ଧ୍ୱଂସ ପାଇବ ପ୍ରବାଳ ପ୍ରାଚୀର!

ଧ୍ୱଂସ ପାଇବ ପ୍ରବାଳ ପ୍ରାଚୀର!

Share :

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ରାଜ୍ୟର ଏକ ଧୂଳିଧୂସରିତ ଅଞ୍ଚଳରେ ପୃଥିବୀର ଭବିଷ୍ୟତ ନେଇ ଚିନ୍ତା ଚଳେଇଛନ୍ତି ଜଣେ ୭୩ ବର୍ଷ ବୟସ୍କ ବୈଜ୍ଞାନିକ । ତାଙ୍କ ନାଁ ହେଉଛି ଜନ୍ ଭେରୋନ । ତାଙ୍କୁ ଚାର୍ଲି ବୋଲି ବି ଡକାଯାଏ । ବିଜ୍ଞାନ ଜଗତରେ ତାଙ୍କର ନାମ ହେଉଛି ‘ଦ ଗଡ଼୍ଫାଦର ଅଫ୍ କୋରାଲ’ ବା ‘ପ୍ରବାଳର ଧର୍ମବାପା’ । ସେ କୁହନ୍ତି, ‘ଆମ ଗ୍ରହର ବିପର୍ଯ୍ୟୟ ଆରମ୍ଭ ହୋଇସାରିଛି । ମୁଁ ଏହା କହିବାକୁ ଅନେକ ଡେରି କରିଦେଇଛି ।’ ପୃଥିବୀର ପ୍ରାୟ ଏକ ଚତୁର୍ଥାଂଶ ପ୍ରବାଳ ପ୍ରଜାତି ଆବିଷ୍କାର କରିଥିବା ଏହି ବୈଜ୍ଞାନିକ ଗତ ୪୫ ବର୍ଷ ଧରି ସମୁଦ୍ରରେ ବୁଡ଼ି ଅଷ୍ଟ୍ରେଲିଆର ଗ୍ରେଟ୍ ବାରିଅର୍ ରିଫ୍ ବା ବିଶାଳ ପ୍ରବାଳ ପ୍ରାଚୀରକୁ ତନ୍ନତନ୍ନ କରି ଦେଖିଛନ୍ତି । ୨୦୧୬ ଓ ୨୦୧୭ ମସିହାରେ ବିଶ୍ୱ ତାପନ ଜନିତ ପାଗ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିଲା ସାମୁଦ୍ରିକ ତାପ ପ୍ରବାହ । ଏହି ତାପ ପ୍ରବାହ ଯୋଗୁଁ ସାଗର ତଳେ ଥିବା ଅନେକ ଜୀବଜନ୍ତୁ ଓ ଉଦ୍ଭିଦଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ସମୟରେ ଗ୍ରେଟ୍ ବାରିଅର୍ ରିଫ ବା ବିଶାଳ ପ୍ରବାଳ ପ୍ରାଚୀରର ପ୍ରାୟ ଅର୍ଦ୍ଧେକ ପ୍ରବାଳଙ୍କର ମୃତ୍ୟୁ ହୋଇଥିଲା । ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ବହୁସଂଖ୍ୟକ ପ୍ରବାଳ ଲୋପ ପାଇଥିଲେ । ଭେରୋନ୍ କୁହନ୍ତି, ‘ସାମୁଦ୍ରିକ ପ୍ରଜାତି ସମୂହର ତିନିରୁ ଚାରି ଭାଗଙ୍କ ଜୀବନ ଚକ୍ରର ଏକ ଅଂଶ ପ୍ରବାଳ ପ୍ରାଚୀର ସହିତ ଜଡ଼ିତ । ତେଣୁ ପ୍ରବାଳ ପ୍ରାଚୀର ଲୋପ ପାଇବାର ଅର୍ଥ ହେଉଛି ତିନିରୁ ଚାରି ଭାଗ ସାମୁଦ୍ରିକ ପ୍ରଜାତି ଲୋପ ପାଇବା । ଏହା ହିଁ ପରିସଂସ୍ଥାନ ଗତ କୋଳାହଳ ଓ ପରିସଂସ୍ଥାନ ଗତ ବିପର୍ଯ୍ୟୟ ।’ ଗ୍ରେଟ୍ ବାରିଅର୍ ରିଫରେ ବସବାସ କରନ୍ତି ପ୍ରାୟ ୧୫୦୦ ପ୍ରଜାତିର ମାଛ । ପ୍ରକୃତିର ଏକ ବିରାଟ ବିସ୍ମୟ ହେଉଛି ଏହି ବିଶାଳ ପ୍ରବାଳ ପ୍ରାଚୀର । ଏହାର ଦୈର୍ଘ୍ୟ ହେଉଛି ପ୍ରାୟ ୨୩୦୦ କିଲୋମିଟର । ଇଟାଲୀ ଦେଶର ଲମ୍ବ ମଧ୍ୟ ପ୍ରାୟ ଏତିକି । ପୃଥିବୀର କେବଳ ଏହି ଜୀବନ୍ତ ଜୀବଟି ମହାକାଶରୁ ଦେଖାଯାଏ । ଅଷ୍ଟ୍ରେଲିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେରାଇନ ସାଇନ୍ସ ମୁଖ୍ୟ ବୈଜ୍ଞାନିକ ପଦରୁ ଅବସର ଗ୍ରହଣ କରିଥିବା ଭେରୋନ୍ ୧୯୬୦ ଦଶକରେ ଯେବେ ପ୍ରଥମେ ସମୁଦ୍ର ଭିତରେ ବୁଡ଼ି ପ୍ରବାଳ ପ୍ରାଚୀର ଦେଖିଲେ ତାଙ୍କୁ ଲାଗିଲା, ସେଇଠୁ ତାଙ୍କର ଜୀବନ ଆରମ୍ଭ ହେଲା । ତାଙ୍କ ଭାଷାରେ, ‘ଏହା ଥିଲା ଏକ ଛୋଟ ଅଞ୍ଚଳ, ଅନେକ ଜୀବନ, ଅନେକ କାର୍ଯ୍ୟକଳାପ, ଅନେକ ଶବ୍ଦ । ଏହା ଥିଲା ବାସ୍ତବରେ ଏକ ମହାନଗର, ଗୁଂଜନ ଓ ଗୁଣୁଗୁଣୁର ସମାହାର ।’ ଭେରୋନ୍ ପ୍ରଥମେ ପାଗ ପରିବର୍ତ୍ତନ ଆଶଙ୍କାକୁ ଅସ୍ୱୀକାର କରୁଥିଲେ । କିନ୍ତୁ ୧୯୮୦ ଦଶକର ମଧ୍ୟ ଭାଗରେ ସେ ବୁଝିଗଲେ ଯେ ଏହା ଏକ ଗମ୍ଭୀର ସମସ୍ୟା ଏବହ ୧୯୯୦ ଦଶକ ବେଳକୁ ପ୍ରବାଳ ପ୍ରାଚୀର ଉପରେ ଏହାର ପ୍ରଭାବ ନେଇ ସେ ସତର୍କ ସୂଚନା ପାଇଗଲେ । ଭେରୋନ୍ଙ୍କ ମତରେ ଗତ କେଇ ବର୍ଷ ତଳୁ ଆରମ୍ଭ ହୋଇଥିବା ପାଗ ପରିବର୍ତ୍ତନ ଜନିତ ସାମୁଦ୍ରିକ ଧୂଲେଇ ବା ସମୁଦ୍ର ସଫେଇ ପ୍ରକ୍ରିୟା ଯୋଗୁଁ ପ୍ରକୃତିର ଏହି ଅନନ୍ୟ ରତ୍ନ ଭଣ୍ଡାର ଲୋପ ପାଇବ । ଏହା ପାଗ ପରିବର୍ତ୍ତନ ବିରୋଧୀ ବ୍ୟାପକ ଯୁଦ୍ଧରେ ମଣିଷ ପାଇଁ ଏକ ଜାଗରଣ ଚେତାବନୀ । ଏହା ଆଲାର୍ମ ବେଲ୍ ବା ସତର୍କ ଘଣ୍ଟିଠାରୁ ଅଧିକ । ଏହା ଏକ ପବନ ବାହିତ ସାଇରନ୍ । ପ୍ରବାଳ ପ୍ରାଚୀର ଧ୍ୱଂସ ପାଇବ- ଏଖବର ତାଙ୍କୁ ଆଉ ବିସ୍ମିତ କରୁନାହିଁ । କାରଣ ୧୯୯୦ ଦଶକରୁ ସେ ଏହା ବୁଝିଗଲେଣି । ସେତେବେଳେ ସେ କହିଥିଲେ ପାଗ ପରିବର୍ତ୍ତନ ଯୋଗୁଁ ପ୍ରବାଳ ପ୍ରାଚୀର ଧ୍ୱଂସ ପାଇବା ନିଶ୍ଚିତ । ଏହା ସେ ଅନେକ ବହିରେ ଲେଖିଛନ୍ତି । ଏ ସଂପର୍କରେ ସେ ରୟାଲ ସୋସାଇଟି ଅଫ୍ ଲଣ୍ଡନରେ ମଧ୍ୟ ସନ୍ଦର୍ଭ ପାଠ କରିଛନ୍ତି । ସେ କୁହନ୍ତି, ‘ମୁଁ ଏହା ଦେଖୁଛି ଏବଂ ଅନୁଭବ କରୁଛି ଏବଂ ଏହା ଏକବାରକେ ଭୟଙ୍କର, ଏହାକୁ ବର୍ଣ୍ଣନା କରିବା ପାଇଁ ଅନ୍ୟ ଶବ୍ଦ କିଛି ନାହିଁ ।’ ୨୦୧୮ ଗ୍ରୀଷ୍ମ ଋତୁରେ କେତେ ଜଣ ବୈଜ୍ଞାନିକ କହିଲେ ଯେ ସମୁଦ୍ର ସଫା ହୋଇନାହିଁ, କେତେକ ଅଞ୍ଚଳରେ ପ୍ରବାଳ ପ୍ରାଚୀରର ପୁନରୁଦ୍ଧାର ଘଟିଛି । କିନ୍ତୁ ଭେରୋନଙ୍କ ମତରେ ପ୍ରବାଳ ପ୍ରାଚୀରର ପୁନରୁଦ୍ଧାର ପାଇଁ ଅତି କମରେ ୧୦ ବର୍ଷ ଦରକାର । ଏବେ ସେମାନଙ୍କ ପାଖରେ ଏତେ ସମୟ ନାହିଁ । ଆସନ୍ତା ୭ରୁ ୫ ବର୍ଷ ଭିତରେ ସମୁଦ୍ର ସଫେଇ ଜୋର୍ ଧରିବ ଏବଂ ସାରା ପୃଥିବୀରେ ପ୍ରବାଳ ପ୍ରାଚୀର ଧ୍ୱଂସ ପାଇବ । ଏହାର କାରଣ ହେଉଛି ୧୯୯୦ ମସିହାରେ ହୋଇଥିବା ଅଙ୍ଗାରକ ନିର୍ଗମନର କୁପ୍ରଭାବ ଏବେ ଏବେ ସମୁଦ୍ର ଉପରେ ପଡ଼ିବା ଆରମ୍ଭ କରିଛି । ଆଗକୁ ଏହା ତ୍ୱରାନ୍ୱିତ ହେବ । ଭେରୋନ୍ଙ୍କ ମତରେ ଆମେ ଯଦି ଏବେଠାରୁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବା ଛାଡ଼ିଦିଅନ୍ତି ତଥାପି ସମୁଦ୍ରର ତାପମାତ୍ରା ଆସନ୍ତା ଦୁଇ ଦଶନ୍ଧି ଯାଏଁ ବୃଦ୍ଧି ପାଇବ । ପ୍ରଳୟର ଚିତ୍ର ବହୁତ ଦୂରରେ ଥାଇପାରେ । କିନ୍ତୁ ସମୂହ ବିଲୋପନ ଖୁବଶୀଘ୍ର ଆସିଯାଉଛି । ଭେରୋନ ବିଶ୍ୱାସ କରନ୍ତି, ଏହା ନିଶ୍ଚିତ ଘଟିବ । ଜୀବାଶ୍ମ ଇନ୍ଧନ ବିଶେଷକରି କୋଇଲାର ବ୍ୟବହାର ଯୋଗୁଁ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି ଓ ଏହାର ପ୍ରଭାବରେ ଘଟୁଛି ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସଂକଟ । ଅଷ୍ଟ୍ରେଲିଆ ପାଗ ପରିବର୍ତ୍ତନ ବିରୋଧୀ ପ୍ୟାରିସ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ବି ଏହା ହେଉଛି ବିଶ୍ୱର ସର୍ବାଧିକ କୋଇଲା ରପ୍ତାନିକାରୀ ରାଷ୍ଟ୍ର । ଭେରେନ୍ କୁହନ୍ତି, ‘ଅଙ୍ଗାରକାମ୍ଳ ଯୋଗୁଁ ପ୍ରବାଳ ସଫେଇ ଘଟିଚାଲିଛି, ତୁମେ ଯଦି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଛାଡ଼ିବା ବନ୍ଦ ନକର ତେବେ ଏହା ଘଟି ଚାଲିବ । ଏହା ଏଇପରି ସରଳ ।’

Share :