ଖାଇବା ଲୁଣରେ ପ୍ଲାଷ୍ଟିକ୍!

ଖାଇବା ଲୁଣରେ ପ୍ଲାଷ୍ଟିକ୍!

Share :

ବଜାରରେ ଯେତେ ପ୍ରକାର ବ୍ରାଣ୍ଡର ଲୁଣ ମିଳୁଛି ସେସବୁରେ କିଛି ପ୍ଳାଷ୍ଟିକ ଗୁଣ୍ଡ ରହିଛି । ତେବେ ଏସବୁ ପ୍ଳାଷ୍ଟିକ ଗୁଣ୍ଡ ପ୍ରଦୂଷିତ ସମୁଦ୍ର ଜଳରୁ ଆସିଛି । ପରୀକ୍ଷା କରି ଏମିତି ଏକ ତଥ୍ୟ ପ୍ରକାଶ କରିଛି ଆଇଆଇଟି ବମ୍ବେ । ଆଇଆଇଟି ବମ୍ବେର ସେଣ୍ଟର ଫର୍ ଏନଭିରନମେଣ୍ଟାଲ ସାଇନ୍ସ ଆଣ୍ଡ ଇଞ୍ଜିନିଅରିଂ ବା ସିଇଏସଇର ଦୁଇ ଜଣ ବୈଜ୍ଞାନିକ ଭାରତୀୟ ବଜାରରେ ବିକ୍ରି ହେଉଥିବା କେତେକ ଲୋକପ୍ରିୟ ବ୍ରାଣ୍ଡ ଲୁଣର ନମୁନା ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ସେଥିରେ ୬୨୬ ମାଇକ୍ରୋପ୍ଲାଷ୍ଟିକ କଣା ରହିଛି । ଏଥିରୁ ୬୩ ପ୍ରତିଶତ ହେଉଛି ସୂକ୍ଷ୍ମ ପ୍ଲା୍ଷ୍ଟିକ ଗୁଣ୍ଡ ଏବଂ ବାକି ୩୭ ପ୍ରତିଶତ ହେଉଛି ପ୍ଲାଷ୍ଟିକ ତନ୍ତୁ ବା ଫାଇବର୍ । ତେବେ ଏହି ଅନୁଧ୍ୟାନରୁ ଏହା ଜଣାପଡ଼ିଛି ଯେ ଏସବୁ ପ୍ଲାଷ୍ଟିକ ଲୁଣ କାରଖାନାରେ ପ୍ରକ୍ରିୟାକରଣ ବା ଉତ୍ପାଦନ ପ୍ରକ୍ରିୟାରୁ ଆସିନାହିଁ । ଏହାର ମୂଳସୂତ୍ର ହେଉଛି ପ୍ରଦୂଷିତ ସମୁଦ୍ର ଜଳ । ସେଥିପାଇଁ କେଉଁ କେଉଁ ବ୍ରାଣ୍ଡରୁ ଲୁଣରୁ ପ୍ଳାଷ୍ଟିକ ଅଂଶ ମିଳିଛି ତାହା ଏହି ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ । ଆମେରିକାର ନେସନାଲ ଅସେନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ ଅନୁସାରେ ମାଇକ୍ରୋପ୍ଲାଷ୍ଟିକର ଆକାର ହେଉଛି ୫ ମିଲିମିଟରରୁ କମ୍ ବା ଗୋଟିଏ ଖସା ମଞ୍ଜି ପରି । ସମୁଦ୍ରରେ ବହୁଳ ପରିମାଣରେ ପ୍ଲାଷ୍ଟିକ ଜମା ହେବା ପରେ ସେସବୁ ସୂକ୍ଷ୍ମ ପ୍ଲାଷ୍ଟିକ କଣାରେ ପରିଣତ ହୋଇ ଲୁଣରେ ମିଶିଥାଏ । ସେହିପରି ମାଇକ୍ରୋଫାଇବର୍ ବା ସୂକ୍ଷ୍ମ ସିନ୍ଥେଟିକ୍ ଫାଇବର୍ ଲୁଗା ସଫାକଲାବେଳେ ପାଣିରେ ମିଶିଥାଏ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ଅନେକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଉଭୟ ମାଇକ୍ରୋପ୍ଲାଷ୍ଟିକ୍ ଓ ମାଇକ୍ରୋଫାଇବର୍ ସାମୁଦ୍ରିକ ଖାଦ୍ୟ ଓ ଲୁଣ ଜରିଆରେ ଆମ ଖାଦ୍ୟ ଶୃଙ୍ଖଳରେ ମିଶିଯାଉଛି । ୨୦୧୪ ମସିହାରେ ପବ୍ଲିକ ଲାଇବ୍ରେରି ଅଫ୍ ସାଇନ୍ସ ନାମକ ଏକ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ ବିଶ୍ୱ ମହାସାଗରରେ ୫ ଲକ୍ଷ କୋଟି ଖଣ୍ଡରୁ ଅଧିକ ପ୍ଲାଷ୍ଟିକ ଭାସୁଛି । ବିଶ୍ୱର ଅନେକ ଦେଶର ବୈଜ୍ଞାନିକ ଖାଇବା ଲୁଣରେ ମାଇକ୍ରୋପ୍ଲାଷ୍ଟିକ୍ ଅଂଶ ଠାବ କରିଛନ୍ତି । ଏବେ ଭାରତରେ ଏଭଳି ଏକ ଗବେଷଣା ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଖାଦ୍ୟ ଓ ଶିଳ୍ପ ଲୁଣର ଉତ୍ପାଦକ । ୨୦୧୭ ମସିହା ହିସାବ ଅନୁସାରେ ଭାରତରେ ୨୬ ନିୟୁତ ମେଟ୍ରିକ ଟନ୍ ଲୁଣ ଉତ୍ପାଦିତ ହୋଇଥିଲା । ଚୀନରେ ସେହି ବର୍ଷ ୬୮ ନିୟୁତ ଟନ୍ ଓ ଆମେରିକାରେ ୪୩ ନିୟୁତ ଟନ୍ ଲୁଣ ଉତ୍ପାଦିତ ହୋଇଥିଲା । ଆଇଆଇଟି ବମ୍ବେର ସିଇଏସଇର ଏହି ଗବେଷଣା ଦଳର ଅନ୍ୟତମ ସଦସ୍ୟ ପ୍ରଫେସର ଅମୃତାଂଶୁ ଶ୍ରୀବାସ୍ତବ କୁହନ୍ତି, ‘ପୃଥିବୀର ବିଭିନ୍ନ ପ୍ରାନ୍ତରେ ହୋଇଥିବା ଗବେଷଣାରୁ ସମୁଦ୍ର ଜଳରୁ ଉତ୍ପାଦିତ ଲୁଣରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିବା ଜଣାପଡ଼ିଥିଲା । ଏବେ ଆମ ଗବେଷଣାରେ ମଧ୍ୟ ତାହା ସାବିତ୍ ହେଲା ।’ ଏହି ଗବେଷଣା ରିପୋର୍ଟର ଅନ୍ୟତମ ଲେଖକ ହେଲେ ଚନ୍ଦନ କୃଷ୍ଣ ସେଠ । ସେମାନଙ୍କର ପ୍ରବନ୍ଧ ଏନଭିରନମେଣ୍ଟାଲ ସାଇନ୍ସ ଆଣ୍ଡ ପଲ୍ୟୁସନ ରିସର୍ଚ୍ଚ ପତ୍ରିକାରେ ପ୍ରକାଶ ପାଇଛି । ଏହି ରିପୋର୍ଟ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ନାୟାର ରାଜୀବନ କହିଛନ୍ତି ଯେ ନଦୀ ଜରିଆରେ ବହୁଳ ପରିମାଣର ପ୍ଲାଷ୍ଟିକ ସମୁଦ୍ରକୁ ଯାଉଛି । ମାଇକ୍ରୋପ୍ଲାଷ୍ଟିକ ଏକ ବଡ଼ ସମସ୍ୟା । ଆମେ ଏ ବିଷୟରେ ଆଲୋଚନା ଆରମ୍ଭ କରିଦେଇଛୁ । ଖୁବଶୀଘ୍ର ସମାଧାନର ବାଟ ବାହାର କରାଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ନିର୍ଦ୍ଦେଶାବଳି ଅନୁସାରେ ଜଣେ ବୟସ୍କ ବ୍ୟକ୍ତି ଦିନକୁ ସର୍ବାଧିକ ୫ ଗ୍ରାମ ଲୁଣ ଖାଇବା ଦରକାର । ଗୋଟେ କିଲୋଗ୍ରାମ ଲୁଣରେ ୬୩.