ସମଲିଙ୍ଗୀ ସଂପର୍କ ବୈଧ

ସମଲିଙ୍ଗୀ ସଂପର୍କ ବୈଧ

ଭାରତରେ ଏଣିକି ସହମତିଭିତ୍ତିକ ସମଲିଙ୍ଗୀ ଯୌନ ସଂପର୍କ ବୈଧ । ଭାରତୀୟ ପିଙ୍ଗଳ କୋଡ଼ର ୩୭୭ ଦଫା ନେଇ ଚାଲିଥିବା ମାମଲାର ବିଚାର କରି ସେପ୍ଟେମ୍ବର ୬ ତାରିଖରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ଧାରା ସଂପର୍କରେ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଏହା ହେଉଛି ସଂପୂର୍ଣ୍ଣ ଅଯୌକ୍ତିକ, ଅସମର୍ଥନୀୟ ଏବଂ ସ୍ପଷ୍ଟତଃ ଏକତରଫା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରୁଥିଲେ । ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ରୋହିନଟନ୍ ଏଫ. ନରିମାନ, ବିଚାରପତି ଏଏମ ଖାନୱିଲକର, ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଇନ୍ଦୁ ମାଲହୋତ୍ରା । ଗୁରୁବାର ସୁପ୍ରିମ କୋର୍ଟଙ୍କର ଏହି ଖଣ୍ଡପୀଠର ସଦସ୍ୟମାନେ ଅଲଗା ଅଲଗା ଭାବେ ନିଜ ନିଜର ରାୟ ଘୋଷଣା କରିଥିଲେ । ତେବେ ସମସ୍ତେ ଗୋଟିଏ କଥାରେ ସହମତ ଥିଲେ ଯେ ସହମତିଭିତ୍ତିକ ସମଲିଙ୍ଗୀ ଯୌନ ସଂପର୍କ ଅବୈଧ ନୁହେଁ । ଯେଉଁଠି ସହମତି ନାହିଁ ତାହା ଅବୈଧ । ସେହିପରି ପଶୁମାନଙ୍କ ସହିତ ଯୌନ ସଂପର୍କ ମଧ୍ୟ ଅବୈଧ । ଭାରତୀୟ ପିଙ୍ଗଳ କୋଡ଼ର ୩୭୭ ଦଫା ପୁରୁଣାକାଳିଆ ଓ ସମ୍ବିଧାନର ୧୪ ଧାରାରେ ପ୍ରଦତ୍ତ ବ୍ୟକ୍ତି ସ୍ୱାଧୀନତାର ପରିପନ୍ଥୀ ବୋଲି ଖଣ୍ଡପୀଠର ସଦସ୍ୟମାନେ ସ୍ପଷ୍ଟ ରାୟ ପ୍ରଦାନ କରିଛନ୍ତି । ଏ ସଂପର୍କରେ ପ୍ରଥମେ ନିଜର ଏବଂ ବିଚାରପତି ଏଏମ ଖାନୱିଲକରଙ୍କ ତରଫରୁ ରାୟ ଘୋଷଣା କରିଥିଲେ ପ୍ରଧାନ ବିଚାରପତି ଦୀପକ ମିଶ୍ର । ସେ କହିଛନ୍ତି ଯେ ୩୭୭ ଦଫା ହେଉଛି ଅଯୌକ୍ତିକ, ଅସମର୍ଥନୀୟ ଓ ସ୍ପଷ୍ଟତଃ ଏକତରଫା । ବିଚାରପତି ଖାନୱିଲକର ପ୍ରଧାନ ବିଚାରପତିଙ୍କ ରାୟ ସହିତ ଏକମତ । ପ୍ରଧାନ ବିଚାରପତି ତାଙ୍କ ରାୟରେ କହିଛନ୍ତି ଯେ ଲେସବିୟାନ୍, ଗେ, ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡର ଓ କ୍ୱେଶ୍ଚେନିଂ ବା ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ଲିଙ୍ଗ ପରିବର୍ତ୍ତନକାରୀ ଏବଂ ପ୍ରଶ୍ନିଳ (ଏଲଜିବିଟିକ୍ୟୁ) ସଂପ୍ରଦାୟଙ୍କର ଅନ୍ୟ ନାଗରିକଙ୍କ ପରି ସମାନ ଅଧିକାର ରହିଛି । ପ୍ରଧାନ ବିଚାରପତି କହିଛନ୍ତି ଯେ ସାମାଜିକ ନୈତିକତା ସାମ୍ବିଧାନିକ ନୈତିକତାକୁ ଉଡ଼ାଇ ଦେଇପାରିବ ନାହିଁ । ସାମାଜିକ ନୈତିକତା ଜରେ ବ୍ୟକ୍ତିର ମୌଳିକ ଅଧିକାରକୁ ଓଲଟାଇ ଦେଇପାରିବ ନାହିଁ । ସେ କହିଛନ୍ତି, ଯୌନ ଅଭିବିନ୍ୟାସ ବା ଆକାଙ୍କ୍ଷା ହେଉଛି ସଂପୂର୍ଣ୍ଣ ଭାବେ ଜୈବିକ ଓ ଜନ୍ମଗତ । ଜଣେ ପୁରୁଷ ବା ନାରୀ କାହା ପ୍ରତି ଆକର୍ଷିତ ହେବେ ତାହା ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ । ଏହାକୁ ଦମନ କରାଯିବା ଅର୍ଥ ମୁକ୍ତ ଅଭିବ୍ୟକ୍ତିର ଉଲ୍ଲଙ୍ଘନ । ପ୍ରଧାନ ବିଚାରପତି ତାଙ୍କ ରାୟରେ କହିଛନ୍ତି, ଦୈହିକ ସ୍ୱତନ୍ତ୍ରତା ହେଉଛି ବ୍ୟକ୍ତିଗତ, ପସନ୍ଦର ବିଷୟ ଓ ମର୍ଯ୍ୟାଦାର ବିଷୟବସ୍ତୁ । ଉଭୟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ଏଏମ ଖାନୱିଲକର କହିଛନ୍ତି ଯେ ସହମତି ଭିତ୍ତିରେ ହେଉଥିବା ସମକାମୀ ସଂପର୍କ ଆଦୌ ଅବୈଧ ନୁହେଁ । କେବଳ ସହମତି ନଥାଇ ଯଦି ଏଭଳି ଯୌନ ସଂପର୍କ ରଖାଯାଏ କିମ୍ବା ପଶୁ ସହିତ ଏଭଳି ସଂପର୍କ ରଖାଯାଏ ତେବେ ତାହା ୩୭୭ ଦଫା ଅନୁସାରେ ଅବୈଧ ଓ ଅପରାଧ ବିବେଚିତ ହେବ ବୋଲି ଉଭୟ ବିଚାରପତି କହିଛନ୍ତି । ରାୟର ଭାଷା ଅନୁସାରେ, ‘ମାନବିକତା ଦୃଷ୍ଟିକୋଣରୁ ଏଲଜିବିଟିକ୍ୟୁ ସଂପ୍ରଦାୟର ଆଶାର ଇନ୍ଦ୍ରଧନୁ ଦରକାର । ମର୍ଯ୍ୟାଦାର ସହିତ ଓ ଛଳନା ରହିତ ଭାବେ ବଞ୍ଚିବା ପାଇଁ ସେମାନଙ୍କୁ ଅନୁମତି ମିଳିବା ଆବଶ୍ୟକ । ଏହା ହେଉଛି ସେମାନଙ୍କର ମର୍ଯ୍ୟାଦା, ସମାନତା ଓ ସ୍ୱତନ୍ତ୍ରତାର ଯାତ୍ରା । ଏବେ ସମୟ ଆସିଛି ସାମାଜିକ ଆଭିମୁଖ୍ୟରେ ସେମାନଙ୍କ ବିରୋଧରେ ରହିଥିବା ବାଛବିଚାରକୁ ବିଦାୟ ଦେବାର । ଏବେ ବାଛବିଚାର ବିରୋଧରେ ଏଲଜିବିଟିକ୍ୟୁ ସଂପ୍ରଦାୟର ସଶକ୍ତିକରଣ ଆବଶ୍ୟକ । ସେମାନଙ୍କୁ ସେମାନଙ୍କ ପସନ୍ଦ ବାଛିବାର ଅଧିକାର ମିଳିବା ଉଚିତ ।’ ପ୍ରଧାନ ବିଚାରପତିଙ୍କର ଏହି ରାୟ ବସ୍ତୁତ ଏହି ବିବାଦ ସଂପର୍କେୀ ବିଚାରପତି ସୁରେଶ କୌଶଳ ପ୍ରଦାନ କରିଥିବା ରାୟକୁ ରଦ୍ଦ କରିଦେଇଛି । ସେହିପରି ବିଚାରପତି ରୋହିନଟନ୍ ଏଫ. ନରିମାନ ତାଙ୍କ ରାୟ ଘୋଷଣା କରି କହିଛନ୍ତି ଯେ ଯୋଗ୍ୟାକର୍ତ୍ତା ନୀତି ଅନୁସାରେ ସମ୍ବିଧାନର ୧୪ ଧାରାରେ ପ୍ରଦତ୍ତ ସ୍ୱାଧୀନତା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ନୀତି ଅନୁସାରେ ସମଲିଙ୍ଗୀମାନଙ୍କର ମୌଳିକ ଅଧିକାର ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ଅନ୍ୟମାନଙ୍କର । ସେମାନେ ମଧ୍ୟ ମଣିଷ, ସେମାନଙ୍କର ମଧ୍ୟ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ରହିଛି । ସୂଚନାଯୋଗ୍ୟ ଯେ ଇଣ୍ଡୋନେସିଆର ଯୋଗ୍ୟାକର୍ତ୍ତାରେ ମାନବାଧିକାର ଗୋଷ୍ଠୀଗୁଡ଼ିକ ଏକାଠି ହୋଇ ୨୦୦୬ ନଭେମ୍ବର ମାସରେ ଏ ନେଇ ଏକ ନୀତି ପ୍ରଣୟନ କରିଥିଲେ । ୨୦୧୭ ମସିହାରେ ଏଥିରେ ସମଲିଙ୍ଗୀ ସଂପର୍କ ପରି ଅନ୍ୟ କେତେକ ବିଷୟବସ୍ତୁ ସଂଯୁକ୍ତ ହୋଇଥିଲା । ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ୩୭୭ ଦଫା ଯୋଗୁଁ ସୃଷ୍ଟି ହୋଇଥିବା ଦୁଃଖ ଓ ଯନ୍ତ୍ରଣା ଦୂର ହେବା ଦରକାର । ଏକ ଉଦାରବାଦୀ ସମ୍ବିଧାନ କାର୍ଯ୍ୟକାରୀ ହେବାର ୬୮ ବର୍ଷ ପରେ ମଧ୍ୟ ମ୍ୟାକଲେଙ୍କ ମୂଲ୍ୟବୋଧ ବଳବତ୍ତର ରହିବା ଦୁଃଖଦାୟକ । ଭଲ ପାଇବାର ମାନବିକ ପ୍ରବୃତ୍ତିରେ ଏହା ବାଧା ସୃଷ୍ଟି କରିଛି । ସେ ପ୍ରଶ୍ନ କରିଛନ୍ତି, ‘ପ୍ରକୃତିର ଶୃଙ୍ଖଳା କ’ଣ? କ’ଣ ଅନୁମତି ଯୋଗ୍ୟ ଓ କ’ଣ ନୁହେଁ ସେନେଇ ରାଷ୍ଟ୍ର ସୀମା ନିର୍ଦ୍ଧାରଣ କରିପାରିବ ନାହିଁ?’ ସେହପରି ବିଚାରପତି ଇନ୍ଦୁ ମାଲହୋତ୍ରା କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ଏଲଜିବିଟିକ୍ୟୁ ସଂପ୍ରଦାୟ ପ୍ରତି କରାଯାଇଥିବା ଅତ୍ୟାଚାର ପାଇଁ ସମାଜ କ୍ଷମା ମାଗିବା ଉଚିତ । ଏହି ରାୟ ପରେ ଏଲଜିବିଟିକ୍ୟୁ ସଂପ୍ରଦାୟରେ ଖୁସିର ଲହରୀ ଖେଳି ଯାଇଛି । ସେମାନେ ଏଣକି ମୁଣ୍ଡଟେକି ନିଜର ପ୍ରେମ ଘୋଷଣା କରିପାରିବେ ବୋଲି କହିଛନ୍ତି ।

Share :