ଆକାଶରେ ଭେଟ ହୋଇପାରେ ପ୍ରେମ!

ଆକାଶରେ ଭେଟ ହୋଇପାରେ ପ୍ରେମ!

Share :

ଅନେକ ସମୟରେ ଆପଣଙ୍କ ବିମାନ ସହଯାତ୍ରୀ ଜଣକର ବ୍ୟବହାର ଆପଣଙ୍କୁ ଚିଡ଼ଚିଡ଼ା ଲାଗିପାରେ । ତେବେ ଏମିତି ବି ଘଟିପାରେ, ଆପଣ ତାଙ୍କ ପ୍ରେମରେ ପଡ଼ିଯାଇ ପାରନ୍ତି । ଲଣ୍ଡନର ଏଚଏସବିସି ବ୍ୟାଙ୍କ ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନ ରିପୋର୍ଟ ଅନୁସାରେ ୫୦ ଜଣରେ ଜଣେ ବିମାନଯାତ୍ରୀ ବିମାନରେ ହିଁ ନିଜ ପ୍ରେମର ସନ୍ଧାନ ପାଆନ୍ତି । ଏହି ଅନୁଧ୍ୟାନରେ ୧୪୧ଟି ଦେଶର ୨୧୫୦ ବିମାନଯାତ୍ରୀଙ୍କୁ ବିମାନରେ ୩୦୦୦ ଫୁଟ ଉଚ୍ଚ ଆକାଶରେ ସେମାନଙ୍କ ପ୍ରେମ ସହ ଭେଟ ହୋଇଥିଲା କି ବୋଲି ପ୍ରଶ୍ନ କରାଯାଇଥିଲା । ସେହିପରି ହଂ କଂ, ଆରବ ଅମିରାତ, ଆମେରିକା ଓ ଇଂଲଣ୍ଡର ÷ଅନ୍ୟ ୬୦୦୦ ବିମାନଯାତ୍ରୀଙ୍କୁ ସେମାନଙ୍କ ବିମାନଯାତ୍ରା ଅଭ୍ୟାସ ସଂପର୍କରେ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଏହି ଲୋକମାନଙ୍କର ମତାମତକୁ ଭିତ୍ତି କରି ଏଚଏସବିସି ଏହି ରିପୋର୍ଟ ପ୍ରକାଶ କରିଛି । ୧୯୬୦ ଦଶକରେ ବିମାନଯାତ୍ରା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏହାକୁ ଏକ ରୋମାଞ୍ଚକର ଅନୁଭୂତି ଭାବେ ବିଜ୍ଞାପିତ କରାଯାଉଥିଲା । ଏଇ ଯେମିତି ଗୋଟିଏ ବିମାନ କମ୍ପାନୀର ଏକ ବିଜ୍ଞାପନରେ ଜଣେ ପୁରୁଷ ଓ ଜଣେ ନାରୀ ଗୋଟିଏ ଚେରୀ କୋଳି ଖାଉଥିବାର ଦୃଶ୍ୟ ସେତେବେଳେ ଭାରି ଲୋକପ୍ରିୟ ହୋଇଥିଲା । ତେବେ ଆଜିକାଲି ଏମିତିରେ ବି ସମୟ ବଞ୍ଚାଇବା ପାଇଁ ଅନେକଙ୍କ ନିମନ୍ତେ ବିମାନଯାତ୍ରା ବାଧ୍ୟବାଧକତାରେ ପରିଣତ ହେଲାଣି । ସେମାନେ ଶସ୍ତା ବିମାନରେ ଯାଉଥିବାବେଳେ ହାଫ ପ୍ୟାଣ୍ଟ ପିନ୍ଧି ଯାଉଛନ୍ତି, ବିମାନରେ ଖାଦ୍ୟ ଖାଇବାବେଳେ ସାର୍ଟରେ ଖାଦ୍ୟର ରଙ୍ଗ ଲାଗି ଯାଉଛି । ଅନେକ ବିମାନରେ ଦୁଇ ଧାଡ଼ି ସିଟି ମଝିରେ କମ୍ ବ୍ୟବଧାନ ଥିବାରୁ ଜାକିଜୁକି ହୋଇ ବସିବାକୁ ପଡ଼ୁଛି । ଏସବୁ ଦୃଷ୍ଟିରୁ ବିମାନଯାତ୍ରା ବାସ୍ତବରେ ଆଉ ରୋମାଞ୍ଚର ବା ରୋମାଣ୍ଟିକ ହୋଇ ରହିନାହିଁ । ତଥାପି, ଏହି ଯାତ୍ରା ସମୟରେ ଅନେକ ଲୋକ ପ୍ରେମର ସନ୍ଧାନ ପାଉଛନ୍ତି । କେତେକ ବିମାନରେ ଅବଶ୍ୟ ପ୍ରେମୀ ଯୁଗଳଙ୍କ ରୋମାଣ୍ଟିକ ଅନୁଭବ ପାଇଁ ଫ୍ୟାନ୍ସି କ୍ୟାବିନ ସୁବିଧା ରହିଛି । ତେବେ କେବଳ ପ୍ରେମ ପାଇବାକୁ ବା ପ୍ରେମ କରିବାକୁ କେହି ବିମାନରେ ଯାତ୍ରା କରନ୍ତି ନାହିଁ । ବିମାନଯାତ୍ରା ସମୟରେ କେହି କେହି ଯାତ୍ରୀ ବ୍ୟାବସାୟିକ ସୁଯୋଗ ବି ପାଇଯାଆନ୍ତି । କେହି କେହି ସହଯାତ୍ରୀ ସହିତ ବନ୍ଧୁତା ଯୋଡ଼ିଦିଅନ୍ତି । ଏଚଏସବିସି ସର୍ଭେ ଅନୁସାରେ ୭ ଜଣରେ ଜଣେ ସାରା ଜୀବନ ପାଇଁ ବନ୍ଧୁର ସନ୍ଧାନ ପାଉଥିବାବେଳେ ୧୬ ପ୍ରତିଶତ ବିମାନଯାତ୍ରୀ ବ୍ୟାବସାୟିକ ସଂପର୍କ ଯୋଡ଼ି ଦିଅନ୍ତି । ଅନେକ ଲୋକଙ୍କ ପାଇଁ ପ୍ରେମ ଓ ଲାଭର ଏଭଳି ସୁଯୋଗ ମିଳି ନଥାଏ । ପ୍ରାୟ ୪୮% ବିମାନଯାତ୍ରୀ ସହଯାତ୍ରୀଙ୍କ ଯୋତାର ଗନ୍ଧ ସହ୍ୟ କରିପାରନ୍ତି ନାହିଁ । ବିମାନ ସେବିକାଙ୍କ ପ୍ରତି ଦୁର୍ବ୍ୟହାର କରୁଥିବା ଲୋକଙ୍କ ପ୍ରତି ୬୫% ଯାତ୍ରୀ ଅତିଷ୍ଠ ହୋଇପଡ଼ନ୍ତି । ସେହିପରି ୪୬% ବିମାନଯାତ୍ରୀ ସହଯାତ୍ରୀଙ୍କ ଅତ୍ୟଧିକ ପାନୀୟ ଗ୍ରହଣକୁ ପସନ୍ଦ କରନ୍ତି ନାହିଁ । ମୁଣ୍ଡ ଉପର ଲକରରେ ଅଧିକ ସ୍ଥାନ ଦଖଲ କଲେ ୩୭% ଯାତ୍ରୀ ତାହାକୁ ପସନ୍ଦ କରନ୍ତି ନାହିଁ । କେହି ସହଯାତ୍ରୀ ଯଦି ହାତରଖା ବ୍ୟବହାର କରେ ତାହାକୁ ୩୨% ଯାତ୍ରୀ ପସନ୍ଦ କରନ୍ତି ନାହିଁ । ସହଯାତ୍ରୀଙ୍କ କାନ୍ଧରେ ଢୁଳେଇ ପଡ଼ିବା ଓ ଘୁଙ୍ଗୁଡ଼ି ମାରିବାକୁ ଯଥାକ୍ରମେ ୩୦ ଓ ୨୬ ପ୍ରତିଶତ ସହଯାତ୍ରୀ ବିଲକୁଲ ଭଲ ପଆନ୍ତି ନାହିଁ । ଏତେସବୁ ଭିତରେ କିନ୍ତୁ କେଉଁ ବିମାନରେ କେଉଁ ସିଟ୍ରେ ଆପଣଙ୍କର ଭବିଷ୍ୟତର ପ୍ରେମ ମିଳି ଯିବାର ସମ୍ଭାବନା ଅଛି । ଆପଣ ତାଙ୍କର ସନ୍ଧାନ ନେବାକୁ ଟିକେଟ କରି ଆକାଶରେ ଉଡ଼ନ୍ତୁ ନା!

Share :