ଜମିରେ ପାଣି ମଡ଼େଇବ ଇଣ୍ଟର୍ନେଟ!

ଜମିରେ ପାଣି ମଡ଼େଇବ ଇଣ୍ଟର୍ନେଟ!

Share :

ନବୀନ ପଟ୍ଟନାୟକଙ୍କ ବୈପ୍ଳବିକ ଚିନ୍ତାଧାରା!   କଂଗ୍ରେସର ଗାନ୍ଧୀ ପରିବାର ସହିତ ଘନିଷ୍ଟ ଭାବେ ଜଡ଼ିତ ସାମ ପିତ୍ରୋଡ଼ାଙ୍କ ଥଇଥାନ ପାଇଁ ସୋନିଆ ଗାନ୍ଧୀଙ୍କ ଅନ୍ୟତମ ଘନିଷ୍ଟ ବନ୍ଧୁ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଚକ୍ମା ଦେଖାଇବାକୁ ଯେଉଁ ପ୍ରଯୁକ୍ତି ମିଶନ ଆରମ୍ଭ କରିଛନ୍ତି ସେଇ ବାଟେ ଓଡ଼ିଆଙ୍କର ଆଉ କେଇ ହଜାର କୋଟି ଟଙ୍କା ପାଣିରେ ପଡ଼ିବାକୁ ଯାଉଛି | ଟୋକାଟୋକି ଇଣ୍ଟର୍ନେଟ ପାଇଁ ବାଇଆ ହୁଅନ୍ତୁ, ଚାଷଜମିକୁ ପାଣି ନମାଡ଼ିଲେ ଯାଏ କେତେ ଆସେ କେତେ ? ମାଗଣା ଚାଉଳ ମିଳୁଛି ନା | ନହେଲେ ୫ ଟଙ୍କିଆ ଆହାର କେନ୍ଦ୍ର ବି ଅଛି ! ଉପା ସରକାର ଗଲା ପରେ ବେକାର ହୋଇଯାଇଥିବା ସାମ ପିତ୍ରୋଡ଼ାଙ୍କୁ ଡାକି ଆଣି ଓଡ଼ିଶାରେ ଥଇଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତାଙ୍କୁ ଓଡ଼ିଶା ସରକାରଙ୍କ ପ୍ରଯୁକ୍ତି ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି | ଦିଆଯାଇଛି କ୍ୟାବିନେଟ ପାହ୍ୟା | ଅର୍ଥାତ ଓଡ଼ିଶାରେ ସେ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ତତ୍ତୁଲ୍ୟ ଦରମା ଓ ଭତ୍ତା ସହିତ ସୁବିଧା ମଧ୍ୟ ପାଇବେ | ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ଅମଲାମାନେ ତାଙ୍କୁ ମନ୍ତ୍ରୀଙ୍କ ଖାତିର ଦେବେ ଓ ଡିଜିଙ୍କ ସମେତ ଅନ୍ୟ ଉଚ୍ଚ ପଦସ୍ଥ ଆଇପିଏସ ଅଫିସରମାନେ ତାଙ୍କୁ ସାଲ୍ୟୁଟ ମାରିବେ | କାର୍ଯ୍ୟରେ ଯୋଗଦାନ କରିବା ପରେ ଗଲା ଜାନୁଆରୀ ୨୭ ତାରିଖରେ ସାମ ପିତ୍ରୋଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶା ପାଇଁ ସେ କ’ଣ କରିପାରିବେ ସେନେଇ ଆଲୋଚନା କରିଥିଲେ | ଓଡ଼ିଶାର କ’ଣ ଦରକାର ବା କ’ଣ କଲେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେନେଇ ଛୁଆବେଳୁ ଓଡ଼ିଶା ଦେଖିନଥିବା ଏଇ ଦୁଇ ଓଡ଼ିଶା ଜନ୍ମିତ ବିଦେଶୀ ଯେମିତି ସବୁ ଜାଣିଛନ୍ତି, ସେହିପରି କଥା ହେଲେ ଏବଂ ନିଷ୍ପତ୍ତି ହେଲା ଯେ ଓଡ଼ିଶାର ସବୁ ଗ୍ରାମ ପଂଚାୟତକୁ ଇଣ୍ଟର୍ନେଟ ସଂଯୋଗ ଦିଆଗଲେ ଦୀର୍ଘ ବର୍ଷର ଦାରିଦ୍ର୍ୟ ଓଡ଼ିଶା ଛାଡ଼ି ପଳାଇବାକୁ ବାଟ ପାଇବ ନାହିଁ ! ପଟ୍ଟନାୟକ ଓ ପିତ୍ରୋଡ଼ାଙ୍କ ଆଲୋଚନାର ଯେଉଁ ନିର୍ଷ୍କର୍ଷ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଜରିଆରେ ପଦାକୁ ଆସିଛି ସେଥିରୁ ବୁଝାପଡ଼ୁଛି ଯେ ପ୍ରତି ପଂଚାୟତକୁ ଇଣ୍ଟର୍ନେଟ ସଂଯୋଗ ଦିଆଗଲେ ତାହା କାଳେ କୃଷି, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସୁପର ହାଇଉଏ ଭାବେ କାର୍ଯ୍ୟ କରିବ | ମାନେ, ଇଣ୍ଟର୍ନେଟ ସଂଯୋଗ ଗୋଟେ ଜାତୀୟ ରାଜପଥ ଭାବେ କାର୍ଯ୍ୟ କରିବ ଓ ସେହି ରାଜପଥରେ ଚାଷଜମିକୁ ଜଳ, ସାର, ବିହନ, ଖତ, କୀଟନାଶକ ଆଦି ବୁହାହୋଇଯିବ | ଆଉ ସେହି ଇଣ୍ଟର୍ନେଟ ବାଟେ ବୋଧହୁଏ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟମାନେ ଯିବାଆସିବା କରିବେ, ସେଇ ବାଟରେ ମଧ୍ୟ ଯିବ ବୋଧହୁଏ ନିହାତି ଜରୁରୀ ଅସଲି ଔଷଧ | ଇଣ୍ଟର୍ନେଟ ବାଟରେ ସ୍କୁଲ ମାଷ୍ଟର, ବହିଖାତା, ବିଦ୍ୟୁତ, ମଧ୍ୟାହ୍ନ ଭୋଜନାଦି ପିଲାଙ୍କ ନିକଟରେ ସହଜରେ ପହଂଚିବ ! ସରକାର ନିଷ୍ପତ୍ତି ନେଇଛନ୍ତି, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପରିବେଶ, ପ୍ୟାକିଙ୍ଗ, ପର୍ଯ୍ୟଟନ, ନିଯୁକ୍ତି ଓ ଯୋଗାଯୋଗ କ୍ଷେତ୍ରରେ ଇଣ୍ଟର୍ନେଟ ସୁବିଧା ରାଜ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ | ଏହା ମୁଖ୍ୟମନ୍ତ୍ରୀଙ୍କ ମଗଜରୁ ୧୫ ବର୍ଷର ଶାସନ ପରେ ବାହାରିଥିବା ୨୦୩୬ ଓଡ଼ିଶା ଭିଜନର ଅନ୍ୟତମ ସୁପର ବୁଦ୍ଧି |! ପିତ୍ରୋଡ଼ାଙ୍କ ସହିତ କଥା ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ର ଏକ ଉତ୍ତମ ବ୍ୟବସ୍ଥା | ରାଜ୍ୟରେ ପୁଂଜିନିବେଶକୁ ତ୍ବରାନ୍ବିତ କରିବାକୁ ଏହି କ୍ଷେତ୍ରର ଗୁରୁତ୍ବ ରହିଛି | ଏହି ପ୍ରଯୁକ୍ତିର ଉପଯୋଗ କରିବାକୁ ପ୍ରତ୍ୟେକ ବିଭାଗ ବଜେଟର ୨ ପ୍ରତିଶତ ବ୍ୟୟ ବରାଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି | ପିତ୍ରୋଡ଼ା ମଧ୍ୟ ଆଉ ପାଦେ ଆଗକୁ ଯାଇଁ କହିଛନ୍ତି ଯେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସୂଚନା ପ୍ରଯୁକ୍ତିର ବହୁଳ ବ୍ୟବହାର କରାଯିବ | ସମସ୍ତ କ୍ଷେତ୍ରକୁ ଡିଜିଟାଲ ସଂଯୋଗ କରାଯିବ | ଓଡ଼ିଶାରେ ଏବେ ୬୨୩୪ ଗ୍ରାମ ପଂଚାୟତ ରହିଛି | ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ଓ ଘୋଷଣା ସତ୍ତ୍ବେ ସବୁ ପଂଚାୟତର ଚାଷଜମିକୁ ସବୁଦିନିଆ ଜଳସେଚନ ସୁବିଧା ଦିଆଯାଇ ପାରି ନାହିଁ | କେନାଲରେ ପାଣି ଆସୁନି | ଲିଫ୍ଟ ପଏଣ୍ଟ ବର୍ଷବର୍ଷ ଧରି ଅଚଳ | ସଚଳ ଥିଲେ ବି ବିଜୁଳି ନାହିଁ | ସେଥିପାଇଁ ରାଜ୍ୟର ଅଧା ଉପରେ ଜମି ବର୍ଷକ ୬-୮ ମାସ ପଡ଼ିଆ | ଜମି ପଡ଼ିଆ ପଡ଼ିବାରୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ କୃଷି ଉତ୍ପାଦନ ବୃଦ୍ଧି ପାଉ ନାହିଁ | ଏହି ହେତୁରୁ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆର୍ଥିକ ପ୍ରଗତି ହୋଇପାରୁନି | ସେହିପରି ଗ୍ରାମାଂଚଳରେ ଥିବା ଅଧିକାଂଶ ସ୍କୁଲର ଭିତ୍ତିଭୂମି ସଂପୂର୍ଣ୍ଣ ହୁଗୁଳା | କେଉଁଠି ପକ୍କା ଘର ନାହିଁ, ଘର ଥିଲେ ଛାତ ନାହିଁ, ଛାତ ଥିଲେ କାନ୍ଥ ନାହିଁ | ଅନେକ ସ୍କୁଲରେ ପାଇଖନା ନାହିଁ କି ନଳକୂପ ନାହିଁ | ଅଧିକାଂଶ ସ୍କୁଲରେ ମାଷ୍ଟର ମରୁଡ଼ି | ବହିଖାତା ସରକାରୀ ଅର୍ଥରେ ଛପା ହେଉଛି କିନ୍ତୁ ପିଲାଙ୍କୁ ମିଳୁନି | ପିଲାଙ୍କ ପଢ଼ିବା ପାଇଁ ଟେବ୍ଳ ଚୌକି କଥା ଛାଡ଼ନ୍ତୁ କଳାପଟା, ଚକଖଡ଼ି ବି ନାହିଁ | ମଧ୍ୟାହ୍ନ ଭୋଜନ ନେଇ ନିଇତି ଅଭିଯୋଗ | ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତର ନାହାନ୍ତି | କେଉଁଠି କେମିତି ଡାକ୍ତର ଥିଲେ ବି ପାଞ୍ଚ ଜାଗାରେ ଜଣେ | ନର୍ସ ଓ ଫାର୍ମାସିଷ୍ଟ ମଧ୍ୟ ଅଭାବ | ଦରକାରୀ ଔଷଧର ଘୋର ଅଭାବ | ଥିଲେ ବି ନକଲି | ରାଜ୍ୟର ଅଧିକାଂଶ ଗାଁରେ ଏଯାଏଁ ବିଶୁଦ୍ଧ ପାନୀୟ ଜଳର ସୁବିଧା ହୋଇପାରି ନାହିଁ | ସେଥିପାଇଁ କେତେକ ଗାଁର ଲୋକମାନେ ପ୍ରଦୂଷିତ ଜଳପାନ କରି ନାନାଦି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଉଛନ୍ତି | ଆଉ ସବୁ ଭିତ୍ତିଭୂମି ଓ ସେବା ବ୍ୟବସ୍ଥା ତଦ୍ରୁପ | ଏଭଳି ପରିସ୍ଥିତିରେ ପ୍ରତି ପଂଚାୟତକୁ ଜଳସେଚନ, ପାନୀୟ ଜଳ ଯୋଗାଣ, ସ୍କୁଲ ଓ ସ୍ବାଥ୍ୟ ଭିତ୍ତିଭୂମି ବିକାଶ ଆଦି ବାବଦରେ ସଚ୍ଚୋଟ ଭାବରେ ଅଧିକ ଖର୍ଚ୍ଚ ନକରି ଇଣ୍ଟର୍ନେଟ ସଂଯୋଗ ଉପରେ ଗୁରୁତ୍ବ ଦିଆଗଲେ କି ଫଳ ମିଳିବ? ଗାଁ ଗାଁରେ ସାଇବର କାଫେ ଖୋଲିବ? ଯେଉଁଠି ପିଲାରୁ ବୁଢ଼ା ପର୍ଯ୍ୟନ୍ତ ପର୍ଣ୍ଣୋଗ୍ରାଫି ଦେଖିବେ? ଅଜଣା ଲୋକ ସହିତ ଫେସବୁକ ବନ୍ଧୁ ହୋଇ ଅଦରକାରୀ ଚ୍ୟାଟରେ ଘଣ୍ଟାଘଣ୍ଟା ବିତାଇବେ? ତା’ଛଡ଼ା ଇଣ୍ଟର୍ନେଟ ସୁବିଧା ବ୍ୟବହାର କରିବାକୁ କେଉଁ ଗାଁରେ କେତ ଘଣ୍ଟା ବିଦ୍ୟୁତ ଉପଲବ୍ଧ? ମୋବାଇଲରେ ନେଟ୍ ପ୍ୟାକ୍ ପକାଇ ସହଜରେ ଇଣ୍ଟର୍ନେଟ ସୁବିଧା ପାଉଥିବା ଲୋକଙ୍କ ପାଇଁ ସରକାର କାହିଁକି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଂଚଳନକୁ ଫାଇବର ଅପ୍ଟିକାଲ ସଂଯୁକ୍ତ କରିବେ? କିଛି ଠିକାଦାରଙ୍କୁ ପୋଷିବା ଓ ସେମାନଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଉଠାଇବାକୁ?

Share :