ଧୂମ ଓ ମଦ୍ୟପାୟୀ କିଶୋରଙ୍କ ଧମନୀ ଟାଣ!

ଧୂମ ଓ ମଦ୍ୟପାୟୀ କିଶୋରଙ୍କ ଧମନୀ ଟାଣ!

Share :

ଧୂମ ଓ ମଦ୍ୟପାନ କରୁଥିବା କିଶୋରମାନଙ୍କର ଧମନୀ ଶୀଘ୍ର ଖରାପ ହୋଇଯାଏ । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୧୭ ବର୍ଷ ବୟସରେ ପାଦ ଦେଲା ବେଳକୁ ଧୂମ ଓ ମଦ୍ୟପାନ କରୁଥିବା ପିଲାମାନଙ୍କର ଧମନୀ କ୍ଷତିଗ୍ରସ୍ତ ହୋଇଥାଏ । ଏହି ବୟସବେଳୁଁ ସେମାନଙ୍କ ଧମନୀ ଟାଣ ହୋଇଯାଇଥାଏ । ଫଳରେ ହୃଦ୍ ଓ ରକ୍ତ ବାହିକାରେ ସମସ୍ୟା ସୃଷ୍ଟି ହୁଏ ଏବଂ ପରବର୍ତ୍ତୀ ସମୟରେ ସେଥିଯୋଗୁଁ ହୃଦଘାତ ହେବାର ଆଶଙ୍କା ଥାଏ । ୨୦୦୪ରୁ ୨୦୦୮ ମଧ୍ୟରେ ୧୨୬୬ ଜଣ କିଶୋରଙ୍କ ଜୀବନଶୈଳୀ ଓ ଶାରୀରିକ ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ଏକ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି । ୟୁରୋପୀଆନ ହାର୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ଅନୁସାରେ ଯେଉଁ କିଶୋରମାନେ ଧୂମ ଓ ମଦ୍ୟପାନ ଛାଡ଼ି ଦେଉଛନ୍ତି ସେମାନଙ୍କର ଧମନୀ ପୁଣି ଠିକ୍ ହୋଇଯାଉଛି । ଏହି ଅନୁଧ୍ୟାନରେ ଧୂମ ଓ ମଦ୍ୟପାନ କରୁଥିବା ୧୩, ୧୫ ଓ ୧୭ ବର୍ଷ ବୟସର କିଶୋରମାନଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କର ପରୀକ୍ଷା କରାଗଲେ ପରେ ଦେଖାଗଲା ଯେ ସେମାନଙ୍କ ଧମନୀ ଟାଣ ହୋଇଯାଇଛି । ଯେଉଁମାନେ ଅଧିକ ସିଗାରେଟ କିମ୍ବା ଅଧିକ ମଦ୍ୟ ପାନ କରୁଛନ୍ତି ସେମାନଙ୍କର ଧମନୀ ଅଧିକ ଟାଣ । ଯେଉଁମାନେ କମ୍ ସିଗାରେଟ ଓ କମ୍ ମଦ୍ୟ ପାନ କରୁଛନ୍ତି ସେମାନଙ୍କର ଟିକେ କମ୍ ଟାଣ । ଏହି ଅନୁଧ୍ୟାନ ରିପୋର୍ଟର ମୁଖ୍ୟ ଲେଖକ ପ୍ରଫେସର ଜନ୍ ଡିନ୍ଫିଲ୍ଡ କହିଛନ୍ତି ଯେ ବ୍ରିଷ୍ଟଲ ଅଞ୍ଚଳରେ ଅଧିକାଂଶ ପିଲା କିଶୋର ବୟସରୁ ଧୂମ ଓ ମଦ୍ୟପାନ କରୁଥିବାରୁ ସେମାନଙ୍କର