୬୭ ମାଇକ୍ରୋଗ୍ରାମ ବା ୦.୦୬୩ ମିଲିଗ୍ରାମ ପ୍ଲାଷ୍ଟିକ ମିଳିବାର ଅର୍ଥ ହେଉଛି ଜଣେ ପୂର୍ଣ୍ଣାବୟବ ମଣିଷ ଲୁଣ ଜରିଆରେ ବର୍ଷକୁ ସର୍ବାଧିକ ୧୧୭ ମାଇକ୍ରୋଗ୍ରାମ ବା ୦.୧୧୭ ମିଲିଗ୍ରାମ ପ୍ଳାଷ୍ଟିକ ଖାଉଥିବ । ବାର୍ଷିକ ଏତିକି ପରିମାଣର ପ୍ଲାଷ୍ଟିକ ଖାଇଲେ ସ୍ୱାସ୍ଥ୍ୟ ଉପରେ ତାହାର ପ୍ରଭାବ କ’ଣ ହେବ ସେନେଇ ଏଯାଏଁ କୌଣସି ଗବେଷଣା ହୋଇନାହିଁ । ତେବେ ମଣିଷ କେବଳ ଲୁଣ ଜରିଆରେ ପ୍ଲାଷ୍ଟିକ ଖାଉ ନାହିଁ । ସାମୁଦ୍ରିକ ମତ୍ସ୍ୟାଦି ଖାଦ୍ୟ ଏବଂ ପ୍ରଶ୍ୱାସ ଜରିଆରେ ମଧ୍ୟ ମଣିଷ ଦେହକୁ ପ୍ଳାଷ୍ଟିକ ଅଂଶ ଯାଉଛି । ତେଣୁ ମଣିଷ ଦେହକୁ ବର୍ଷକୁ ଆହୁରି ଅଧିକ ପ୍ଲାଷ୍ଟିକ ଯାଉଥିବ । ଏଣୁ ସ୍ୱାସ୍ଥ୍ୟ ଉପରେ ଏହାର କି କୁପ୍ରଭାବ ପଡ଼ୁଥିବ ସେନେଇ ବ୍ୟାପକ ଗବେଷଣା ହେବା ଦରକାର । ଆଇଆଇଟି ବମ୍ବେର ଏହି ଗବେଷଣା ପାଇଁ ଗୁଜରାଟ, ମହାରାଷ୍ଟ୍ର ଓ କେରଳରେ ଉତ୍ପାଦିତ ୮ଟି ବ୍ରାଣ୍ଡର ୨୪ ପ୍ୟାକେଟ ଲୁଣ ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ଜଣାପଡ଼ିଛି ଯେ ସେସବୁ ଲୁଣରେ ପଲିଥିଲିନ୍, ପଲ୍ୟାମାଇଡ଼୍, ପଲିଥିଲିନ ଟେରେପ୍ଥାଲେଟ୍ ଆଦି ପଲିଷ୍ଟର ଅଂଶ ରହିଛି । ଏସବୁ ପଲିଷ୍ଟର ପୋଷାକ, ପ୍ଲାଷ୍ଟିକ ବୋତଲ ଆଦି ତିଆରିରେ ଲାଗିଥାଏ । ଗତ ୪ ବର୍ଷ ଭିତରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ଯେ ଚୀନ, ସ୍ପେନ୍, ତୁର୍କୀ, ଇଂଲଣ୍ଡ, ଫ୍ରାନ୍ସ, ଆମେରିକା, ଅଷ୍ଟ୍ରେଲିଆ, ଇରାନ, ଜାପାନ, ମାଲେସିଆ, ନିଉ ଜିଲାଣ୍ଡ, ପର୍ତ୍ତୁଗାଲ୍ ଏବଂ ଦକ୍ଷିଣ ଆଫ୍ରିକାର ଅନେକ ଲୋକପ୍ରିୟ ଲୁଣରେ ମାଇକ୍ରୋପ୍ଲାଷ୍ଟିକ୍ ଓ ମାଇକ୍ରୋଫାଇବର୍ ଅଂଶ ରହିଛି ।

Share :