ମୂଳ ଲେଖା- ଖଲିଲ ଜିବ୍ରାନ, ଅନୁବାଦ- ରବିନାରାୟଣ ସେନାପତି ଜନପଥ ପାର୍ଶ୍ବରେ ବସିଥିଲା ଜଣେ ଦୀର୍ଘ କିନ୍ତୁ କ୍ଷୁଧା ଦୁର୍ବଳ ଯୁବକ। ପରାଜିତ ଜୀବନର କରୁଣ ସଙ୍ଗୀତର ମୂର୍ଛନା ଦୋହରାଇ, ପେଟରେ କ୍ଷୁଧାର ଜ୍ବଳା, ହୃଦୟରେ ଲାଞ୍ଛନାର ଯନ୍ତ୍ରଣାକୁ ସହିନେଇ, ଗଲା ଆଇଲା ସମସ୍ତଙ୍କୁ ହାତପତାଇ ମାଗୁଥିଲା। ରାତି ଆସିଲା ବେଳକୁ କଣ୍ଠ ହୋଇ ଯାଇଥିଲା ଅବଶ, ଜିହ୍ବା ଓ ଅଧର ଶୁଷ୍କ। ତଥାପି କପର୍ଦ୍ଦକ ଶୂନ୍ୟ ଥିଲା ଆଞ୍ଜୁଳା ଓ ଆହାର ଅଧୀର ଥିଲା ପାକସ୍ଥଳୀ। ଅବଶିଷ୍ଟ ଯତକିଞ୍ଚିତ୍ ଶକ୍ତି ସଂଗ୍ରହ କରି ସେ ନିଜକୁ ଆଗେଇ ନେଲା। ସହରର ସୀମାପାରିର ବୃକ୍ଷ ତଳେ ପହଞ୍ଚି ଆକୁଳରେ କ୍ରନ୍ଦନ କଲା। ଜଠରାଗ୍ନିର ଜ୍ବାଳାକୁ ଭୃକ୍ଷେପ ନକରି ପ୍ରଶ୍ନିଳ ନୟନରେ ନଭଲୋକକୁ ଚାହିଁ କହିଲା, ‘ହେ ଭଗବାନ, ମୁଁ ଧନୀକ ପାଖକୁ ଗଲି, କର୍ମନିଯୁକ୍ତି ଗୁହାରୀ କଲି, କିନ୍ତୁ ସେ ତଡ଼ିଦେଲେ ବେଶଭୁଷାରେ ମୋ ଅନାଗ୍ରହକୁ ନାପସନ୍ଦ କରି; ଶିକ୍ଷାୟତନକୁ ଗଲି, ନିରାଶରେ ବାହୁଡ଼ାଇ ଦେଲେ, ନଥିଲା ଅର୍ଥ ମୋ ହସ୍ତରେ; ବହୁ ଚେଷ୍ଟା କରି ନିଜ ରୁଟି ରୋଜଗାର କରିବାର ପନ୍ଥା ମିଳିଲାନି। ହତାଶା ଜର୍ଜରିତ ହୋଇ ପୂଜାଗୃହ ସନ୍ନିକଟେ ଭିକ୍ଷା ମୁଁ ମାଗିଲି, କିନ୍ତୁ ଭକ୍ତଜନେ ତିରସ୍କାର କଲେ, ଦେଖ ଏକ ଶକ୍ତିଶାଳୀ ଅଳସୁଆ ଯୁବକ ଭିକ୍ଷା କରେ ହାୟ!’ ‘ମୁଁ କହିଲି, ହେ ଭଗବାନ ତୁମ୍ଭ ଇଚ୍ଛାରେ ମାତୃଗର୍ଭ ପ୍ରାପ୍ତ ହୋଇ ଧରା ଅବତରଣ କଲି, କିନ୍ତୁ ଏ ବସୁଧା ମାତା କୋଳରେ ନାହିଁ ମୋର ସ୍ଥାନ, ଲେଉଟିବାକୁ ହେବ ଅସମୟେ ତୁମ୍ଭ ପାଶେ।’ ମୂହୁର୍ତ୍ତକେ ବଦଳିଗଲା ଆପଣାର ଅଭିବ୍ୟକ୍ତି, ଜାଗ୍ରତ ହେଲା ଆତ୍ମପ୍ରତ୍ୟୟର ସ୍ଫୁରଣ ଚକ୍ଷୁରେ ତାହାର। ଓଟାରି ଭାଙ୍ଗି ଆଣିଲା, ସେ ବୃକ୍ଷରୁ ଶକ୍ତ ଏକ ଡାଳ। ତହୁଁ ପ୍ରସ୍ତୁତ ଦଣ୍ଡକୁ ସହର ଦିଗକୁ ଉତ୍ଥାନ କରି ଗର୍ଜନ କରି ଉଠିଲା, ‘କଣ୍ଠ ଫଟାଇ ରୋଟିଟିଏ ମାଗିଲି, ମିଳିଲା ନାହିଁ। ତାହେଲେ କାହିଁକି ବାହୁବଳେ ସଂଗ୍ରହ ନକରିବି ମୁହିଁ! ଅଳି କଲି ମୁଁ ଦୟା ଓ ପ୍ରେମର ଆହାର ଏଥର, ମାନବବାଦ ମୋ ଗୁହାରିକୁ କର୍ଣ୍ଣପାତ ବି କଲା ନାହିଁ। ଭଲରେ ଭଲରେ ଯାହା ହେଲା ନାହିଁ ତାହାକୁ ମୁଁ ମନ୍ଦରେ କରି ଦେଖାଇବି!’ ସମୟ ଗଡି ଚାଲିଲା ସେ ଯୁବକ ମଧ୍ୟରୁ ଜାତ ହେଲା ଜଘନ୍ୟ ଦସ୍ୟୁ, କରାଳ ନରହନ୍ତା ବିନିଷ୍ଟକାରୀ ଆତତାୟୀ; ଲୁଣ୍ଠିତ ଅକଳନ୍ତି ଧନ ବଳେ ସେ, କ୍ଷମତାଶାଳୀମାନଙ୍କୁ କରାୟତ୍ତ କଲା। ଅନୁଗାମୀମାନେ ତାକୁ ଆଦର୍ଶ ମାନିଲେ ଓ ଅନ୍ୟ ଦସ୍ୟୁମାନେ ଈର୍ଷାରେ ଜଳିଲେ, ବିବିଧ ଜନ ସମୂହ ଭୟରେ ହେଲେ ଥରହର। ଏମିତି କି ସ୍ବୟଂ ରାଜା, ତା ସହରେ ତାହାକୁ ରାଜ ପ୍ରତିନିଧି ଭାବେ ଶାସନ କ୍ଷମତା ଦେଲେ- ସ୍ଥାନୀୟ ରାଜ୍ୟପାଳ ଅଜ୍ଞାନ ବିଚାରରେ ରାଜ ଆଜ୍ଞାକୁ ବିନା ପ୍ରତିବାଦେ କାର୍ଯ୍ୟଧାରା ବିଦ୍ଧିଭୁକ୍ତ କରିନେଲେ। ଚୌର୍ଯ୍ୟବୃତ୍ତି ମାନ୍ୟତା ପାଇଲା; କର୍ତ୍ତୃପକ୍ଷଙ୍କ ସମର୍ଥନରେ ସାଧାରଣ ନର୍ଯାତିତ ହେଲେ; ଦୁର୍ବଳର ସ୍ବର ଓ ସାମାନ୍ୟ ସାମର୍ଥ୍ୟକୁ ପଦଦଳନ କରିବା ଏକ ସାଧାରଣ ଘଟଣାରେ ପରିଣତ ହେଲା; ସଂଘବଦ୍ଧ ଆକ୍ରମଣକୁ ପ୍ରଶ୍ରୟ ଦିଆଗଲା ଓ ପ୍ରଶଂସା ମିଳିଲା। ଏମିତି ମାନବିକତାରେ ସ୍ବାର୍ଥପରତାର ସ୍ପର୍ଶରୁ ସଂଜାତ ହୁଅନ୍ତି ନୀରିହରୁ ଅପରାଧୀ, ଶାନ୍ତିର ଶାନ୍ତ ପୁତ୍ର ହୁଏ ହତ୍ୟାକାରୀ; ଏମିତି ଆଦ୍ୟ ବିଶୁଦ୍ଧ ମାନବବାଦରେ ଲୋଭର ଉଦ୍ରେକ ହୁଅନ୍ତେ ଉକ୍ତ ଲୋଭର କରାଳ ସ୍ବରୂପ ଶତଶହସ୍ର ଗୁଣରେ ବଳୀଆନ ହୋଇ ମାନବତାକୁ ସଂଘାତ କରିଥାଏ!