ଜୟଙ୍କ ଦଶା ଭୋଗିବେ କି ଦାମୋଦର?

ଜୟଙ୍କ ଦଶା ଭୋଗିବେ କି ଦାମୋଦର?

Share :

ଦେବେନ୍ଦ୍ର ପୃଷ୍ଟି ରାଜ୍ୟ ସରକାରରେ ଦୁର୍ନୀତି ଓ ଗଡ଼ଫାଦର କଥା ଉଠାଇବା ପରେ କ’ଣ ହେବ ପୂର୍ବତନ ମନ୍ତ୍ରୀ ତଥା ଏକଦା ବିଜୁ ଜନତା ଦଳର ତୁଣ୍ଡ ଭାବେ ପରିଚିତ ଥିବା ଡାକ୍ତର ଦାମୋଦର ରାଉତଙ୍କ ଅବସ୍ଥା? ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସଦସ୍ୟ ଡାକ୍ତର ରାଉତଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେବେ ନା ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ବହିଷ୍କାର କଲା ପରି ତାଙ୍କୁ ମଧ୍ୟ ବହିଷ୍କାର କରିବେ ସେନେଇ ବିଜେଡି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦାମଙ୍କୁ ବହିଷ୍କାର କଲେ ଦଳ ଉପରେ ତାହାର କି ପ୍ରଭାବ ପଡ଼ିବ ସେନେଇ ଏବେ ସୁପ୍ରିମୋ ଅଙ୍କ କଷୁଥିବା କେତେକ ନେତା କହିଛନ୍ତି । ୨୦୧୭ ଡିସେମ୍ବର ୨୨ ତାରିଖରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିଲେ ଡାକ୍ତର ଦାମୋଦର ରାଉତ । ମାଲକାନଗିରିର ଏକ ସଭାରେ ଡାକ୍ତର ରାଉତ ‘ବ୍ରାହ୍ମଣମାନେ ଭିକ ମାଗନ୍ତି’ ବୋଲି ମନ୍ତବ୍ୟ ଦେଇ ବିବାଦୀୟ ହେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କାର କରିଥିଲେ । ଏହାର ଦିନକ ପରେ ତାଙ୍କୁ ଦଳର ଉପସଭାପତି ଓ ଢେଙ୍କାନାଳ ବିଜେଡି ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା । ସେତେବେଳେ ସେ ଚୁପ୍ ଥିଲେ । ଗଣମାଧ୍ୟମରେ ସେ ନିଜ ଆଡ଼ୁ କେତେ ଥର ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ସେ ବ୍ରାହ୍ମଣମାନଙ୍କୁ ନ୍ୟୁନ କରିବା ପାଇଁ କିଛି କହି ନାହାନ୍ତି । ଏହାର କିଛି ଦିନ ପରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡିର ସଂପାଦକ ପଦରେ ନିଯୁକ୍ତ କରାଗଲା । ଗତ ବିଜେପୁର ଉପନିର୍ବାଚନ ସମୟରେ ମଧ୍ୟ ସମ୍ବିତ ସେଠାରେ ଯାଇଁ ବୁଲାବୁଲି କଲେ । ଦଳର ଯେଉଁ ଯୁବନେତାମାନେ ମଙ୍ଗ ସମ୍ଭାଳିଛନ୍ତି ସେମାନଙ୍କ ସହିତ ମିଶି ବିଜେପୁର ନିର୍ବାଚନ ପରିଚାଳନାରେ କିଛିକିଛି ସହଯୋଗ କଲେ । ସେତେବେଳେ କେତେକ ରାଜନୀତିକ ବିଶେଷଜ୍ଞ ମତ ଦେଇଥିଲେ ଯେ ନବୀନବାବୁ ବୋଧହୁଏ ଦାମଙ୍କୁ ବାଧ୍ୟତାମୂଳକ ଅବସରରେ ପଠାଇବା ପାଇଁ ଏପରି ଯୋଜନା କରିଛନ୍ତି । ତେବେ ଏହି ସମୟ ମଧ୍ୟରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ କେତେକ ସଭାରେ ସେ ପୁଅ ସମ୍ବିତଙ୍କ ନିଜର ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିଥିଲେ । ଏହାକୁ ନେଇ ତାଙ୍କର କେତେକ ଅନୁଗତ ଅସନ୍ତୁଷ୍ଟ ଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । କାରଣ ସେମାନଙ୍କ ମଧ୍ୟରୁ କେତେ ଜଣ ଦାମଙ୍କ ପରେ ପାରାଦୀପରୁ ବିଧାୟକ ପ୍ରାର୍ଥୀ ହେବାକୁ ଦଳୀୟ ମଙ୍ଗୁଆଳମାନଙ୍କ ସହିତ ଭିତିରି ଯୋଗାଯୋଗ କରୁଥିବା ଚର୍ଚ୍ଚାକୁ ଆସିଥିଲା । ସେମାନେ ମଧ୍ୟ ସଂପାଦକ ନିଯୁକ୍ତି ପରେ ସମ୍ବିତଙ୍କୁ ଯେପରି ସମ୍ବର୍ଦ୍ଧନା ଦେବା କଥା ଦେଇ ନଥିଲେ । ଇତିମଧ୍ୟରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହେବା ୯ ମାସ ବିତିଗଲାଣି । ହଠାତ ଦାମଙ୍କ ତୁଣ୍ଡ ପ୍ରଖର ହୋଇଉଠିଛି । ମନ୍ତ୍ରିମଣ୍ଡଳରେ ଥିଲାବେଳେ ସେ ଯେଉଁସବୁ ଦୁର୍ନୀତି କଥା ଉଠାଇ ନଥିଲେ ଏବେ ସେସବୁ କଥା ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ଚାରା ରୋପଣ ଦୁର୍ନୀତି, ଓମଫେଡ଼ ପଲିଥିନ ପାଉଚ କିଣା