷ କୋଟି ଟଙ୍କା ଅର୍ଥାତ, ଶତକଡା ୯୯.୩ ଭାଗ, ବ୍ୟାଙ୍କରେ ଜମା ହୋଇଥିବା ପ୍ରକାଶ ପାଇବା ପରେ ବିମୁଦ୍ରାକରଣର ଉଦ୍ଦେଶ୍ୟ ଯେ ପୂରଣ ହୋଇନାହିଁ ତାହା ସ୍ପଷ୍ଟ ହୋଇଛି। ଅର୍ଥବ୍ୟବସ୍ଥାକୁ ପ୍ରାୟ ସବୁ ଟଙ୍କା ଫେରି ଆସିଲା ପରେ, ୩ ଲକ୍ଷ କୋଟି ଟଙ୍କାର କଳାଧନ ଫେରିବ ନାହିଁ ଓ ସେହି ପରିମାଣର ଅର୍ଥ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ପ୍ରଦାନ କଲେ ତାହା ଦେଶରେ ଆଧାରଭୁତ ନିର୍ମାଣରେ ବ୍ୟବହାର ହେବା ଭଳି କଳ୍ପନା ଧୂଳିସାତ ହୋଇଛି। ଏବେ କୁହାଯାଉଛି ଯେ ଜମା ହୋଇଥିବା ସବୁ ଟଙ୍କା ଧଳା ନୁହେଁ ଓ ଏଥିପାଇଁ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟକୁ ନୋଟିସ ପଠାହୋଇଛି। କିନ୍ତୁ ବାସ୍ତବତା ହେଉଛି ଏତେ ସଂଖ୍ୟକ ଲୋକଙ୍କ ଅନୁସନ୍ଧାନ କରିବା ପାଇଁ ଆୟକର ବିଭାଗ ନିକଟରେ ଆବଶ୍ୟକ ଲୋକବଳ ନଥିବାରୁ ଏ ପ୍ରକ୍ରିୟା ଯେ କେତେ ବର୍ଷ ଲାଗିବ ତାହା କହି ହେବ ନାହିଁ। ଦେଶରେ ଥିବା କଳାଧନର ନଗଣ୍ୟ ଭାଗ ନଗଦ ଆକାରରେ ଥିବା ବେଳେ ସିଂହଭାଗ ସୁନାଗହଣା, ଜମି, ଘର ଓ ବେନାମୀ ସମ୍ପତି ଆକାରରେ ଥାଏ। ସେତେବେଳେ ଚର୍ଚ୍ଚା ହେଉଥିଲା, ନଗଦ ପରେ ଏ ସବୁ ଉପରେ ମଧ୍ୟ କାର୍ଯ୍ୟାନୁ।ନ ହେବ, ଯାହା ସରକାର ଭୁଲିଗଲା ପରି ଜଣାପଡୁଛି। ବରଂ ପୂର୍ବେ ଯେମିତି ଦୁର୍ନୀତି ହେଉଥିଲା ଏବେ ତାହା ଜାରି ରହିଛି ଓ ଦୁର୍ନୀତି ଉପରେ କୌଣସି ଅଙ୍କୁଶ ଲାଗିଥିବା ପରି ଜନସାଧାରଣ ଅନ୍ତତଃ ହୃଦୟଙ୍ଗମ କରିପାରୁନାହାନ୍ତି। ଏଥିରୁ ସ୍ପଷ୍ଟ ଯେ ବିମୁଦ୍ରାକରଣ ମାଧ୍ୟମରେ କଳାଧନ ଲୋପ କରି ଦୁର୍ନୀତି ନିବାରଣର ଘୋଷିତ ଲକ୍ଷ୍ୟକୁ ହାସଲ କରିବାରେ ସରକାର ଅସମର୍ଥ ହୋଇଛନ୍ତି। ବିମୁଦ୍ରାକରଣର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାରି ହେଉଥିବା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟରେ ସୁରକ୍ଷା ବିଶେଷତା (ସିକ୍ୟୁରିଟି ଫିଚର୍ସ)କୁ ବଢାଇ ଜାଲ ନୋଟ ସମସ୍ୟାକୁ ସମାପ୍ତ କରିବା। ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ୨୦୧୬-୧୭ରେ ୧୯୯ଟି ୫୦୦ଟଙ୍କିଆ ଜାଲ ନୋଟ ଧରା ପଡିଥିବା ବେଳେ ୨୦୧୭-୧୮ରେ ତାହା ୯୮୯୨ରେ ପହଂଚିଛି। ସେହିପରି ପୂର୍ବ ବର୍ଷ ୬୩୮ଟି ଦୁଇ ହଜାର ଟଙ୍କିଆ ଜାଲ ନୋଟ ଧରା ପଡିଥିବା ବେଳେ ୨୦୧୭-୧୮ରେ ସେହି ସଂଖ୍ୟା ବୃଦ୍ଧି ପାଇ ୧୭୯୨୯ରେ ପହଂଚିଛି। ଏଥିରୁ ଆହୁରି କେତେ ଅଧିକ ପରିମାଣର ଜାଲ ନୋଟ ପ୍ରଚଳନରେ ଥିବ, ତାହା ଅନୁମେୟ। ତେଣୁ ଏ କ୍ଷେତ୍ରରେ ମଧ୍ୟ ଘୋଷିତ ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ। ହୁଏତ ବିମୁଦ୍ରାକରଣର ପ୍ରାରମ୍ଭିକ ଦିନମାନଙ୍କରେ ଆତଙ୍କବାଦୀ ଓ ନକ୍ସଲବାଦୀଙ୍କ ପାଣ୍ଠି ସଂଗ୍ରହ ପ୍ରଭାବିତ ହୋଇଥିବ। ଏହାର ଶ୍ରେୟ ନେବାକୁ ଯାଇ ସରକାରୀ ଦଳର ମୁଖପାତ୍ରମାନେ କାଶ୍ମୀରରେ କିପରି ପଥର ଫିଙ୍ଗା ଘଟଣା ହ୍ରାସ ପାଇଛି ତାହା କହିବାକୁ ପଛାଉ ନଥିଲେ। କିନ୍ତୁ ପରବର୍ତୀ ସମୟରେ ସେଠାରେ ପଥରଫିଙ୍ଗା ଘଟଣା ଏତେ ବଢିଲା ଯେ ସରକାର ତାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ହେଉଥିବା ଦର୍ଶାଇ ଶେଷରେ ଭାଜପାକୁ ସରକାରରୁ ଓହରିବାକୁ ପଡିଲା। ଅର୍ଥାତ୍, ଆତଙ୍କବାଦୀଙ୍କ ପାଣ୍ଠି ସଂଗ୍ରହ ଉପରେ ଅଙ୍କୁଶ ଲାଗିନାହିଁ। ସେହିପରି ନକ୍ସଲବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହରେ ଅସୁବିଧା ହେଉଥିବାର କୌଣସି ତଥ୍ୟଭିତିକ ପ୍ରମାଣ ସର୍ବସାଧାରଣରେ ଉପଲବ୍ଧ ନୁହେଁ। ଏଥିରୁ ବିମୁଦ୍ରାକରଣର ଏହି ଲକ୍ଷ୍ୟଟି ଯେ ପୂରଣ ହୋଇନାହିଁ ତାହା ସୁସ୍ପଷ୍ଟ। ବିମୁଦ୍ରାକରଣ ସମୟରେ ଦେଶରେ ୧୭.୯୭ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା, ଯାହା ସେତେବେଳର ଜିଡିପିର ଶତକଡା ୧୨ ଭାଗ। ବିମୁଦ୍ରାକରଣ ପରେ ପରେ ଟଙ୍କା ପ୍ରଚଳନ ଜିଡିପିର ଶତକଡା ୮.୮ ଭାଗ ପର୍ଯ୍ୟନ୍ତ ଖସି ଆସିଥିଲା। ମାତ୍ର ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁୟାୟୀ ତାହା ପୁଣି ଦ୍ରୁତ ଗତିରେ ବଢି ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ୧୮.୨୯ ଲକ୍ଷ ଟଙ୍କାରେ ପହଂଚିଛି, ଯାହା ଜିଡିପିର ଶତକଡା ୧୦.