ଧମନୀ ଅନ୍ୟ ଅଞ୍ଚଳର ପିଲାଙ୍କ ତୁଳନାରେ ଅଧିକ ଟାଣ ହୋଇଯାଉଛି । ତେବେ ଏକଥା ମଧ୍ୟ ଦେଖାଯାଉଛି ଯେ ଯେଉଁ ପିଲାମାନେ କିଶୋରାବସ୍ଥାରେ ଧୂମ ଓ ମଦ୍ୟପାନ ଅଭ୍ୟାସ ଛାଡ଼ି ଦେଉଛନ୍ତି ସେମାନଙ୍କର ଧମନୀ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି । ଏହି ଗବେଷଣାରେ ସଂପୃକ୍ତ ୟୁସିଏଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଡ଼ିଓଭାସ୍କୁଲାର ସାଇନ୍ସର ଡକ୍ଟର ମାରିଏଟ୍ଟା ଚାରକିଡ଼ା କହିନ୍ତି ଯେ ଧୂମ ଓ ମଦ୍ୟପାନ ଅଭ୍ୟାସ ଯୋଗୁଁ ମଧ୍ୟ କିଶୋରମାନଙ୍କର ରକ୍ତ ବାହିକା ମଧ୍ୟ ଆଘାତପ୍ରାପ୍ତ ହୋଇଥାଏ । ଏହି ଅନୁଧ୍ୟାନ ରିପୋର୍ଟ ଅନୁସାରେ ସଂପୃକ୍ତ ଅଞ୍ଚଳରେ ୧୭ ବର୍ଷ ବୟସ ବେଳକୁ ପ୍ରତି ୫ ଜଣରେ ଜଣେ କିଶୋର ଧୂମ ଓ ମଦ୍ୟ ପାନ କରୁଥାନ୍ତି । ଯେଉଁ ପରିବାରରେ ବାପାମା’ମାନେ ଧୂମ ଓ ମଦ୍ୟ ପାନ କରୁଥାନ୍ତି ସେହି ପରିବାରର କିଶୋରମାନେ ମଧ୍ୟ ଅଳ୍ପ ବୟସରୁ ଏହି କୁଅଭ୍ୟାସ ଆହରଣ କରିଥାନ୍ତି । ବ୍ରିଟିଶ ହାର୍ଟ ଫାଉଣ୍ଡେସନର ଆସୋସିଏଟ୍ ମେଡିକାଲ ଡାଇରେକ୍ଟର ପ୍ରଫେସର ମେଟିନ ଆଭକିରନ କହିଛନ୍ତି ଯେ ଏହି ଅନୁଧ୍ୟାନରୁ ଜଣାପଡ଼ିଥିବା ଗୋଟିଏ ଭଲ କଥା ହେଲା କିଶୋରମାନେ ଧୂମ ଓ ମଦ୍ୟ ପାନ ଅଭ୍ୟାସ ଛାଡ଼ିଦେଲା ପରେ ସେମାନଙ୍କର ଧମନୀ ଓ ରକ୍ତ ବାହିନା ପୁଣି ଥରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବା । ଏହା ଉତ୍ସାହପ୍ରଦ । ପିଲାମାନେ ନିଜ ସ୍ୱାସ୍ଥ୍ୟର ଭବିଷ୍ୟତ ପାଇଁ ଏଭଳି କୁଅଭ୍ୟାସରୁ ନିବୃତ୍ତ ରହିବା ଦରକାର । ତାଙ୍କ ଭାଷାରେ ତୁମେ ତୁମ ହୃଦୟକୁ ସୁସ୍ଥ ରଖିବା ପାଇଁ ଧୂମପାନରୁ ନିବୃତ୍ତ ରହିବା ହିଁ ଶ୍ରେଷ୍ଠ ପଦକ୍ଷେପ ଏବଂ ତୁମେ ଯଦି ମଦ୍ୟ ପାନ କରୁଥାଅ ତେବେ ନିର୍ଦ୍ଧାରିତ ପରିମାଣଠାରୁ କେବେ ବି ଅଧିକ ପିଅ ନାହିଁ ।

Share :