ଦୁର୍ନୀତି ଓ ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି ଡାକ୍ତର ରାଉତ । ସେଥିପାଇଁ ତାଙ୍କୁ କେତେକ ସୂଚନା ଅଧିକାର କର୍ମୀ ଓ ସାମାଜିକ କର୍ମୀ ବଧେଇ ଜଣେଇଛନ୍ତି । ତେବେ ଦାଙ୍କର ଚାରା ଓ ଓମଫେଡ଼ ଦୁର୍ନୀତି ଅଭିଯୋଗକୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ସଂପୂର୍ଣ୍ଣ ଅସ୍ୱୀକାର କରିଥିବାବେଳେ ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ନେଇ ‘ତଥ୍ୟ ଦେଲେ ତଦନ୍ତ ହେବ’ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । କିନ୍ତୁ ଏଯାଏଁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଦାମ ଯେଉଁ ସମୟର ଦୁର୍ନୀତି କଥା ଉଠାଇଛନ୍ତି ସେହି ସମୟରେ ଏହିସବୁ ବିଭାଗର ମନ୍ତ୍ରୀ ଥିଲେ ସେ ନିଜେ । ସେତେବେଳେ କାହିଁକି ସେ ଏସବୁ କଥା ଉଠାଇଲେ ନାହିଁ ବୋଲି ବିଜେଡି ମୁଖପାତ୍ର ତଥା ବିଧାୟକ ସମୀର ଦାଶ ପ୍ରଶ୍ନ କରିଛନ୍ତି । କିନ୍ତୁ ଦାମ ଉଠାଇଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସରକାରଙ୍କ ଉପରେ ‘ଗଡ଼ଫାଦର’ଙ୍କ ପ୍ରଭାବ । ଏ ‘ଗଡ଼ଫାଦର’ କିଏ ବୋଲି ସେ କିଛି କହିନାହାନ୍ତି । ଖାଲି କହିଛନ୍ତି ଯେ ଗଡ଼ଫାଦରଙ୍କ ଯୋଗୁଁ ଦୁର୍ନୀତିଗ୍ରସ୍ତ ଅଫିସର ତଦନ୍ତରୁ ବର୍ତ୍ତିବା ସହିତ ପୁନଃନିଯୁକ୍ତି ପାଇଛନ୍ତି । ତାଙ୍କର ଇଙ୍ଗିତ ହେଉଛି ଗଡ଼ଫାଦର ଶାସନ ପରିଚାଳନା କରୁଛନ୍ତି । ଠିକ ଏହିପରି ଅଭିଯୋଗ କରି ବୈଜୟନ୍ତ ପଣ୍ଡା ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ସେ ଶାସନରେ ‘ତୃତୀୟ ମହଲା ଅଫିସର’ଙ୍କ କଥା ଉଠାଇଥିଲେ । ଏହାର ବହୁ ପୂର୍ବରୁ ଦିବଙ୍ଗତ ପ୍ୟାରୀ ମୋହନ ମହାପାତ୍ର ଯେତେବେଳେ ବିଜୁ ଜନତା ଦଳର ଚାଣକ୍ୟ ଭାବେ ପରିଚିତ ଥିଲେ ସେତେବେଳେ ‘ପ୍ୟାରୀ କିଏ’ ବୋଲି ପ୍ରଶ୍ନ କରି ମନ୍ତ୍ରିପଦ ହରାଇଥିଲେ ପଞ୍ଚାନନ କାନୁନଗୋ । ସେହିପରି ‘ନିଷ୍ପତ୍ତି କିଏ ନେଉଛି ମୁଁ ଜାଣିନି’ ବୋଲି କହି ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିଲେ ଦାମ । ତେଢ଼ା ତୁଣ୍ଡ ପାଇଁ ବିଖ୍ୟାତ ଡାକ୍ତର ରାଉତ ଏହିପରି ଭାବେ ନବୀନଙ୍କ ୧୮ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ମଧ୍ୟରେ ତିନି ତିନି ଥର ପଦ ହରାଇଲେଣି । ଏବେ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ରାଜନୀତିକ ମହଲରେ ଉତ୍ସୁକତା ପ୍ରକାଶ ପାଇଛି । ପୂର୍ବ କେତେ ଥର ପରି ପୁଣି ତାଙ୍କୁ ଦଳ ଓ ସରକାରରେ ଗୁରୁତ୍ୱ ଦିଆଯିବ କି ବୈଜୟନ୍ତ ପଣ୍ଡାଙ୍କ ପରି ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯିବ ସେନେଇ ବିଜେଡି ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ଦାମ ଯଦି ଆଗକୁ ଆଗକୁ ଅଧିକ ମୁଖର ହେବେ ଏବଂ ସରକାରଙ୍କର ବିଭିନ୍ନ ଦୁର୍ନୀତି କଥା ଉଠାଇବେ ତେବେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପରୋକ୍ଷରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ସେ ମଧ୍ୟ ଆଉ ନିରବ ନରହି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଦାମଙ୍କ ଏପ୍ରକାର ଭୂମିକାକୁ ବିରୋଧୀ କଂଗ୍ରେସ ଓ ବିଜେପି ସମର୍ଥନ କରୁଛନ୍ତି । ଏଭଳି ସ୍ଥିତିରେ ତାଙ୍କ ସଂପର୍କରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ କି ନିଷ୍ପତ୍ତି ନେବେ ତାହାକୁ ଉଭୟ ଦାମଙ୍କ ସପକ୍ଷ ଓ ବିପକ୍ଷବାଦୀ ଅପେକ୍ଷା କରି ରହିଛନ୍ତି ।

Share :