୯ ଭାଗ ଓ ଅଚିରେ ତାହା ପୂର୍ବର ଶତକଡା ୧୨ ଭାଗ ଛୁଇଁବା କିଛି ବିଚିତ୍ର ନୁହେଁ। ଅର୍ଥାତ, ଦେଶ ପୁଣି ଥରେ ନଗଦମୁହାଁ ହୋଇ ମୋଦିଙ୍କ ଇପସିତ ‘କମ-ନଗଦ ସମାଜ’ (ଲେସ-କ୍ୟାସ ସୋସାଇଟି)ର ପରିକଳ୍ପନାକୁ ଧକ୍କା ପହଂଚାଇଛି। ଅବଶ୍ୟ ନଗଦ ଟଙ୍କା ପ୍ରଚଳନର ପରିମାଣ ବଢିବା ଆର୍ଥିକ ଗତିବିଧି ବଢିବାର ଏକ ଲକ୍ଷଣ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବିମୁଦ୍ରାକରଣ ନିଷ୍ପତି ଘୋଷଣା ପରେ ନଗଦର ଅଭାବ ଯୋଗୁ ଡିଜିଟାଇଜେସନ ପ୍ରକ୍ରିୟାରେ ବୃଦ୍ଧି ଘଟିଥିଲା। ଡିସେମ୍ୱର ୨୦୧୬ରେ ଏହା ସର୍ବାଧିକ ସ୍ତରରେ ପହଂଚିବା ପରେ ପୁନଶ୍ଚ ଏହା ପ୍ରାକ୍-ବିମୁଦ୍ରାକରଣ ସ୍ତରକୁ ଖସି ଆସିଥିଲା। ଏଇ କେଇ ମାସ ହେବ ତାହା ପୁଣି ବଢିବା ଆରମ୍ଭ କରିଛି। ଏଥିରୁ ଡିଜିଟାଇଜେସନ ପ୍ରକ୍ରିୟା ଯେ ଏ ଯାଏଁ ଜନସାଧାରଣଙ୍କ ଆଦୃତି ଲାଭ କରି ପାରିନାହିଁ, ତାହା ପ୍ରମାଣିତ। ଅର୍ଥମନ୍ତ୍ରୀ ଜେଟଲି ବିମୁଦ୍ରାକରଣ ସଫଳ ହୋଇଛି ବୋଲି କହି ଦର୍ଶାଇଛନ୍ତି ଯେ ଘରେ ପଡ଼ି ରହିଥିବା ଟଙ୍କା ବ୍ୟାଙ୍କରେ ଜମା ହେବା ଦ୍ୱାରା ତାହା ଔପଚାରିକ ଅର୍ଥବ୍ୟବସ୍ଥାର ଅଂଶବିଶେଷ ହୋଇପାରିଛି. ଯାହା ଦେଶର ଅର୍ଥନୀତି ପାଇଁ ଲାଭଜନକ। ଟଙ୍କା ଜମା କରିଥିବା ଲୋକଙ୍କ ମଧ୍ୟରୁ ୧୮ ଲକ୍ଷ ଲୋକଙ୍କୁ ଆୟକର ନୋଟିସ ଯିବା, ଅଧିକ ଆୟକର ଆଦାୟ ହେବା ଓ ଅଧିକ ରିଟର୍ନ ଦାଖଲ ହେବାକୁ ସେ ବିମୁଦ୍ରାକରଣର ସଫଳତାର ମାପକାଠି ଭାବେ ଦର୍ଶାଇବାକୁ ଭୁଲିନାହାନ୍ତି। ତେବେ ପ୍ରଶ୍ନ ହେଉଛି, ଏଗୁଡିକୁ ହାସଲ କରିବା ପାଇଁ କଣ ବିମୁଦ୍ରାକରଣ ନିଷ୍ପତି ଘୋଷଣା ହୋଇଥିଲା ? ଯଦି ହଁ, ତେବେ ବିମୁଦ୍ରାକରଣ ନ କରି ବି ତ ଏହା ହାସଲ କରାଯାଇ ପାରିଥାନ୍ତା। ଯେନତେନ ପ୍ରକାରେଣ ବିମୁଦ୍ରାକରଣକୁ ସଫଳ ବୋଲି ଦର୍ଶାଇବା ପାଇଁ ଗୋଲ ପୋଷ୍ଟ ବଦଳାଇଲା ଭଳି ଉଦ୍ଦେଶ୍ୟ ପରିବର୍ତନ କରିବାର ଉଦ୍ୟମକୁ ଲୋକେ ସରକାରଙ୍କ ଅସହାୟତା ବୋଲି ଭଲ କରି ବୁଝି ପାରୁଛନ୍ତି। କେନ୍ଦ୍ର ସରକାର ବିମୁଦ୍ରାକରଣର ବିଫଳତା କଥା ମାନିବାକୁ ପ୍ରସ୍ତୁତ ନୁହନ୍ତି, ତେବେ ଏହାର ସଫଳତାର କାହାଣୀ ବଖାଣିବାକୁ ତପିରତା ନ ଦେଖାଇବା ହିଁ ପରୋକ୍ଷରେ ଏହାର ବିଫଳତାକୁ ସ୍ୱୀକାର କରିବା। ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ଉଦ୍ୟୋଗ ବନ୍ଦ ବା ପ୍ରଭାବିତ ହୋଇଛି। ଦେଶର ଜିଡିପି ପ୍ରାୟ ଶତକଡା ଦେଢ ଭାଗ କମି ୨ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହୋଇ ଦେଶର ପ୍ରଗତି ବାଧାପ୍ରାପ୍ତ ହୋଇଛି। ବିମୁଦ୍ରାକରଣ ନିଷ୍ପତିର ଅର୍ଥନୈତିକ ଦିଗଟିକୁ ବାଦ ଦେଇ ଏହାର ମାନବିକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେଲେ ଜଣାପଡିବ ଯେ ଏଥିପାଇଁ ଶହେରୁ ଅଧିକ ଲୋକଙ୍କ ଜୀବନହାନି ହୋଇଛି। ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ଦେଢ କୋଟିରୁ ଊର୍ଦ୍ଧ୍ୱ ଲୋକ କାମ ହରାଇବା, ଚାଷୀମାନେ ସେମାନଙ୍କର ଉପିାଦିତ କୃଷିଜାତ ଦ୍ରବ୍ୟକୁ ବିକ୍ରି କରି ନପାରି ଚାପର ବଶବର୍ତ୍ତୀ ହେବା, ଅନେକେ ଚିକିତ୍ସା ସୁବିଧା ପାଇବାରୁ ବଂଚିତ ହେବା, ଅନେକ ଝିଅଙ୍କ ବାହାଘର ହୋଇ ନପାରିବା ଭଳି ଘଟଣାମାନ ଘଟି ଲୋକେ ବହୁ କଷ୍ଟ ଓ ଯନ୍ତ୍ରଣାର ଶିକାର ହୋଇଛନ୍ତି। ଏ ସବୁ ସତ୍ୱେ କୌଣସି ପ୍ରଶ୍ନ ନ ପଚାରି ଦେଶବାସୀ ଲମ୍ୱା ଧାଡିରେ ଠିଆ ହେବାକୁ କୁଣ୍ଠାବୋଧ କରିନାହାନ୍ତି, କେବଳ ଗୋଟିଏ କାରଣ ପାଇଁ, ‘ମୋଦି କହିଛନ୍ତି କଳାଧନ ଫେରିବ, ଦୁର୍ନୀତିଖୋର ଲୋକେ ପାନେ ପାଇବେ’। କେତେ କଳାଧନ ଫେରିଲା ତାର ହିସାବ ତ କାହା ପାଖରେ ନାହିଁି, ବରଂ କଳାଧନ ପ୍ରସଙ୍ଗକୁ ପାଶୋରିଦେବା ଲୋକଙ୍କ ବିଶ୍ୱାସ ସହ ଏକ କ୍ରୁର ଉପହାସ ନୁହେଁ କି ? ମାତ୍ର ୧୦୭୨୦ କୋଟି ଟଙ୍କା (ଏଥିରୁ କିଛି ଟଙ୍କା ଏବେ ବି ଭୁଟାନ ଓ ନେପାଳରେ ଅଛି) ନ ଫେରିବା ଓ ନୂଆ ନୋଟ ଛପାଇବା ବାବଦକୁ ୭୯୬୫ କୋଟି ଟଙ୍କା ଖର୍ଚ୍ଚ ହେବା ଘଟଣା ଓଡିଆରେ ବହୁ ପ୍ରଚଳିତ ଢଗ ‘ବାପ ପୁଅ ରାତି ଅନିଦ୍ରା, ମୁଗୁରା ... ’ର ସ୍ନରଣ କରାଉଛି। ବିମୁଦ୍ରାକରଣର ପ୍ରାରମ୍ଭିକ ଦିନରେ ଦେଶବାସୀଙ୍କୁ ମୋଦି ଆଶ୍ୱାସନା ଦେଇ କହିଥିଲେ ଯେ ପଚାଶ ଦିନ ଭିତରେ ଯଦି ଲକ୍ଷ୍ୟ ପୂରଣ ନହେଲା ତେବେ ତାଙ୍କୁ ଯେ କୌଣସି ଛକରେ ଝୁଲାଇ ଦିଆଯିବା ପାଇଁ ସେ ପ୍ରସ୍ତୁତ। ଦେଶବାସୀଙ୍କ ସହିତ ହୋଇଥିବା କ୍ରୁର ଉପହାସ ସତ୍ୱେ ତାଙ୍କୁ ଏ ଭଳି ଅମାନୁଷିକ ଦଣ୍ଡ ପ୍ରଦାନ କରିବାକୁ କେହି ଚାହିଁବେ ନାହିଁ। ତେବେ ଟେଲିଭିଜନରେ ପୁଣି ଥରେ ଆବିର୍ଭାବ ହୋଇ ସେ ଦେଶବାସୀଙ୍କୁ ତାଙ୍କ ବିମୁଦ୍ରାକରଣ ନିଷ୍ପତିର ବିଫଳତା ପାଇଁ ଅନୁତପ୍ତ ବୋଲି କହି ପାରିବେ କି? ନୂଆପଲ୍ଲୀ, ଭୁବନେଶ୍ୱର ଫୋ-୯୪୩୭୦୩୮୦୧୫