ଶୁଖି ଯିବ ଗଙ୍ଗା ଧାର!

ଶୁଖି ଯିବ ଗଙ୍ଗା ଧାର!

Share :

ତୋୟହୀନ ହେବ ପୂଣ୍ୟତୋୟା ଗଙ୍ଗା । ଶୁଖିଯିବ ଏହାର ଜଳଧାର । ଏମିତି ଏକ ଆଶଙ୍କା ପ୍ରକାଶ ପାଇଛି ଏକ ଗବେଷଣା ରିପୋର୍ଟରେ । ନେଚର’ସ ସାଇଣ୍ଟିଫିକ୍ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ଏହି ଆଶଙ୍କା ପ୍ରକାଶ ପାଇଛି । ପ୍ରବନ୍ଧରେ ଉଲ୍ଲେଖ ଅଛି ଯେ ଗ୍ରୀଷ୍ମ ଋତୁରେ ଗଙ୍ଗାର ଜଳ ପ୍ରବାହ ଗମ୍ଭୀର ଭାବରେ ହ୍ରାସ ପାଇଛି । ଗଙ୍ଗାର ଗ୍ରୀଷ୍ମ ଜଳ ପ୍ରବାହ ଏତେ କମ୍ ହୋଇଗଲାଣି ଯେ ବାରାଣାସୀରୁ କୋଲକାତା ମଧ୍ୟସ୍ଥ କେତେକ ଅଞ୍ଚଳରେ ଅଣ-ମୌସୁମୀ ଋତୁରେ ଏଥିରେ ଜଳ ପ୍ରବାହ ସଂପୂର୍ଣ୍ଣ ଶୁଖିଯିବାର ଆଶଙ୍କା ରହିଛି । ଏହି ରିପୋର୍ଟ ଅନୁସାରେ ୧୯୭୦ ଦଶକରେ ଚାଷ ପାଇଁ ଭୂତଳ ଜଳ ଉତ୍ତୋଳନ କରାଯିବା ପରଠାରୁ ଗଙ୍ଗା ଗର୍ଭକୁ ଭୂତଳ ଜଳ ପ୍ରବାହ ୫୦ ପ୍ରତିଶତ ହ୍ରାସ ପାଇସାରିଛି । ଆସନ୍ତା ୩୦ ବର୍ଷ ଭିତରେ ଏହା ୭୫ ପ୍ରତିଶତକୁ ବୃଦ୍ଧି ପାଇପାରେ । ଅଣମୌସୁମୀ ଋତୁରେ ଗଙ୍ଗା ଗର୍ଭକୁ ଭୂତଳ ଜଳ ଝରଣ ହିଁ ନଦୀକୁ ଚିରସ୍ରୋତା ରଖିଥାଏ । ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ଓ ଭୂ-ପଦାର୍ଥବିଜ୍ଞାନର ଆସୋସିଏଟ୍ ପ୍ରଫେସର ଅଭିଜିତ ମୁଖାର୍ଜୀ ଏହି ପ୍ରବନ୍ଧର ପ୍ରମୁଖ ଲେଖକ ଅଛନ୍ତି । ସେ କୁହନ୍ତି, ‘ଅନେକ ସ୍ଥାନରେ ଗଙ୍ଗା ନଦୀ ତା’ର ଅସ୍ତିତ୍ୱ ହରାଇବ । ଯଦି ଗଙ୍ଗା ନଦୀ ଅବବାହିକାର ୨-୩ କିଲୋମିଟର ମଧ୍ୟରେ ଭୂତଳ ଜଳ ଶୋଷଣ ବନ୍ଦ ନହୁଏ ତେବେ ଏହି ବିପର୍ଯ୍ୟୟ ଘଟିବା ନିଶ୍ଚିତ । ଯଦି ଭୂତଳ ଜଳ ଶୋଷଣ ବନ୍ଦ ନହୁଏ ତେବେ ଗଙ୍ଗା ନଦୀ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେବେ ।’ ଉଲ୍ଲେଖଯୋଗ୍ୟ ଯେ ଅନେକ ଚାଷୀ ଗଙ୍ଗା ନଦୀରୁ ପମ୍ପ ଯୋଗେ ଜଳ ଉଠାଇ ଜମିରେ ମଡ଼ାଇଥାନ୍ତି । ଅନେକ ଜନ ବସତି ପାଇଁ ଗଙ୍ଗାନଦୀର ଜଳ ଉଠାଇ ବିଶୋଧନ ପରେ ପାନୀୟ ଭାବେ ଯୋଗାଇ ଦିଆଯାଏ । କେତେକ ଶିଳ୍ପ ମଧ୍ୟ ଗଙ୍ଗାରୁ ଜଳ ନେଇ ବ୍ୟବହାର କରିଥାନ୍ତି । ଗଙ୍ଗା ଯଦି ଶୁଖିଯାଏ ତେବେ ଏସବୁ କାର୍ଯ୍ୟ ବ୍ୟାହତ ହେବ । ଉପଗ୍ରହ ତଥ୍ୟ, ଜଳତାତ୍ତ୍ୱିକ ପଦ୍ଦତି, ଜଳ-ଭୂରାସାନାୟିକ ଅନୁଧ୍ୟାନ ଓ ଆଇସୋଟୋପ୍ ଗବେଷଣା ଆଦିରୁ ମିଳିଥିବା ତଥ୍ୟକୁ ଅନୁଶୀଳନ କରି ଆଇଆଇଟି ଖଡ଼ଗପୁରର ଏହି ଗବେଷକମାନେ ପ୍ରକାଶ କରିଥିବା ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ୧୯୯୯ରୁ ୨୦୧୩ ଗ୍ରୀଷ୍ମ ଋତୁ ମଧ୍ୟରେ ଗଙ୍ଗା ଅବବାହିକାରେ ବାର୍ଷିକ ୦.୫ରୁ ୩୮.୧ ସିଏମ ଭୂତଳ ଜଳ ସ୍ତର ହ୍ରାସ ପାଇସାରିଛି । ପ୍ରଫେସର ମୁଖାର୍ଜୀ କୁହନ୍ତି, ‘ଆମେ ୨୮ ସ୍ଥାନର ଉପଗ୍ରହ ତଥ୍ୟ ଅନୁଧ୍ୟାନ କରିଥିଲୁ । ସେଥିରୁ ୧୯ ସ୍ଥାନରେ ଭୂତଳ ଜଳସ୍ତର ହ୍ରାସ ପାଇଥିବା ଦେଖିଲୁ । କେତେକ ସ୍ଥାନରେ ଗଙ୍ଗା ଅବବାହିକାରେ ଭୂତଳ ଜଳ ଭଣ୍ଡାର ଶୂନ୍ୟ ହୋଇଯାଇଥିବାରୁ ଗଙ୍ଗା ଜଳ ଏସବୁ ଭଣ୍ଡାରକୁ ଟାଣି ହୋଇଯାଉଛି । ତେଣୁ ଗଙ୍ଗା ଜଳ ପ୍ରବାହ କମି ଯାଉଛି ।’ ବାରାଣାସୀ, ପୂର୍ବ ବିହାର ଓ ପଶ୍ଚିମ ବଙ୍ଗ ଫାରକ୍କା ବ୍ୟାରେଜ୍ର ତଳ ଅଞ୍ଚଳରେ ଏହି ସମସ୍ୟା ସର୍ବାଧିକ ବୋଲି ସେ କହିଛନ୍ତି । ଏହି ପ୍ରବନ୍ଧର ଅନ୍ୟ ଦୁଇ ଲେଖକ ହେଉଛନ୍ତି ସୌମେନ୍ଦ୍ର ନାଥ ଭଞ୍ଜ ଏବଂ ଅଷ୍ଟ୍ରେଲିଆର ଇଣ୍ଟର୍ନେସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଆପ୍ଲାଏଡ଼ ସିଷ୍ଟମ୍ସ ଆନାଲିସିସର ଯୋଶିହିଦୋ ୱାଦା । ପ୍ରବନ୍ଧରେ ସେମାନେ କହିଛନ୍ତି ଗଙ୍ଗା ଅବବାହିକାରେ ନିର୍ବିଚାର ଭୂତଳ ଜଳ ଶୋଷଣ ବନ୍ଦ ନହେଲେ ଅନେକ ଲୋକଙ୍କର ଖାଦ୍ୟ ନିରାପତ୍ତା ବିପନ୍ନ ହେବ । କାରଣ ଗଙ୍ଗା ଅବବାହିକା ଦକ୍ଷିଣ ଏସିଆର ଖାଦ୍ୟ ଭଣ୍ଡାର ଭାବେ ଜଣାଶୁଣା । ଗଙ୍ଗା ଅବବାହିକାରୁ ଅମଳ ହେଉଥିବା ବିଭିନ୍ନ କିସମର ଶସ୍ୟ ଓ ଅନ୍ୟାନ୍ୟ ଫସଲ କୋଟିକୋଟି ଲୋକଙ୍କର ଖାଦ୍ୟ ଭାବେ ବ୍ୟବହୃତ ହୋଇଥାଏ । ଗଙ୍ଗା ନଦୀ ଶୁଖିଗଲେ ସେସବୁ ଅଞ୍ଚଳର ଚାଷ ଭୟଙ୍କର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

Share :