କୋଡ଼ିଙ୍ଗାମାଳିରୁ ବକ୍ସାଇଟ ପାଇଲା ବେଦାନ୍ତ

କୋଡ଼ିଙ୍ଗାମାଳିରୁ ବକ୍ସାଇଟ ପାଇଲା ବେଦାନ୍ତ

Share :

ଓଡ଼ିଶା ଖଣି ନିଗମର କୋଡ଼ିଙ୍ଗାମାଳି ଖଣିରୁ ବକ୍ସାଇଟ୍ ପାଇଛି ବେଦାନ୍ତ । ପ୍ରଥମ ଥର ପାଇଁ କମ୍ପାନୀ ଖଣି ନିଗମରୁ ବକ୍ସାଇଟ ପାଇବା ପରେ ତାହାର ସଂପ୍ରସାରଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବ ବୋଲି ଘୋଷଣା କରିଛି । ୨୦୨୧ ସୁଦ୍ଧା ସଂପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି କମ୍ପାନୀ ଆଶା କରିଛି । ଏବେ ଲାଞ୍ଜିଗଡ଼ରେ କମ୍ପାନୀ ବାର୍ଷିକ ୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ବିଶୋଧନାଗାର ରହିଛି । ଏହାକୁ ପ୍ରଥମେ ୪ ନିୟୁତ ଟନ୍ ଏବଂ ପରେ ୬ ନିୟୁତ ଟନ୍କୁ ବୃଦ୍ଧି କରାଯିବ । ୨୦୦୭ ମସିହାରୁ କମ୍ପାନୀ ରାଜ୍ୟ ଓ ଦେଶ ବାହାରୁ ବକ୍ସାଇଟ୍ ଆଣି ଲାଞ୍ଜିଗଡ଼ କାରଖାନା ଚଳାଉଥିଲା । ପ୍ରାୟ ୧୦ ବର୍ଷ ଧରି ଓଡ଼ିଶା ବକ୍ସାଇଟ୍ ବିନା କାରଖାନା ଚାଲିବା ପରେ ପ୍ରଥମ ଥର ପାଇଁ ୧୫୨ କିଲୋମିଟର ଦୂର କୋଡ଼ିଙ୍ଗାମାଳି ଖଣିରୁ ବକ୍ସାଇଟ ମିଳିଛି । କମ୍ପାନୀର ବହିର୍ବ୍ୟାପାର ମୁଖ୍ୟ ସଂଜୀବ କୁମାର ଏହି ସୂଚନା ଦେଇଛନ୍ତି । ନିୟମଗିରି ବକ୍ସାଇଟ ଖଣି ନମିଳିବାରୁ ଲାଞ୍ଜିଗଡ଼ କାରଖାନା ପାଇଁ ବେଦାନ୍ତ କମ୍ପାନୀ ବ୍ରାଜିଲ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟରୁ ବକ୍ସାଇଟ ଆଣୁଥିଲା । ବକ୍ସାଇଟ ଅଭାବରୁ କାରଖାନା ପୂର୍ଣ୍ଣ କ୍ଷମତାରେ ଚାଲି ନଥିଲା । ମାତ୍ର ୧.୨ ନିୟୁତ ଟନ ଉତ୍ପାଦନ ହେଉଥିଲା । ଓଡ଼ିଶା ଖଣି ନିଗମ ଯେଉଁ ବକ୍ସାଇଟ ଯୋଗାଉଛି ତାହା କାରଖାନାର ମାତ୍ର ୫ ପ୍ରତିଶତ ଆବଶ୍ୟକତା ପୂରଣ କରୁଛି ବୋଲି ସଂଜୀବ କୁମାର ଗଣମାଧ୍ୟମକୁ କହିଛନ୍ତି । ଭବିଷ୍ୟତରେ ନିଗମ ଅଧିକ ପରିମାଣର ବକ୍ସାଇଟ ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଓଡ଼ିଶା ଖଣି ନିଗମଠାରୁ ବାର୍ଷିକ ୩ ନିୟୁତ ଟନ୍ ବକ୍ସାଇଟ ପାଇବ ବୋଲି ଆଶା କରିଛି । କମ୍ପାନୀ ଆବଶ୍ୟକତାର ଏହା ମାତ୍ର ୫୦ ପ୍ରତିଶତ । ଏ ସଂପର୍କରେ ସଂଜୀବ କୁମାର କହିଛନ୍ତି ଯେ ଏବେ ଓଡ଼ିଶା ଖଣି ନିଗମ କମ୍ପାନୀ ଚାହିଦାର ମାତ୍ର ୫ ପ୍ରତିଶତ ବକ୍ସାଇଟ ଯୋଗାଉଥିଲେ ବି ଆଗକୁ ଆମେ ଓଡ଼ିଶାରେ ହେବାକୁ ଥିବା ଖଣି ନିଲାମରେ ଅଂଶ ଗ୍ରହଣ କରି ଆମର ପୂର୍ଣ୍ଣ ଚାହିଦା ମେଣ୍ଟାଇବାକୁ ଚେଷ୍ଟା କରିବୁ । ନିୟମଗିରି ସଂପର୍କରେ ସେ କହିଛନ୍ତି ଯେ ଏବେ ନିୟମଗିରି ଆମ ପାଇଁ ଆଉ ଗୁରୁତ୍ୱ ବହନ କରୁନାହିଁ । ଓଡ଼ିଶାରେ ପ୍ରାୟ ୭୦୦ ନିୟୁତ ଟନ୍ ବକ୍ସାଇଟ ଗଚ୍ଛିତ ଅଛି । ନିୟମଗିରିରେ ଗଚ୍ଛିତ ବକ୍ସାଇଟର ପରିମାଣ ହେଉଛି ମାତ୍ର ୮୮ ନିୟୁତ ଟନ୍ । ଆମେ ଅନ୍ୟ ଖଣି ପାଇବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଡଙ୍ଗରିଆ କନ୍ଧମାନଙ୍କର ବିରୋଧ ଯୋଗୁଁ ନିୟମଗିରିରେ ଓଡ଼ିଶା ଖଣି ନିଗମ ଓ ବେଦାନ୍ତ ଗୋଷ୍ଠୀର ବକ୍ସାଇଟ ଖଣି ପ୍ରକଳ୍ପକୁ ମଂଜୁରି ମିଳିନାହିଁ । ନିୟମଗିରି ପାଦଦେଶରେ ଥିବା ବେଦାନ୍ତର ଲାଞ୍ଜିଗଡ଼ ରିଫାଇନାରୀର ଉତ୍ପାଦନ କ୍ଷମତା ବାର୍ଷିକ ୨ ନିୟୁତ ଟନରୁ ୬ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ପୂର୍ବରୁ କମ୍ପାନୀ କରିଥିବା ଆବେଦନ ମଞ୍ଜୁର ହୋଇସାରିଛି । ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଅନେକ ଅଗ୍ରଗତି କରିସାରିଛି । ଏ କ୍ଷେତ୍ରରେ କମ୍ପାନୀ ପ୍ରାୟ ୫ ହଜାର କୋଟି ଟଙ୍କା ବିନିଯୋଗ କରିସାରିଛି ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

Share :