ରାଜ୍ୟସଭା ନିର୍ବାଚନରେ ‘ନୋଟା’ ନିଷିଦ୍ଧ

ରାଜ୍ୟସଭା ନିର୍ବାଚନରେ ‘ନୋଟା’ ନିଷିଦ୍ଧ

Share :

ରାଜ୍ୟସଭା ନିର୍ବାଚନରେ ନନ୍ ଅଫ୍ ଦ ଏବଭ୍ (ନୋଟା) ବା କାହାକୁ ନୁହେଁ ପସନ୍ଦ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଦେଇ କହିଛନ୍ତି ଯେ ନୋଟା ପସନ୍ଦ କେବଳ ପ୍ରତ୍ୟକ୍ଷ ନିର୍ବାଚନରେ ସାର୍ବଜନୀନ ସାବାଳକ ଭୋଟ ପାଇଁ ଉଦ୍ଦିଷ୍ଟ । ଏହାକୁ ରାଜ୍ୟସଭା ଭଳି ରାଜ୍ୟସଭା ଭଳି ଏକକ ହସ୍ତାନ୍ତରଯୋଗ୍ୟ ଆନୁପାତିକ ପ୍ରତିନିଧିତ୍ୱ (ପ୍ରପୋସନାଲ ରିପ୍ରେଜେଣ୍ଟେସନ ବାଇ ମିନ୍ସ ଅଫ୍ ସିଙ୍ଗ୍ଲ ଟ୍ରାନ୍ସଫରେବ୍ଲ ଭୋଟ୍) ବ୍ୟବସ୍ଥାରେ ବ୍ୟବହାର କରାଯାଇ ପାରିବ ନାହିଁ । ରାଜ୍ୟସଭା ନିର୍ବାଚନରେ ନୋଟା ବ୍ୟବସ୍ଥା ଉଚ୍ଛେଦ କରିବାକୁ ଗୁଜରାଟ କଂଗ୍ରେସ ନେତା ଶୈଳେଶ ମନୁଭାଇ ପାରମାର ୨୦୧୭ ମସିହାରେ ଆବେଦନ କରିଥିଲେ । କଂଗ୍ରେସ ନେତା ଅହମଦ ପଟେଲ ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଏହି ବ୍ୟବସ୍ଥା ଉଚ୍ଛେଦ କରିବାକୁ ପାରମାର ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହା ଉପରେ ବିଚାର କରି କୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାର ରାୟ ପ୍ରକାଶ କରି ପ୍ରଧାନ ବିଚାରପତି ମିଶ୍ର ୨୦୧୪ ଜାନୁଆରୀ ୨୪ ଓ ୨୦୧୫ ନଭେମ୍ବର ୧୨ ତାରିଖରେ ରାଜ୍ୟସଭା ନିର୍ବାଚନରେ ନୋଟା ପସନ୍ଦ ବ୍ୟବହାର କରିବା ନିମନ୍ତେ ଭାରତର ମୁଖ୍ୟ ନିର୍ବାଚନ କମିଶନ ଜାରି କରିଥିବା ଦୁଇଟି ସର୍କୁଲାର ବିରୋଧରେ ମଧ୍ୟ କୋର୍ଟ ରାୟ ଦେଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିବା ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଆବେଦନକାରୀଙ୍କ ପକ୍ଷ ସମର୍ଥନ କରିଥିଲେ । ସେ କହିଥିଲେ ଯେ ରାଜ୍ୟସଭା ପରି ପରୋକ୍ଷ ନିର୍ବାଚନରେ ନୋଟା ପସନ୍ଦ ରହିଲେ ତାହା ଘୋଡ଼ା ବେପାର ଓ ନିର୍ବାଚନୀ ଦୁର୍ନୀତି ସହିତ ଦଳୀୟ ପ୍ରାର୍ଥୀଙ୍କୁ ହରାଇବା ପାଇଁ ସମ୍ବିଧାନ ବହିର୍ଭୂତ ପଦ୍ଧତି ବ୍ୟବହାର ପାଇଁ ବାଟ ଫିଟାଇବ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏଏମ ସିଂହଭି ଏବଂ ଦେବଦତ୍ତ କାମତ ଯୁକ୍ତି ଉପସ୍ଥାପନ କରିଥିଲେ । ନୋଟା ପସନ୍ଦ ରାଜ୍ୟସଭାର ପ୍ରପୋସନାଲ ରିପ୍ରେଜେଣ୍ଟେସନ ବାଇ ମିନ୍ସ ଅଫ୍ ସିଙ୍ଗଲ୍ ଟ୍ରାନ୍ସଫରେବ୍ଲ ଭୋଟ୍ ବ୍ୟବସ୍ଥାକୁ ତୁଚ୍ଛ ଓ ନିଷ୍କ୍ରିୟ କରିଦେବ ବୋଲି ସିଂହଭି ଯୁକ୍ତି କରିଥିଲେ । ସେ କହିଥିଲେ ନିର୍ବାଚନ କମିଶନ ଏକ ସର୍କୁଲାର ଜାରି କରି ରାଜ୍ୟସଭା ନିର୍ବାଚନରେ ନୋଟା ପସନ୍ଦକୁ ବୈଧ କରିପାରିବେ ନାହିଁ । ଏହା ସମ୍ବିଧାନର ୮୦(୪) ଧାରା ସମେତ ୧୯୫୧ର ଜନ ପ୍ରତିନିଧି ଆଇନ ଏବଂ ୧୯୬୧ର ନିର୍ବାଚନ ପରିଚାଳନା ନିୟମର ବିରୁଦ୍ଧାଚରଣ କରୁଛି । ଦଳୀୟ ଶୃଙ୍ଖଳା ପ୍ରତିଷ୍ଠା କରିବା ସଙ୍ଗେସଙ୍ଗେ ରାଜ୍ୟସଭା ନିର୍ବାଚନକୁ ଦୁର୍ନୀତିମୁକ୍ତ ରଖିବାକୁ ୨୦୦୩ ମସିହାରେ ଏହାକୁ ମୁକ୍ତ କରାଯାଇଥିଲା । ଅର୍ଥାତ ଏହି ନିର୍ବାଚନରେ ଭୋଟର୍ମାନେ ଖୋଲାଖୋଲି ଭୋଟ୍ ଦେବାର ବ୍ୟବସ୍ଥା ରହିଛି । ନୋଟା ପସନ୍ଦ ଏହାକୁ ମଧ୍ୟ ଉଲ୍ଲଙ୍ଘନ କରୁଛି । ତେବେ ନିର୍ବାଚନ କମିଶନଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରି ଆଇନଜୀବୀ ଅମିତ ଶର୍ମା କହିଥିଲେ ଯେ ଯେଉଁ ବ୍ୟକ୍ତିଙ୍କର ଭୋଟ୍ ଦେବାର ଅଧିକାର ଅଛି ତାଙ୍କର ମଧ୍ୟ ଭୋଟ୍ ନଦେବାର ଅଧିକାର ଅଛି । ଆବେଦକାରୀ ପାର୍ମାରଙ୍କ ଯୁକ୍ତି ଥିଲା ନିର୍ବାଚନ କମିଶନଙ୍କର ଏକ କାର୍ଯ୍ୟନିର୍ବାହୀ ଆଦେଶ ବଳରେ ବୈଧାନିକ ବ୍ୟବସ୍ଥାକୁ ଅକାମୀ କରିପାରିବ ନାହିଁ । ତେଣୁ ଏହି ଆଦେଶ ବେଆଇନ, ଏକତରଫା ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଆବେଦନରେ ଉଲ୍ଲେଖ କରିଥିଲେ ।

Share :